Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସରସୀ
ସରସୀ
★★★★★

© Amaresh Biswal

Others

9 Minutes   998    46


Content Ranking

ସରସୀ

ଅମରେଶ ବିଶ୍ୱାଳ

(୧)

ମାମୁଘର ଗାଁ ଉପରେ ବିଂଚି ହୋଇ ପଡିଥାଏ ଶୀତ ଅପରାହÙର ଖପରାଡିଆଁ ଖରା। ରାଧେଶ୍ୟାମ ବସ‌୍‍ ଆସିବାକୁ ଆହୁରି ଅଧଘଂଟା ବାକି ଥାଏ। ମାମୁଘର ଗାଁ ଛକରେ ଥିବା ଫରେଷ୍ଟ ଗେଟ‌୍‍ ଉଠୁଥାଏ ଓ ପଡୁଥାଏ। ଜେନାଘର ଆଈ ସେଇବାଟେ ଏଇ ସମୟରେ ଗାଧେଇକି ପୋଖରି ହୁଡାକୁ ଉଠେ। ମୁଁ ଫରେଷ୍ଟ ଗେଟ‌୍‍ ପାଖରେ ଠିଆ ହୋଇଥାଏ, ରାଧେଶ୍ୟାମ ବସ‌୍‍ ଅପେକ୍ଷାରେ। ଦିନରାତି ନିଶାପାଣି କରୁଥିବା ବଇଦା ମାମୁ ଥାଏ ଡିଉଟୀରେ।

"ଗାଁକୁ ଯିବୁକିରେ ଭଣଜା ?'

ଆଖି ନାଲି ନାଲି କରି ପଚାରେ ବଇଦା ମାମୁ। ଏବେ ଏବେ ଦି ଢୋକ ମାରିଚି ବୋଧେ। ବଇଦା ମାମୁ ମତେ ବହୁତ ଭଲ ପାଏ। କିନ୍ତୁ ମତେ ତାକୁ ଡର ମାଡେ।

"ହଁ ଗାଁକୁ।'

"ଏ ବ୍ୟାଗ‌୍‍ରେ କ'ଣ ନୋଉଛୁକିରେ ଭଣଜା ?'

"କୋଳି।'

"ମୋ ହାତୁକୁ ଆଂଜୁଳାଏ ଦୋଉନୁ। ଟିକେ ଚାଖିବା।'

ମୁଁ କିଛି କହିଲିନି। ଟିକେ ଦୂରରେ ଥିବା କୋଳି ବ୍ୟାଗ‌୍‍ଟାକୁ ପାଖକୁ ଟାଣି ଆଣି ଅନ୍ୟଆଡେ ଅନାଏ। ସରସୀ କେତେ ଶ୍ରଦ୍ଧାରେ କୋଳିତକ ଦେଇଛି କ'ଣ ଏଇ ମଦୁଆ ପାଇଁ ? କୋଳି ନୁହେଁ ତ ଗୋଟେ ବ୍ୟାଗ‌୍‍ ପ୍ରେମ।

ରାଧେଶ୍ୟାମ ବସ‌୍‍ ତଥାପି ଆସି ନଥାଏ। ମୁଁ ଗଡିଆ ଆରପଟ ଆଡିକୁ ଅନାଏ। ସରସୀ ଟିକେ ଆସନ୍ତାନି ? ଗୋଡହାତ ମାଜିବାକୁ ନହେଲେ ବାସନ ଧୋଇବାକୁ ? ସେ ବୋଧେ ସ୍କୁଲରୁ ଫେରି ନଥିବ। କାଲିଠୁ କୋଳି ବ୍ୟାଗ‌୍‍ଟାକୁ ମାମୁଘରେ ଥୋଇ ଦେଇକି ଯାଇଥିଲା ମୁଁ ନଥିଲା ବେଳେ।

ମାଇଁଙ୍କୁ କହିଥିଲା- ନୂଆଉ, କୋଳି ବ୍ୟାଗ‌୍‍ଟା ରଖିଲି, ସେ ଟୋକାକୁ ଦେଇଦେବ, ଗାଁକୁ ନବ। ସେ ଭଲ ପାଏ ତ ଆମଗଛ କୋଳି।

ମାଇଁ ଭାତ ଖାଉଖାଉ ହସିକି ସରସୀ ସହ ଥଟ୍ଟା ହୁଅନ୍ତି। ସରସୀ ବି କିଛି ସମୟ ବସେ ତାଙ୍କ ପାଖରେ ଓ ବିବାହିତା ମାଇକିନାଙ୍କ ପରି ଗପେ ମାଇଁଙ୍କ ସହ।

ହିସାବରେ ସରସୀ ମୋ ମାଉସୀ ହେଲେ ବି ମୋ ସମାସ୍କନ୍ଧ ଥିଲା। ନିଜର ମାଉସୀ ନୁହେଁ କି ସାଇଭାଇରେ। ତା ଘର ଖାଲି ମୋ ମାମୁଘର ଗାଁରେ। ବାସ‌୍‍ ସେଇମିତି ହିସାବରେ ମାଉସୀ।

ସରସୀର ଅଷ୍ଟମ ଶ୍ରେଣୀ, ମୋର ବି ଅଷ୍ଟମ। ମୁଁ ମାମୁ ଘରକୁ ଗଲେ ଆମ ଦୁହିଁଙ୍କର ଖୁବ‌୍‍ ଭଲ ପଡୁଥିଲା। ମିଶିକି ଖେଳୁ, ସେ ମୋ ମାମୁଘରକୁ ଆସେ, ମୁଁ ବି ଯାଏ ତା ଘରକୁ। ସେ ମୋ ପାଇଁ ପାଚିଲା ପାଚିଲା କୋଳି ରଖିଥାଏ। ମୁଁ ତା ପାଇଁ ଠୁକାମାମୁ ଦୋକାନରୁ ଲୁଚେଇକି ଚକୋଲେଟ‌୍‍ ନେଇଥାଏ।

ମୋର ପାଠ ବଢିବ ବୋଲି ସରସୀ ମତେ ଗୋଟେ ମୟୂରପକ୍ଷୀ ଦେଇଥିଲା। ମୁଁ ତାକୁ ପଚାରିଲି- ତୋ ପାଖରେ ରଖୁନୁ ସେଇଟା। ତୋର ବି ପାଠ ପଢିବ।

ସେ କହିଲା- ମୋର ଏତେ ପାଠ କ'ଣ ହବ ଯେ ? ତୋର ବଢିଲେ ମତେ ଖୁସି ଲାଗିବ। ତୁ ଯେତେ ଉପରକୁ ଯିବୁ ମୋର ସେତେ ଭଲ।

ମୁଁ ସରସୀ କଥା ବେଳେବେଳେ ଠିକ‌୍‍ରେ ବୁଝି ପାରେନି। ମୁଁ ତା ମୟୂରପକ୍ଷୀକୁ ମୋ ଅଙ୍କ ବହି ଭିତରେ ସଜାଡି ରଖେ। ସତରେ ସେଇଟା କାମ ଦିଏ କି କ'ଣ, ମୋର ଅଙ୍କରେ ଖୁବ‌୍‍ ଭଲ ନମ୍ୱର ଆସେ। ସେଥିପାଇଁ ଯୋଉଦିନ ଯୋଉ ପାଠ ଥିବ, ତା ପୂର୍ବଦିନ ମୁଁ ସେଇ ବହିରେ ସେ ମୟୂରପକ୍ଷୀକୁ ପୂରେଇ ରଖେ। ଜାଣେନା ସରସୀ ମତେ କାହିଁକି ଏତେ ଭଲ ପାଏ।

ରାଧେଶ୍ୟାମ ବସ‌୍‍ ପହଂଚିଯାଏ, ମୁଁ ମାମୁଘର ଗାଁ ଛାଡେ। ଗାଁ ଉପରେ ଶୋଇଥାଏ ଶୀତଦିନିଆ ଅପରାହÙର କଅଁଳିଆ ଖରା। ସରସୀ ତଥାପି ଆସେନି ଗଡିଆ କୂଳକୁ। ମୁଁ ତଥାପି ବୁଲି ବୁଲି ଅନାଏ। ମନେମନେ କହେ, ସରସୀ ବାଏ ବାଏ।

(୨)

ଆଜି ସରସୀର ଗୋଟେ ଚିଠି ପାଇଲି। ଏବେ ଆମ ଦୁହିଁଙ୍କର କଲେଜ ପାଠ। ସେ ମାମୁଘର ଗାଁ ପାଖ ଗୋଟେ ନୂଆ ନୂଆ ଖୋଲିଥିବା କଲେଜରେ ଆର୍ଟସ ପଢୁଥିଲା। ମୁଁ କଟକ ରେଭେନ୍ସାରେ। ଏ ଯୋଉ ସମୟର କଥା ମୁଁ କହୁଛି, ସେତେବେଳେ ଯୋଗାଯୋଗର ମାଧ୍ୟମ କେବଳ ଥିଲା ଚିଠି ନହେଲେ ଲ୍ୟାଣ୍ଡଫୋନ‌୍‍, ଯାହା ନା ତା ପାଖରେ ଥିଲା ନା ମୋ ପାଖରେ। ସରସୀ ମୋ ହଷ୍ଟେଲ ଠିକଣାରେ ଚିଠି ଦିଏ।

"...ଆଜି ତୋ କଥା ଭାରି ମନେପଡୁଛି। ତୁ କେତେଦିନ ହେଲା ମତେ ଦେଖିନୁ, ତତେ ବ୍ୟସ୍ତ ଲାଗୁନି ? ତୋ ମାମୁଙ୍କ ଦେହ ମଝିରେ ଖରାପ ଥିଲା। ମୁଁ ତାଙ୍କ ଘରକୁ ଦିନକୁ ତିନିଥର ଦୌଡେ। କାଳେ ତୁ ଆସିଥିବାକୁ କି ? କିନ୍ତୁ ତୁ ଆସୁନା। ଖୁବ‌୍‍ କଠୋର ହେଇଗଲୁଣି ଏଣିକି ତୁ। ମତେ ଲାଗୁଛି ଏଥର ଆମ ଘରେ ମୋର ବାହାଘର କରିଦେବେ। ଆମ ସଂପର୍କ ଏମିତି ଯେ, ସେ କଥା ମୁଁ କାହାକୁ କହି ବି ପାରୁନି।'

ସରସୀକୁ ମୁଁ କେବେ "ଆଇ ଲଭ‌୍‍ ୟୁ' କହିନି, କି ସେ ମତେ କହିନି। କିନ୍ତୁ ସେ ମତେ ଓ ମୁଁ ତାକୁ ପ୍ରେମିକ ପ୍ରେମିକା ବୋଲି ଭାବିଥିଲୁ। ମୁଁ କିଛି ଦିନ ଯୋଉ ମାମୁଘରେ ରହେ, ସେ ମତେ ଅନେକ କଥା କହେ, ଯାହା ମୁଁ କେବେ ବୁଝିପାରେନି। ସେତେବେଳେ ଖୁବ‌୍‍ ରହସ୍ୟମୟୀ ଲାଗେ ସରସୀ। ଖରାବେଳେ ଆମେ ମିଶିକି ପାଠ ପଢୁ। କିନ୍ତୁ ପାଠପଢା କମ‌୍‍ ହୁଏ, ମିଶିକି ତାସ‌୍‍ ଖେଳ ବେଶୀ ହୁଏ। ସେ ସବୁବେଳେ ହାରେ, ଆଉ ଖୁସି ହୁଏ। କଥା ଥାଏ, ଯିଏ ହାରିବ ସେ ଅନ୍ୟର ଗୋଡ ଘସିବ। ସରସୀ ପ୍ରତିଥର ହାରିବା ପରେ ମୋ ଗୋଡ ଘସେ। କିନ୍ତୁ ତା ଭିତରେ ଲାଜ କମ‌୍‍ ଥାଏ, ଖୁସି ବେଶୀ ଥାଏ। ସେ ମୋ କାନରେ ଫିସ‌୍‍ ଫିସ‌୍‍ ହେଇ କହେ, "ମୋ ହାତ ତତେ କାଟୁଚି କି ?' ମୁଁ କହେ ନା ଖୁବ‌୍‍ ନରମ ଲାଗୁଛି। ସେ ମୋ ଉପରେ ନଦି ହୁଏ ଓ ହସି ହସି କହେ "ମିଛୁଆ'। ତା ପରେ ସେ ତା ଫ୍ରକ‌୍‍ ପକେଟରୁ କାଗଜରେ ମୋଡା ହେଇକି ଥିବା ଦିଇଟା ଆରିସା ପିଠା। ସବୁଦିନ ଖରାବେଳେ ସେଇ ଆରିସା ପିଠା ହିଁ ଥିଲା ମୋର ଆକର୍ଷଣ।

ମୁଁ ବି ସରସୀକୁ କଟକରୁ ଚିଠି ଲେଖେ। ତା ଦାଦା ଝିଅ ଭଉଣୀ ଠିକଣାରେ।

"ସରସୀ, ମୋ ଆରିସା ପିଠା। ଆଜି ତତେ ମୁଁ ସ୍ୱପ୍ନରେ ଦେଖିଲି। ତୁ ନିଜେ ଗୋଟେ ଆରିସା ପିଠା ହେଇଯାଇଛୁ। ଆଉ ମୁଁ ତତେ ଖାଉଚି। ତୁ କି ମିଠା କିଲୋ। ତୁ ମତେ ସବୁଦିନ ଖରାବେଳେ ଦେଉଥିବା ଆରିସା ପିଠା ମୋର ଏବେ ଖୁବ‌୍‍ ମନେପଡୁଛି। ଏବେ ଏବେ ମୋର ମନକୁ ଭାବନା ଆସୁଛି, ତୋ ଆରିସା ପିଠା ଯଦି ଏତେ ମିଠା, ତୁ କେତେ ମିଠା ହେଇନଥିବୁ ଯେ।'

ସରସୀ କିଛି ଦିନ ପରେ ଚିଠି ଫେରାଏ।

"ତୁ ଖୁବ‌୍‍ ଦୁଷ୍ଟ ହେଇଗଲୁଣି ୟା ଭିତରେ। ଜାଣିଛୁ ନା, ଆମ କଲେଜର ଜଣେ ଗଣିତ ଅଧ୍ୟାପକ ମତେ ପ୍ରେମ କରୁଛି। ଯିଏ ଜୀବନ ସାରା ଖାଲି ହିସାବ କଲା, ସେ କି ପ୍ରେମ କରିବ ଯେ ? ଆଉ କ'ଣ ଆମର କେବେ ଦେଖା ହେବନି ? ମତେ ଲାଗୁଛି ମୋର ଜୀବନର ସବୁ ପଥ ତୋ ପାଖରେ ହିଁ ସରୁଛି। କିନ୍ତୁ ତୁ ବୋଧେ ଆଉ କେଉଁ ପଥର ଯାତ୍ରୀ।'

ମୁଁ ସରସୀ ପାଇଁ ଏକ କବିତା ଲେଖେ, ଯାହା କଲେଜ ପତ୍ରିକାରେ ପ୍ରକାଶ ପାଇ ମୁଁ ଖୁବ‌୍‍ ଚର୍ଚ୍ଚିତ ହୁଏ। ମୋର ଝିଅ ସାଙ୍ଗମାନେ ଖୋଳିତାଡି ପଚାରନ୍ତି ଏ ସରସୀ ନାମ୍ନୀ ଚଢେଇଟି କିଏ ବୋଲି। ମୁଁ ବୁଝି ପାରେନି, ସରସୀକୁ ମୁଁ କେବେବି ଥରଟିଏ ଆଉ ଦେଖିବାକୁ କାହିଁକି ଆଗ୍ରହ ପ୍ରକାଶ କରେନି। କିନ୍ତୁ ତା ସହ ବିତିଥିବା ଦିନ ସବୁକୁ ମୁଁ ଆଦୌ ଖର୍ଚ୍ଚ କରିବାକୁ ରାଜି ହୁଏନି। ତାକୁ କେବଳ ମଝିରେ ମଝିରେ ଚିଠି ଦିଏ, ତା'ଠାରୁ ଚିଠି ଖଣ୍ଡିଏ ପାଇବା ପରେ।

ମୁଁ ଲେଖେ- "ତୋ ଦେହରେ ଏବେ ଅନେକ ଫୁଲ ଫୁଟିଥିବ ସରସୀ। ମୁଁ ସେ ଫୁଲର ବାସ୍ନା ଏତେ ଦୂରରେ ଥାଇବି ପାଇପାରୁଛି। ଜାଣିଛୁ ସରସୀ, ମୁଁ ତୋ ପାଇଁ ଗୋଟେ କବିତା ଲେଖିଥିଲି। ସେଟା ଆମ କଲେଜ ମାଗାଜିନ‌୍‍ରେ ବାହାରିଥିଲା ଓ ମୁଁ ସେଥିପାଇଁ ପୁରସ୍କାର ପାଇଲି। ସମସ୍ତେ କହିଲେ, ସେ ସରସୀ କିଏ ତାକୁ ଷ୍ଟେଜକୁ ଡାକ। ସତରେ ସେତେବେଳେ ମୁଁ ତତେ ଖୁବ‌୍‍ ମିସ‌୍‍ କଲି। ଆଗରୁ ମୁଁ କେବେ ତତେ ମନେମନେ ଏତେ ଲୋଡି ନଥିଲି ବୋଧେ। ତତେ କ'ଣ ସେ ଗଣିତ ଅଧ୍ୟାପକ ଫସେଇ ପାରିଲା ? ତମ ଗଛରେ ଆଉ କୋଳି ଫଳୁଛି ନା ନାହିଁ ? ମୁଁ ଭାବୁଛି ଏଥର ଖରାଛୁଟିରେ ମାମୁ ଘରକୁ ଯିବି।'

(୩)

ୟା ପରେ ସରସୀର ଚିଠି ଆଉ କେବେ ଫେରି ନଥିଲା। ଭାବିଲି ସରସୀ ବୋଧହୁଏ କିଛି କାମରେ ବ୍ୟସ୍ତ ଥାଇପାରେ। ହୁଏତ ଏମିତି ବି ହୋଇପାରେ ଯେ, ତା'ର ବାହାଘର ଠିକ‌୍‍ ହୋଇଯାଇଥାଇ ପାରେ। କିମ୍ୱା ତା ଦେହ ଖରାପ ଥାଇପାରେ। କିମ୍ୱା ସେ ତା'ର କୌଣସି ବନ୍ଧୁବାନ୍ଧବଙ୍କ ଘରକୁ ଚାଲି ଯାଇଥାଇ ପାରେ। ହୁଏତ ତା'ର ସାଙ୍ଗ, ଯାହା ଠିକଣାରେ ମୁଁ ସରସୀକୁ ଚିଠି ଦିଏ, ସେ କୌଣସି କାରଣରୁ ଚିଠିଟିକୁ ଦେଇ ନଥାଇ ପାରେ। କିମ୍ୱା ସେ ସାଙ୍ଗ ଝିଅଟିର ବାହାଘର ହୋଇଯାଇ ଥାଇପାରେ।

ସରସୀ ପାଇଁ ମୁଁ ଆଉ ଦ୍ୱିତୀୟ କବିତା କେବେ ଲେଖିନାହିଁ। ମୁଁ ଶତାକ୍ଷୀ ନାମ୍ନୀ ମୋ ତଳବ୍ୟାଚ‌୍‍ର ଗୋଟେ ସାବନୀ ଝିଅର ପ୍ରେମରେ ପଡିଥିଲି, ଯାହାର ଚେହେରା ଓ ଆଚରଣ ମତେ ଟିକେ ଟିକେ ସରସୀ ପରି ଲାଗୁଥିଲା। ମୁଁ ତାକୁ ହିଁ ଡାକୁଥିଲି ସରସୀ ବୋଲି। ତାକୁ ବି ଖୁବ‌୍‍ ଭଲ ଲାଗୁଥିଲା ଏ ନାଁ ଟି। ସେ ବାରମ୍ୱାର ସରସୀ କବିତାଟି ପଢୁଥିଲା ଓ ନିଜକୁ ସରସୀ ବୋଲି ଭାବି ବିହ୍ୱଳ ହେଉଥିଲା।

ୟା ଭିତରେ ମୁଁ କେତେଥର ଗାଁକୁ ଯାଇଛି। ହେଲେ ମାମୁଘର ଗାଁକୁ ଆଉ ଯାଇପାରିନି। ବୋଉକୁ କେତେଥର ପଚାରିଛି ସରସୀ କଥା, ଯାହାକୁ ବୋଉ ଠିକ‌୍‍ରେ ଚିହ୍ନି ପାରେନି। କହେ- ସେ ଅମୁକ ଦାଦା ଝିଅ କି ? ମୁଁ ବାହାହେଲା ବେଳକୁ ସେ ଜନ୍ମ ହୋଇଥିଲା କି ନାହିଁ ସନ୍ଦେହ। ସେ ଏଡୁଟେ ହେଇଗଲାଣି ?

ମୁଁ ଶୁଣିଥିଲି ମୋ ମାମୁଘର ବଂଶ ତାଙ୍କ ଗାଁ ଛାଡି ଦେଇଛନ୍ତି। ସେଠି ଗୋଟେ ଛୋଟିଆ ସ୍ପଞ୍ଜ ଆଇରନ‌୍‍ କାରଖାନା ବସିଲା। ସେଇଥିରେ ମାମୁଘର ଗାଁର ଗୁଡାଏ ଲୋକ ଭିଟାମାଟି ଛାଡି ଅନ୍ୟତ୍ର ପଳେଇଗଲେ। କେହି କେହି ସେଇ ପାଖାପାଖି ରହିଲେ, ଆଉ କିଏ କିଏ ପୂରା ସେ ଅଂଚଳ ଛାଡିଦେଲେ।

କିନ୍ତୁ ସରସୀ ଘର କୁଆଡେ ଗଲେ ଠିକ‌୍‍ରେ ମୁଁ ଖବର ନେଇପାରିଲି ନାହିଁ। କିଏ ଥରେ କହୁଥିଲା ଯେ, ସରସୀର ବାହାଘର ହୋଇଯାଇଛି ଜଣେ ଅଧ୍ୟାପକ ସାଙ୍ଗରେ। ହୁଏତ ସେଇ ଗଣିତ ଅଧ୍ୟାପକ ହୋଇଥିବ। ସରସୀ ଆଉ କେତେ ଅପେକ୍ଷା କରିଥାନ୍ତା ମତେ ? କିମ୍ୱା ଏ କଥାଟି ଏକଦମ ମିଛ ବି ହୋଇଥାଇ ପାରେ। ସରସୀ ଏବେବି ଅବିବାହିତା ଥିବ।

"ତମେ କହୁଥିଲ ଯେ ସରସୀକୁ ନେଇ ଆଉଗୋଟେ କବିତା ଲେଖିବ ବୋଲି ? ସରସୀ ଗାଁର କଇଁ ପୋଖରୀ ?'

ଶତାକ୍ଷୀ କେବେକେବେ ମନେପକେଇ ଦିଏ ମତେ। ସେ ମୋ କବିତା ପଛରେ ପଡିଥିଲା, ଆଉ ମୁଁ ସରସୀ ପଛରେ। ସରସୀ ଉପରେ ଅନେକ କିଛି ଲେଖିବାକୁ ଇଚ୍ଛା ଥିଲେ ବି ମୁଁ ଆଉ ନିଜକୁ ସଜାଡି ପାରୁନଥିଲି। ଲାଗୁଥିଲା ଯେମିତି ସରସୀ ମୋ ପାଇଁ ତାଙ୍କ ଗାଁ ଗଡିଆ କୂଳରେ ଅପେକ୍ଷାରେ ବସିଛି ଓ ଗୋଟିଏ ଲୟରେ ପାଣିକୁ ଗୋଡି ଫିଙ୍ଗୁଛି। ଏପଟେ ମୁଁ ମାମୁଘର ବସ‌୍‍ ଅପେକ୍ଷାରେ। କିନ୍ତୁ ହଠାତ‌୍‍ ସବୁ ବସ‌୍‍ କ୍ୟାନସଲ‌୍‍।

ମାମୁଘର ଗାଁରେ ମୋ ପାଇଁ ଦୁଇଟି ବଡ ଆକର୍ଷଣ ଥିଲା। ଗୋଟେ ହେଲା ସରସୀ, ଆରଟି ତାଙ୍କ ଗାଁର କଇଁ ପୋଖରୀ। ଯୋଉଠି ଅନେକଥର ମୁଁ ଅନୁଢା ସରସୀକୁ ଗାଧୋଇବାର ଦେଖିଛି। କଇଁକଢ ପରି ସରସୀର ଦେହରେ ବି ପାଣି ରହେନି ବେଶୀ ସମୟ। ନିଗିଡି ଯାଏ।

(୪)

ଏହା ଭିତରେ ଅନେକ ବର୍ଷ ବିତି ଯାଇଛି। ମୋର କଲେଜ ପଢା ସରି, ଏମ‌୍‍ଫିଲ‌୍‍ ସରି, ପିଏଚ‌୍‍ଡି ସରି, ମୁଁ ଅଧ୍ୟାପକ ଚାକିରି ଅଧାଅଧି କରି ସାରିଲିଣି। ଶତାକ୍ଷୀ ପରେ ମୋ ଜୀବନରେ ଆଉ କେହି ନୂଆ ପ୍ରେମିକା ଆସିପାରିଲେ ନାହିଁ। କାରଣ ଶତାକ୍ଷୀ ହିଁ ମୋ ଜୀବନରେ ରହିଯାଇଛି ସରସୀ ହୋଇ। ମୁଁ ସରସୀକୁ ଅନେକ ଦିନରୁ ହୁଏତ ଭୁଲି ଯାଇଛି, କେବଳ ଯାହା ବେଳେବେଳେ ଶତାକ୍ଷୀ ହିଁ ମନେପକାଏ ନିଜକୁ ସରସୀ ସଜେଇ। ମୋ କାବ୍ୟ ନାୟିକା ହୋଇ।

ଜୀବନ ଚିରାଚରିତ ହୋଇଯାଇଥିଲା। ଯୋଉ କଲେଜରେ ମୁଁ ସରସୀକୁ ଭୁଲିଥିଲି, ବୁଲିବାଲି ଆସି ପୁଣି ସେଇ କଲେଜରେ ଅଧ୍ୟାପନା କରିବାକୁ ପଡୁଛି। ଶତାକ୍ଷୀ ମଧ୍ୟ ତା ଅଧ୍ୟାପନା ଚାକିରି ଭିତରେ ଆମ କଲେଜ ପଢୁଆ ପୁଅର କ୍ୟାରିୟର ପାଇଁ ବ୍ୟସ୍ତ ରହୁଛି। ମଝିରେ ମଝିରେ ଶତାକ୍ଷୀୀ ବି କବିତା ଲେଖୁଛି। ଯୋଡିଏ ତିନିଟି ବହି ମଧ୍ୟ ତା'ର ପ୍ରକାଶ ପାଇଲାଣି।

କଲେଜରେ ହେବାକୁ ଥିବା ଇଂଟର କଲେଜ କବିତା ପ୍ରତିଯୋଗିତା ପାଇଁ ଶତାକ୍ଷୀ ଏଇ କିଛିଦିନ ହେଲାଣି ବ୍ୟସ୍ତ ରହୁଛି। ରାଜ୍ୟର ସବୁ ଜିଲ୍ଲାରୁ ଛାତ୍ରଛାତ୍ରୀ ଭାଗନେଇ ନିଜ ନିଜ କବିତା ଆବୃତି କରିବେ। ମୁଁ ମଧ୍ୟ କମ‌୍‍ ଉତ୍ସାହିତ ନଥିଲି ଏଥିପାଇଁ। ଭାବିଛି ଛାତ୍ରଛାତ୍ରୀଙ୍କ ପ୍ରତିଯୋଗିତା ସେସନ‌୍‍ ପରେ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ପାଇଁ କବିତା ସେସନ‌୍‍ରେ ମୁଁ ବି ଗୋଟେ କବିତା ପଢିବି। ସେଇ ସରସୀ କବିତା। ସେଥିପାଇଁ ଘରେ ଶତାକ୍ଷୀ ନଥିଲା ବେଳେ କେତେଥର ପ୍ରାକ୍ଟିସ‌୍‍ ବି କରିଛି।

ମତେ ଲାଗୁଥିଲା, ମୋ କବିତାଟି ଖୁବ‌୍‍ ପ୍ରଶଂସିତ ହେବ ସମସ୍ତଙ୍କ ପାଖରେ। ପ୍ରେମକୁ ଭୋଗିବା ଆଉ ତାକୁ କାଳିରେ ନଲେଖି, ରକ୍ତରେ ଲେଖିବା ଅଲଗା କଥା। ସେଦିନ ଯଦି ସରସୀ ଆସିଥାନ୍ତା ସଭାକୁ ସେ ଜାଣିଥାନ୍ତା ମୁଁ କେତେ ଭଲ ପାଉଥିଲି ତାକୁ।

(୫)

ସେଦିନ ସକାଳୁ ସକାଳୁ ଖୁବ‌୍‍ ଉତ୍ସାହିତ ଲାଗୁଥିଲା ମତେ। ଶତାକ୍ଷୀ ଚାଲି ଯାଇଥିଲା କଲେଜ। ଗୁଡାଏ କାମ ତା ମୁଣ୍ଡରେ ଥିଲା। ପ୍ରତିଯୋଗିତା ଆରମ୍ଭ ହେବାକୁ ଆଉ କିଛି ସମୟ ବାକି ଥିଲା। ବିଭିନ୍ନ କଲେଜରୁ ଆସିଥିବା ପୁଅ ଝିଅ ନିଜ ନିଜ ଡାଏରୀରୁ କବିତା ଆବୃତିରେ ବ୍ୟସ୍ତ ଥିଲେ। ସେମାନଙ୍କୁ ଦେଖି ଖୁବ‌୍‍ ତରୁଣ ତରୁଣ ଲାଗୁଥିଲା ମତେ। ମନେମନେ ସରସୀକୁ ଖୋଜୁଥିଲି। ଭାବୁଥିଲି ତା କଇଁ ପୋଖରି, ଆରିସା ପିଠା ଓ ମୟୂରପୁଚ୍ଛ କଥା।

କବିତା ଆବୃତି ଆରମ୍ଭ ହୋଇ ଯାଇଥିଲା। ନାଁ ଡକାହେଲା ମାତ୍ରେ ଜଣେ ଜଣେ ଛାତ୍ର ଛାତ୍ରୀ ନିଜ ନିଜ କବିତା ପଢିବାକୁ ଷ୍ଟେଜ‌୍‍ ଉପରକୁ ଉଠୁଥିଲେ ଓ ଖୁବ‌୍‍ ଛଟକରେ କବିତା ସବୁ ଆବୃତି କରୁଥିଲେ। ସେଥିରୁ ଅଧିକାଂଶ କବିତା ପ୍ରେମ ହିଁ ଥିଲା। ତଳେ ସେମାନଙ୍କ ପ୍ରେମିକ ବା ପ୍ରେମିକା ବସି ମୁରୁକି ମୁରୁକି ହସୁଥିଲେ ଓ ଖୁବ‌୍‍ ପ୍ରଶଂସା କରୁଥିଲେ। ଅଧିକାଂଶ କବିତା ମତେ ସମାନ ଲାଗୁଥିଲା ଓ ବେଳେବେଳେ ମତେ ହାଇ ଆସୁଥିଲା। ଶତାକ୍ଷୀ ଷ୍ଟେଜ‌୍‍ରେ ବସି ମଂଚ ପରିଚାଳନା କରୁଥିଲା ଓ ଏଇ ପିଲାମାନେ ଆଗାମୀ ଦିନର ଓଡିଆ ସାହିତ୍ୟକୁ କାନ୍ଧରେ ନେବେ ବୋଲି ମାଇକ‌୍‍ରେ କହୁଥିଲା।

ଶତାକ୍ଷୀ ବୋଧହୁଏ ଶେଷ ପ୍ରତିଯୋଗୀର ନାଁ ଡାକୁଥିଲା। କୋଉ ଗୋଟେ ଅଜଣା କଲେଜରୁ ଆସିଥିବା ଏକ ଝିଅର ନାଁ। କ'ଣ ସେ ନାଁଟା ଡାକିଲା ତାହା ଅନ୍ୟମନସ୍କତାରେ ମୁଁ ଭୁଲିଗଲି। ଝିଅଟି ଖୁବ‌୍‍ ଚୁଲବୁଲି ଓ ସୁନ୍ଦର ଲାଗୁଥିଲା। ସେ ଆଦୌ ନର‌୍‍ଭସ‌୍‍ ନଥିଲା। ମନ ଭିତରେ ପକÑାରାସ୍ତା ପରି ଖୁବ‌୍‍ ଶକ୍ତିଶାଳୀ ଲାଗୁଥିଲା। ଅନେକ ଗୁଡିଏ କବିତା ଶୁଣିଶୁଣି ବୋର‌୍‍ ହୋଇ ଯାଇଥିବା ଉପସ୍ଥିତ ଶ୍ରୋତା ନିଜ ନିଜ ଭିତରେ ଧୀରେ ଧୀରେ କଥାବାର୍ତ୍ତା କରୁଥିଲେ। ଝିଅଟି ମାଇକ‌୍‍ ପାଖକୁ ଗଲା ଓ ମାଇକ୍ରୋଫୋନ‌୍‍କୁ ଦୁଇଥର ଟିଙ୍କା ମାରିଲା ଓ ଦୁଇଥର ଫୁଙ୍କିଲା। ଏବଂ ଏକ ପୁରୁଣା ଡାଏରି ଖୋଲି ସେଥିରେ ଟିପିଥିବା କବିତାଟି ଆବୃତି କରିବାକୁ ପ୍ରସ୍ତୁତ ହେଲା। ଏବଂ କହିଲା...

"ମୋ କବିତାର ନାଁ ହେଲା ସରସୀ।'

ମୁଁ ଚମକି ପଡିଲି। ସ ର ସୀ...

କିଛି ସମୟ ପୂର୍ବରୁ ନିଜ ନିଜ ଭିତରେ କଥାବାର୍ତ୍ତାରେ ମାତିଥିବା ଶ୍ରୋତାମାନେ ବି ସମସ୍ତେ ଧୀରେ ଧୀରେ ଚୁପ‌୍‍ ହୋଇଗଲେ।

"ଏ କବିତାଟି ମୋର ନୁହେଁ।'

ମୁଁ ପୁଣି ଚମକି ପଡିଲି। ଟିକେ ବେଶୀ ଏକାଗ୍ର ହୋଇ ଝିଅଟିକୁ ଚାହିଁଲି ଓ ତା ପରବର୍ତ୍ତୀ କଥାକୁ ଅପେକ୍ଷା କଲି।

"ଏହା ମୋ ମାଆର କବିତା। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ମୋ ମାଆ କେବେ କବିତା ଲେଖିନି।'

ସମସ୍ତେ ଆଶ୍ଚର୍ଯ୍ୟ ଓ ଏକାଗ୍ର। କିଏ ଏ ଝିଅଟି ?

"ମାଆ କହୁଥିଲା, ଏ କବିତାଟି ତା ପ୍ରେମିକ ତା ପାଇଁ ଲେଖିଥିଲା ବହୁଦିନ ତଳେ। ମତେ ଆପଣମାନେ କ୍ଷମା କରିବେ। ମୋ ପାଖରେ ମୋ ଲିଖିତ ଅନେକ କବିତା ଅଛି। କିନ୍ତୁ ମାଆର ଇଚ୍ଛା ଥିଲା, ତା କବିତାଟି କୋଉଠି ଗୋଟେ ମଂଚରେ କେହି ତା ପାଇଁ ପଢିଦେଉ।'

ସମସ୍ତେ ହତବାକ। ମତେ ଲାଗୁଥିଲା କ୍ରମେ ମୁଁ ଠିଆହୋଇ ପଡିଲେ ଝିଅଟିର କଥା ଆଉଟିକେ ଭଲ କରି ଶୁଣିପାରିବି ବୋଧେ। ଝିଅଟି ନିଜ କବିତା ନ ପଢି ଏତେସବୁ କାହିଁକି କହୁଛି ? ତା ମାଆ କିଏ ? ତା ପ୍ରେମିକ କିଏ?

"କହିବା ବାହୁଲ୍ୟ ଯେ, ମୁଁ ଏ କବିତାଟି ଯେତେଥର ପଢେ, ମତେ ସେତେସେତେ ଏହା ନୂଆ ଲାଗେ। ମୋର ସମସ୍ତ କବିତା ୟା ତୁଳନାରେ ଶକ୍ତିହୀନ ମନେହୁଏ। ତେଣୁ ମୁଁ ନିଷ୍ପତ୍ତି ନେଲି ଯେ, ଏଇ କବିତାଟି ହିଁ ପଢାଯାଉ, ବରଂ ମୁଁ ପୁରସ୍କାର ନପାଏ। ଆପଣ ଏବେ କବିତାଟି ଶୁଣନ୍ତୁ।'

ସମସ୍ତେ ଉତ୍କଣ୍ଠିତ ଓ ଅପେକ୍ଷାରତ। କୌଣସି ଏକ କବିତା ଶୁଣିବାକୁ ଶ୍ରୋତାଙ୍କ ଭିତରେ ଏତେ ଉତ୍କଣ୍ଠା ମୁଁ ଆଗରୁ କେବେ ଦେଖିନଥିଲି। ଝିଅଟି କବିତା ପଢିବା ଆରମ୍ଭ କଲା।

"ସରସୀ ! ତମେ ରାତିରେ ଫୁଟି

ସକାଳକୁ ଝଡି ପଡିଥିବା ଏକ ଗଙ୍ଗଶିଉଳି।

ତମେ ନିଃଶ୍ୱାସ ବାଂଟୁଥିବା ଏକ ଗଛ।

ଲଣ୍ଠନ ଆଲୁଅରେ ରାଣୀ ପରି ଦିଶୁଥିବା

ଏକ ରାଜଉଆସର ମୁଖଶାଳା।

ଗାଁ କଇଁ ପୋଖରୀରେ

ତମେ ଗୋଡ ଘସୁଥିବା ପଥରଟି

ପାଲଟି ଯାଇଛି ମତ୍ସ୍ୟକନ୍ୟା।

ସରସୀ ! ମତେ ମାଖିଦିଅ ତମ ଦେହରେ,

ଆଜୀବନ ଗହଣା କରି ଝୁଲେଇ ଦିଅ

ତମ ମଥାରେ କି ବେକରେ।

ନିଜକୁ ସୂର୍ଯ୍ୟ କରି, ପୃଥିବୀ ପରି

ମତେ ବୁଲେଇ ଦିଅ ତମ ଦେହରେ।

ମତେ କାଟିକୁଟି କରିଦିଅ ଛଅଖଣ୍ଡ ବାଉଁଶ

ତମ ମଲାଦେହ ତଳେ କୋକେଇ ହୋଇ

ଯେମିତି ଚାଲିଯାଇ ହେବ ମଶାଣୀ।

ସରସୀ ! ଆସ, ମତେ ଦେଇଦିଅ ମୋକ୍ଷ।'

ସଭାସ୍ଥଳରେ ସମସ୍ତେ ସ୍ତବ୍ଧ। କାହା କାହା ଆଖିରେ ଜକେଇ ଆସିଥିଲା ଲୁହ। କାହାରି ପାଟିରୁ କଥା ବାହାରୁ ନଥିଲା, ସମସ୍ତେ ତାଳି ମାରିବାକୁ ବି ଭୁଲି ଯାଇଥିଲେ। ଶେଷ ଦୁଇଧାଡି ପଢିଲା ବେଳକୁ ଝିଅଟି ଧୀରେ ଧୀରେ ସକେଇବା ଆରମ୍ଭ କରିଥିଲା। ମୁଁ ଠିଆ ହୋଇ ପଡିଥିଲି।

କୋହଭରା କଣ୍ଠରେ ଝିଅଟି ତା ଶେଷ ଦୁଇପଦ କଥା କହିଲା...

"ଗଲା ମାସରେ ମୋ ମାଆର ଦେହାନ୍ତ ହୋଇଯାଇଛି। ତା ଶେଷଇଚ୍ଛା ଅନୁଯାୟୀ, ତା କବିତାଟି ମଧ୍ୟ ତା ଜୁଇରେ ମତେ ପୋଡି ଦେବାକୁ ପଡିଲା। ସେ ଚାରି ଚଉତା କାଗଜଟି ଖୁବ‌୍‍ ପୁରୁଣା ହୋଇଯାଇଥିଲା, ଯାହାକୁ ମାଆ ମଝିରେ ମଝିରେ ପଢି ଖୁବ‌୍‍ କାନ୍ଦୁଥିଲା। କାଗଜଟିକୁ ଜୁଇରେ ପକେଇବା ଆଗରୁ ମୁଁ ତାକୁ ମୋ ଡାଏରୀରେ ଟିପି ରଖିଥିଲି। ଅନେକଥର ମୁଁ ମାଆକୁ ପଚାରିବାକୁ ଚାହିଁଛି ତା ପ୍ରେମିକ ବିଷୟରେ ଜାଣିବାକୁ। କିନ୍ତୁ ସେ ଚୁପ‌୍‍ ରହିଚି। ବାଧ୍ୟ କଲେ କେବଳ ଏତିକି କହେ- "ଖୁସିରେ ପୋଡି ହୋଇ ମରିବା ପାଇଁ ପ୍ରେମ ଏକ ନିଆଁ।'

ଝିଅଟି ଷ୍ଟେଜ‌୍‍ ଛାଡି ତଳକୁ ଆସିଲା ବେଳକୁ ସାରା ସଭା ତାଳିରେ ଫାଟି ପଡୁଥିଲା। ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସିଥିଲା।

ମୁଁ ବି ନିଜ ସିଟ‌୍‍ରେ ଠିଆ ହୋଇ ତାଳି ମାରୁଥିଲି ଓ କାନ୍ଦୁଥିଲି।

ପ୍ଲଟ‌୍‍ ନଂ-୫୨୫/୧୨୬୦୩, ସମେଇଗାଡିଆ,

ପୋ-ରସୁଲଗଡ, ଭୁବନେଶ୍ୱର-୭୫୧୦୧୦

ଫୋନ‌୍‍-୯୮୬୧୪୧୫୩୭୭

କୋଳି ବିବାହିତା ମୟୂରପକ୍ଷୀ

Rate the content


Originality
Flow
Language
Cover design

Comments

Post

Some text some message..