ଉଦାସୀ ଆତ୍ମା
ଉଦାସୀ ଆତ୍ମା
ମନରେ ଝିମା ଝିମା ଉଦାସୀ ପଣ,
ଯେମିତିକି ମରୁ ଉପତ୍ୟକାରେ ଦଣ୍ଡାୟମାନ ମୁଁ ।
ଅମୃତପଣ ଚାଖିଦେଲେ ତ
ଅମୃତମୟ ହୋଇଯିବା କଥା ।
ତୁମକୁ ଜଣା ବଂଶୀଧାରୀ ।
ତୁମ ବଂଶୀର ଅମୃତପଣରେ
ବିମୁଗ୍ଧା ମୁଁ ,
ସ୍ୱର ,ଲୟ, ତାଳରେ ମିଶିଗଲେ,
ରହେ ମିଠା ମିଠା ମହକପଣ
ଘାରିଯାଏ ମନ, ମୂନ, ଚଇତନ
ଶରୀରରେ ଖେଳିଯାଏ ରୋମାଞ୍ଚ ଶିହରଣର
ଝିମଝିମ ପଣ ।
ଭଲ ଲାଗେ ତୁମ ସୃଷ୍ଟିର ବନ ପାହାଡ଼
ଜ୍ୟୋସ୍ନା ଭିଜା ରାତିର ଅପଣାପଣ ।
ମୁଁ ଆଉ ମୁଁ ହୋଇ ରହେ କି ?
ମୁଁ ର ମୁତ୍ୱ ତ ତୁମ ଭିତରେ ବିଲୀନ ହୋଇଯାଏ,
ରହିଯାଏ ପଞ୍ଚଭୂତର ଶରୀର ।
ଆଃ। ବଂଶୀର ମୋହିନୀ ସ୍ଵନ ବନ୍ଦ ହୋଇଗଲେ,
ପରମାତ୍ମାଙ୍କ ଠାରୁ ଆତ୍ମାର ବିଛିନ୍ନ ହୋଇଯାଏ ।
ଅନେକେ କଷ୍ଟର ବେପଥୁ ପଣ ଶରୀରରେ ସଂଚରିଯାଏ ।
ଅସାର ଲାଗେ ସଂସାର ଓ ସଂସାରର ଜଞ୍ଜାଳ ପଣ ।
ଜଞ୍ଜାଳକୁ ଜଞ୍ଜାଳ ଭାବିଲେ କଷ୍ଟ ,
ସେ ସବୁ ତୁମର ଦାନ ଭାବିଲେ
ଦୁରାହୋଇ ଯାଏ କଷ୍ଟପଣ ।
ତଥାପି କାହିଁକି କେଜାଣି ହୋଇଯାଏ ଉଦାସୀ ,
ଘେରିଯାଏ ନିଃସଙ୍ଗତା। ??
ତୁମରି ସତ୍ତା ତ ଘେରି ରହିଥାଏ ମୋ ଚାରିପଟେ
ବଂଶୀଧାରୀ ।
ତଥାପି ତୁମର ବଂଶୀସ୍ଵନର ମଧୁର ପଣରେ
ମୋ ମନ ବନ୍ଧା ।
ବାରମ୍ବାର ବଜାଅ ତୁମର ବଂଶୀର ଧୁନ ।
ଗୋଟାପଣେ ଆବୋରି ନେଉ ମୋ ମନ ହୃଦୟକୁ
ମୁଁ । ମୁଁ ହୋଇ ନ ରହି
ହଜିଯାଏ ତୁମରି ଭିତରେ ।
