ଅହଲ୍ୟା- ନାରୀଟିଏ
ଅହଲ୍ୟା- ନାରୀଟିଏ
ଅଭିମନ୍ୟୁ ବିଶ୍ବାଳ
© All rights reserved.
-୧-
ଅଭିଶପ୍ତା ଅହଲ୍ୟା ମୁଁ କରେ ଆଜି ମନର ବଖାଣ
ଦେହେ ମୋର ଲକ୍ଷ ଲକ୍ଷ ଅଭିଶପ୍ତା ନାରୀର କଷଣ ।
କାଳ କାଳ ବିଦଳିତ ଜଟାଜୁଟା ପୁରୁଷଙ୍କ ହସ୍ତେ
ପଡିଛୁ ଗୋ ପାଷାଣୀ ଶରୀର ଆଉ ଭଗ୍ନ ମନୋରଥେ ।
ବ୍ରହ୍ମାଙ୍କର ମୁହିଁ ଅମର କନ୍ୟା ମୁହିଁ ନାରୀ ମୁହିଁ ଦେବୀ
ପୁଣ୍ୟ ମରତେ ଅଭିଶପ୍ତା ହେଲି ଶାଶ୍ବତ ପ୍ରେମ ସେବି ।
ଉଷା ଆଗମନେ ସ୍ବପ୍ନ ଉଭେଇ ଏ କି ହେଲା ଏ କି ହେଲା
ବୁର୍ଜୁଆ ହାତରେ ଜୀବନ ଦୀପ ମୋ ଅକାଳେ ମଉଳିଗଲା ।
-୨-
ମୁକ୍ତ ବସୁଧା ମୁକ୍ତ ବିହଙ୍ଗ ମୁକ୍ତ ଆକାଶ ତଳେ
କ୍ରୀଡ଼ନକ ନୁହେଁ ନାରୀଟିଏ ମୁଁ ଗୋ ଫାଶ ଭିଡ ନାହିଁ ଗଳେ ।
ଲୋଡାନାହିଁ ମୋର ସତୀତ୍ବର ସିନ୍ଥି ଲୋଡେ ଦେହ ଦେଇ ପ୍ରେମ
ବିଛାଇ ଦେଇଛି ଦେହ ଓ ମନକୁ ସବୁଜ ପ୍ରାନ୍ତର ସମ ।
ନୟନରେ ଭରି ପ୍ରେମ ଅସୁମାରୀ ମନ ପସରାରେ ପ୍ରେମ
ନାଚିବି କୁଦିବି ଭୁବନେ ପବନେ ଉଲଂଗ ଶିଶୁ ସମ ।
ଅମୃତ ସନ୍ତାନ ଅମୃତ ଲଗନେ ଜନ୍ମିଥିଲି ଧରା ତଳେ
ହସି ଖେଳିବାକୁ ଅମୃତମୟ ସୃଷ୍ଟି ବିତାନ କୋଳେ ।
ପାଷାଣୀ ସାଜି ଧରଣୀ ଉରସେ ଚାହିଁଛି ଊର୍ଦ୍ଧ୍ବେ ଆକୁଳେ
ମୁକ୍ତି କାମୀ ଏ ନାରୀ ବିରସେ ପ୍ରେମର ପ୍ରଦୀପ ଜାଳେ ।
-୩-
ଅଗତିର ଗତି ହେ ପୁରୁଷୋତ୍ତମ ହେ ପରମ ପ୍ରେମମୟ
ତୁମରି ଦିବ୍ୟ ଚରଣ ପରଶେ ଅମୃତ ହେବ ଏ କାୟ ।
ଝାଡିଦେଲେ ଧୂଳି ହେ ପରମ ପ୍ରିୟ ଲଭିବି ପରମ ପଦ
ଅବସାନ ହେବ ସବୁ ଅଫିମ ରାତିର ମେଣ୍ଟିବ ଅବସାଦ ।
ତୁମେ ପରା ମୋର ମୁକତି ଦାତା ତୁମେ ନୟନାଭିରାମ
ପୂର୍ଣ୍ଣକର ମୋର ଶୂନ୍ୟ ମନ୍ଦିର ତୁମେ ଯେ ପୂର୍ଣ୍ଣକାମ ।
ମୁକ୍ତି ପ୍ରତ୍ୟାଶୀ ନାରୀଟିଏ ଲାଗି ଆସିବ ଗୋ ତୁମେ ଅାସିବ
ପରଶମଣି ସମ ପଦ ପଙ୍କଜକୁ ଅଙ୍ଗେ ମୋର ଛୁଆଁଇବ ।
ଜଡତ୍ବକୁ ତେଜି ଅମରତ୍ବ ଭେଦି ସ୍ବାଧୀନତା ମୁହିଁ ଲଭିବି
କୋଟି କଷଣର ଜ୍ବାଳାରୁ ମୁକତି ଲଭି ମୁଁ ଶ୍ରୀପଦ ସେବିବି ।
=*=