ବୋଉ ପାଖୁ ଚିଠି
ବୋଉ ପାଖୁ ଚିଠି
ପ୍ରଣାମ ମୋର ନେଉଥା’ ଲୋ ବୋଉ
ଶୁଣାଇବୁ ବାପା କାନେ ,
ଦୁର ରାଇଜରେ ରହିଛି ତୋ ଝିଅ
ଦୁଃଖ କରିବୁନି ମନେ ।।
ଅନ୍ତ ଚିରି ମତେ ଜନ୍ମ ଦେଇଥିଲୁ
କାହିଁ ପରକଲୁ କହ ,
ଏତେ ଦୂରେ ମତେ ବାହା କରିଦେଲୁ
ଝୁରୁଛି ଆଜି ତୋ ଝିଅ ।।
ଘର କଥା ମୋର ମନେ ପଡୁଛି ଲୋ
ଆଖିରୁ ଝରଇ ଲୁହ ,
ଗେଲ ବସରରେ ବଢିଥିଲି ବୋଉ
ମନରୁ ଉଠଇ କୋହ ।।
ଦେଖି ଆସିଥିଲି ଆମ ବାଡ଼ିରେ ଲୋ
ସଜନା ଛୁଇଁ ଯେ କେତେ ,
ସାହି ଝିଅଙ୍କୁ କହିବୁ ଲୋ ବୋଉ
ପାଶୋରି ନ ଦେବେ ମୋତେ ।।
ମନେ ପଡେ ତୋ ହାତ ରନ୍ଧା ତିଅଣ ଲୋ
ଖାଇପାରୁ ନାହିଁ ଭାତ ,
ଆମ ଗାଁ ଯାତରା କେବେ ହବ ବୋଉ
ଦେଖିବି ମୁଁ ଦୋଳ ଯାତ ।।
ଶୁଣି ଆସିଥିଲି ଆମ କାଳିଆ ଠାକୁର
ରଥରେ ବସିବେ ପରା ,
ହତ ଭାଗିନୀ ମୁଁ ଦୂରେ ରହିଲି ଲୋ
ଦେଖି ପାରିଲିନି ରଥଯାତରା ।।
ସାହୀ ନୁଆ ବୋଉ ମନେ ପଡୁଛି ଲୋ
କେତେ ଗେଲ ଥଟ୍ଟା କରୁ ,
ହଜିଗଲା ଆମ ଗାଁରୁ ନାଆ ଲୋ
ଝୁରି ଝୁରି ଏଠି ମରୁ ।।
ଗୁହାଳ ପିଢାରେ ପୋଇ ମାଡିଥିଲା
ଦେଖି ମୁଁ ଯେ ଆସିଥିଲି ,
ଲେଉଟିଆ ଶାଗ ବୁଣା ହୋଇଥିଲା
ଆଣିବେ କି ବାପା କାଲି ।।
ବାଡ଼ି ବରକୋଳି ମନେ ପଡୁଛି ଲୋ
ଖାଇଥିଲି ମୁଁ ଯେ କେତେ ,
ତୋଳିକି ଦିଟା , ପଠେଇବୁ ବୋଉ
ମୋର ସାନ ଭାଇ ହାତେ ।।
ବାପାଙ୍କୁ କହିବୁ ଆସିକି ନେବେ ଲୋ
ଗାଁ କୁ ମୁଁ ବୁଲି ଯିବି ,
ଘର ବସାଦହି ପଠାଇବୁ ବୋଉ
ପାଟିରେ ଟିକିଏ ଦେବି ।।
ରଜଭାର ଯେବେ ପଠାଇବୁ ବୋଉ
ପାନ ଗୁଆ ଦେଇଥିବୁ ,
ଚାହିଁ ବସିଥିବେ ଶାଶୁ ଶଶୁର ମୋ
ଛୋଟ ମତେ ନ କରିବୁ ।।
ଦେହ ମୁଣ୍ଡ ତୋର ନେବୁ ଲୋ ଯତନ
ବାପାଙ୍କ କଥା ବୁଝିବୁ ,
ସବୁ ପରବରେ ମୋ ପାଖୁ ଲୋ ବୋଉ
ଭାଇଙ୍କୁ ପଠଉଥିବୁ ।।
ଆମ ଗାଁ ଠାକୁରାଣୀ ଥାଆନ୍ତୁ ଦୂରରେ
ମୁଁ କରେ ଶତ ଦଣ୍ଡବତ ,
ପର କରିବୁନି କେବେ ମତେ ବୋଉ
ତୋ ପାଖେ ସ୍ନେହ ବହୁତ ।।
ଏତିକି ଲେଖିକି ରହୁଛି ଲୋ
ବୋଉ ପାଶୋରି ନ ଦେବୁ ମନୁ
ମୋର ଚିଠି ପଢ଼ି ଦୁଃଖ କରିବୁନି
ଇତି , ତୋ ହତଭାଗୀ ଝିଅ ମିନୁ ।।
