ପ୍ରକୃତିର ବର୍ଷା ବରଣ
ପ୍ରକୃତିର ବର୍ଷା ବରଣ
1 min
13.1K
ରିକ୍ତ ହୃଦୟେ ମଳିନ ମୁଦ୍ରାରେ
ଥିଲ ତୁମେ ଦିନେ ବସି,
ବର୍ଷାର ବିଳାସ ଯେବେ କଲା ସ୍ପର୍ଶ
ଉଠିଲ ପଲ୍ଲବ ପ୍ରକାଶି ।
ସୁପ୍ତ ଦେହେ ସବୁ ପ୍ରାଣ ସଂଚାରିଲ
ତା ବୀଜ ଗର୍ଭରେ ବୋଳି,
ତମ ସ୍ନିଗ୍ଧ ରୂପ ଦେଖି ଏ ଜଗତ
ଗଗନେ କମ୍ପେ ବିଜୁଳି ।
ଘନ ମେଘ ରାଶି ଚଞ୍ଚଳେ ବରଷି
ଭିଜାଏ ତବ ଶରୀର,
ମରମ ମନରେ ମଧୁ ଯାଏ ଝରି
ଶଷି ତୋ ଅମୃତ ନିର।
ମହମହ ବାସେ ପ୍ରଥମ ଛୁଆଁରେ
ମହକେ ଧରଣୀ ରାଣୀ,
ଉଲ୍ଲାସ ମନରେ ନୃତ୍ୟ କରୁଛନ୍ତି
ନଦନଦୀ ପୁଷ୍କରିଣୀ ।
ଫୁଲ ଫଗୁଣର ଅବିର ପ୍ରଲେପେ
ଅନ୍ତରେ ଆନନ୍ଦ ହୋଇ,
ସିଂହରିତ ହୁଏ ତନୁକାନ୍ତି ମୋର
ସ୍ବାଗତ ସଙ୍ଗୀତ ଗାଇ।
- ସବ୍ୟସାଚୀ ବିଷୋୟୀ
କଣ୍ଟାମାଳ(ନବରଙ୍ଗପୁର)
