ଆଖି ବୁଜିଦେଲେ
ଆଖି ବୁଜିଦେଲେ
ଆଖି ବୁଜିଦେଲେ ସେଠି
ବୁଜି ହେଇଯାଏ ଖୋଲାଥିବା କବାଟ ଝରକା
ପୁଣି ଥରେ ଶବ୍ଦମୟ ହୋଇଯାଏ
ନିଷିଦ୍ଧ ଡାଇରୀରେ ଧାଡି ଧାଡି ନୀରବ କବିତା
ଝର୍କା ସେପାଖେ ଚାହିଁ ବସିଥାଏ
ପୁଣି ଗୋଟେ ବେପରୁଆ ବିନ୍ଦାସ୍ ସକାଳ
ଏ ପାଖେ ରାତିର ସୋରିଷ କ୍ଷେତରେ
ଖେଳୁଥାଏ ସୁନା ସୁନା ସ୍ୱପ୍ନର ଫସଲ
କିଛି ପାପର, ଆଉ କିଛି ପୂଣ୍ୟର ।
ଆଖି ବୁଜିଦେଲେ ଏଠି
ଲୁଚିଯାଏ ଡ୍ରଇଂରୁମ୍ କାନ୍ଥରେ ଲଟକିଥିବା
ଦାମି ଦାମି ଚିତ୍ରଂକର ଗୁମ୍ ସୁମ୍ ମୁହଁ
ଚିମିନିରୁ ଉଠୁଥାଏ ଈର୍ଷା ଆଉ ଅସୂୟାର ଧୂଆଁ
ତରଳି ଯାଉଥାଏ ଜହ୍ନ ଆଉ ତାରାଙ୍କର ଦେହ
ବାଲ୍କୋନୀର ସେପାଖରୁ ଭାସିଆସେ ଖରାଦିନ
ବର୍ଷାରେ ବତୁରା ଅସରାଏ ଜହ୍ନ ଆଲୁଅ
ଇଛାର ଅନ୍ଧାର ଭିତରୁ ଲମ୍ବି ଆସେ
ଚିହ୍ନା ଚିହ୍ନା ଅର୍ବାଚୀନ ଉଦ୍ଦାମତା
ଲେଖା ହୁଏ ପୃଷ୍ଠା ପରେ ପୃଷ୍ଠା
ପୁଣି ଗୋଟେ ନିଆରା କବିତା ।
ଆଖି ବୁଜିଦେଲେ ଏଠି
ବଦଳି ଯାଏ ପ୍ରଜାପତିର ଚିତ୍ରିତ ଡେଣା
ଲଜ୍ଜାର ପାଚେରୀ ଡେଇଁ
ହୁତୁ ହୁତୁ ଜଳୁଥାଏ ଅସମାପ୍ତ ଭୋକର ନିଆଁ
