ଅଲକ୍ଷଣା
ଅଲକ୍ଷଣା
ବଇଁଶୀ:- ଆରେ ଜୁଗୁନୁ ତୁ ପରା କଟକ ଯାଉଥିଲୁ ପୁଣି କଣ ଫେରି ଆସିଲୁ?
ଜୁଗୁନୁ:- ଛାଡ଼ ମ ସେ କଥା, ସକାଳୁ କାହା ମୁହଁ ଦେଖିକି ଆସିଲି ଯେ ବସ ଫେଲ ହେଲି !
ବଇଁଶୀ:- ଆରେ ତୁ ସେ ଚଇନି ମୁହଁ ଦେଖିନୁ ତ !
ଜୁଗୁନୁ:- ଠିକ କଥା ଭାଇ ମୁଁ ଘରୁ ବାହାରି ଆସିଲା ବେଳେ ସେ ଚଇନି ମୋତେ ପଛରୁ ଡାକ ପକାଇଲା କହିଲା, ଆରେ ଜୁଗୁନୁ କୁଆଡେ ବାହାରିଲୁ କିରେ ?
ଆରେ ସେଇଟା ଗୋଟେ ଅଲକ୍ଷଣାଟା । ପିଲାଛୁଆ ନାହିଁ,ତା ମୁହଁ ଯିଏ ଦେଖିକି ଯିବ ସବୁ କାମ ଫେଲ ମାରିବ । ଏଇ ଦେଖୁନୁ ଗଲା କାଲି ଭଗିଆ ମଧ୍ୟ ସେଇକଥା କହୁଥିଲା । ହାଟକୁ ତା ମୁହଁ ଦେଖି ପରିବା ନେଇ ଯାଇଥିଲା ଯେମିତି ପରିବା ନେଇ ଯାଇଥିଲା ସେଇମିତି ଫେରେଇ ଆଣିଲା ଗୋଟେ ବି ବିକ୍ରି ହେଇନି । ତୁଚ୍ଛା ଅଲକ୍ଷଣା ଟା... ।
ଜୁଗୁନୁ ତୁ ଏକଥା ଜାଣି ନଥିଲୁ ଗାଁ ସାରା ଜାଣିଛନ୍ତି ତୁ କେମିତି ଜାଣିଲୁ ନାହିଁ ବା ।
ବାହାଘରର ଦଶ ବରଷ ହେଲାଣି ଚଇନିର ପିଲା ଛୁଆ ନାହାଁନ୍ତି । ସେଥିପାଇଁ କେତେ ଦିଅଁଦେବତା ପୂଜିଲାଣି,କେତେ ଡାକ୍ତରଙ୍କୁ ଦେଖେଇଲାଣି,ସମସ୍ତେ କୁଆଡେ କହୁଛନ୍ତି କୁଆଡେ ନିଶ୍ଚିତ ହେବ ଅପେକ୍ଷା କର ।
ଚଇନି କେତେ ଅପେକ୍ଷା କରିବ ?
ସେଥିପାଇଁ ଚଇନିର ସ୍ତ୍ରୀ କହୁଛି,ହେଇଟି ତୁମେ ଆଉ ଗୋଟେ ବାହା ହେଇଯା । ମୁଁ ଅଲକ୍ଷଣୀ ତୁମକୁ ସୁଖ ଟିକେ ଦେଇ ପାରିଲି ନାହିଁ, ତୁମ ବଂଶ ବଢ଼େଇ ପାରିଲି ନାହିଁ,ଇଆଡ଼େ ପୁଣି ମୋତେ ଦେଖେଇ ଶିଖେଇ କେତେ କଥା କହୁଛନ୍ତି ।
ଏହି କଥା କହି ଗୋପୀ ମଥା ପିଟି କାନ୍ଦିଉଠିଲା । ଚଇନି ଗୋପୀ ବୋଧ କରିବାକୁ ଯାଇ କହି ଉଠିଲା ଜାଣିଛି, କେବଳ ତା ସ୍ତ୍ରୀ କୁ କହୁନାହାନ୍ତି ତାକୁ ମଧ୍ୟ ଦେଖେଇ ଶିଖେଇ କେତେ କଥା କହୁଛନ୍ତି ।
ସେ କଣ ବା କରିବ ପିଲାଛୁଆ ତ ଭଗବାନ ହାତର କଥା । ଚଇନି ଆଜି ପୁଣିଥରେ କଟକ ବଡ ଡାକ୍ତରଖାନାକୁ ଆସିଛି ।
ଡାକ୍ତର କହିଲେ କାହିଁ ତୁମେ ବ୍ୟସ୍ତ ହଉଚ!!
ଔଷଧ ଲେଖି ଦେଇଛି ଖାଆନ୍ତୁ ଦେଖିବା କଣ ହେଉଛି ଆର ମାସକୁ ଆସି ଦେଖାକର ।
ପୁଣି ଅପେକ୍ଷା,ପୁଣି ବ୍ୟସ୍ତ ଆଶ୍ୱାସନା ଶୁଣି ଶୁଣି ଚଇନି ଆଉ ତା ସ୍ତ୍ରୀ ଦୁଃଖରେ ଭାଙ୍ଗି ପଡୁଥାନ୍ତି ।
ରିକ୍ସାରେ ବସଷ୍ଟାଣ୍ଡକୁ ଫେରୁଥିବା ସମୟରେ ଅନାଥ ଆଶ୍ରମଟିଏ ଦେଖିଲେ ଚଇନିର କାହିଁକି ଇଛା ହେଲା ଟିକେ ବୁଲି ଆସିବାକୁ ସେ ଅନାଥ ଆଶ୍ରମ ଆଡେ । ସେ ଆଶ୍ରମ ଭିତରକୁ ପଶିଗଲା ପରେ ଗୋଟେ ଛୋଟ ପିଲାଟିଏ ଉଭୟଙ୍କ ପାଦ ସ୍ପର୍ଶ କରି ମୁଣ୍ଡିଆଟେ ମାରିଲା ।
ଚଇନିର ସ୍ତ୍ରୀ କୁ ବୋଉ ବୋଲି ଡାକିଲା,ସେଇ ବୋଉ ଶବ୍ଦ ଶୁଣିବାକୁ ଯେମିତି ଚଇନିର ସ୍ତ୍ରୀ କେବେଠାରୁ ଅପେକ୍ଷା କରିଥିଲା । କୋଳେଇ ନେଲା ଚଇନିର ସ୍ତ୍ରୀ ଗୋପୀ ସେ ପିଲାଟିକୁ ।
ଆଶ୍ରମର ପରିଚାଳକଙ୍କୁ ନିଜର ଦୁଃଖ କଥା ଜଣାଇଲେ । ଅବଶ୍ୟକୀୟ କାଗଜପତ୍ର ପରେ ଆଶ୍ରମର ପରିଚାଳକ ପିଲାଟିକୁ ଚଇନିକୁ ଦେଲେ ।
ଏବେ ଚଇନି ବାପା ହେଇଗଲା । ପିଲାଟିର ବାପା ବୋଉ ଡାକ ଉଭୟଙ୍କୁ ଗୋଟେ ନୂଆ ଜୀବନ ଦେଉଥିଲା ।
ଚଇନି ଦେଖିଲା ଆମର ପିଲାଟିଏ ନାହିଁ ହେଲେ ଏଠି କେତେ ପିଲା ଅଛନ୍ତି ଯାହାଙ୍କର ବାପା ମା ନାହାନ୍ତି ତାଙ୍କୁ କଣ କୁହାଯିବ । ଭୁଲ କେଉଁଠି ରହିଲା ଏମାନଙ୍କର ଜନ୍ମଦେଇ ରାସ୍ତା ଉପରେ ଫୋପାଡ଼ି ଦେଇଥିବା ଲୋକ ଗୁଡା ଅଲକ୍ଷଣା ନା ଦୁନିଆ କଣ ଜାଣିନଥିବା କୁନି ପିଲା ଗୁଡିକ ଜନ୍ମରୁ ଅଲକ୍ଷଣା ।
ଚଇନି ଆଉ ଗୋପୀ ପିଲାଟିକୁ ଭଲରେ ଲାଳନ ପାଳନ କଲେ । କିଛିଦିନ ପରେ ଗୋପୀ ଅଙ୍ଗନବାଡ଼ିରେ ଚାକିରୀ ପାଇଲା ।
ନିଜର ଗୋଟେ ବୋଲି ପିଲା ନଥିଲା ବୋଲି କେତେ କାନ୍ଦୁଥିଲା,ଏବେ ପିଲା ସହିତ ଶହେ ପିଲାଙ୍କ ଡାକରେ ତା ପେଟ ପୁରିଯାଉଛି । ଅଙ୍ଗନବାଡି ପିଲାମାନେ ଗୋପୀକୁ ଦିନେ ନଦେଖିଲେ ଘରକୁ ଚାଲି ଯାଉଛନ୍ତି । ଦିଦି ଆସିଲେ ପଢ଼ିବୁ ନହେଲେ ନାହିଁ କହୁଛନ୍ତି । ପିଲାମାନଙ୍କୁ ନିଜର ସ୍ନେହ ମମତାରେ ବାନ୍ଧି ରଖିଛନ୍ତି । ଏବେ ସେ ସୁଲକ୍ଷଣୀ
ଚଇନିର ଚାଷବାଡି ସହିତ ବେପାର ଏବେ ଜୋରରେ ଚାଲିଛି । ସକାଳ ପହରରୁ ଗ୍ରାହକଙ୍କ ଲମ୍ବା ଲାଇନ ଲାଗୁଛି ।
ତାକୁ ଦେଖିଲେ ଶୁଭକାମ ଯାହାର ବିଗିଡି ଯାଉଥିଲା । ଏବେ ତାହାଠାରୁ ସୁବିଧା ଅସୁବିଧା ସମୟରେ ଧାର ଉଧାର ନେଇ ଚଳୁଛନ୍ତି ।
ଚଇନି ପରି ଏମିତି କେତେ କାହିଁ ଟାହିଟାପରା ଶୁଣନ୍ତି। କଥା କଥାରେ ଵାଞ୍ଚର ଗଞ୍ଜଣା ଶୁଣିବାକୁ ବାଧ୍ୟ ହୁଅନ୍ତି ।
ଏବେ ଆଉ ଚଇନି ଅଲକ୍ଷଣା ନୁହେଁ ....କି ଗୋପୀ ଅଲକ୍ଷଣୀ ନୁହେଁ।
