ଯୌଥ ପରିବାର
ଯୌଥ ପରିବାର
ପଚାରିଲେ ଦିନେ ମୋର ବନ୍ଧୁ ଜଣେ
କୁହ କୁହ କବିବର
କାହିଁକି ସମାଜ ବଦଳୁଛି ଆଜ
କାହିଁ ବଢ଼େ କୁସଂସ୍କାର ।୧।
ବନ୍ଧୁର ପ୍ରଶ୍ନର ଦେବାକୁ ଉତ୍ତର
ମନ ମୋର କରି ସ୍ଥିର
ବନ୍ଧୁ ପାଶେ ବସି ପଚାରିଲି ହସି
ଭଲ ଅଛି ପରିବାର ? ।୨।
ବାପା ବୋଉ ଭାଇ ପତ୍ନୀ ପିଲା ନେଇ
ତୁମ ଖୁସିର ସଂସର
ଆନନ୍ଦରେ ଦିନ ବିତୁ ଥିବ ତୁମ
ପରିବାରେ ନିରନ୍ତର ।୩।
ଦଦା ଓ ଦେଠେଇ କକା ଖୁଡି ପାଇଁ
ହସୁଥିବ ତୁମ ଘର
ପରସ୍ପର ମଧ୍ୟେ ସମ୍ପର୍କ ନିବନ୍ଧେ
ନଥିବ ଭୟ କି ଡର ।୪।
ବନ୍ଧୁ ତା କାହାଣୀ ଦେଲାଯେ ବଖାଣି
କହିଲା ଦୁଃଖ ମୋ ଘୋର
ଏକା ଏକା ହୋଇ ରହିବାକୁ ଚାହିଁ
ନଷ୍ଟ ଆଜି ମୋ ସଂସାର ।୫।
ଘରଣୀ ମୋହର ଜିଦି କଲା ଜୋର
ନ ଛାଡିଲେ ତୁମେ ଘର
ପିଲା ମୋର ଦୁଇ ଅଶିକ୍ଷିତ ହୋଇ
ଭୁଲିବେ ହୋଇ ବେକାର ।୬।
ଘରଣୀ କଥାରେ ରହିଲି ବାହାରେ
ଛାଡି ନିଜ ପରିବାର
ପୁଅ ଝିଅ ପତ୍ନୀ ରହିଲେ ଏ ତିନି
ନେଇ ଏକ ଭଡାଘର । ୭।
ଅର୍ଥ ଆୟ ଆଶେ ରହିଲି ବିଦେଶେ
କଲି ବହୁ ରୋଜଗାର
ଯେତେ କଲି ଆୟ କଲେ ଅପବ୍ୟୟ
ସ୍ତ୍ରୀ ପିଲା ଦ୍ବୟ ମୋର ।୮।
ଯେଉଁ ବିଦ୍ୟାଳୟେ ପଢିଲେ ସେ ଦୁହେଁ
ଅଟଇ ବିଦ୍ୟା ମନ୍ଦିର
ଏହି ବିଦ୍ୟାଳୟ ନିଏ ବହୁ ଦେୟ
ଦେବାକୁ ଶିକ୍ଷା ସଂସ୍କାର ।୯।
ବହୁତ ପାଉଣା ଦେଇ ହେଲା କିଣା
ଦକ୍ଷ ଟିଉସନ ସାର୍
ପାଠ ଓ ସଂସ୍କାର ଘରେ ହେଲା ଜିରୋ
ଧିକ୍ ମୋର ରୋଜଗାର ।୧୦।
ସ୍କୁଟିଟିଏ କିଣି ବୁଲିଲା ଘରଣୀ
ହାଟ ବଜାର ସହର
ଏକୁଟିଆ ରହି ସ୍ୱେଚ୍ଛାଚାରୀ ହୋଇ
ହେଲା ସୀମାରୁ ବାହାର ।୧୧।
ବନ୍ଧୁ ବାନ୍ଧବୀଙ୍କୁ ଡକାଇ ବସାକୁ
ସ୍ତ୍ରୀ କଲା ଖୁସି ଆସର
ପିଲେ ପାଠ ଛାଡି ମୋବାଇଲି ଧରି
ଖେଳିଲେ ନାନା ପ୍ରକାର ।୧୨।
ଘରେ ରହିଥିଲେ ପଢ଼ିଥାନ୍ତେ ଭଲେ
ପିଲା ମୋର ଦ୍ଵିଅକ୍ଷର
ବାପା ବୋଉ ଭାଇ ସର୍ବେ ଏକ ହୋଇ
ରଖିଥାନ୍ତେ କଡା ନଜର ।୧୩।
ଶାଶୁ ଓ ଶଶୁର ନଣନ୍ଦ ଦିଅର
କକା ଖୁଡି ଦେଢଶୁର
ସଭିଙ୍କ ଆକଟେ ପତ୍ନୀ ମୋ ନିଶ୍ଚିନ୍ତେ
ଶିଖିଥାନ୍ତା ସୁସଂସ୍କାର ।୧୪।
ବନ୍ଧୁ କଥା ଶୁଣି କହିଲି ମୁଁ ପୁଣି
ତୁମ କଥା ଅଟେ ଉତ୍ତର
ଯୌଥ ପରିବାର କେତେ ଉପକାର
ହୃଦୟଙ୍ଗମଟି କର ।୧୫।
ସର୍ବେ ମିଳି ମିଶି ରହିଲେ ଏକାଠି
ତାହା ଯୌଥ ପରିବାର
ଯୌଥ ପରିବାରେ ସଭିଙ୍କ ଭିତରେ
ଥାଏ ସ୍ନେହ ଶ୍ରଦ୍ଧା ସଂସ୍କାର ।୧୬।
