ତୁଠ ଶିଉଳିର ଧାରେ ନବବଧୂ ଆଙ୍କେ ପାଦ ଅଳତାର ଛବି, ସକାଳର ସ୍ନିଗ୍ଧ ଜଳେ ହସି ଉଠେ ପଦ୍ମ ଆକାଶରେ ଦେଖି ରବି । ରାଜହଂସଙ୍କର ମେଳ ଲହରୀ ଭାଙ୍ଗୁଛି ଆଜି ପୋଖରୀ ତୁଠ, ଧାଡ଼ି ଧାଡ଼ି ତାଳଗଛ ଚାରିପାଖେ ଜଗିରହିଛନ୍ତି ଘାଟ । ପଦ୍ମ ପତରରେ ଜଳ ହୁଏ ଖାଲି ଢଳଢଳ ସଂଜ ସକାଳେ, ଚଢ଼େଇବସାର ଛାଇ ଚିତ୍ର ଆଙ୍କୁଅଛି ଏବେ ପୋଖରୀ ଜଳେ ।
କୃଷ୍ଣଚୂଡା.... କୃଷ୍ଣଚୂଡ଼ା ଦେହେ ଏତେ ରଙ୍ଗ କିଏ ଦେଇଛି ଭରି , ନାଲି ସୂରୁଜ ଦେହରୁ ସତେକି ସେ କରିଛି ଚୋରି । ତା'ର ପ୍ରତିଟି ପାଖୁଡ଼ା ମନେହୁଏ ଜବାଧାରର ରକ୍ତରାଗ , ସତେ କି କୋମଳ ପାଦର ବୋଳା ଅଳକ୍ତକ ଦାଗ । ବୈଶାଖ ସକାଳେ ଝରିପଡିଥାଏ ଗାଆଁ ବାଟସାରା, ପୁଲକିତ ତୋଳେ ମନସାରା ତାର ବିଚ୍ଛୁରିତ ତୋରା । ଫୁଲଭରା ସେଇ ଡାଳ ଉପରେ ବସେ ଯେବେ କଜଳପାତି, କୋମଳ କଣ୍ଠରେ ଗାଇବୁଲେ କେତେ କଳରବ ଗୀତି।
ଅଚିହ୍ନା ସେ ପରିଚୟ ଅଚିହ୍ନା ସେ ମୁହଁ ଠିକ୍ ଥିଲା, ହେଲେ ପରିଚୟ ଯେବେ ସଂପର୍କ ସୂତାରେ ବାନ୍ଧିଦେଲା ଜୀବନର ଏକୁଟିଆ ପଣ ସତେ କି ଉଭେଇ ଗଲା । କିନ୍ତୁ କିଏ ଜାଣିଥିଲା ଏପରି ହେବ, ସଂପର୍କର ସୂତା ଛିଣ୍ଡି ଗଲା ପରେ ମୂହୁର୍ତ୍ତକ ମଧ୍ୟେ ଜୀବନର ଅସ୍ତିତ୍ବ ବଦଳିଯିବ । ଆଜି ଓଠ ହସ ବଦଳରେ କାହିଁ ଲୁହ ପିଇବାକୁ ଅପେକ୍ଷା ରତ, ଶେଷରେ ମୁଁ ବୁଝି ପାରୁଛି ଜୀବନରେ ସଂପର୍କ ହେଉଛି ମିଛ ସୁଖ ପରେ ଦୁଃଖ ଆଉ ଦୁଃଖ ପରେ ସୁଖ ହିଁ ସତ । କାହ୍ନୁ ଚରଣ ଗୌଡ଼