ଅଭିସନ୍ଧି
ଅଭିସନ୍ଧି
କିଏ ବୁଝୁକି ନବୁଝୁ
ତୁମେ ତ ବୁଝିଛ
ଜୀବନ ଯବନିକାରେ
ପଥ ଭ୍ରାନ୍ତର ଅପଥେ ଦୌରାତ୍ମ୍ୟ ସବୁ
ଡହ ଡହ ହେଇ
ଜଳୁଥିଲା ଶରୀର
ଗୋଟିଏ ପରେ ଗୋଟିଏ
ପଙ୍ଗୁ ଗ୍ରାସୁଥିଲା ଅଙ୍ଗ ପ୍ରତ୍ୟଙ୍ଗକୁ
ଫୁଟୁ ଥିଲା ହାଡର ଗଣ୍ଠି
ନଷ୍ଟ ହେଉଥିଲା ଦେହ,ମନ
ଆଉ ସମ୍ପର୍କ.......।।
ସେ ଦେହଟା ଦହନ ପରେ
କ'ଣ ଆଉ କିଛି ବାକି ଥିଲାକି...??
ଦାହକାରୀ ତୁଠ କାମ ସାରି
ନିରବରେ ଶୋଇ ପଡ଼ିଲେଣି
ହେଲେ ତୁମେ ନିଃଶବ୍ଦ ରାତ୍ରିରେ
ପଥର ଉପରେ ଚେଇଁ ବସିଛ କାହାପାଇଁ........??
ନିଆଁ ଲିଭିକି ଏବେ
ବହଳ ଗହଳ ଧୂଳିଆ ଧୂଆଁରେ
ଅଙ୍ଗାରଗୁଡ଼ା ଧଳା ପଡ଼ିଗଲାଣି
ତଥାପି ସେମିତି
ଭିଜା ଭିଜା ଆଖିକୁ ନେଇ ଚେଇଁ ବସିଛ
ଅଭୀପ୍ସିତ ଆକାଂକ୍ଷାକୁ ସାଥି କରି
ସବୁ ମିଛ ଅଭିନୟ
ତୁମେ ଜୀବନ୍ତ କେବଳ ମୋ ପାଇଁ.....।।
ଏତେ ଡଉଲଡାଉଲ ଚେହେରାଟା ଡହଳ ବିକଳ ହେଇ
ଜୀବନ୍ତ ପୋଡି ହେଇଗଲା ସିନା
ହେଲେ ମୋ ଆତ୍ମାର ଅନ୍ତର କଥାଟା ତ ଜାଣିଛ
ତୁମ ସ୍ପର୍ଶ ବିନା
ଅତୃପ୍ତଟେ ପରି ଭଟକୁ ଥିବ ଚୌଦିଗେ
ତୁମ ପ୍ରେମ ଆଉ ବିରହର ଯନ୍ତ୍ରଣାକୁ ନେଇ
ଖୋଜିଥିବି ଆଉ ଗୋଟେ ଶରୀର......।।
ହେଲେ ଶରୀର ମିଳୁ ନଥିବ
ଚିତ୍କାରୁ ଥିବ ଆତ୍ମା
ଅଶରୀରେ ମାୟାବିନୀ
ବନ ଜ୍ୟୋସ୍ନାରେ
ଗଙ୍ଗଶିଉଳିର ଗନ୍ଧ ସହ
ମିଶୁଥିବ ବାରମ୍ବାର
ନିଷେଧ ସୀମା ସେପାରିର ଶରୀର
କାରାରୁଦ୍ଧ ଅଭିସମ୍ପାତ ଆତ୍ମାର
ଅଭିସନ୍ଧି
ମୁକ୍ତି ତୁମ ଶେଷ ସ୍ପର୍ଶରେ ଥିବ......।।
Sukhada maity
