ମୁଁ ଯେବେ ପିଲା ଥିଲି
ମୁଁ ଯେବେ ପିଲା ଥିଲି
ନୂଆ ସକାଳର ସୁରୁଜ ଦେଖିବି ମନେ ଆଶା ଅସୁମାରୀ ,
ବାପା ମାଆଙ୍କର କଂଅଳ କଢି ମୁଁ ଝିଅ ଅଟେ ସୁକୁମାରୀ |
ଅବଳା ଦୁର୍ବଳା ନିରୀହ ଚପଳା ମୁଁ ଯେବେ ପିଲା ଥିଲି,
ଜନ୍ମ ଦେଇ ମତେ କର୍ତ୍ତବ୍ୟ କରିଲେ ତାଙ୍କଠି ମୁଁ ଋଣୀ ହେଲି |
ଛୋଟ ହୋଇ ଯେବେ ଶିଶୁଟିଏ ଥିଲି ଜାଣେ ନାହିଁ କିଛି କଥା,
ପରିବାର ସ୍ନେହେଁ ବାନ୍ଧି ହୋଇ ମୋର ମନୁ ଯାଉଥିଲା ବ୍ୟଥା |
ଚାଲି ଶିଖାଇଲେ ହାତେ ଖୁଆଇଲେ, ପଢାଇଲେ କେତେପାଠ
ଶାସନ କରିଲେ ରାସ୍ତା ଦେଖାଇଲେ ସହିଲେ ଅଳି ଅଝଟ |
ରୋଗରେ ପଡ଼ିଲେ ବାପା, ମା ମୋର ମୁଣ୍ଡ ବସି ଆଉଁସନ୍ତି,
ଔଷଧ ଦେଇଣ ମାନସିକ କରି ଠାକୁରଙ୍କୁ ଡାକୁଥାନ୍ତି |
ସ୍କୁଲ ଟ୍ୟୁସନ ସମୟ ହୋଇଲେ ପଟାମୁଣା ଧରି ଧାଉଁଥିଲି ,
ପିଲାବେଳେ ସାଙ୍ଗଙ୍କ ମେଳରେ କେତେ ଖେଳ ଖେଳୁଥିଲି |
ପୁଚି, ବୋହୁଚୋରି ଲୁଚକାଳି ଖେଳ ଖେଳତ ଦଉଡିଡିଆଁ,
ଭାବିଲେ ସେ ସବୁ ସପନ ଲାଗୁଛି ଦିଶେ ଆଜି କାଅଁl ଭାଁ |
ସ୍କୁଲ ଫେରିଲେ ବାଟେ ବରଷାରେ ଖେଳି ଖେଳି ଭିଜୁଥିଲି,
ସାଙ୍ଗସାଥି ପିଲାବେଳ ମନେ ପଡେ ପାରିବିନି କେବେ ଭୁଲି |
ପିଲାଙ୍କ ମେଳରେ ଆମ୍ବ କୋଳି ଜାମୁ ଟେକା ମାରି ଖାଉଥିଲି,
ଝିଅପିଲା ବୋଲି ଡରଭୟ ନାହିଁ ଗଛେ ଚଢି ଯାଉଥିଲି |
ଖାଇବା ଜିନିଷ ଆସିଥିଲା ଯଦି ବେଶି ମୋର ଜିଦି ଥିଲା,
ସେହି ଜିଦି ସବୁ ଭାଙ୍ଗି ଯାଇ ଆଜି ପାଣିରେ ଉଡେଇ ଗଲା|
ଅନ୍ଧାର ଦେଖିଲେ ଡରି ଯାଉଥିଲି ଧାଉଁଥିଲି ମା କୋଳେ,
କାନି ପଣତରେ ଘୋଡେଇ ସେ ଆଉଁସନ୍ତି ସ୍ନେହଁବୋଳେ |
କେତେ ରାଗ ଆଉ ମାନ ଅଭିମାନ ରୁଷି ହଜି ଯାଉଥିଲି,
ଭାଇଭଉଣୀଙ୍କ ଗହଣରେ ମିଶି ସ୍ନେହେଁ ଗେହ୍ଲା ହେଉଥିଲି |
ବାଳୁତ ସମୟେ ନିଷ୍କପଟ ମନେ ଭୁଲ ଯାଉଥିଲା ହୋଇ,
ଭୁକ୍ଷେପ ନ କରି ତିଳେ ମାତ୍ର ତାକୁ ନିଦେ ଯାଉଥିଲି ଶୋଇ |
ପିଲାବେଳେ ଗଲା ବଡ ହୋଇ ଆଜି ଯୌବନରେ ହେଲି ଠିଆ,
ସଂସାର ଜଂଜାଳ ମୁଣ୍ଡରେ ମୁଣ୍ଡେଇ ପଥର କରିଛି ହିଆ |
