ସାହିତ୍ୟ ଦେବତା(ପରମ ପୂଜନୀୟ ସ୍ବର୍ଗତଃ ଶ୍ରୀଯୁକ୍ତ ମନୋଜ ଦାସଙ୍କ ଉଦ୍ଦେଶ୍ୟରେ)
ସାହିତ୍ୟ ଦେବତା(ପରମ ପୂଜନୀୟ ସ୍ବର୍ଗତଃ ଶ୍ରୀଯୁକ୍ତ ମନୋଜ ଦାସଙ୍କ ଉଦ୍ଦେଶ୍ୟରେ)
ମର୍ତ୍ତ୍ୟରେ ଥିଲତୁମେ ସ୍ୱର୍ଗୀୟ-ପ୍ରତିଭୂ
ମୁକ୍ତହୋଇ ସ୍ଥୁଳ ପରାଭବୁ
ହେ ପ୍ରଜ୍ଞା-ପୁରୁଷ ହେ ସାହିତ୍ୟ ଦେବତା
ସ୍ଵସ୍ଥାନେ ବାହୁଡ଼ିଲକି ହୋଇ ବ୍ରହ୍ମଲୀନ
ପରସି ଏଜଗତେ ନିଷ୍ଠୁର ଶୂନ୍ୟତା।
ସହୃଦ ପାଠକଙ୍କୁ କେବେ ଦେଇଥିଲ ଭେଟି
ସୃଜନୀ ସମଗ୍ରରୁ କିୟତ ଆଣିଛି ସାଉଁଟି
ନିମ୍ନୋକ୍ତ ତଵ ହସ୍ତଲିପି, ତଵ ପ୍ରତିଶ୍ରୁତି।
"ମୁଁ ପୁଣି ଆସିବି ଫେରି, ସମୟର ଶୁଭ୍ର ବାଲୁଚରେ
ବାରି ବାରି ପଦଚିହ୍ନ,ଏ ବିସ୍ମୃତ ତିମିର-ଶିବିରେ
ବେନିକରେ ଆଣିଥିବି ସେଦିନ ମୁଁ ଆଦରି ଜତନେ
ପ୍ରଥମ ପ୍ରଦୀପ ଏଇ ଅଭିଶପ୍ତ ତମସା-ସଦନେ..."
ରଚନା ଏ ଆଶ୍ୱାସନା ତଵ ଅବିକଳ
ଅଭିମାନେ ଅଶ୍ରୁଭରେ କରାଏ ସ୍ମରଣ
ଆଦିଗନ୍ତ ସାହିତ୍ୟ-ପୃଥିବୀ,
ଭାଷା-ଜନପଦେ ପଥପ୍ରାନ୍ତ ସ୍ଥାପତ୍ୟ ସକଳ
କାଳଜୟୀ-ପଦଚିହ୍ନ ତୁମରି କେବଳ।
ଅଗତ୍ୟା ହତବାକ; ସ୍ଥବିର ସେ ତମସା-ସଦନ
ଶାପମୁକ୍ତି ଆଶାଥିଲା ଅନ୍ତରେ ପ୍ରଚ୍ଛନ
ନେତୃ-ବିୟୋଗରେ ଯେହ୍ନେ ବିଦଗ୍ଧ ଜନତା
ଚତୁର୍ଦ୍ଦିଗେ ପ୍ରଭଞ୍ଜନ ପର ନୀରବତା।
ଅନନ୍ତ ଚେତନାର କେଉଁଦିଗ ଉନ୍ମୋଚନ ପରେ
ଉର୍ଦ୍ଧ୍ୱରୁ ଉର୍ଦ୍ଧ୍ୱତର ସୁଉଚ୍ଚ ଶିଖରେ
ପ୍ରାପ୍ତହେବ ଦିବ୍ୟ-ସାନିଧ୍ୟ ତୁମ, ତୁମରି ସନ୍ଧାନ
ପ୍ରଶ୍ନ ପ୍ରହେଳିକାମୟ କ୍ଷଣ ପ୍ରତିକ୍ଷଣ।
ହେ ପ୍ରଣମ୍ୟ-ସାଧକ, ପୂଜ୍ୟ-ଗୁରୁବର
କଥାଦିଅ ଥାଇ ଆରପାରେ
ପୁନଶ୍ଚ ଆସିବ ଫେରି ଏ ଧରା ଧାମରେ
ସାରସ୍ୱତ ଜିଜ୍ଞାସୁ-କୂଳ କରିବେ ପ୍ରତୀକ୍ଷା
ତଵ ପୂଣ୍ୟ ପୁନରାଗମନେ-
ପ୍ରଜ୍ୱଳିତ ହେବ ପ୍ରଜ୍ଞା-ପ୍ରଦୀପିକା...!
*****
