ଅଦିନିଆ ଜିଜ୍ଞାସା
ଅଦିନିଆ ଜିଜ୍ଞାସା
ସେଦିନ ଇଣ୍ଟରସିଟି ଟାଇମ୍ ହୋଇଥିଲେ ସୁଦ୍ଧା ପହଞ୍ଚି ନଥାଏ। ମୁଁ ଅପେକ୍ଷାରେ ଅତିଷ୍ଠ ହୋଇ ସାରିଥିଲି , ତେଣୁ ବାଧ୍ୟହୋଇ ରେଲୱେ କେଣ୍ଟିନ୍ ଆଡ଼କୁ ପାଦ ବଢଉଥିଲି। ଏତେବେଳେ ହଠାତ୍ କୋମଳ ହାତଟିଏ ମୋ ଗୋଡ଼କୁ ସ୍ପର୍ଶ କରିଥିବାର ଅନୁଭବ କଲି। ଦେଖିଲି ପାଞ୍ଚ ଛଅ ବର୍ଷର ପିଲାଟିଏ ଏଭଳି ଢଙ୍ଗରେ ଭିକ୍ଷା ମାଗୁଛି। ରାଗିଯାଇ ମୁଁ ସେଠୁ ଚାଲିଗଲି। ଏମାନଙ୍କ ସହ ଏମିତି ସଭିଏଁ କରନ୍ତି, ଖାଲି ମୁଁ ନୁହେଁ।
ହଠାତ୍ ଟ୍ରେନ ଆସିଗଲା ଏବଂ ମୁଁ ବି ଚଢ଼ିଗଲି। ବଗି ନମ୍ବର ସବୁ ମନେ ଥାଏ କାରଣ ତାହା ମୋ ପ୍ରଥମ ରେଳ ଯାତ୍ରା ଥିଲା।ମୋ ସିଟ୍ ପାଇବା ମାତ୍ରେ ବସିପଡ଼ିଲି ଓ ଉତ୍ସୁକତାର ସହ ଅପେକ୍ଷା କଲି କେତେବେଳେ ମୁଁ ବାଷ୍ପୀୟ ଶକଟରେ ଚିଲିକା ନହେଲେ ବି ମନ୍ଦିରମାଳିନୀ ସହରରେ ପହଞ୍ଚିବି।ପରେ ଜାଣିଲି ଟ୍ରେନ ବିଦ୍ୟୁତଚାଳିତ।
ଏହି ସମୟରେ ଛୋଟ ପିଲାଟିଏ ଆସି ମୋ ପାଖରେ ବସିଲା।ସେ ମଧ୍ୟ ଉତ୍ସୁକ ଜଣାପଡ଼ୁଥିଲା। କାଇଁ ନ ହେବ ,ତାର ମଧ୍ୟ ପ୍ରଥମ ରେଲ ଯାତ୍ରା ହୋଇଥାଇପାରେ ଓ ସେ ପୁଣି ଶୈଶବରେ ଥିଲା। ମୋ ଭଳି ମଫସଲି ମଧ୍ୟ ହୋଇଥାଇପାରେ। କିନ୍ତୁ ଏସବୁ ମୁଁ ଭାବୁଥିଲା ବେଳେ ହଠାତ୍ ପ୍ଲାଟଫର୍ମରେ ଭିକ ମାଗୁଥିବା ପିଲା ଆଡ଼କୁ ଆଙ୍ଗୁଠି ଦେଖେଇ 'ସେ କ'ଣ କରୁଛି?' ବୋଲି ପିଲାଟା ପ୍ରଶ୍ନ କଲା। ମୋତେ ଲାଗିଲା ଛୁଆଟା ଫରୱାର୍ଡ ମାତ୍ର 'ଶିଶୁ ଭିକ୍ଷୁକ' ବିଷୟରେ ତାର ଜ୍ଞାନ ନାହିଁ?ଆଉ କିଛି ନ ଭାବି ମୁଁ ଉତ୍ତର ଦେଲି 'ଭିକ ମାଗୁଛି'। ପୁଣି ପ୍ରଶ୍ନ କଲା 'ଭିକ କ'ଣ?'।ଏଥର ଜାଣିଲି ପିଲାଟା ଜିଗ୍ୟାଷୁ। ପ୍ରାଞ୍ଜଳ ଭାବେ ବୁଝାଇବାକୁ ଯାଇ କହିଲି 'ତା ମାଆ ବାପା ମରିଯାଇଥିବେ ନହେଲେ ଗରିବ ଥିବେ ସେଥିପାଇଁ ସେ ଅଲଗା ମାନଙ୍କୁ ପଇସା ମାଗି ବଞ୍ଚୁଥିବ।' ଏପରି ଉତ୍ତରରେ ପିଲାଟା ବୂଝିଯାଇଥିବ ଭାବିଲି ମାତ୍ର ପୁଣି ପ୍ରଶ୍ନ କଲା 'ଗରିବ ମାନେ?'। ଏଥର କିନ୍ତୁ ମୁଁ ଉତ୍ତର ଦେବା ଆଗରୁ ପିଲାଟା ଚିଲପରି ପଛକୁ ଦଉଡିଗଲା।ତାର ଯିବା ସହ ମୁଁ ତା ନାଁ ଟି ଜାଣିପାରିଥିଲି।ତା ମାଁ ଜଗତ ଡାକିଥିଲା। ଯାହା ହେଉ ପିଲା ଟା ମାଁ ବାପାକୁ ସମ୍ମାନ ଦଉଛି ଦେଖି ଖୁସି ହେଲି।
ସମୟ ଗଡି ବସିଲା ଓ ମୋ ଆଖି ବି ଲାଗିଗଲା। ଦୀର୍ଘ ସମୟ ଶୋଇଲା ପରେ ଦେଖିଲାବେଳକୁ ଢେଙ୍କାନାଳ। ଯଦିଓ ଏହା ମୋ ପ୍ରଥମ ଯାତ୍ରା ଥିଲା ମାତ୍ର ମୁଁ ଟ୍ରାଭେଲରେ ଶୋଇପଡେ। ଢେଙ୍କାନାଳ ପରେ କ'ଣ କରିବି ଭାବି ଫୋନ୍ ଖୋଲି ରେଭେନ୍ସାର ୱେବସାଇଟରୁ ବି.ଏ. ମେରିଟ୍ ଲିଷ୍ଟ କାଢି ମୋ ନାଁଟିକୁ ପୁଣିଥରେ ଦେଖି ଖୁସି ହେଲି। ମୋର ପ୍ରଥମ ରେଲ ଯାତ୍ରା ରେଭେନ୍ସା ପାଇଁ ଭାବି ଖୁସି ଦ୍ଵିଗୁଣିତ ହୋଇଥିଲା।କଟକ ମଧ୍ୟ ମୁଁ ଆଗରୁ ଆସି ନଥିଲି। ଏମିତିକା ଭାବି ଭାବି ଓ ଟଚ୍ ସ୍କ୍ରିନ୍ରରେ ଆଙ୍ଗୁଠି ଚଲଉ ଚଲଉ ଆଗଉଥିବା ବେଳେ ହଠାତ୍ ମନୋଜ ଆସି ମୋ ପାଖରେ ବସିପଡ଼ିଲା।ସେ ମୋ ସାଙ୍ଗର ବଡ଼ଭାଇ।ଆର୍.ପି.ଏଫ୍. ରେ କାମକରେ।ନରାଜ ଆସିଥିଲା ଡ୍ୟୁଟି କରି।ସେ ହିଁ ମୋତେ ଭୁବନେଶ୍ଵରରୁ କଟକ ନେଇ ଏଡମିସନ୍ କରିବ ବୋଲି ବାପା କହିଦେଇଥିଲେ। ମଞ୍ଚେଶ୍ବରରେ ପହଞ୍ଚିଲା ଟ୍ରେନ। ସ୍ମାର୍ଟ ସିଟିରେ ପ୍ରବେଶ କରୁଥିବାରୁ ମନୋଜ ସହ ବାର୍ତ୍ତାଳାପ ଛାଡ଼ି ପ୍ଲାଟଫର୍ମ ଆଡ଼କୁ ଦେଖି ବସିଲି। ମନୋଜ ମଧ୍ୟ ମୋ ଉତ୍ସୁକତା ପ୍ରତି ସମ୍ମାନ ଦେଇ ଚୁପ୍ ବସିଲା। କିନ୍ତୁ ଇଏ କ'ଣ? ଜଗତ ଶୋଇପଡିଛି ଓ ଜଣେ ପୁରୁଷ ତାକୁ କାଖେଇଛି। ସାଙ୍ଗରେ ଜଣେ ମହିଳା ମଧ୍ୟ।ତା ମାଁ ବାପା ଥିଲେ। ମାତ୍ର ଆଶ୍ଚର୍ଯ୍ୟର କଥା ଉଭୟେ ଅନ୍ଧ। ଅନ୍ଧାର ରାତିରେ ଅନ୍ଧ ଅନ୍ଧୁଣୀ ଦୁଇଜଣ ଗୋଟିଏ ଫରୱାର୍ଡ ଛୁଆକୁ ଧରି ବାଡ଼ି ମାଧ୍ୟମରେ ରାସ୍ତା ଅନୁମାନ କରି ଚାଲୁଛନ୍ତି!! ପ୍ରଥମ ରେଲ ଯାତ୍ରାଟିକୁ ସ୍ମରଣୀୟ କରିଦେଲା ସେ ଦୃଶ୍ୟ। ମନୋଜକୁ ମଧ୍ୟ ଦେଖାଇଲି, ମାତ୍ର ସେ ଆଶ୍ଚର୍ଯ୍ୟ ନ ହୋଇ କହିଲା 'ତାଙ୍କ ନିଜ ଛୁଆ ନୁହେଁ, ପାଞ୍ଚ ବର୍ଷ ପୂର୍ବେ ଛୁଆଟିକୁ କିଏ ଷ୍ଟେସନରେ ଏକା ଛାଡ଼ିଦେଇ ଯାଇଥିଲା। କେହି ନ ମିଳିବାରୁ ଏମାନେ ଏଡପ୍ଟ କଲେ ଓ ରଖିଛନ୍ତି।ଡେଲି ସମ୍ବଲପୁର ଯାଆନ୍ତି।କେଜାଣେ କ'ଣ କରୁଥିବେ'।
ଭୁବନେଶ୍ୱର ଆସିଯାଇଥିଲା। ମନୋଜ ସହ ଓଲ୍ହେଇଲି ତାର ଭାଷଣ ଶୁଣିଚାଲିଲି ।ମାତ୍ର ଦେଖିଥିବା ଫରୱାର୍ଡ ଶିଶୁଟି ଏବେତକ ମନେ ପଡୁଛି। ଇଚ୍ଛା ହୁଏ ସେ ତା ମାଁ ବାପାଙ୍କ ଅକ୍ଷମତା ଜାଣିବା ଆଗରୁ ତାର ସବୁ ଜିଜ୍ଞାସା ଦୂର କରିଦିଅନ୍ତା କିନ୍ତୁ କଣ କରିବି ମୁଁ ନିଜେ ମଧ୍ୟ ଅକ୍ଷମ।