Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Koushik Lenka

Others

3  

Koushik Lenka

Others

ଘୁଙ୍ଗୁର

ଘୁଙ୍ଗୁର

5 mins
213


    ମୋର ଜନ୍ମ କେବେ କେହି ଜାଣିନି; ଏମିତିରେ ମୁଁ ମଧ୍ୟ ମୋ ନିଜ ବିଷୟରେ କିଛି ଜାଣିନି । ହେତୁ ପାଇବା ଦିନ ମୁଁ ଦେଖିଲି ମୋ ସହ ଆହୁରି କେତେ ଛୋଟ ଛୋଟ ପିଲା ଆଖପାଖରେ ଅଛନ୍ତି । ଧିରେଧିରେ ଜାଣିବାକୁ ପାଇଲି ଆଉ ବାହାରେ ଲେଖା ଥିବା ଫଳକରୁ ଯାହା ପଢ଼ିଲି ଯେ ଏଇଟା ଅନାଥାଶ୍ରମ । ସେଦିନ ମୋର ମନେ ଅଛି ମୁଁ ପ୍ରଥମ ଥର ଖୋଜିଥିଲି ମୋତେ ଏ ଦୁନିଆଁ ବୁକୁକୁ ଆଣିଥିବା ଲୋକ କିଏ ? କାହିଁକି ସେ ମୋତେ ଛାଡ଼ି ଚାଲିଗଲା ? ମୁଁ କ'ଣ ପାଇଁ ତା' ଜୀବନରେ ସ୍ମୃତି, ସନ୍ତକ ଏମିତି କିଛି ନ ସାଜି ଅଲୋଡ଼ା ସାଜିଗଲି । କ'ଣ ଗୋଟେ ଝିଅ ବୋଲି?


  ମୋ ନିଜ ଉପରେ ମୋର ଘୃଣା ହେଲା । ଈଶ୍ୱର କିଏ ନ ଜାଣି ମଧ୍ୟ, କାହାକୁ ତାଙ୍କ ଠିକଣା ନ ପଚାରି ମଧ୍ୟ ମୁଁ ପାଖରେ ଥିବା ମନ୍ଦିରରେ ଯାଇ ପହଞ୍ଚି ଥିଲି ଆଉ ବହୁତ ଚେଷ୍ଟା କଲି ମନ୍ଦିରର ଘଣ୍ଟା ବାଡ଼େଇ ମୋ ଗୁହାରୀକୁ ମନ୍ଦିରର ମାଲିକଙ୍କ ପାଖରେ ପହଞ୍ଚାଇବି ବୋଲି । ସମ୍ଭବତଃ ମୋତେ ସେତେବେଳେ ସାତ ବର୍ଷ । ଆଉ ଏକଥା ମୋତେ ଆଶ୍ରମର ସୁବି ଦେଇ ଜଣେଇଥିଲା । ସୁବି ଦେଇ ମଧ୍ୟ ମୋ ଭଳି ଜଣେ ଅନାଥ ଆଉ ବୟସରେ ମୋ ଠାରୁ ଚାରି ବର୍ଷ ବଡ଼ । ସର୍ବୋପରି ସିଏ ମଧ୍ୟ ଝିଅଟିଏ । 

   

   ମନ୍ଦିରରେ ଘଣ୍ଟା ବାଡ଼େଇବା ପାଇଁ ମୁଁ ମୋର କୁନି କୁନି ଦୁଇ ପାଦରେ ଅନେକ ଥର ଡେଇଁଲି । ଆଉ ଥକି ପଡ଼ୁଥାଏ । ମୋ ଭିତରେ ଗୋଟିଏ କଥା ସେତେବେଳେ ଚାଲିଥାଏ ଯେ ମନ୍ଦିରରେ ଘଣ୍ଟା ବାଡ଼େଇ ଗୁହାରି ନ ଜଣେଇ ବା ପର୍ଯ୍ୟନ୍ତ ଠାକୁର ଗୁହାରି ଶୁଣନ୍ତି ନାହିଁ । ଏକଥା ମୋତେ କେହି କହି ନଥିଲେ ତଥାପି ମୁଁ ଏ ମନ୍ଦିରକୁ ଅନେକ ଥର ଆଗରୁ ଆସିଛି । ଆଉ ଦେଖିଛି ସାଧାରଣ ଜନତା କିଭଳି ଭାବେ ଘଣ୍ଟି ବାଡ଼େଇ ଗୁହାରି କରନ୍ତି । 

     

    ସହସା ମନ୍ଦିରର ପୂଜାରୀ ବୋଧହୁଏ । ମୁଁ ଡେଉଁ ଥିବା ସମୟରେ ମୋତେ ଟେକି ଧରିଲେ.....ମୋତେ ଲାଗିଲା ଯେମିତି ମୁଁ ଶୂନ୍ୟରେ ଉଡ଼ି ବୁଲୁଛି । ସେ ସମୟରେ ମନ୍ଦିରରେ ଘଣ୍ଟି ବଜେଇ ନ ପାରିବାର ଅବସୋସ ମୋତେ ଯେତିକି ନିରାଶ କରି ଦେଇଥିଲା ହଠାତ୍ ହାତ ଯାଇ ଘଣ୍ଟିରେ ବାଜିବା ମୋତେ ଖୁବ୍ ଭୟ ପହଞ୍ଚାଇ ଥିଲା । ପୂଜାରୀ ମହାପୁରୁଙ୍କ ସହାୟତାରେ ଘଣ୍ଟି ବଜେଇବା ପରେ ସିଏ ମୋତେ ଖୁବ୍ ଆଦର କଲେ । ବୋଧହୁଏ ସେଦିନ ମନ୍ଦିରରେ ଭିଡ଼ ଖୁବ୍ କମ୍ ଥିଲା । ତେଣୁକରି ପୂଜାରୀ ମହାପୁରୁ ମୋ ସହ ଖୁବ୍ ଅଧିକ ସମୟ ବିତ‌ଉ ଥିଲେ । 


:- ମା' ତୋ ନାଁ କ'ଣ?


:- ଆପଣ ତ ମା' ବୋଲି ଡାକିଲେ । 


:- ହଁ ଯେ ମୁଁ ତୋ ନାଁ ଜାଣିନି ସେଥିପାଇଁ ତୋତେ ମା' ବୋଲି ଡାକିଲି; ତୋର ତ ପୁଣି କିଛି ନାଁ ଥିବ ନା । 


:- ନାଁ ରହିବା କ'ଣ ନିହାତି ଦରକାର । 


:- ହା ହା, ହଁ ଆମ ସମସ୍ତଙ୍କୁ ଜାଣିବା ପାଇଁ ଚିହ୍ନିବା ପାଇଁ ଆମ ବାପା ମାଆମାନେ ଆମର ନାମକରଣ କରି ଥାଆନ୍ତି । 


:- ହେଲେ ମୋର ତ ସେମାନେ କେହି ନାହାନ୍ତି । 


:- ମୁଁ ଜାଣିଛି ତୁ ମୋତେ ଭୟ କରୁଛୁ; ସେଥିପାଇଁ ତୋ ବିଷୟରେ କିଛି କହିବାକୁ ସାହସ କରୁ ନାହୁଁ ବୋଧହୁଏ । 

   ମୁଁ ଏ ମନ୍ଦିରର ପୂଜାରୀ । ତୁ ଯାହାଙ୍କ ପାଖରେ ତୋ ଗୁହାରି ଶୁଣେଇବା ପାଇଁ ଆସିଥିଲୁ ମୁଁ ତାଙ୍କୁ ପୂଜା କରେ । 


   :- ଆପଣ ପୁଅ ନା ଝିଅ? ବୋଧହୁଏ ପୁଅ, ନହେଲେ କ'ଣ ପାଇଁ ଆପଣ ଏ ପଥରକୁ ଏତେ ପ୍ରଶଂସା କରି ଥାଆନ୍ତେ । 


   :- ପୁଅ ନା ଝିଅ....ଆଲୋ ଏ ବିଷୟରେ ତୋତେ କିଏ କହିଲା । ତା' ଛଡ଼ା ତୁ ଯ‌ଉ ମନ୍ଦିରକୁ ଆସିଛୁ ସିଏ ତ ଜଣେ ଝିଅ, ଆଉ ଦେବୀ ମଧ୍ୟ । ଏ ମନ୍ଦିରର ଅଧିଷ୍ଠାତ୍ରୀ । 


   :- ହେଲେ ତାଙ୍କର କ'ଣ ବାପା ମାଆ ମୋ ଭଳି ତାଙ୍କୁ ଅଲୋଡ଼ା କରି ଛାଡ଼ି ଚାଲି ଯାଇଛନ୍ତି । ସିଏ ତ କାହିଁ ମୋ ଭଳି ଆଶ୍ରମରେ ରହୁ ନାହାଁନ୍ତି । 


   :- ଆଚ୍ଛା! ତୋର ତାହାଲେ ମୂଳକଥା ଝିଅ~ପୁଅକୁ ନେଇ ଅଛି ନୁହଁ । ଆଲୋ ମାଆ ଝିଅ ହ‌ଉ କି ପୁଅ ଆମେ ସମସ୍ତେ ତ ତା'ରି ସନ୍ତାନ । 


   ଧିରେଧିରେ ବହୁତ ଚେଷ୍ଟା କରିଥିଲେ ସେଦିନ ପୂଜାରୀ ମହାଶୟ । ମୋ ମନରୁ ଝିଅ ହେବାର ବିତୃଷ୍ଣା କାଢ଼ି ଦେବା ଲାଗି । ମନ୍ଦିର ଭିତରୁ ଅଛଡ଼ା ଭୋଗ ପାଇଁ ରଖିଥିବା କଦଳୀ ଆଣି ମୋତେ ଖାଇବାକୁ ଦେଇଥିଲେ । ଯଦିଓ ମୁଁ ତାଙ୍କୁ ପଚାରିଥିଲି ଦେବୀ ମାଆ ରାଗିବେନି କି ମୁଁ ତାଙ୍କ କଦଳୀ ଖାଇଦେଲେ । ପୂଜାରୀ ମହାପୁରୁ ମୋତେ କୋଳେଇ ନେଇଥିଲେ । ମୋ ମଥାରେ ତାଙ୍କ ସ୍ନେହର ଶବ୍ଦଟିଏ ଆଙ୍କି ଦେଇଥିଲେ । କହିଥିଲେ; ସନ୍ତାନର ଖୁସିରେ ମାଆ ସବୁବେଳେ ଖୁସି ହେଇଥାଏ । ହେଲେ ମୁଁ କାହିଁକି କେଜାଣି ନିଜକୁ ଭଲ ପାଇ ପାରୁ ନଥିଲି । 

   

    ମୋ ମନ କଥାକୁ ବୁଝି ପାରି ପୂଜାରୀ ମହାପୁରୁ ମୋ ପିଠିରେ ଆଉଁଷି ଦେଇ କହୁଥିଲେ "ହ‌ଉ ହେଲା ମାଆ ହେଲା....ତୁ ଏଯାଏଁ ପୁରା ଦୁନିଆଁକୁ ଦେଖିନୁ ହେଲେ ତୋ ଭିତରେ ଏତେ ଆତ୍ମ ସ୍ୱାଭିମାନ ଭରି ରହିଛି; ତୁ ନିଶ୍ଚୟ ଦେବୀ ମାଆର ପ୍ରତୀକ" । ତୋତେ ଦେଖି ଆଜି ପ୍ରଥମ ଥର ମୋ ଝିଅ କଥା ମୋର ମନେ ପଡ଼ି ଯାଉଛି । 


  ମୁଁ ସହସା ପଚାରି ଦେଲି ; ଆପଣଙ୍କ ଝିଅ?


  :- ହଁ ମୋ ଝିଅ, ଠିକ୍ ତୋରି ଭଳି ହେଇଥାଏ । ସେତେବେଳେ ମୋ ଦେହ ଭୀଷଣ ଖରାପ ହୋଇ ପଡ଼ିଥାଏ । ବ‌ଇଦ ଆସି ଘନାଘନ ମୋ ନାଡ଼ି ପରୀକ୍ଷା କରୁଥାଏ । ବଞ୍ଚିବାର ଆଶା ମୋର କ୍ଷୀଣ ହେଇ ହେଇ ଆସୁଥାଏ ।  


ସେ ସମୟରେ ଆମ ଗାଁକୁ ଗୋଟେ ସାପୁଆ କେଳା ଖେଳ ଦେଖେଇବା ପାଇଁ ଆସୁଥାଏ । ମୋ ସ୍ତ୍ରୀ ମୋ ଝିଅକୁ ନେଇ ଗାଁ ଦାଣ୍ଡକୁ ସାପୁଆ କେଳାର ଖେଳ ଦେଖିବା ପାଇଁ ଯାଇଥାଏ । ସାପୁଆ କେଳା କୁଆଡ଼େ ଖୁବ୍ ପ୍ରତ୍ୟକ୍ଷ କଥା କହେ ବୋଲି ଆମ ଏ ଚାରିଖଣ୍ଡ ମୌଜାରେ ବେଶ୍ ପ୍ରଚାର ପ୍ରସାର । ସେ ସମୟରେ ମୋ ଦେହ ଖରାପ କଥାକୁ ସାପୁଆକେଳା ପାଖରେ ମୋ ସ୍ତ୍ରୀ କହିବା ପରେ "ସାପୁଆକେଳା ମୋ ଝିଅକୁ ଅଶୁଭ ବୋଲି ସୂଚିତ କଲା; ଆଉ ୟା'କୁ ମୋ ଠାରୁ ଦୂରେଇ ଦେଲେ ମୋ ଦେହ ଭଲ ହେଇଯିବ" ବୋଲି କହିବାରୁ ମୋ ଝିଅକୁ ସତକୁ ସତ ସେଦିନ ମେଳାରେ ଛାଡ଼ି ଦେଇ ଚାଲି ଆସିଲା ।  


   ଘରେ ଆସି ମୋ ପାଖରେ ମେଳାରେ ଛାଡ଼ି ଦେଇଛି ବୋଲି କହିବାରୁ ମୁଁ ଖୁବ୍ ଚିଡ଼ିଗଲି । ରାଗ ଗରଗର ହେଇ ତା' ଉପରକୁ ହାତ ଉଠେଇ ଦେଇଥିଲି । ସିଏ ବି ସେଦିନରୁ ଯାଇଛି ଯେ ଯାଇଛି ଆଉ ଫେରିନି । ବହୁତ ଖୋଜିଥିଲିରେ ମା' ହେଲେ ମୋ ଝିଅକୁ ଆଉ ଫେରି ପାଇନି....କି ସିଏ ଆଉ ଫେରି ଆସିନି । 


  ପୂଜାରୀ ମହାପୁରୁ ମୋରି ଉପରେ ଆଉଜି ପଡ଼ି ଖୁବ୍ କାନ୍ଦି ଉଠିଲେ । ଯେମିତି ସିଏ ମୋ ଠାରୁ ବୟସରେ ଖୁବ୍ ସାନ ଏବଂ ମୁଁ ତାଙ୍କ ଠାରୁ ବଡ଼ । ସହସା ସିଏ ପୂର୍ବାବସ୍ଥାକୁ ଫେରି ଆସୁ ଆସୁ ମୋତେ ପୁଣି କଦଳୀ ଖାଇବାକୁ କହିଲେ । ଏଥର ମୁଁ କଦଳୀ ଛଡ଼େଇ ଖାଉ ଖାଉ ହଠାତ୍ ମୋ ନଜର ମନ୍ଦିର ଥାଳରେ ପଡ଼ିଥିବା ହଳେ ଘୁଙ୍ଗୁର ଉପରେ ପଡ଼ିଲା । ପଚାରି ବସିଲି; ଏଇଟା କ'ଣ?


  ପୂଜାରୀ ମହାପୁରୁ ଟିକେ ହସିଲେ । କହି ଉଠିଲେ ଏ ପରା ଘୁଙ୍ଗୁର । ମୋ ଝିଅ ଥିବା ବେଳେ ଦେବୀ ମା'ଙ୍କ ଆରତୀ ସମୟରେ ନାଚେ । ସିଏ ତ ସେଦିନରୁ ଆଉ ଫେରିନି, ଆଉ ୟା'ର ଦରକାର ବି ହେଇନି । ଏତକ କହି ଘୁଙ୍ଗୁର ପେନ୍ଥାକୁ ମନ୍ଦିର ଭିତରକୁ ନେଇ ରଖିବାକୁ ଯାଉଥିଲେ । ହଠାତ୍ ମୋ ପାଟିରୁ ବାହାରି ପଡ଼ିଲା; ଗୋସେଇଁ "ମୋ ପାଦରେ ଘୁଙ୍ଗୁର ଦିଅ ବାନ୍ଧି" । ପୂଜାରୀ ମହାପୁରୁ ପଛକୁ ଫେରି ଚାହିଁଲେ । ପୁଣି ମୋ ପାଖକୁ ଆସି କହିବାକୁ ଲାଗିଲେ ତୁ କ'ଣ ନାଚି ଜାଣୁ ମା?


   ମୁଁ କହି ବସିଲି ନାଁ ଜାଣିନି ହେଲେ ପାରିବି । ପୂଜାରୀ ମହାପୁରୁ ଏଥର ଟିକିଏ ଅଧିକ ମୋ ଉପରେ ଭରଷା କଲେ ଆଉ ମୋ କୁନି କୁନି ପାଦକୁ ତାଙ୍କ ଜଙ୍ଘ ଉପରକୁ ନେଇ ଗୋଟିକ ପରେ ଗୋଟିକରେ ଘୁଙ୍ଗୁର ବାନ୍ଧି ଦେଲେ । ସେପାଖେ ଦେବୀ ମା'ର ଆଳତୀ କରୁଥିବା ବେଳେ ବାରବାର ପଛକୁ ଫେରି ଫେରି ଚାହୁଁଥିଲେ । ଏପାଖେ ମୁଁ ଘଣ୍ଟା ଆଉ ଶଙ୍ଖ ଧ୍ୱନିରେ ନାଚି ଉଠୁଥିଲି । ଯେମିତି ଆପଣାଛାଏଁ ନାଚି ଉଠୁଥିଲା ମୋର ପାଦ । 


  ମନ୍ଦିର ଆରତୀ ସରୁ ସରୁ ଧିରେ ଧିରେ କମି କମି ଯାଉଥିଲା ଭିଡ଼ । ମୋ ପାଖକୁ ପୁଣି ଆସି ପୂଜାରୀ ମହାପୁରୁ କହୁଥିଲେ ସବୁଦିନ ମୋ ଝିଅ ହେଇ ନାଚିବୁ ମା! ଏ ଘୁଙ୍ଗୁର ତୋର, ଆଉ ତୋ ନାଁ ଆଜି ଠୁ ନୂପୁର । । 


   ସେଦିନୁ ଦେବୀ ମାଆ ମୋତେ ତା' ଦୁଆରରେ ନାଚିବାକୁ ଦେଇଛି, ନାଁ ଦେଇଛି, ପୂଜାରୀ ମହାପୁରୁ ପରି ଆପଣାର ଲୋକଟିଏ ଭେଟି ଦେଇଛି । ଆଉ ମୁଁ ଝିଅ ବୋଲି ମୋ ମନରେ କେବେ ଛନକା ନାହିଁ । ମୁଁ ଏମିତି ଘୁଙ୍ଗୁର ବାନ୍ଧି ନାଚୁଥିବି ସାରା ଜୀବନ । 


   ମନ୍ଦିର ଆରତୀ ବେଳରେ ମୋ ନାଚ ଦେଖି କେହିଜଣେ ଅତିଥି ମୋ ହାତ ଧରି ପଚାରି ଉଠୁଥିଲେ ; ତୁ କିଏ ମା? ଏତେ ଭଲ ନାଚୁଛୁ କେମିତି? ଚାହିଁଥିଲେ ହୁଏତ ଏଡ଼େଇ ଯାଇ ପାରିଥାଆନ୍ତି ତାଙ୍କ ପ୍ରଶ୍ନର ଉତ୍ତର ହେଲେ ଯ‌ଉ ପ୍ରଶ୍ନ ଦିନେ ମୋତେ ପରିଚୟ ଦେଇଛି ତା'କୁ ବା କେମିତି ଏଡ଼େଇ ଯାଇ ପାରି ଥାଆନ୍ତି । 


  ସେ ପାଖରୁ ପୂଜାରୀ ମହାପୁରୁ ହୁରି ଛାଡ଼ୁଥିଲେ ନୂପୁର କୁଆଡ଼େ ଗଲୁ ମା' ସ‌ଅଳ ଘୁଙ୍ଗୁର ବାନ୍ଧି ଆସେ ଦେବୀ ମା' ଙ୍କର ଆରତୀ ବେଳ ହେଲାଣି ମା.......... । । 



Rate this content
Log in

More oriya story from Koushik Lenka