ଅପ୍ରତ୍ୟାଶିତ
ଅପ୍ରତ୍ୟାଶିତ
-ରାତ୍ରିର ନିରବତାକୁ ଭଙ୍ଗକରି ବାଜି ଉଠିଲା ମୋବାଇଲି ଫୋନ. ତନ୍ଦ୍ରା ବିଜଡିତ ଶରୀରକୁ ମୁକ୍ତ କରି ଧଡ଼ପଡ଼ ହୋଇ ଉଠିବସିଲି ମୁଁ. ଏତେ ରାତିରେ କିଏ ଫୋନ କଲା, ନାନା ଆଶଙ୍କା ରେ ଭରିଉଠିଲା ମନ. ଉଠିପଡ଼ି ଆଗେ ଫୋନ ଟିକୁ ଧରି ଦେଖିଲି, ଓଃ... ମାମା ଝିଅ. ପୁରୀରୁ ଫୋନ କରିଛି. ଫୋନ ଉଠାଇପଚାରିଲି, ଏତେ ରାତିରେ କଣ ଫୋନ କଲୁ. କଣ ହେଲା କହ. ମାମା ଧୀରେ ଅଥଚ ଅନୁନୟ ସ୍ୱର ରେ କହିଲା, ବୋଉ ତୁମେ ଏବେ ଟିକେ ପୁରୀ ଆସୁନ. ମୁଁ ଆଶ୍ଚର୍ଯ୍ୟ ହୋଇଗଲି, କହିଲି ମୁଁ କାଲି ଅର୍ଥାତ ରବିବାର ଦିନ ପୁରୀ ଯିବି କହିଥିଲି, ତୁ ଆଜି କାହିଁକି କହୁଛୁ ଆସିବାକୁ. ମୁଁ ପରା ସୁବାଷ ଭାଇନା ଗାଁ ରେ ଅଛି (ବାସୁଦେବପୁର ମୋ ସ୍କୁଲ ଗାଁ ଭାଇ ଘରେ )କେମିତି ଯିବି. ମାମା ବିନୟ ହୋଇ କହିଲା ନାହିଁ ବୋଉ ତୁମେ ଏବେ ଆସ. ତାର କଥା ଶୁଣି ମୁଁ ଭୟ ତଥା ଦୃଢ଼ ସ୍ୱରରେ କହିଲି କଣହୋଇଛି ସତ କହ, ସତ କହିଲେ ମୁଁ ଯିବି. ସେ କହିଲା ତୁମେ ବ୍ୟସ୍ତ ହେବନିତ, ତାହାହେଲେ ମୁଁ କହିବି. ମୁଁ କଥା ଦେଲି ବ୍ୟସ୍ତ ହେବିନି ବୋଲି. ତା
ପରେ ସେ ଯାହା କହିଲା ମୋ ପାଦ ତଳୁ ମାଟି ଖସି ଗଲାପରି ଲାଗିଲା ଓ ମଥା ଉପରୁ ଆକାଶ ଟା ଘୁଞ୍ଚିଗଲାପରି ମନେହେଲା. ନିଜକୁ ସମ୍ଭାଳିନପାରିବାର
ସ୍ଥିତି କୁ ନେଇ ମୁଁ କାନ୍ଦି ଉଠିଲି,"ନନା ଚାଲିଗଲେ "ଆମ ସମସ୍ତ ଙ୍କୁ ଛାଡି ଅଫେରା ରାଇଜ କୁ, ଯେଉଁଠି କୁ ଦୁଇ ବର୍ଷ ଆଗରୁ ବୋଉ ବି ଚାଲି ଯାଇଥିଲା.
ଉଦବେଳିତ ଶରୀର ଓ ଅଶାନ୍ତ ମନକୁ ନେଇ ଗ୍ରାମରୁ ବାହାରିଲି ଅଟୋରେବ୍ରହ୍ମପୁର ଓ ସେଠାରୁ କାର ରେ ପୁରୀ.କେତେ ଶୀଘ୍ର ପୁରୀ ରେ ପହଞ୍ଚିବି ଏବଂ ପାଖରେ ଦେଖିବି ସେଇ ପରମପୁଜ୍ୟଜନ୍ମଦାତା ନନାଙ୍କୁ. ଚକ୍ଷୁ ଦୁଇଟି ଅଶ୍ରୁରେ ଭରିଉଠୁଥାଏ. ମନେ ପଡିଯାଉଥାଏ
ଅତୀତର ସେଇ ଅପାସୋରା ଦୁଃଖ, ସୁଖ ଦିନର ସ୍ମୃତି ସବୁ. କାନ ପାଖେ ଗୁଞ୍ଜରିତ ହେଉଥାଏ ନନା ଙ୍କର ସେଇ ସ୍ନେହପୂର୍ଣ୍ଣ ଡାକ "ସାବିନା ----ଏ ସାବିନା ଆସୁନୁ ଉପମା ପଇସା ନେବୁ. ଉ.. ଠୁ.. ନୁ ଉଠେ.
ଆସିଲୁ ଚା "ଟିକେ ପିଇଦେବୁ.ମୁଁ ପରା ଦେଉଳ(ପୁରୀ ଭାଷାରେ ମନ୍ଦିର କୁ ଦେଉଳ କହନ୍ତି )କୁ ଯିବି. ଜଲଦି ଗାଧୋଇ ପଧୋଇ ଦେଉଳକୁ ଆସିବୁକହି ହାତରେ
କୋଡିଏ ଟଙ୍କା ଧରାଇ ଦେଇ ଯିବେ ଜଳଖିଆ ଖାଇବାକୁ. ଅନାବିଳ ସ୍ନେହ ରସେଇ ଉପହାର ଆଉକେଉଁଠୁ ମିଳିବ,
କିଏ ଆଉ କହିବ, ଝିଅ ତୋ ମୁହଁ କାହିଁକି ଶୁଖିଲା ଦିଶୁଛି, ତୋତେ ଭୋକ ହେଲାଣିନା, ଗଲୁ ଆଗେ କଣ ଖାଇକରି
ଆସିବୁ. ନହେଲେ ମାର୍କଣ୍ଡେଶ୍ୱର ଙ୍କର
କଦଳୀ ଆଉ ପାଦୁକ ଖାଇଦେ. ଏ ଜନ୍ମ ପାଇଁ ଏସବୁ ସରିଗଲା. ପୁନର୍ବାର ମଣିଷ ଜନ୍ମ ପାଇବି ନା ତୁମକୁ ନନା ରୁପେ ପାଇବି? ଆଉ ମର୍ତ୍ତ୍ୟରେ ଏସ୍ବର୍ଗ ସୁଖ କୁ ଅନୁଭବ କରିବି.।
ବାପା ହିସାବରେ ନନା ଥିଲେ ବିଶାଳ
ହୃଦୟ ର ଅଧିକାରୀ.ସାତୋଟି ଝିଅର ବାପା ହୋଇ ସେ ଆମ ପାଇଁ ସହିଛନ୍ତି ଅକଥନୀୟ ଯନ୍ତ୍ରଣା, କେତେ ଅପମାନ, ଲୋକଙ୍କ କଟୁକ୍ତି ଓ ଅନେକ ଦୁଃଖ, କଷ୍ଟ.
କିନ୍ତୁ ନନା ସେ ସବୁ କୁ ନିଜ ମନ ଭିତରେ ଚାପିରଖି ଦିଅନ୍ତି. କାହାକୁ କିଛି କହନ୍ତିନି.
କେବେ ନନା ରାଗନ୍ତି ଆମେ ଜାଣିନୁ. ବରଂ ସାଙ୍ଗ, ସାଥି, ବନ୍ଧୁ ଓ ନିଜ ମନର କଥା କହି ପରିବାଭଳି ନିଜର ଲୋକ ଟିଏ ଥିଲେ ନନା. ଝିଅ ବେଳର ଅକୁହା କଥା କେବଳ ନନା ଙ୍କୁ ହିଁ କହିହୁଏ. ସିଏ ତାର ସୁସ୍ଥ ସମାଧାନ କରିଦିଅନ୍ତି. ଏବଂ ଶାଶୁ ଘର ର ଦୁଃଖ, ସୁଖ, ଯନ୍ତ୍ରଣା ତାଙ୍କରି ଛାତିରେ ମୁଣ୍ଡ ରଖି ଆମେ କହିଦେଉ.
ମୁଣ୍ଡକୁ ସ୍ନେହରେ ଆଉଁସି ଦେଇ ନନା
କହନ୍ତି "ଆରେ ମା "କଥାରେ ଅଛି ପରା
"ସଂସାର ଭିତରେ ଘର କରିଥିଲେ
ପଥର ପଡିଲେ ସହି "କିଛି ହେବନି
ମୋ ଝିଅର, ମାର୍କଣ୍ଡେଶ୍ୱର ସବୁ ଠିକ
କରିଦେବେ. ତାଙ୍କରି ଆଦର୍ଶ, ତାଙ୍କରି
ସଂସ୍କାର, ତାଙ୍କରି ଉପଦେଶ ଏ ସଂସାର ରେ ମୁଣ୍ଡ ଟେକି ସ୍ୱାଭିମାନ ରେ ବଞ୍ଚିବା ଶିଖାଇଛି. ବ୍ରାହ୍ମଣ ଘର ର ବହୁ କୁଟୁମ୍ବୀ ପରିବାରକୁ ନେଇ ନନା ଆମକୁ ଯେତିକି
ଯତ୍ନ ରେ ରଖିଥିଲେ, ଭାବିଲେ ମୋତେ ଆଶ୍ଚର୍ଯ୍ୟ ଲାଗେ.
ଦିନରାତି ପରିଶ୍ରମ କରି ରୋଜଗାର କରୁଥଲେ. କିନ୍ତୁ ନିଜ ପାଇଁ କିଛି ବି ସଞ୍ଚୟ କରିନଥିଲେ. ବରଂ ପରିବାରର ସୁଖ ପାଇଁ ନିଜକୁ ଉତ୍ସର୍ଗ କରି ଦେଇଥିଲେ. ତାଙ୍କର ଆଦର୍ଶ ଥିଲେ ତାଙ୍କ ବୋଉ ଚନ୍ଦ୍ରମଣି ଦିବ୍ୟା ଓ ପ୍ରେମର ପରିଭାଷା ଥିଲେ ମୋ ବୋଉ ସରସ୍ବତୀ ଦେବୀ,
ନନାଙ୍କ ଭାଷାରେ ଗଙ୍ଗାବୋଉ. ସେଇ ସୁହାଗ ଭରା ଡାକ "ଗଙ୍ଗାବୋଉ "ଆମ ମାନଙ୍କ ସଂସାରରେ ଆମେ ଦେଖିବାକୁ ପାଉନୁ.
ସତୁରି ଦଶକର ସମାଜରେ ଆମକୁ ପାଠ ପଢାଇ ଚାକିରୀ କରାଇବାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ନନା. ସେଥିପାଇଁ ତାଙ୍କୁ ନାନା ସାମାଜିକ ପ୍ରତିବାଦ ଓ ସାଂସାରିକ ପ୍ରତିବାଦ ସହି- ବାକୁ ପଡିଥିଲା. ନନା କହୁଥିଲେ -ମୁଁ ଗରିବ ବ୍ରାହ୍ମଣ ଆଉ ଏମାନେ ଝିଅପିଲା,
ସେମାନଙ୍କୁ ଯଦି ଶିକ୍ଷିତ, ସ୍ୱାବଲମ୍ବନଶୀଳ ନକରିବି ତେବେ ସେମାନେ ସଂସାର ରେ ବଞ୍ଚିବେ କେମିତି.ଓଃ.... କି ସୁନ୍ଦର ଚିନ୍ତାଧାରା, ମୁକ୍ତ ହୃଦୟର ଅଭିବ୍ୟକ୍ତି,
କର୍ତ୍ତବ୍ୟ ଓ ଅଧିକାର ର ସାର୍ଥକପରିଭାଷା.
ନନା ତୁମେ ଯେଉଁଠି ଥାଅ ମୋ ଚିଠି ଟିକେ ଦୟାକରି ପଢିବ. ନହେଲେ ସାରା ଜୀବନ ମୋର ଅବଶୋଷ ରହିଯିବ. ମୁଁ ତୁମ ସଙ୍ଗେ ଗୁରୁବାର ଦିନ ଫୋନ ରେ କଥା ହେଲି ଓ ଭିଡିଓ କଲ କରିଥିଲି, କେତେ ସୁସ୍ଥ ଥିଲ ତ ତୁମେ. ମୋର ଭଲ ମନ୍ଦ ସବୁକଥା ପଚାରିଲ. ଆମେ ଦୁହେଁ କେତେ ଦୁଃଖ, ସୁଖ ହେଲେ, ବୋଉ କଥା
ମନେପକାଇ କାନ୍ଦିଲେ. କିନ୍ତୁ ତୁମେତ ଟିକେ ବି କହିନଥିଲ ଚାଲି ଯିବ ବୋଲି. ଆଭାସ ବି ଦେଇନଥିଲ. ଗୁରୁବାର ଦିନ ବୋଉ ର ଜନ୍ମଦିନ ଥିଲା. ତୁମେ ଶୁକ୍ରବାର ଦିନ ଚାଲିଗଲ. ସତକୁହ ନନା ତୁମେ ବୋଉ ର"ହାପି ବାର୍ଥ ଡେ "ପାଳିବାକୁ ଚାଲିଗଲନା. ହେଲେ ନନା, ତୁମେ କଣ
ଜାଣିନ, ତୁମେ ଯେଉଁଠିକୁ ଗଲ ସେଠୁ କିଏ ଫେରନ୍ତିନି ବୋଲି. ତୁମେ ଦୁହେଁ କାହିଁକି ଆମ ମାନଙ୍କୁ ଅନାଥ କରି
ଚାଲିଗଲ. ଆମେ ସମସ୍ତେ ଆଉ କାହାର ହେବୁ, କାହାପାଖକୁ ଧାଇଁ ଆସିବୁ. ତୁମ ଦୁହିଁଙ୍କର ଗଢ଼ା ଏ ସଂସାର, ଗୋଟିଏ ସୁତା ଖିଅ ରେ ବନ୍ଧା ଏ ସମ୍ପର୍କ କୁ ମଜଭୁତ କରିବାର ମଙ୍ଗ କିଏ ଧରିବ କହିଲ.
ମହାପାତ୍ର ବଂଶ ବୁନିୟାଦ ର ସୁଦୃଢ ସାଂସାରିକ ସ୍ନେହ ଡୋରକୁ ତୁମେ ତ ଯୋଡି ରଖିଥିଲ, ବୋଧେ ତୁମ ବିଶ୍ୱାସ ର ଡୋରି ବଇଦି (ଭାଇ )ଉପରେ ସ୍ଥିର ହୋଇଯାଇଥିଲା.।
ନନା ତୁମେ ମୋତେ ଯାହା ଯାହା ଉପଦେଶ ଦେଇଥିଲ ମୁଁ କେତେ ପାଳନ କରିଛି, ନକରିଛି ତୁମେ ଜାଣିଛ. ମୋ ଝିଅ ମାମା, ଯୋଇଁ ବିଶୁ ଶେଷ ପର୍ଯ୍ୟନ୍ତ ତୁମ ପାଖେ ପାଖେ ରହିଛନ୍ତି. ଏହା ମଧ୍ୟ୍ୟ ତୁମ ଇଚ୍ଛା ଥିଲା. ସେ ଇଛା ତୁମର ପୂର୍ଣ୍ଣ ହୋଇଛି ବୋଧେ. ମୋର ପ୍ରତିଛୟା
ମାମା "ତୁମର ପ୍ରତ୍ୟେକ କଥା ମୋତେ ଜଣାଉଥିଲା. ଯାହା ମୋ ପାଇଁ ଏକ ବଡ଼ ସ୍ଵାନ୍ତନା ଥିଲା. ଏତେ ଦୂରରେ ଗଞ୍ଜାମ ଜିଲ୍ଲାରେ ବାହାଦେଇ ତୁମେ ସୁଖି ନଥିଲ.
ମୋର ସମୟିକ ବିପର୍ଯ୍ୟୟ ର ବିପତ୍ତି ରେ ତୁମେ ଦୁଃଖୀ ଥିଲ. ସେଥିପାଇଁ ତୁମେ ବୋଉ ପାଖରେ ଅସନ୍ତୋଷ ବ୍ୟକ୍ତ
କରୁଥିଲ. ହେଲେ ନନା ଏଇଟା ପରା ମୋର ଭାଗ୍ୟ ଥିଲା. ତୁମେ ସିନା ଜନ୍ମ ଦେଇଥିଲ, ଭାଗ୍ୟ ତ ଭଗବାନ ଦେଇଥିଲେ. ସେଥିପାଇଁ ମୁଁ କେବେବି କାହାକୁ ଦୋଷ ଦେଇନି. କିନ୍ତୁ ମୋ ବିପତ୍ତି ସମୟରେ ମୋ ପାଖରେ ଠିଆ
ହୋଇ ମୋ ମନୋବଳ ଦୃଢ କରିବାର ଉପଦେଶ ଦେଉଥିଲ, ତାହା ମୋତେ ଶକ୍ତ ଦ୍ରୁମ ପରି ଠିଆ ହେବାର ସାହସ ଯୋଗାଇ ଥିଲା. ତା ସହିତ ମୋ ଝିଅ ମାମା ଓ ପୁଅ ନିପୁ ର ସକ୍ରିୟ ସହଯୋଗ ମୋ ସହିତ ଥିଲା. ମୁଁ ଆଜି ତୁମରି ପାଇଁ ଏସବୁର ଅଧିକାରିଣୀ ହୋଇପାରିଛି. ଯାହା ତୁମ ଆଶୀର୍ବାଦ ର ସ୍ୱରୂପ ଦର୍ଶାଏ.
କଣ ମୁଁ ଲେଖିବି, ଯେତେ ଲେଖିଲେବି ସରିବନି, ଯେତେ କହିଲେବି କହିହେବନି. ଗଙ୍ଗାନାନୀ ଠାରୁ ଟିକିନା ଓ ଭାଇ ବଇଦି ପର୍ଯ୍ୟନ୍ତ ସମସ୍ତ ଙ୍କର ଦୁଃଖ, ସୁଖ ସମୟରେ ଶକ୍ତ ଚଉକାଠ ପରି ସାଥିରେ ଠିଆ ହୋଇ ସବୁକଥା କୁ ସମାଧାନ କରି- ଦେଇଛ. ହେଲେ କିଛି ନଜଣାଇ କେମିତି
ଛାଡି ଚାଲିଗଲ. ତୁମ ବିନା ଶୂନ୍ୟ ଆଜିମାର୍କଣ୍ଡେଶ୍ୱର ମନ୍ଦିର, ଶୂନ୍ୟ ଆଜି ଦୋଳମଣ୍ଡପ ସାହିର ସ୍ମୃତି ମନ୍ଦିର ଘର, ଶୂନ୍ୟ ଆଜି ବାଇଆ-
ଭାଇନା ଡାକ. କେଉଁଠିବି ଶୁଭୁନି ତୁମ ମଧୁର ସ୍ୱର. ସତେ କଣ ଆଉ ଫେରିବନି ତୁମେ? ଫେରିଆସ ନନା, ପୁନର୍ବାର ପୁର୍ନଜନ୍ମ ନେଇ '.......
ଯଦି ଜନ୍ମଜନ୍ମାନ୍ତର ସତ୍ୟ.. ତେବେ ମୁଁ ପ୍ରାର୍ଥନା କରିବି ଭଗବାନ ଙ୍କୁ, ସୂର୍ଯ୍ୟ, ଚନ୍ଦ୍ର, ଦଶଦିଗପାଳ ଙ୍କୁ, ତ୍ରେତିଶ କୋଟି ଦେବତା ଙ୍କୁ ----ହେ ଈଶ୍ୱର ସାକ୍ଷୀଥାଅ -- ମୁଁ ସାବିତ୍ରୀ ମହାପାତ୍ର --ପିତା -ହରିହର ମହାପାତ୍ର, ଶ୍ରଦ୍ଧାନାମ -ବାଇଆ ଭାଇନା, ବାସସ୍ଥାନ -ପୁରୀ --ମୋର ମୃତ୍ୟୁ ପରେ ପୁନର୍ବାର ଏ ଜନ୍ମର ଲୌକିକ ଜନ୍ମଦାତା , ଅନନ୍ୟ ବ୍ୟକ୍ତିତ୍ୱ ବାଇଆ ଭାଇନା ଙ୍କ କୋଳରେ ମୋତେ ଦୁହିତା ଭାବେ ଜନ୍ମଦିଅ .
ଏହାହିଁ ମୋର ଶେଷ ଇଛା ଓ ବିଶ୍ୱ ନିୟନ୍ତାଙ୍କ ପାଖେ ପ୍ରାର୍ଥନା. ଶେଷରେ ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବ.
ରହୁଛି.. ଇତି
ତୁମର ଆଦରର ଝିଅ
