STORYMIRROR

Dillipkumar Nandi

Others

3  

Dillipkumar Nandi

Others

ମା'

ମା'

1 min
159


ଖୁସିରେ ବାପା ତ ପଡ଼ନ୍ତି ଫାଟି

ତଳେ ଲାଗେ ନାହିଁ ପାଦ ଦୁଇଟି

ପୁଅ ବାହାଘର ତାଙ୍କର ଆଜି

କୁଣିଆରେ ଘର ହୋଇଛି ଭର୍ତ୍ତି।୧।


ନଣନ୍ଦ ହେଉଛି କେତେ ଯେ' ସଜ

ଘରକୁ ଆସିବ ନୂଆ ଭାଉଜ

ବନ୍ଧ ମଡ଼ା ଶାଢ଼ୀ ଥିବ ଆଟାଜ

ସୁନା ମୁଦି ସାଙ୍ଗେ କେତେ ଯେ' ସଜ।୨।


ଆନନ୍ଦେ ଡାକିବ ଆସହେ କୁନି

କେଶ ସଜେଇ କି ବାନ୍ଧିବି ବେଣୀ

ପାଦେ ଦେବି ତୁମ ଅଳତା ଗାର

ଓଠେ ଲାଲିମା ନୟନେ କଜ୍ଜଳ।୩।


ଦିଅର କାର୍ଯ୍ୟରେ ହେଉଛି ବ୍ୟସ୍ତ

ଘରେ ପାଦଦେବ ନୂଆ ଭାଉଜ

ଘରଦ୍ଵାର ନିତି ନୂଆ ଦିଶିବ

ଗେହ୍ଲେଇ ଡାକିବେ ଦିଅର ଆସ।୪।


ଚା଼ ସାଙ୍ଗେ ଜଳପାନ ନିଇତି

ବଢ଼ାଇ ଦେବେଟି ହାତ ପାଆନ୍ତି

ଗରମ ଗରମ ବାଢ଼ିବେ ନିତି

ମଧୁର ସୂରରେ ଡାକୁଥିବେଟି।୫।


ଗୋସେଇଁ ଶାଶୁର ଉଡ଼ୁଛି କେଶ

ପାକୁଆ ପାଟିରୁ ଝରୁଛି ହସ

ନାତୁଣୀ ବୋହୂଟି ସନ୍ଧ୍ୟାରେ ନିତି

ଚୋଉଁରା ମୁଳରେ ଜାଳିବ ବତୀ।୬।


ପାଖେ ଆସି ବସି କହିବ ହସି

ଜେଜେମା ଗୋ, ଟିକେ ଦେବି ଆଉଁସି

ତୁନି ତୁନି କଥା କେତେ କହିବ

ସାଉଁଳି ସାଉଁଳି ହାତ ମାରିବ ।୭।


ଗୋସେଇଁ ଶଶୁର ମନ ଉଛନ

ପାକୁଆ ପାଟିରେ ଜାକିକି ପାନ

ଭାଗବତ ଗୀତା ନିଶ୍ଚେ ଆଣିବ

ପାନ ବଟାଟିଏ ସାଥୀରେ ଥିବ।୮।


ପଡ଼ିଶାଏ ଶୁଣି ହୁଅନ୍ତି ଖୁସି

ଭୋଜି ଭାତଟାଏ ଯିବଟି ଜମି

ଭାତ ଡାଲି ସଙ୍ଗେ କ୍ଷୀରି ସାକର

ଆରିସା ପିଠାଟି ପତର କଡ଼।୯।


ବନ୍ଧୁ ବାନ୍ଧବଙ୍କ ତୁଣ୍ଡେ ବାଟୁଳି

କିଏ କହେ ବୋହୂ ଆଣିବ ପେଡ଼ି

ଉଖୁଡ଼ା ମିଠେଇ ଭାର ଆଣିବ

ସାହି ପଡ଼ିଶାରେ ବଣ୍ଟା ହୋଇବ।୧୦।


ମାଆ ତ କାନ୍ଦଇ ମନ ଭିତର

ସରିଯିବ ଅଳି ଆଜିଠୁ ମୋର

ପଣତଟା ମୋର ଖାଲି ପଡ଼ିବ

ବୋହୂର ପଣତେ ପୁଅ ରହିବ।୧୨।


ବାହାରିବ ବର ହୋଇବ ସଜ

ବାଜିଵ ମହୁରୀ ତେଲିଙ୍ଗି ବାଦ୍ୟ

ଶଙ୍ଖୁଆ ଫୁଙ୍କିବ ଶଙ୍ଖକୁ ଧରି

ସଧବାଏ ଦେବେ ଯେ'ହୁଳହୁଳି ।୧୨।


ପଣତଟା ମାଆ ଧରିବ ଖୋଲି

ଭରିଦେବ ପୁଅ ବର ଆଞ୍ଜୁଳି

ସରିଯିବ ମାଆ ପାଖରୁ ଅଳି

ପଣତରେ ବୋହୂ ରଖିବ ଭିଡ଼ି।୧୩।


ଆଉ କି କୋଳରେ ସତେ ବସିବ

ମାଆ ମା'ଡାକି ଅଝଟ ହେବ

ଭାବୁଅଛି ମାଆ କଥା ସୁମରି

ନୟନରୁ ଅଶ୍ରୁ ଯାଉଛି ଝରି।୧୪।




Rate this content
Log in