ହେ ବୀର !
ହେ ବୀର !
ହେ ବୀର
ହେ ବୀର !
ତୁମରି ବୀରଗତି ପରେ
ଏଠି ଅଜସ୍ର ଲୁହ
ଅନେକ ଆଖିରେ
ଦେଖ ବୋହି ଚାଲିଛନ୍ତି
ଅବିରତ ନିସର୍ତ୍ତରେ |
କ’ଣ ସେ ଲୁହରେ
ଓଦା ହେଉଥିବ
ତୁମ ନିଷ୍ପନ୍ନ ଶରୀର ....?
ହେ ବୀର !
ତୁମରି ବୀରଗତି ପରେ
ଏଠି ଅନେକ ସୌଭାଗିନୀ ଫୁଲ
ଅଜାଡି ହୋଇପଡିଛନ୍ତି
ତୁମରି ଜଡ଼ ଦେହ ପରେ
ସୌନ୍ଦର୍ଯ୍ୟର... ସାର୍ଥକତାରେ |
କ’ଣ ସେ ମହମହ
ଆବେଗର ବାସ୍ନାରେ
ସୁବାସିତ ହେଉଥିବ
ତୁମ ନିସ୍ତବ୍ଧ ରକ୍ତଭିଜା ଦେହ...?
ହେ ବୀର !
ତୁମରି ବୀରଗତି ପରେ
ସେ ବୀରଭୋଗ୍ୟା ମାଆ
ତୋଳିଛି ପଥର ପ୍ରାଚୀର
ତା ମହମ ଛାତିରେ ,
ଆବେଗର ଉଛୁଳା ସୁଅକୁ
ଅଟକାଇଛି...ନକଲି ବନ୍ଧରେ |
କ’ଣ ଶୁଣିପାରୁଥିବ
ସେ ବିରସ ମମତାର କ୍ରନ୍ଦନ
ତୁମ ବିମର୍ଦିତ କର୍ଣ୍ଣ...?
ହେ ବୀର !
ତୁମରି ବୀରଗତି ପରେ
ତୁମ ପ୍ରାଣପ୍ରିୟା ଅର୍ଦ୍ଧାଙ୍ଗିନୀ
ଆଖିରୁ ଝରାଉଛି
ଲୁହ ନୁହେଁ ଲୁହ ଧାର ,
ନିନ୍ଦୁଛି ଅବିରତ
ତା ଦରପୋଡା ଭାଗ୍ୟକୁ
ସୁଖଶୂନ୍ୟ ତା ଶୁଖିଲା
ପାପୁଲି ରେଖାରେ |
କ’ଣ ଦେଖି ପାରୁଥିବ
ତା ଯନ୍ତ୍ରଣା ଜର୍ଜରିତ
ନିଛାଟିଆ ଭବିଷ୍ୟତକୁ
ତୁମ ସେ ନିଦ୍ରିତ ନୟନ...?
Jhunilata Bahira
Teacher@Kudiary Nodal U.P School
Jhunilata.1988@gmail.com
