ସତ୍ୟମ ଶିବମ ସୁନ୍ଦରମ
ସତ୍ୟମ ଶିବମ ସୁନ୍ଦରମ
॥୧॥
ବିଭୂତିରେ ବୋଳା ହେ ଶଙ୍କର ଭୋଳା
ଭୁଜଙ୍ଗ ଗଳାର ହାର,
ବାସ ବ୍ୟାଘ୍ର ଚର୍ମ ଦୃଶ୍ୟ ମନୋରମ
ଅପରୂପ ମନୋହର ॥
॥ ୨॥
ଜଟାରେ ଶୋଭିତା ସ୍ୱୟଂ ଗଙ୍ଗା ମାତା
ତୁମେ ନୀଳକଣ୍ଠେଶ୍ଵର,
ରୁଦ୍ରାକ୍ଷ ଗଳାରେ ତ୍ରିଶୂଳ ହାତରେ
ଦିଶଇ କେତେ ସୁନ୍ଦର ॥
॥ ୩॥
ଡମ ଡମ ବାଦ୍ୟ ଡମ୍ବରୁ ନିନାଦ
ପ୍ରକମ୍ପିତ ତ୍ରିଭୁବନ,
ବାହନ ବୃଷଭ ନନ୍ଦୀ ଭୃଙ୍ଗୀ ସଙ୍ଗ
ଦିଶୁଅଛ ଶୋଭାବନ l
॥୪॥
ଚମ୍ପା କନିଅର ଦୁଦୁରା ଟଗର
ତୁମ୍ଭର ପ୍ରିୟ କୁସୁମ
ବିଲ୍ଵପତ୍ର ସଙ୍ଗେ ଗୟସରେ ଲିଙ୍ଗେ
ଦାନେ ପୂର୍ଣ୍ଣ ମନସ୍କାମ l
॥ ୫॥
ନପାରିଲେ ସହି ଧ୍ବଂସ କର ମହୀ
ପାପୀଙ୍କୁ କର ସଂହାର,
ଭକ୍ତଙ୍କୁ ଉଦ୍ଧର ତପେ ଦିଅ ବର
ଆଶୁତୋଷ ତୁମେ ହର l
॥ ୬॥
ପ୍ରଭୁ ଦିଗମ୍ବର କ୍ଷମାର ଠାକୁର
ତୁମ୍ଭେ ହେ ନାଥ ମହେଶ,
ତୁମେ ଯୋଗେଶ୍ୱର ଦୁଃଖୀଙ୍କ ଈଶ୍ୱର
ଏ ଜଗତ ପରମେଶ l
॥ ୭॥
ତୁମେ କର୍ଣ୍ଣଧାର ଭବ ପାରାବାର
ତୁମେ ପ୍ରଭୁ ସଦାଶିବ,
ନମସ୍କାର କରେ ତୁମ ଶ୍ରୀପୟରେ
ଆହେ ପ୍ରଭୁ ମହାଦେବ l
॥ ୮॥
ତୁମେ ଚିର ସତ୍ୟ ଶିବ ଉମାକାନ୍ତ
ସୁନ୍ଦର କାର୍ତ୍ତିକ ତାତ,
ଆହେ ପଞ୍ଚାନନ ପ୍ରଭୁ ତ୍ରିନୟନ
ଘେନ ଭକ୍ତି ପ୍ରଣିପାତ l
