STORYMIRROR

Jamini Das

Others

1.5  

Jamini Das

Others

ପ୍ରତୀକ୍ଷା

ପ୍ରତୀକ୍ଷା

2 mins
1.1K


              -1-

ବେଳେ ବେଳେ ଖୁବ୍ ଇଛା ହୁଏ

ଆଖିରୁ ଧାର ଧାର ଲୁହ ବୁହାଇ

ଧୋଇ ଦିଅନ୍ତି ଆମ ସମ୍ପର୍କର

ଧୂଳିଲଗା ମୂହୁର୍ତ୍ତମାନଙ୍କୁ.........

ଲମ୍ବି ଲମ୍ବି ଯାଉଥିବା ଅରମା ଆଶାମାନଙ୍କୁ

ପଖାଳି ଦିଅନ୍ତି ହତାଶାରେ,

ଅନିଶ୍ଚିତ ସ୍ୱପ୍ନମାନଙ୍କୁ ଭିଜେଇ ଦେଇ

ବୁଝେଇଦେବି ଅବୁଝା ମନକୁ ଯେ,

ତୁ ଆଉ ଫେରିବୁନି

କି ମୋ ସ୍ୱପ୍ନିଳ ଆକାଶର ଦିଗବିଦିଗ

ଆଲୋକିତ ହବନି ତୋ ଉପସ୍ଥିତିରେ ;

କିମ୍ବା, ତୋ ସ୍ନେହର କଅଁଳ ସ୍ପର୍ଶରେ

ପୁଲକିତ ହବନି ମୋର କ୍ଷୁଧିତ ମନ........

 

               -2-

ବେଳେବେଳେ ଖୁବ୍ ଇଛା ହୁଏ

ତୋ ଅନୁପସ୍ଥିତିରେ ତତେ ଅନୁଭବିବାକୁ,

କାନ୍ଥରେ ଲଟକି ଥିବା ତୋ ଚିତ୍ରପଟରୁ

ତତେ ଜୀଅନ୍ତା ଜୀବନ୍ୟାସ ଦେଇ

ଭୟାର୍ତ୍ତ ଇଛା, ତୃଷାର୍ତ୍ତ ମନ

ଓ ଆହତ ପ୍ରାଣ ବିଜଡିତ ଦେହରେ

ତତେ ଜାବୁଡି ଧରନ୍ତି,

ଅଭିମାନ, ଅଭିଯୋଗ,

ଅନିଶ୍ଚିତତା ଓ ରୁଗ୍ଣ ହତାଶା ସବୁ

ମିଳେଇ ଯାଆନ୍ତା ଆମ ନିବିଡତାରେ.......

କିନ୍ତୁ ସେମିତି କିଛି ହୁଏନି.....

ତୁ ଫେରି ଆସିବା ଆଶା ମଉଳି ଯାଏ...........

 

 

 

 

             -3-

ହୁଏତ ତୁ ଆଉ ଫେରି ଆସିବୁନି

ମୋ ଦୁଃଖ ନୈରାଶ୍ୟସିକ୍ତ ଅଲୋଡା ଜୀବନକୁ

କିନ୍ତୁ ଅନାହତ ସ୍ୱପ୍ନର ଯେଉଁ

ମୂହୁର୍ତ୍ତ ସବୁ ମୋ ପାଖରେ ସଞ୍ଚିଛୁ,

କରୁଣ ବ୍ୟାକୁଳିତ ହୃଦୟରେ ମୋର

ଯେଉଁ ଆଶା ଆଶ୍ୱାସନାର ସ୍ମୃତି

ସବୁ ସାଇତି ରଖିଛି ସନ୍ତର୍ପଣରେ,

ମୋର ପ୍ରତିଟି ସ୍ନାୟୁରେ

ଯେଉଁ ସଂଗୁପ୍ତ ସମ୍ମୋହନ

ତୋର ଉଷ୍ମ ସ୍ପର୍ଶରେ ଅଟକି ଯାଇଛି କେଉଁ କାଳୁ;

ସେସବୁ  କଣ ଅପହଞ୍ଚ ହେବ

ମୋର ଅବଶିଷ୍ଟ ଆୟୁଷ ପାଇଁ?

ତୁ ଯଦି ପଣ କରିଥିବୁ

ଏକ ମୁହାଁ ଆଗକୁ (ଯେଉଁଠି ମୁଁ ନ ଥାଏ) ଯିବାକୁ,

ମୁଁ ଅର୍କ୍ଷିତ ଅସହାୟ ମଣିଷଟିଏ

କେମିତି ବା ତୋତେ ଜୋର୍ କରିବି

ଫେରି ଆସିବାକୁ ସଂଶୟର ଦୋ ଛକି ଉପରକୁ?

କିନ୍ତୁ ଯଦି କେବେ ଇଛା କରିବୁ ଫେରି ଆସିବାକୁ

ତେବେ ଦେଖିବୁ :

ତୋ ଅନୁପସ୍ଥିତିରେ ମୁଁ କେମିତି ବଞ୍ଚେଇ ରଖିଛି

ଆମ ସମ୍ପର୍କର ସ୍ୱପ୍ନକ୍ଷମ ମୂହୁର୍ତ୍ତମାନଙ୍କୁ .....

ମୋ ହାଡ ମାଂସରେ ଚପେଇ ଦେଇଛି

ତୋ ଦେହର ତାତି!!

ଭଙ୍ଗା ସ୍ୱପ୍ନ, କ୍ଲାନ୍ତ ସ୍ମୃତି,

ମିଛ ପ୍ରତ୍ୟୟ ଓ ବିଷର୍ଣ୍ଣ ଆଶା ଭିତରେ ବି

ମୋ ତୃଷାର୍ତ୍ତ ଖୋଜିବା ପଣଟି ତଥାପି ବଞ୍ଚିଛି,

ଓ ତତେ ଅହରହ ଖୋଜୁଛି

ତୋ ଅନୁପସ୍ଥିତିରେ, ଥଳକୂଳହୀନ ଅସୀମ ଆଶାରେ!!


Rate this content
Log in