ଆକାଂକ୍ଷିତ
ଆକାଂକ୍ଷିତ
ତୁମେ କେବେ ଥିଲ ମୋ ଜୀବନେ ଏକ,
ଉଛୁଳା ନଈର ସ୍ରୋତ,....
ଦୁଇ କୂଳ ଲଙ୍ଗି ଚାଲିଆସିବାକୁ
ଥିଲ .…. ସତତ ପ୍ରସ୍ତୁତ ।
କେବେ ତୁମେ ଥିଲ ଗଭୀର ନିଶୀଥେ,
ଝରା ଶେଫାଳୀର ବ୍ୟଥା
ହୃଦୟ ଥରାଇ ଝରିଆସୁଥିଲ
ହୋଇ,ଲୁହ...ଲହୁର କଥା ।
ଆଉ କେବେ ଥିଲ
ଆଦ୍ୟ ଆଷାଢର ଘୁମନ୍ତ ମେଖଳା ବନ୍ଧ
ଶତ ଶତ ଚେଷ୍ଟା ନିଷ୍ଫଳ ଯାଇଛି
ପାରିନି ଖୋଲି ସେ ଛନ୍ଦ ।
ଶ୍ରାବଣର ଧାରା ଝରିଯାଉଥିଲା
ଯେବେ ମୋ ଝରକା ଖୋଲି,
ତୁମେ ସେତେବେଳେ ଚାଲିଆସ ଧୀରେ,
ସ୍ମୃତିର କବାଟ ମେଲି ।
କଥା ହେଉଥିଲେ ଶରତ ସନ୍ଧ୍ୟାରେ,
ଧୀର ସମୀରଣ ତାଳେ।
ଈର୍ଷା କରୁଥିଲା ସ୍ଥୁଳ କଟୀ ନଈ,
କାଶତଣ୍ଡୀର ଗହଳେ।
ତୁମେ ଥିଲେ ମନେ, କେତେ ଶବ୍ଦର
ତରଙ୍ଗ ପିଟନ୍ତି ମଥା
ଖୋଲିଦେବା ପାଇଁ କୁହୁକ ପେଡ଼ି ସେ
ଝରା ସ୍ବପ୍ନ ର ଗାଥା
ତେଣୁ ତୁମେ ଆସ ---ପ୍ରିୟେ,
ପକ୍ଷୀରାଜ ଚଢି......
ସ୍ବପ୍ନ ପରୀଙ୍କ ସାଥେ,
ହୃଦୟ କବାଟ ଖୋଲି ରଖିଛି ମୁଁ
ବିଛାଇ କମଳ ପଥେ ।
ନ ଆସିବ ଯଦି କଥା ଦିଅ ତେବେ
ତାରାଙ୍କ ମେଳରେ ରହି,
ବାଟ କଢାଇବ ଘନ ଅନ୍ଧକାରେ
ମୁହୂର୍ତ୍ତର ସ୍ମୃତି ହୋଇ।
********
ସରୋଜିନୀ
