ମୋ ଗାଁ
ମୋ ଗାଁ
ଶାଗୁଆ ପଣତେ ଘେରା ତନୁ ତା'ର
ଓଠରେ ତା ପାଚିଲା କ୍ଷେତର ହସ
ମୋ ଗାଁ ହସକୁରୀ ଝିଅଟିଏ
ସୀମନ୍ତରେ ଧୂଳିଆ ସଡ଼କ ।
ମୁଣ୍ଡରେ ତା ବର ଓହଳର ବେଣୀ
କଟିରେ ତା ନଦୀର ମେଖଳା
କପାଳରେ ପଡ଼ିଆର ଟିପା ଚିହ୍ନ
ମୋ ଗାଁ କୁମାରୀ ଅବଳା ।
ମଲ୍ଲି ମାଳତୀ ଗନ୍ଧରେ ଭିଜା ତା'ର ଦେହ
କୃଷ୍ଣଚୂଡ଼ା କଦମ୍ବ ଟଗର
ହାରରେ ତା ରକ୍ତ ଗୋଲାପର ଛିଟା
ବଧୁଲୀ ଓ ରଙ୍ଗଣୀ ମନ୍ଦାର ।
ଫଗୁଣ କାନରେ ଗୁନ୍ଥେ ବଉଳର ପେନ୍ଥା
ଚଇତିର ଚଇତାଳି ଛୁଆଁ
ବସନ୍ତଟା କହେ ଚୋରା କଥା
ପାଟି ଚିପି ହସେ ମୋ ଗାଁ ।
ଆଷାଢ଼ରେ ମେଘର ଓଢ଼ଣୀ ଟାଣି
ମୋ ଗାଁ ହସକୁରୀ ବୋହୁଟିଏ
ସିରିସିରି ବର୍ଷା-ବାଣ ଘଡ଼ଘଡ଼ି ଫୋଟକାରେ
ଗାଁ ଦାଣ୍ଡ ଫାଟି ପଡୁଥାଏ ।
ଆଶ୍ବିନ ସନ୍ଧ୍ୟାରେ ନାଚେ ମୋ ଗାଁ
ଜହ୍ନିଫୁଲ ଚଉରା ସଜ୍ଜାରେ
ହରିନାମ ସଙ୍କୀର୍ତ୍ତନେ ଦିଏ ବୁଡ଼
କାର୍ତ୍ତିକର ଧରମ ତୁଠରେ ।
ଧିରେଧିରେ ମୋ ଗାଁକୁ ଛୁଇଁଯାଏ ଶୀତ
ପଉଷର କାକର ହାତରେ
ମୋ ଗାଁ ନିଦୁ ଉଠି ଛଡ଼ାଏ ଅଳସ
ଧୂନି ପୁଆଁ ସକାଳ ଖରାରେ ।
ମୋ ଗାଁର ଚାରୁଚିତ୍ର ନୂଆନୂଆ ଲାଗେ
ଦିନ ମାସ ଋତୁ ବଦଳିଲେ
ସୌନ୍ଦର୍ଯ୍ୟର ନୂଆ ଛିଟା ଝରେ
ତା ଦେହର କୋଣ ବିକୋଣରେ ।
ବିପ୍ର ଚରଣ ପାତ୍ର
ଲାଠିପଡା ,ନୟାଗଡ଼
