STORYMIRROR

Niranjan Pandey

Children Stories Inspirational Children

4  

Niranjan Pandey

Children Stories Inspirational Children

ବାବୁ ନିରଞ୍ଜନ

ବାବୁ ନିରଞ୍ଜନ

4 mins
464

        ଦିନର ବିଦ୍ୟାଳୟ କାର୍ଯ୍ୟ ସାରି ରାତି ଗାଡ଼ିରେ ବାହାରି ପଡ଼ିଲି ।ପ୍ରାୟ ତିନି ଶହ କି.ମି ଦୂର ରାସ୍ତା ।କାର୍ତ୍ତିକ ମାସ ଯୋଗୁଁ ପୁରୀ ଅଭିମୁଖେ ବହୁତ ତୀର୍ଥ ଯାତ୍ରୀ ସେହି ବସରେ ବସି ଥାନ୍ତି ।ବହୁତ ଗହଳି ।ରାତ୍ରି ଅନିଦ୍ରା ସହ ଭୋରରେ ବସ୍ ଟି ପହଞ୍ଚି ଗଲା ବରମୁଣ୍ଡା ରେ।ପୁରୀ..ପୁରୀ... ପୁରୀ ପାଇଁ ବସ ବାଲା ଡାକ ଛାଡୁଥିଲା ।ଅବିଳମ୍ବେ ବସ ଧରି ପହଞ୍ଚି ଗଲି ସତ୍ୟବାଦୀ ।ସକାଳ ଛଅଟାରୁ ପାଛୋଟି ନେବାପାଇଁ ବାଲ୍ୟବନ୍ଧୁ ମାନ ଭାଇ ଅପେକ୍ଷା ରେ ଥିଲେ ।

-ଆଉ ମାନ ଭାଇ ! କ'ଣ ସବୁ ହାଲ ଚାଲ ?

ଆଉ କିଏ କିଏ ଏଥର ଅତିଥି ଆସୁଛନ୍ତି ? ଅନ୍ୟ ଅତିଥି ସବୁ ଆସିଗଲେଣି ?

ଆଛା..ମାନ ଭାଇ,ପିଲାବେଳେ ଆମକୁ ଯୋଉ ପ୍ରଭାତ ସାର୍ ପଢ଼ାଉଥିଲେ ତାଙ୍କ ସହିତ ତୁମର କେବେ ଦେଖା ହେଉନି ?

ପ୍ରଭାତ ସାରଙ୍କର ପାଠ ପଢ଼ା ଓ ସ୍ନେହ ପାଇଁ ମୋତେ ଲାଗନ୍ତି ସେ ଶିକ୍ଷକ ମାନଙ୍କ ମଧ୍ୟରେ ସ୍ବତନ୍ତ୍ର । କେବଳ ମୋର ନୁହେଁ ଅନେକ ଛାତ୍ରଛାତ୍ରୀ ଙ୍କର ସେ ପ୍ରିୟ ଶିକ୍ଷକ ।ଅନେକ ବର୍ଷ ପରେ ବାଲ୍ୟବନ୍ଧୁ ଙ୍କ ସହ ଦେଖା ।ଶୈଶବ ର ସ୍ମୃତି ସାଉଁଟିବା ସହ ଏମିତି ଅନେକ କଥା ହଉହଉ ମାନ ଭାଇ, ଗାଡ଼ି ପହଞ୍ଚାଇ ଦେଲେଣି ବାଲ୍ୟଗ୍ରାମ ଅଳଗୁମ ଗତିଶ୍ବର ମନ୍ଦିର ବେଢ଼ା ନିକଟରେ ।ଅଗାଧୁଆ ମନ୍ଦିର ତ ଯାଇ ହେବ ନାହିଁ ।ସକାଳ ସ୍ନାନାଦି କାର୍ଯ୍ୟ ଅବିଳମ୍ବେ ସାରିଦେଉଣୁ ଦେଖାହୁଅନ୍ତି ମୋର ଅପେକ୍ଷା ରେ ଥିବା ଟିକେଇ ଭାଇନା, ପ୍ରଶାନ୍ତ ଭାଇ ।ଆଲୋଚନା ହୁଏ ଆଜିର କାର୍ଯ୍ୟକ୍ରମ ସମ୍ବନ୍ଧରେ ।

             ଅଦୂରରେ ମନ୍ଦିର ଘଣ୍ଟ,କାହାଳୀ ଧ୍ବନି । ଓଃ..କି ପବିତ୍ର ବେଳା ।କାର୍ତ୍ତିକ ମାସର ପଞ୍ଚୁକ ପର୍ବ ସକାଳ ର ଏଇ ମୁହୁର୍ତ୍ତ ମନରେ ଏକ ଦିବ୍ୟ ଭାବନା ଭରି ଦେଉଥାଏ ।ପ୍ରତ୍ନତାତ୍ତ୍ୱିକ ବିଭାଗ ଦ୍ଵାରା ସଂରକ୍ଷିତ ଗତିଶ୍ବରଙ୍କ ମନ୍ଦିର ର ଏଇ ବିଶେଷ କାହାଳି ର ଧ୍ବନି ହୃଦୟରେ ଯେପରି ॐକାର ଉଚ୍ଚାରଣ କରେ । ସୁସଜ୍ଜିତ ମନ୍ଦିର ବେଢ଼ା। ଚୋଡ଼ଗଙ୍ଗ ଦେବଙ୍କ ଦ୍ବାଦଶ ଶତାବ୍ଦୀ ସମୟର ତଥା ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଠାରୁ ପୁରୁଣା ଏହି ଶ୍ରୀ ଗତିଶ୍ବର ଦେବଙ୍କ ପୀଠରେ ଆଜି ବିଶ୍ବ ଶାନ୍ତି ରୂଦ୍ରାଭିଷେକ,ଯଜ୍ଞ,ସନ୍ଧ୍ୟାରେ ଅନେକ ଗୁଡ଼ିଏ ପ୍ରତିଯୋଗିତା ର ପୁରସ୍କାର ବିତରଣ ଏବଂ କବି ସମ୍ମିଳନୀ ର କାର୍ଯ୍ୟକ୍ରମ ।ଅତିଥି ହେଲେ କ'ଣ ହେଲା ? ଗାଆଁ ଭାଇ ର ଭୂମିକା ମଧ୍ୟ ତୁଲାଇବାକୁ କିଛି ଦାୟିତ୍ୱ ମୋତ ନେବାକୁ ପଡ଼ିଲା । କୃତୀ ପ୍ରତିଯୋଗୀ ମାନଙ୍କ ପାଇଁ ପ୍ରମାଣ ପତ୍ର ଲିଖନ ଦାୟିତ୍ୱ ସହ ନିଜସ୍ବ ଆଗ୍ରହରେ,ଅନିଲ ସାର୍ ଙ୍କ ସହଯୋଗରେ କିଛି ପୁରସ୍କାର ରାଶିର ପ୍ରାୟୋଜକ ହୋଇଗଲୁ। ଏଥି ସହିତ ମଞ୍ଚ ଉପସ୍ଥାପନା ଏବଂ ସନ୍ଧ୍ୟା ରେ କବି ସମ୍ମିଳନୀ ରେ ଅତିଥି ।

ଗତିଶ୍ବର ଦେବଙ୍କ ସାନ୍ଧ୍ୟ ଆଳତୀ ରେ ପ୍ରବଳ ଜନ ସମାଗମ ହୋଇଗଲାଣି । ଓଡ଼ିଶାର ବରେଣ୍ୟ ସାରସ୍ୱତ ସାଧକ ମାନଙ୍କୁ ନେଇ ବର୍ତ୍ତମାନ କବି ସମ୍ମିଳନୀ ର ସମୟ।ଅନ୍ୟ ଅତିଥି ମାନଙ୍କ ସହ ଆଜିର ମୁଖ୍ୟ ଅତିଥି ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପ୍ରଭାତ ରଥ ମଞ୍ଚାସୀନ ହୋଇଗଲେଣି।ପୁଷ୍ପ ଗୁଚ୍ଛ ତଥା ବୈଦିକ ପଣ୍ଡିତ ମାନଙ୍କ ହସ୍ତରେ ତିଳକ ଦ୍ବାରା ଅତିଥି ମାନଙ୍କ ସ୍ବାଗତ ହୋଇଗଲା ।

-ଆଜିର ମୁଖ୍ୟ ଅତିଥିଙ୍କୁ ନିବେଦନ ସେ ତାଙ୍କର କରକମଳରେ ବିଭିନ୍ନ ପ୍ରତିଯୋଗୀତାରେ ସଫଳ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବେ।

କେଜାଣି କାହିଁକି ମୋର ଦୃଷ୍ଟି ବାରମ୍ବାର ମୁଖ୍ୟ ଅତିଥି ଙ୍କ ଆଡ଼କୁ ଯାଉଥାଏ । ପୁରସ୍କାର ବିତରଣ ସମୟରେ ପ୍ରତିଯୋଗୀ ମାନଙ୍କୁ ତାଙ୍କ ନିଜ ତଥା ବିଶେଷ ଶୈଳୀ ରେ ଉତ୍ସାହିତ କରିବା, ଶ୍ରଦ୍ଧା ଦେବା ମୋତେ ବିଶେଷ ଭାବେ ମୋର ପିଲାବେଳର ପ୍ରଭାତ ସାର ଙ୍କୁ ମନେପକାଇ ଦେଉଥାଏ ।

-ଆଜ୍ଞା ଙ୍କୁ ପୂର୍ବରୁ କେଉଁଠି ଦେଖିଛି କି ..!ତାଙ୍କ ସହ ପରିଚିତ ହେବା ପାଇଁ ଚେଷ୍ଟା କରୁଥାଏ ।

              ଅନନ୍ୟ ଆଧ୍ୟାତ୍ମିକ କବିତା ରସାସ୍ବାଦନ ରେ ସାହିତ୍ୟ ଆସର ଟି ସରିଲା ।କୌଣସି ବିଶେଷ କାରଣରୁ ମୁଖ୍ୟ ଅତିଥି ବର୍ତ୍ତମାନ ମଞ୍ଚ ରୁ ବିଦାୟ ପାଇଁ ବାହାରିଲେଣି । ତା ପୂର୍ବରୁ ବସନ୍ତମାଳର ଅନିଲ ସାରଙ୍କ ଠାରୁ ବୁଝିନେଇଥାଏ, ହଁ.. ସେ ହିଁ ମୋର ପିଲାବେଳର ପ୍ରିୟ ଶିକ୍ଷକ ପ୍ରଭାତ ସାର୍ । ସାର ଙ୍କ ଚୁଟି ପାଚିଗଲାଣି ଏଣୁ ଦୋଦୋ ଚିହ୍ନା ଲାଗୁଛି ।ଦୀର୍ଘ ବର୍ଷ ପରେ ସାର୍ ଙ୍କ ସହ ଆଜି ସାକ୍ଷାତ ଯେପରି ଜୀବନ ସାରାଂଶ ର ସନ୍ଧାନ ରେ ଗୁରୁଙ୍କ ଵୟସ ର ଅନୁଭୂତି ତଥା ସାନ୍ନିଧ୍ୟ, ଏକ ଭିନ୍ନ ଉପଲବ୍ଧି ଆଣି ଦେଇଛି ।

      ଯେତେବେଳେ ଗାଁକୁ ଯାଏ, ସାର୍ ଙ୍କୁ ମୁଁ ମନେ ମନେ ବହୁତ ଖୋଜେ । କିନ୍ତୁ ପାଏନା ।ସାର ଙ୍କ ସହିତ ପୁଣି କେବେ ଦେଖା ହେବ କେଜାଣି ?ଦଉଡ଼ି ଗଲି ସାର୍ ଙ୍କ ପାଖକୁ ଆଶୀର୍ବାଦ ନେବାପାଇଁ ।ସାର ଙ୍କ ପାଦ ଛୁଇଁ ପ୍ରଣାମ କଲି ।

-ସାର୍ , ମୋତେ ଚିହ୍ନି ପାରିଲେ ?

-ଆରେ ହଁ ..ହଁ ..ନିରଞ୍ଜନ ବାବୁ ! ଆପଣଙ୍କ ମଞ୍ଚ ଉପସ୍ଥାପନା ଏବଂ କବିତା ମୁଁ ଶୁଣୁଥିଲି ।ବେସ ଉଚ୍ଚକୋଟୀର ।ମୁଁ ଅନ୍ୟ ମାନଙ୍କୁ ପଚାରୁ ଥିଲି ତୁମ ବିଷୟରେ ସେ କୋଉଠୁ ଆସିଛନ୍ତି ବୋଲି । ଭଲହେଲା ତୁମସହ କଥାବାର୍ତ୍ତା ବି ହେଇଗଲା।

-ସାର୍, ମୁଁ ଆପଣଙ୍କ ଛାତ୍ର ।

-ମୋର ଛାତ୍ର ?ଆରେ ନାଇଁ ନାଇଁ ..ମୋର ଛାତ୍ର ହେଇ ନଥିବ ।ସାର୍ ଚିନ୍ତାରେ ପଡ଼ି ଗଲେ ।

-ହଁ ସାର୍ ।ଆମ ବ୍ୟାଚ ରେ ପୂର୍ଣ୍ଣ ସିଂହ ସାର ଙ୍କ ପୁଅ,ବୁବୁ,ଟୁଟୁନା ଏମାନେ ସବୁ ପଢ଼ୁଥିଲେ । ଆପଣ ଆମ ଘର ରାସ୍ତା ଦେଇ ଚାଲି ଚାଲି ସ୍କୁଲ କୁ ଯାଆନ୍ତି । ବଙ୍କୁଲି ବେଣ୍ଟ ବାଲା ଲମ୍ବା ଛତା ଆପଣ ହାତରେ ଝୁଲେଇ ଯାଆନ୍ତି ।ଷଷ୍ଠ ରେ ପଢ଼ାଇବା ସମୟରେ ଆପଣ କହିଥିବା ସେଇ ଶରୀର ର ଅଙ୍ଗ ମାନଙ୍କ ମଧ୍ୟରେ ହୋଇଥିବା ଝଗଡା ର ଗପ ଏବେ ମଧ୍ୟ ମୋର ମନେଅଛି ।ସାର୍ ଙ୍କୁ ମନେପକାଇ ଦେବା କୁ ପ୍ରୟାସ କଲି ।

-ଆରେ ହଁ..ହଁ..ତାହା ହେଲେ ତମେ ମୋର ଛାତ୍ର ।

-ସାର୍, ଆପଣଙ୍କୁ ଦୀର୍ଘ ତିରିଶ ବର୍ଷ ପରେ ଦେଖିବାର ସୁଯୋଗ ପାଇଲି ।

-ମୁଁ ଆଜି ମଧ୍ୟ ଆପଣଙ୍କ ଠାରୁ ଅନେକ କିଛି ଶିଖିବାକୁ ପାଇଲି ।କିନ୍ତୁ ସାର୍ !ମୋତେ ଆପଣ ନିରଞ୍ଜନ ବାବୁ କାହିଁକି କହିଲେ ? ମୋତେ କାହିଁ ଭଲ ଲାଗୁନି ସାର୍ ।

ପ୍ରଭାତ ସାର୍,ମୋ ମୁଣ୍ଡ ରେ ହାତ ରଖିଲେ । ଉତ୍ତର ରେ ଯାହା କହିଲେ,ଲାଗିଲା ମୋତେ ଏକ ଅମୂଲ୍ୟ ପଦାର୍ଥ ମିଳିଗଲା।ସମାନ ଅକ୍ଷର ର ବିଶେଷ ବ୍ୟବହାର ହୃଦୟରେ ଦେଇଗଲା ଭିନ୍ନ ଏକ ଭାବ ।ପୂର୍ବ ରାତ୍ରି ଅନିଦ୍ରା ର କ୍ଲାନ୍ତି କେମିତି ହଠାତ ଉଭେଇ ଗଲା ।ଲାଗିଲା କାର୍ତ୍ତିକ ର ପବିତ୍ର ପଞ୍ଚୁକ ବୁଡ଼ ହୋଇଗଲା,ତୀର୍ଥ ହୋଇଗଲା।

ସାର୍ କହିଲେ-

-ଆରେ,ନାଇଁ.. ନାଇଁ.. ଆଜି ଠାରୁ ତୁ ଆଉ 'ନିରଞ୍ଜନ ବାବୁ' ନୁହେଁ... 'ବାବୁ ନିରଞ୍ଜନ'।

ତୋତେ ଏଥର 'ବାବୁ ନିରଞ୍ଜନ' କହି ଡାକିବି।


Rate this content
Log in