ମାଙ୍କଡରୁ ମାଙ୍କଡାମି
ମାଙ୍କଡରୁ ମାଙ୍କଡାମି
ଥରେ ପିଲାମାନେ ଶିକ୍ଷକଙ୍କ ସହ ଯାଇଥିଲେ ସାବରମତୀ ଆଶ୍ରମ ଭ୍ରମଣରେ । ସେଠି ସବୁ ଦେଖି ସାରିବା ପରେ ଗାନ୍ଧିଜୀଙ୍କ ତିନି ମାଙ୍କଡ ଥିବା ସ୍ଥାନକୁ ଗଲେ । ପିଲାମାନେ କହିଲେ - ସାର୍ ! ଏ କ'ଣ ? ଏ ମାଙ୍କଡମାନେ ଏମିତି କ'ଣ ପାଟିରେ, କାନରେ, ଆଖିରେ ହାତ ଦେଇ ବସିଛନ୍ତି ? ସାର୍ କହିଲେ - ଯିଏ ପାଟିରେ ହାତ ଦେଇଛି ସେ କହୁଛି ଖରାପ୍ କଥା କହିବନି। କାନରେ ହାତ ଦେଇ କହୁଚି ଖରାପ୍ କଥା ଶୁଣିବନି ଓ ଆଖିରେ ହାତ ଦେଇ କହୁଚି ଖରାପ୍ କଥା ଦେଖିବନି ।
ହଠାତ୍ ସେ ପିଲାମାନଙ୍କ ମଧ୍ୟରୁ ଜଣେ ପଚାରିଲା ସାର୍ ! ଏ ତିନୋଟି ବଦଳରେ ଗୋଟେ ମାଙ୍କଡ ରଖିଥିଲେ କ'ଣ ହୋଇଥା'ନ୍ତା ? ସାର୍ଙ୍କ ଉତ୍ତର - ତା'ର ଛଅଟି ହାତ ଦରକାର ହୋଇଥାଆନ୍ତା । ନଚେତ ସିଏ ଆଖି, କାନ, ପାଟିରେ କେମିତି ହାତ ଦେଇଥାଆନ୍ତା ?
ପିଲାଟି ଧୀର କଣ୍ଠରେ କହିଲା -ନା ସାର୍ , ମାଙ୍କଡଟି ହାତ ଦୁଇଟି ଉପରକୁ ଟେକି ଥାଆନ୍ତା । ତେବେ ୟା' ଅର୍ଥ ହୋଇଥାଆନ୍ତା ଖରାପ୍ କଥା କରିବନି । ପ୍ରଧାନଶିକ୍ଷକ ଆଶ୍ଚର୍ଯ୍ୟ ହୋଇ କହିଲେ - ତାହାହେଲେ କ'ଣ ହେବ ? ପିଲାଟି ସରଳ ଭାଷାରେ ବୁଝେଇ ଦେଲା - ସାର୍, ଖରାପ୍ କାମ ନକଲେ ତ କଥା ସରିଲା । ଏମିତି ତିନି ମାଙ୍କଡ ରଖିବାର ଅର୍ଥ କ'ଣ ? ଖରାପ୍ କାମ ଘଟି ଚାଲିଥିବ ଅଥଚ ଆମେ ନଦେଖିବା ପାଇଁ ହାତ ଦେବା ଆଖିରେ, ନଶୁଣିବା ପାଇଁ କାନରେ ; ଆଉ ଖରାପ୍ କଥା କହୁଥିବା ଲୋକଙ୍କୁ ବି ସହ୍ୟ କରି ତାଙ୍କୁ କିଛି ନକହିବା ପାଇଁ ପାଟି ବନ୍ଦ୍ କରିବୁ ତ ଆମେ ସାହସୀ କେମିତି ହେବୁ ?
ପ୍ରଧାନଶିକ୍ଷକଙ୍କ ମନକୁ କଥାଟା ପାଇଲେ ବି ସେ ନାଲି ଆଖି ଦେଖେଇ କହିଲେ - ଚୁପ୍ କର ବଦମାସ୍ । ଗାନ୍ଧୀଙ୍କ ମାଙ୍କଡକୁ ମାଙ୍କଡାମି କରିଦଉଛି ।
ପ୍ରତିମା ଓଝା