STORYMIRROR

Jamini Das

Others

4  

Jamini Das

Others

ଫୁଟପାଥରେ ଶୀତ

ଫୁଟପାଥରେ ଶୀତ

1 min
40.1K


ଫୁଟପାଥରେ ଶୀତ ଓହ୍ଲେଇଛି

ରାଜଜେମାଟିଏ ପରି ଥାଟରେ......

ଯୌବନରେ ମତୁଆଲା, ଦିଗଭ୍ରାନ୍ତ;

ଫଟେଇ ଦେଉଛି ହାଡ ପଞ୍ଜରା

ଓଠ, ମୁହଁ, ଦେହ ଫାଟି ଯାଉଛି

ଶୀତ୍କାରରେ ଥରୁଛି ଅସହାୟ ଅଲୋଡା ମଣିଷ;

ଫୁଟପାଥରେ ଘର କରିଥିବା ଦୁଃଖୀ ମଣିଷ;

ନିଷ୍ଠୁର ଶୀତ ବୁଝିପାରେନା

ଦୁଃଖୀ ମଣିଷର ଦୁଃଖ.........

ସେମାନଙ୍କ ଫଟା କପାଳିଆ ଦରପୋଡା

ସ୍ୱପ୍ନ ସବୁ ଭାଙ୍ଗିରୁଜି ଦିଏ

ରାଜରାସ୍ତାର ସ୍ୱଚ୍ଛ ଚଟାଣରେ

ସେମାନଙ୍କ ଫୁଙ୍ଗୁଳା ଦେହକୁ

ଅତ୍ୟାଚାର କରେ,

ନିର୍ବିକାରେ ଧର୍ଷଣ କରେ ପ୍ରତି ରାତିରେ!

ବୁଢା ହଡାମାନେ ରାଜଜେମାର ଚୁମ୍ବନରେ

ଘଟ ଛାଡି ଯାଆନ୍ତି

ଠିକଣା ବିହୀନ ଶବଟିଏ ହୋଇ ପଡି ରହନ୍ତି

ଫୁଟପାଥରେ, ଗହଳି ଛକରେ..........

ତଥାପ ଚେନାଏ ହସ ପ୍ରଶାନ୍ତିର; ମୁକ୍ତିର...

ଉକୁଟୁଥାଏ ସେମାନଙ୍କ ଶୁଖିଲା ଓଠରେ!

ହେ ବିଶ୍ୱନିୟନ୍ତା!

ଯଦି ପାରିବ ଦିଅ ଟିକେ

ଉଷ୍ମତା ସୁଖ ଓ ସ୍ୱପ୍ନର....

ମଣିଷ ବଞ୍ଚୁ ଉଷ୍ମତାରେ.....

ସେକି ସାକି

ତାର ବହୁ ଦିନୁ

ସଞ୍ଚିତ ଅବଶିଷ୍ଟ ସମୟ, ସୁଖ ଓ ସ୍ୱପ୍ନଙ୍କୁ....

ଫୁଟପାଥରେ ଫେରି ଆସୁ ହୋ ହଲ୍ଲା,

ଦୁଃଖି ଲୋକଙ୍କ ପ୍ରଚୁରତାରେ

ଫୁଟପାଥରେ ସଞ୍ଚରିତ ହେଉ

ଆଶାର ଆଲୋକ......

ଶୀତ ତୁ ଅଟକି ଯା

ରାଜା ମହାରାଜାଙ୍କ ପଲଙ୍କରେ

କିମ୍ବା ସୋରିଷ ଫୁଲର ଗହଳ କ୍ଷେତରେ

କିମ୍ବା ବିଳାସୀ ଲୋକର ତାପ ନିୟନ୍ତ୍ରିତ କୋଠରୀରେ

ତୁ ଯେଉଁଠି ରହିବା କଥା ରହ

ତୁ ପ୍ରଳୟକୁ ଯାଆନା

କି ଦୁଃଖି ଲୋକର ପଞ୍ଜରା ହାଡରେ ଲୁଚେନା

ତୁ ଅଟିକ ଯାଆ

ପଞ୍ଚତାରକା ହୋଟେଲର ସୌଖିନ କୋଠରୀରେ....

ଲଙ୍ଗଳା ଫୁଟପାଥରୁ

କିମ୍ବା ଚାଳ ଛପର ଘରୁ

ତୁ ପାଇବୁ ବା କ’ଣ?

କିଛି ପଚାସଢା ଶବ,

ହାଡ ଥରା ଚିତ୍କାର,

କିମ୍ବା ଅନୁଚ୍ଚାରିତ ଅଭିଶାପ !

ତୁ ଫେରିଯା ଶୀତ!

ଅମାନିଆ ହୁଅନା;

ପରିତ୍ୟକ୍ତ ବସ୍ତିରୁ

ନିରପରାଧ ଫୁଟପାଥରୁ

ଫେରି ଯା’, ଫେରି ଯା…..

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍