ବାନର ମକର
ବାନର ମକର
ଏକ ସମୁଦ୍ର କୂଳରେ ଗୋଟିଏ ଜାମୁ ବୃକ୍ଷ ଥିଲା । ସେହି ଜାମୁ ବୃକ୍ଷରେ ବର୍ଷକ ବାର ମାସ ଜାମୁକୋଳି ଫଳ ଫଳୁଥିଲା । ଗଛଟିରେ ସଦାସର୍ବଦା ଫଳ ଫଳୁଥିବା ଦେଖି ସେହି ଗଛଟିକୁ ନିଜଲାଗି ଉତ୍ତମ ପାଇ ରକ୍ତମୁଖ ନାମକ ବାନର ସେଠାରେ ବାସ କରିବାକୁ ଲାଗିଲା ।
ଏମିତି କିଛିଦିନ ରକ୍ତମୁଖ ବାନର ସେହି ବୃକ୍ଷରେ ରହିବା ପରେ ସମୁଦ୍ରରେ ବାସ କରୁଥିବା ବିରାଳମୁଖ ନାମକ ଏକ କୁମ୍ଭୀର ନିଜ ଲାଗି ଏକ କୋମଳପ୍ରାୟ ବାଲୁକା ଶେଜ ଖୋଜୁ ଖୋଜୁ ଆସି ସେହିଠାରେ ହିଁ ପହଞ୍ଚିଗଲା । ସେତେବେଳେ ଜାମୁ ଗଛରେ ରହୁଥିବା ରକ୍ତମୁଖ ବାନର ସହିତ ତା’ର ପରିଚୟ ହେଲା । ଏହାପରେ ରକ୍ତମୁଖ ବାନର କହିଲା, ତୁମେ ମୋ ପାଖରେ ଆସି ପହଞ୍ଚିଥିବା ଜଣେ ଅତିଥି । ମୋର ଏହି ବୃକ୍ଷରେ ଫଳୁଥିବା କୋଳି ଅମୃତ ତୁଲ୍ୟ, ତେଣୁ ସେହି ଜାମୁକୋଳି ଦେଉଛି ତୁମେ ଖାଅ ।
ଏଠାରେ ରକ୍ତମୁଖ ବାନର ବିରାଳମୁଖ କୁମ୍ଭୀରକୁ ନିଜର ଅତିଥି ଭାବରେ ସ୍ୱୀକାର କରିଛି । କାରଣ କେହି ମୂର୍ଖ ହେଉ ଅଥବା ପଣ୍ଡିତ ହେଉ ପାଖରେ ପହଞ୍ଚିଥିବା ଅତିଥି ହେତୁ ବାନର ମହତ୍ତ୍ୱପୂର୍ଣ୍ଣ ବ୍ୟବହାର ତାକୁ ଦେଖାଇଲା । କାରଣ ଅତିଥି ସେବା କରିଥିଲେ ତା’ର ଫଳ ପୂଣ୍ୟ ତଥା ସ୍ୱର୍ଗ ପ୍ରାପ୍ତି ଫଳ ହୋଇଥାଏ । ଏହାବ୍ୟତୀତ ଯାହାଙ୍କ ଦ୍ୱାରରୁ ବିମୁଖପ୍ରାୟ କେହି ଅତିଥି ଫେରିଯାଏ ତାହାର ଘରୁ ଦେବତା ବା ପିତୃପୁରୁଷମାନେ ଫେରିଯାଇଥାଆନ୍ତି, ଏକଥା ବାନର ଜାଣିଥିଲା । ତେଣୁ କୁମ୍ଭୀରକୁ ଜାମୁକୋଳି ଖାଇବା ନିମନ୍ତେ କହିଥିଲା ।
ରକ୍ତମୁଖ ବାନର ଏହିପରି ଶ୍ରଦ୍ଧାପୂର୍ଣ୍ଣ ଭାଷା କହି ବିରାଳମୁଖ କୁମ୍ଭୀରକୁ ସୁନ୍ଦର ସୁନ୍ଦର ପାଚିଥିବା ଜାମୁକୋଳିଗୁଡ଼ିଏ ଖାଇବାକୁ ଦେଲା ।
ବିରାଳମୁଖ ବାନର ସେଠାରେ ଜାମୁକୋଳି ଖାଇବା ସମୟରେ ବାନରକୁ ତା’ର ଉତ୍ତମ ବଂଧୁ କହି ବହୁ ସମୟ ତା’ ସହିତ ଆଳାପ ଆଲୋଚନା କଲା ଓ ଜାମୁକୋଳି ପେଟପୂରା ଖାଇସାରିବା ପରେ ନିଜର ପୂର୍ବ ସ୍ଥାନକୁ ଫେରି ଯାଇଥିଲା ।
ତା’ପରେ ବିରାଳମୁଖ କୁମ୍ଭୀର ଆଜି ଯେଉଁ ଜାମୁକୋଳି ଖାଇଲା ସେଥିରେ ସେ ସନ୍ତୁଷ୍ଟ ହେବାରୁ ସେ ପ୍ରତିଦିନ ଜାମୁକୋଳି ଖାଇବା ନିମନ୍ତେ ସେଠାକୁ ଆସିଲା । ଏହାଦ୍ୱାରା ଦୁହିଁଙ୍କ ମଧ୍ୟରେ ଖୁବ୍ ପ୍ରିୟତା ବା ବଂଧୁତା ବଢ଼ିବାକୁ ଲାଗିଲା ।
ଏହିପରି ତିନୋଟି ଦିନ ବିତିଯାଇଛି । ବିରାଳମୁଖ କୁମ୍ଭୀର, ରକ୍ତମୁଖର ଜାମୁକୋଳି ନିଜେଖାଇବା ସହିତ ପ୍ରତିଦିନ କିଛି କିଛି ଘରକୁ ନେଇଯାଇ ଏବଂ ସ୍ତ୍ରୀଙ୍କୁ ଖାଇବାକୁ ଦେଲା ।
କୁମ୍ଭୀରର ସ୍ତ୍ରୀ ଯେତେବେଳେ ପ୍ରତିଦିନ ଏପରି ସୁସ୍ୱାଦୁ ତଥା ଅମୃତ ତୁଲ୍ୟ ଜାମୁକୋଳି ଖାଇଲା, ତାହା କେଉଁଠାରୁ ଆସିଲା ଏହାକୁ କିଏ ଦେଇଛି, ସ୍ତ୍ରୀ ହିସାବରେ ତା’ର ସ୍ୱାମୀ ବିରାଳମୁଖକୁ ପଚାରିଲା – ସ୍ୱାମୀ ତୁମେ ଏହି ଅମୃତମୟ ପାଚିଲା ଫଳଗୁଡ଼ିକ କେଉଁଠାରୁ ପାଇଲ?
ସ୍ତ୍ରୀଙ୍କ ଠାରୁ ଏକଥା ଶୁଣି ବିରାଳମୁଖ କୁମ୍ଭୀର ତା’ର ସ୍ତ୍ରୀଙ୍କୁ କହିଲା, ହେ ପ୍ରିୟେ, ଏଥି ମଧ୍ୟରେ ମୋର ଜଣେ ଶ୍ରେଷ୍ଠ ବଂଧୁ ହୋଇଛନ୍ତି । ରକ୍ତମୁଖ ବାନର ଭାବରେ ତାହାର ପରିଚୟ । ମୁଁ ପ୍ରତିଦିନ ସେହିଠାକୁ ଯାଉଥିବାରୁ ସେ ମୋତେ ଏହି ଜାମୁକୋଳି ଖାଇବାକୁ ଦେଇଥାଏ । ମୁଁ ତା’ର ବହୁତ ସ୍ନେହକୁ ଭାଙ୍ଗିପାରେ ନାହିଁ, ପେଟପୁରା ଖାଇବାପରେ ଆଉ କିଛି ତୁମଲାଗି ନେଇ ଆସିଥାଏ ।
କରାଳମୁଖ ଠାରୁ ତା’ର ସ୍ତ୍ରୀ ଏକଥା ଶୁଣି ସାରି ବହୁତ ସମୟ ଚିନ୍ତାକଲା ଯେ ଯିଏ ପ୍ରତିଦିନ ଉଦର ପୂର୍ଣ୍ଣ କରି ଏପରି ଅମୃତମୟ ଫଳ ଖାଉଛି । ଏ ଫଳ ଯଦି ଏତେ ସ୍ୱାଦ, ତାହାହେଲେ ସେହି ରକ୍ତମୁଖର କଲିଜା ଯେ ଏହାଠାରୁ ଅଧିକ ସୁସ୍ୱାଦୁ ହୋଇ ନଥିବ କାହିଁକି । ଏମିତି ଭାବି କରାଳମୁଖ କୁମ୍ଭୀରର ସ୍ତ୍ରୀ କହିଲା – ହେ ସ୍ୱାମୀ, ତୁମେ ଯଦି ମୋତେ ଏତେ ଭଲ ପାଅ । ଆଉ ମୋ ପରି ଜଣେ ସୁନ୍ଦରୀ ସ୍ତ୍ରୀର ଯେବେ ତୁମର ପ୍ରୟୋଜନ ଥାଏ ତାହାହେଲେ ତୁମେ ମୋତେ ତୁମର ବଂଧୁଙ୍କର ଦେଉଥିବା ଜାମୁକୋଳି ନଆଣି ତା’ କଲିଜା ଗୋଟିକ ଆଣି ମୋତେ ଦିଅ । କାରଣ ତା’ର ହୃଦୟ ବା କଲିଜାଟି ନିଶ୍ଚୟ ଅମୃତଠାରୁ ଆହୁରି ସୁସ୍ୱାଦୁ ହୋଇଥିବ । ଆଉ ମଧ୍ୟ ସେପରି ଅମୃତତୁଲ୍ୟ, ସୁସ୍ୱାଦୁ କଲିଜା ବା ହୃଦୟଟିକୁ ଖାଇଦେଲେ ମୋତେ ଆଉ ବାର୍ଦ୍ଧକ୍ୟ ସ୍ପର୍ଶ କରିପାରିବ ନାହିଁ । ବାର୍ଦ୍ଧକ୍ୟ ନହେଲେ ମୋର ମୃତ୍ୟୁ ମଧ୍ୟ ହେବ ନାହିଁ । ତେଣୁ ମୁଁ ସଦାସର୍ବଦା ଚିର ଯୌବନ ହୋଇ ବଞ୍ଚିରହିବି । ଆଉ ମଧ୍ୟ ଖୁବ୍ ସୁଖର ସହିତ ତୁମ୍ଭଠାରୁ ଇନ୍ଦ୍ରିୟସୁଖ ଭୋଗ କରିବି ।
କରାଳମୁଖ ନିଜର ଅତିପ୍ରିୟ ତଥା ଅତି ସୁନ୍ଦରୀ ସ୍ତ୍ରୀଙ୍କ ମୁଖରୁ ଯେତେବେଳେ ଏକଥା ଶୁଣିଛି ସେ ସଙ୍ଗେ ସଙ୍ଗେ ପ୍ରତ୍ୟୁତ୍ତୋରରେ କହିଲା, ପ୍ରିୟେ! ଥାଉ ଥାଉ, ତୁମ୍ଭେ ଆଉ ଏପରି କଥା ମୋତେ କୁହନାହିଁ । କାରଣ ସେହି ରକ୍ତମୁଖ ବାନର ଏହା ମଧ୍ୟରେ ସେ ମୋର ଭାଇ ହୋଇସାରିଛନ୍ତି । ଏଥି ସକାଶେ ସେ ଭାଇକୁ ମାରିଦେବା ମୋ ନିମନ୍ତେ ଦୂରୁହ ବ୍ୟାପାର ହେବ । ତେଣୁ ତୁମ ମନକୁ ଆସୁଥିବା ସେହି ବୃଥା ଆଶାକୁ ତ୍ୟାଗକର, କାହିଁକି ନା’ ମାଆ ଗୋଟିଏ ପ୍ରକାର ଭାଇକୁ ଜନ୍ମ ଦେଇଥାଏ; କିନ୍ତୁ ବାଣୀ ଦ୍ୱିତୀୟ ପ୍ରକାର ଭାଇର ଜନ୍ମ ଦେଇଥାଏ । କିନ୍ତୁ ବିଚାର ଦୃଷ୍ଟିରୁ ବଚନରୁ ଜାତ ହୋଇଥିବା ଭାଇ ସହୋଦର ଭାଇଠାରୁ ଆତି ଉତ୍ତମ ତଥା ଭାଇ ମଧ୍ୟରେ ଶ୍ରେଷ୍ଠ ଅଟେ ।
କରାଳମୁଖ କୁମ୍ଭୀରର ମୁଖରୁ ଏପରି କଥା ଶୁଣିବାପରେ ତା’ର ପ୍ରାଣପ୍ରିୟା ସ୍ତ୍ରୀର ମନକୁ ଦାରୁଣ ଦୁଃଖ ଲାଗିଲା । ତା’ପରେ ସେ ଅଭିମାନିନୀ ହୋଇପଡ଼ି କହିଲା – ତୁମେ ରକ୍ତମୁଖ ବାନରର ବାସ କରୁଥିବା ବାଲୁକା ଶେଜରେ ବହୁ ସମୟ ଧରି ରହୁଥିବାରୁ କାରଣଟି ଏବେ, ମୋତେ ଜଣାଯାଇଛି । ଏହାର କାରଣ ନିଶ୍ଚୟ ସେହି ବାନରର ସ୍ତ୍ରୀ, କାହିଁକି ନା’ ତୁମେ ମୋତେ ବିରୁଦ୍ଧାଚରଣ କରୁଛ । ପୁଣି କେତେଦିନ ହେଲା ତୁମେ ଆଉ ପୂର୍ବଦିନ ପରି ଶ୍ରଦ୍ଧା ସ୍ନେହରେ ମୋ ସାଥିରେ ଦି’ପଦ କଥା ହେଉନାହଁ । ଆଗରୁ ମୁଁ ଯେଉଁ ଦ୍ରବ୍ୟ ଇଚ୍ଛା କରୁଥିଲି ତାହା ବିନା ଆପତ୍ତିରେ ମୋହ ନିକଟରେ ଆସି ପହଞ୍ଚାଉଥିଲ ତାହା ମଧ୍ୟ କରୁନାହିଁ । ଅଧିକାଂଶ ରାତ୍ରରେ କାହାକୁ ଭାବୁଥିବା କଥା ତୁମର ଘନ ଘନ ଗରମ ନିଃଶ୍ୱାସରୁ ମୁଁ ଜାଣିବାକୁ ପାଉଅଛି । ଆଗପରି ତୁମେ ଆଉ ମୋତେ ଆଲିଙ୍ଗନ କରୁନାହଁ । ତେଣୁ ମୁଁ ଏବେ ଜାଣିପାରୁଅଛି ଯେ ମୋଠାରୁ ଏବେ ସେହି ରକ୍ତମୁଖର ବାନର ସ୍ତ୍ରୀ ତୁମ ଲାଗି ଖୁବ୍ ପ୍ରିୟ ହୋଇଯାଇଛି । ତାହା ହୋଇ ନଥିଲେ ମୋ ମନ ମଧ୍ୟରେ ଉଦିତ ହୋଇ ଉଠିଥିବା ଅଭିଳାଷକୁ ପୂରଣ କରିବା ଲାଗି ତୁମେ କୁଣ୍ଠିତ ବା କାହିଁକି ହୋଇଥାଆନ୍ତ ।
ଏଥର କରାଳମୁଖ କୁମ୍ଭୀର ନିଜ ସ୍ତ୍ରୀଙ୍କ ଠାରୁ ଏପରି ଅସହ୍ୟ କଥାମାନ ଶୁଣି ବିକଳ ହୋଇ ପଡ଼ିଲା । ଏତେ ଦିନଧରି ବଂଧୁ ହୋଇ ବାନରଠାରୁ ଏତେ କୋଳି ଖାଇସାରିଛି, ବର୍ତ୍ତମାନ ସ୍ତ୍ରୀ କଥାରେ ଯଦି ମୋତେ ବଂଧୁ ହତ୍ୟା କରିବାକୁ ହେବ, ଏହା କୁମ୍ଭୀରର ଚିନ୍ତାର କାରଣ ହେଲା । ମନେ ମନେ କୁମ୍ଭୀର ନିଜର ପତ୍ନୀର ବିରୋଧୀ ଓ ବିଦ୍ରୋହୀ ହୋଇଗଲା । ପୁଣି ଏଥିଲାଗି ସ୍ତ୍ରୀ ଯେ ଦିନ ଦିନ ଧରି ଉପବାସରେ ସମୟ ବିତାଉଛି ତାହା ମଧ୍ୟ ସବୁଠାରୁ ବଡ଼ ଦୁଃଖର କାରଣ ହୋଇଗଲା ।
