କାଁହ୍ନୁ ରୁ ଦ୍ୱାରିକାଧିଶ
କାଁହ୍ନୁ ରୁ ଦ୍ୱାରିକାଧିଶ
ଏହା ମୋର ଏକ କାଳ୍ପନିକ ଲେଖା , ପୌରାଣିକ ବିଷୟ ବସ୍ତୁ ସହ ଏହାର କୌଣସି ସମ୍ପର୍କ ନାହିଁ ।
କୃଷ୍ଣ ପଚାରନ୍ତି ରାଧିକାଙ୍କୁ ଚାହିଁ
କୁହ ଆହେ ପ୍ରାଣ ସହି
ମୁଁ ଦ୍ୱାରକାରେ ତୁମେଗୋପପୁରେ
କେମିତିକା ଥିଲ ରହି ।
ତୁମ ବିନୁ ସଖୀ ଉଜାଗର ଆଖି
ନିତି ଢ଼ାଳୁଥିଲା ଲୁହ
ତୁମ କଥା ଭାବି ସୁମରି ତୋ ଛବି
ହୃଦେ ଉଠୁଥିଲା କୋହ।
ଏମିତିକା ଗୋଟେ କ୍ଷଣ ମନେନାହିଁ
ତୁମ ସ୍ମୃତିରେ ମୁଁ କାନ୍ଦିନି
ଏପରି ଗୋଟିଏ ଦିନ କଟିନାହିଁ
କଟି ଵି ନାହିଁ ଯାମିନି ।
ପ୍ରାଣ ପ୍ରିୟା ତୁମ ବିଚ୍ଛେଦ ଅସହ୍ୟ
କେମିତି ଥିଲ ହେ ସଖୀ
ତୁମ ପାଇଁ ଝୁରି କ୍ଷୀଣ ହେଲା ଶିରି
ବତୁରି ଗଲାଣି ଆଖି ।
ହସି କହେ ରାଇ କାହ୍ନୁ ମୁଖ ଚାହିଁ
ଶୁଣ ଦ୍ୱାରିକା ଈଶ୍ୱର
ବୁଝାଇ କହୁଛି ମୋ କଥା ତୁମକୁ
ଆହେ ଜଗତ ଠାକୁର ।
ତୁମେ ଗଲାପରେ ମଥୁରା ପୁରକୁ
ଭାବିନି ମୁଁ ତୁମ କଥା
ଢାଳି ନାହିଁ କେଵେ ମୋ ଆଖିରୁ ଲୁହ
ଦେଇନି ପରାଣେ ବ୍ୟଥା ।
ଭାବିବି କାହିଁକି ତୁମେ ଏ ହୃଦୟେ
ଦିନ ରାତି ଆତ ଯାତ
ନୟନରେ ତୁମେ ନିରନ୍ତରେ ଥିଲ
ହୋଇ ମୋ ନୟନ ମିତ ।
ଢାଳିଥାନ୍ତି ଯଦି ମୋ ଆଖିରୁ ଲୁହ
ତୁମକୁ ହରେଇ ଥାନ୍ତି
ସେଇକଥା ମଣି କାନ୍ଦି ନାହିଁ ଜାଣି
ସାକ୍ଷୀ ମୋ ସଖୀ ଅଛନ୍ତି ।
ଶୁଣ ଆହେ ରାଜା ପାଳୁଥିଲ ପ୍ରଜା
ଗୋପ କଳା କାହ୍ନୁ ନୁହଁ
ଦ୍ୱାରିକା ଦେଶର ତୁମେ ଅଧିଶ୍ବର
ନୁହେଁ ଯାଦବର ପୁଅ ।
ଗୋପପୁରେ ଥିଲ ତୁମେ ଜନ ପ୍ରିୟ
ସଭିଙ୍କ ରକ୍ଷା କରତା
ମହା ଭାରତରେ ତୁମ ପ୍ରଜା ମଲେ
&nb
sp; ନକରିଲ ମନେ ଚିନ୍ତା ।
ଗୋଟିଏ ଆଙ୍ଗୁଳି ଟେକିଥିଲା ଗିରି
ଗୋପକୁ ରଖିବା ପାଇଁ
ଗୋଟିଏ ଆଙ୍ଗୁଳି ନିର୍ଦ୍ଦେଶରେ ତୁମେ
ସଂଗ୍ରାମ ଦେଲ ଭିଆଇ ।
ଯେଉଁହାତେ ଦିନେ ଶୋଭାପାଉଥିଲା
ପ୍ରେମର କାଠ ଵଇଁଶୀ
ସେଇ ହାତେ ପୁଣି ଚକ୍ର ଧରି ପ୍ରଭୁ
ହେଳେ ପକେଇଲ ନାଶି ।
କାହିଁ ମିଛ କଥା କୁହ ତୁମେ କାହ୍ନୁ
ରାଇ କଥା ଭାବୁ ଥିଲ
ତୁମେ କିବା ସେଇ ଗଉଡ କହ୍ନେଇ
ସତରେ ବଦଳି ଗଲ ।
ତୁମ ହୃଦେ ଆଉ ନାହିଁ ଦୟା ଭାଵ
ନୁହେଁ ତୁମେ ମୋ କହ୍ନେଇ
ତୁମେ ଖାଲି ରାଜା ଦ୍ୱାରିକା ଦେଶର
ମିଛେ ଦିଅନା ଭଣ୍ଡେଇ ।
କାହ୍ନୁ ଠାରୁ ପରା ଦ୍ୱାରିକା ଈଶ୍ୱର
ମୋହେ ତୁମେ ବାନ୍ଧି ହେଲ
ରାଇର ପ୍ରେମିକ କେଵେ ଥିଲ ଏବେ
ରୁକ୍ମିଣୀ ପତି ହୋଇଲ ।
ଆଇନା ଦେଖାଏ ତୁମକୁ କହ୍ନେଇ
ଗୋପପୁର ଅଧିଶ୍ଵର
ମୁଁ କିନ୍ତୁ ସେଇ ପୁର୍ବ ଗୋପାଙ୍ଗନା
ଦାସୀ ତୁମ ଶ୍ରୀପୟର ।
ଯେଉଁ ସୁଦାମାକୁ ବନ୍ଧୁ ବୋଲି ଭାବି
ଯାଉଥିଲ ତା ଘରକୁ
ରାଜା ଏବେ ତୁମେ ସେ ପରା ଦରିଦ୍ର
ଆସିଲା ତୁମ ପାଖକୁ ।
ରାଜା ହୋଇ ଦେଖ କି ତୁମ ବିଚାର
( ନିଜେ) ପାଣ୍ଡବଙ୍କ ସାଥି ହେଲ
ତୁମ ସେନା ପରା ତୁମରି ପରଜା
କୌରଵଙ୍କୁ ଟେକି ଦେଲ ।
ମୋ ଠାରୁ ଦୂରେଇ କିବା ହରେଇଛ
କି ଲାଭ ପାଇଛ ଭାଵ
ପ୍ରେମଠୁ ଦୂରେଇ ସଂହାର କରିଲ
ସ୍ନେହ ର ହେଲା ଅଭାବ ।
ଆଖି ଖୋଲି ଦେଖ ଦ୍ବରିକାରରାଣୀ
କାହାନ୍ତି ପାଖରେ ତୁମ
ସବୁ ଦେବାଳୟେ ପୁଜା ପାଉଥିବ
ଯୁଗଳ ମୂର୍ତ୍ତି ଟି ଆମ ।