STORYMIRROR

ସ୍ତୁତିରେଖା ମିଶ୍ର

Others

4  

ସ୍ତୁତିରେଖା ମିଶ୍ର

Others

ମୋ ଝରକା ସେପଟ ବସ୍ତି

ମୋ ଝରକା ସେପଟ ବସ୍ତି

1 min
15.7K



●ବର୍ଷା ଆସି ଛାଡି ଯିବା ପରେ●
★°°°°°°°°°°°°°°°°°°°°°°°°°°°°★

ବର୍ଷା ଆସି ଛାଡିଯିବା ପରେ
ମୋ ଦୁଆର ବୁଡିଯାଏ,
ନାଳ ସାଥେ ଏକାକାର ହୁଏ,
ସେଇ ଯେଉଁ ବାଟେ ସାହେବ ଘରର
ଅଳିଆ ଗୁଡାକ ,
ସହରର ସରହଦ ପାରିକରେ
ବର୍ଷା ଆସି ଛାଡିଯିବା ପରେ ।।।

ଅମାନିଆ ଛୁଆ ମୋର
ଡେଇଁ ପଡେ ସେଇ କାଦୁଅ ପାଣିକୁ
ଚିରା କାଗଜର ଡ଼ଙ୍ଗା ନେଇ
ନିଜ ସାଥେ ଖେଳେ,
ମତୁଆଲା ହୁଏ ନିଜରି ଭିତରେ
ବର୍ଷା ଆସି ଛାଡିଯିବା ପରେ।।

ଛେଳି ମୋର ଚଢି ଆସେ
ପିଣ୍ଡା ଉପରକୁ,
ଯୋଉଠି ଜାଗା ଟିକକ
କମ ପଡେ ମୋ ଘରର ପାଞ୍ଚ ପ୍ରାଣୀଙ୍କୁ
ସେଇଠି ସେ ଦେହ ଘଷି ହୁଏ
ଆପଣାପଣ ରେ ମେ ମେ ରଡି କରେ ;
ବର୍ଷା ଆସି ଛାଡିଯିବା ପରେ।।

ଓଦା କାଠ ସବୁ ଖତେଇ ହୁଅନ୍ତି
ଧସି ପଡେ ଚୁଲି ମୁଣ୍ଡର
ଓଦା ମାଟି ଖଣ୍ଡ,
କାଦ ବୁଡା ପାଦ ଦୁଇ ମୋର
ଘର ସାରା ଲଷ୍ମୀପାଦ କରେ
ବର୍ଷା ଆସି ଛାଡିଯିବା ପରେ।।

ଧୂଆଁ ମିଶା ପ୍ରଶ୍ୱାସ ମୋହର
ଛାତି ତଳେ ବ୍ୟଥା ସୃଷ୍ଟିକରେ,
ପାଣି ମିଶା ନିଆଁ ଯେବେ ଜଳେ
ଭାତ ଜମା ଫୁଟେନି ହାଣ୍ଡିରେ,
ସେ କଥା କି ଭୋକ ବୁଝିପାରେ?
ପୁଅ ଯେବେ କାନଫଟା ରଡିଟାଏ କରେ
ବର୍ଷା ଆସି ଛାଡିଯିବା ପରେ।।

ମୋ ମନର ମରମ ବେଦନା
ବର୍ଷା କିବା ଥରେ ବୁଝିପାରେ,
ଖାଲି ଯାହା ଲୁହ କେଇ ବୁନ୍ଦା
ଓଠ ଯାଏଁ ଖସି ଆସି ଚକ୍ ଚକ୍ କରେ,
ନିଜ ଭାଗ୍ୟର ନିନ୍ଦାରେ
ବର୍ଷା ଆସି ଛାଡିଯିବା ପରେ।।

_ସ୍ତୁତିରେଖା ମିଶ୍ର_


Rate this content
Log in