ମୋ ଜୀବନର ଅଭୁଲା କଥା
ମୋ ଜୀବନର ଅଭୁଲା କଥା
ଜୀବନ ପାଣି ଫୋଟକା ପରି । କେତେବେଳେ କିପରି ସେ ଫାଟିଯାଏ କହିବା ଅସମ୍ଭବ । ଏମିତି ଏକ ଘଟଣା ଘଟିଥିଲା ଯାହାକି ଆଜି ମଧ୍ୟ ମୋ ହୃଦୟରେ ଜୀବନ୍ତ ହୋଇ ରହିଛି ।
ମୁଁ ଚାକିରି କରୁଥାଏ ମୋ ଗ୍ରାମରେ, ମୋ ସ୍ତ୍ରୀ ପିଲାମାନଙ୍କୁ ଧରି ରହୁଥାନ୍ତି ତାଙ୍କ ଚାକିରି ସ୍ଥାନ ସୁଦୂର ଏକ ମଫସଲ ଗ୍ରାମରେ । ମୁଁ ଛୁଟି ପାଇଲେ ମଝିରେ ମଝିରେ ପିଲାମାନଙ୍କୁ ଦେଖାଚାହାଁ କରି ଆସୁଥାଏ ।
2010 ମସିହାର କଥା । ମୁଁ ଦିନେ ଗାଁରୁ ବାହାରି ପ୍ରାୟ ରାତି 10ଟା ବେଳେ ପିଲାମାନଙ୍କ ନିକଟରେ ପହଞ୍ଚିଥିଲି । ଶୀତ ରାତି । ପ୍ରବଳ ଶୀତ ବି' ହେଉଥିଲା । କ'ଣ ଟିକେ ଖାଇଦେଇ ଶୋଇ ଯାଇଥିଲି । ଠିକ୍ ରାତି 12ଟା ହେବ । ମା' ମା' କରୁଣ ଚିତ୍କାର ମୋର ନିଦ ଭାଙ୍ଗି ଦେଇଥିଲା । ମୁଁ ମୋ ସ୍ତ୍ରୀଙ୍କୁ କହିଥିଲି, ଝିଅଟିଏ ମା' ମା' ଚିତ୍କାର କରୁଛି । କ'ଣ ହୋଇଛି ତା'ର ଚାଲ ଦେଖିବା । କିନ୍ତୁ ମୋ ସ୍ତ୍ରୀ ମନା କରି କହିଥିଲେ, ଏହା ଏକ ନକ୍ସଲ ପ୍ରବଣ ଅଞ୍ଚଳ । ଘରୁ ଏ ରାତିରେ ବାହାରକୁ ଯିବା ଆଦୌ ଉଚିତ ହେବନାହିଁ । ନକ୍ସଲମାନେ କ'ଣ ଅଘଟଣ ଘଟାଉଥିବେ ତେଣୁ ଝିଅଟି' ଚିତ୍କାର କରୁଛି ।
ସେହି ମା' ମା' ଚିତ୍କାର ମୋତେ ବିଚଳିତ କରି ଦେଇଥିଲା । ମୁଁ ଆଉ ସହ୍ୟ କରି ରହି ପାରିନଥିଲି । ସମସ୍ତ ଆଶଙ୍କାକୁ ଖାତିର ନକରି କବାଟ ଖୋଲି ବାହାରକୁ ଆସି ଯାଇଥିଲି । ଅନ୍ଧାର ରାତି । କାକର ବି' ପଡୁଥିଲା ରାତିକୁ ସଂପୂର୍ଣ୍ଣ ନିଜ ଶୀତଳତାରେ ଭିଜାଇ ଦେଇ । ଗାଁ ସାରା ନିଘୋଡ ନିଦରେ ଶୋଇଥିଲେ । ଗଛରୁ ପତ୍ର ଝଡିବାର ଶଦ୍ଦ ମୁଁ ଶୁଣି ପାରୁଥିଲି । ଦୂର ପାହାଡରୁ ଝରି ଆସୁଥିବା ଝରଣାର କୁଳୁକୁଳୁ ନାଦ ମୋ କର୍ଣ୍ଣରେ ପ୍ରବେଶ କରୁଥିଲା । ସେ ସମୟରେ ବିଦ୍ୟୁତ୍ ବି' କାଟ୍ ହୋଇ ଯାଇଥିଲା । ଧୂଲି ଧୂସରିତ ଦାଣ୍ଡରେ ଅନ୍ଧାର ଭିତରେ ଠିଆ ହୋଇ ମୋ ସ୍ତ୍ରୀଙ୍କୁ ଲଣ୍ଠନ ଆଣିବାକୁ କହିଥିଲି । ସେ ଲଣ୍ଠନ ଧରି ଆସିଥିଲେ । ଉଭୟେ ଚାରିଆଡେ ଦୃଷ୍ଟି ନିକ୍ଷେପ କରିଥିଲୁ । କିଛି ଦେଖିବାକୁ ପାଉନଥିଲୁ କିନ୍ତୁ କେବଳ ସେହି କରୁଣ ମା' ମା' ଡାକ ଦୂରରୁ ଭାସି ଆସି ଉଭୟଙ୍କୁ ବିବ୍ରତ କରି ଦେଉଥିଲା ।
ହଠାତ୍ ଦେଖିବାକୁ ପାଇଥିଲୁ ପ୍ରାୟ 45 ବର୍ଷ ବୟସ୍କା ସ୍ତ୍ରୀ ଲୋକ ଜଣେ ରାସ୍ତା ପାର୍ଶ୍ୱରେ ଦୌଡି ଆସୁଛନ୍ତି ଓ ତାଙ୍କ ପଛେପଛେ ପ୍ରାୟ 20 ବର୍ଷ ବୟସ୍କା ଝିଅଟିଏ ମା' ମା' ଡାକ ଛାଡି ଦୌଡି ଆସୁଛନ୍ତି । ଠିକ୍ ଆମ ସାମ୍ନାରେ ସ୍ତ୍ରୀ ଲୋକ ଜଣକ ଝୁଣ୍ଟି ପଡିଯାଇଥିଲେ ଅଚେତ ଅବସ୍ଥାରେ । ସେତେବେଳେ ମୋତେ ନାରୀ ପୁରୁଷ ଭେଦଭାବର ସୀମା ସରହଦ ଅଟକାଇ ପାରିନଥିଲା । ସଙ୍ଗେ ସଙ୍ଗେ ଧୂଳିରେ ବସିପଡି ତାଙ୍କ ମୁଣ୍ଡକୁ ମୋ କୋଳରେ ରଖି ଦେଇଥିଲି ଓ ମୋ ସ୍ତ୍ରୀଙ୍କୁ ପାଣି ଆଣିବାକୁ କହିଥିଲି । ମୋ ସ୍ତ୍ରୀ ପାଣି ଆଣିବା ଭିତରେ ଘଡ୍ର ଘଡ୍ର ଦୁଇଟି ଶଦ୍ଦ । ବାସ୍ ସବୁ ସରିଗଲା । ନାଡିର ସ୍ପନ୍ଦନ ବି' ବନ୍ଦ ହୋଇଯାଇଥିଲା । ମୁଁ ନିର୍ବାକ୍ ହୋଇଯାଇଥିଲି । ପାଣିରେ ସ୍ତ୍ରୀ ଲୋକଟିର ମୁହଁକୁ ଟିକେ ଧୋଇ ଦେଇଥିଲି ଓ ତାଙ୍କ ଛାତିରେ ବାରମ୍ବାର ଚାପ ଦେବା ପାଇଁ ମୋ ସ୍ତ୍ରୀଙ୍କୁ କହିଥିଲି । ଚାପ ଦେବା ସତ୍ତ୍ୱେ ଫଳ କିଛି ହୋଇ ନଥିଲା । ଏ ସବୁ ଦେଖି ଝିଅଟି' ମୋତେ ପଚାରିଥିଲା, ଅଙ୍କଲ୍ ମୋ ମା'ର କ'ଣ ହୋଇଛି ? ମୁଁ ସେତେବେଳେ ମିଛ କହିଥିଲି, ତୁମ ମା'ର କିଛି ହୋଇନାହିଁ । ଡାକ୍ତରଖାନା ନେଇଗଲେ ସବୁ ଠିକ୍ ହୋଇଯିବ ।
ରାସ୍ତା ପାର୍ଶ୍ୱରେ ମୃତ ଶରୀରକୁ ସେମିତି କୋଳରେ ଧରି ରହି ଝିଅଟିକୁ ତାଙ୍କ ସଂପର୍କୀୟ ମାନଙ୍କୁ ଡାକି ଆଣିବାକୁ କହିଥିଲି । ତାଙ୍କ ସଂପର୍କୀୟମାନେ ଆସି ସ୍ତ୍ରୀ ଲୋକଟିର ମୃତ୍ୟୁ ଘଟିଥିବା କଥା କୁହାକୁହି ହୋଇଥିଲେ । ଏ କଥା ଶୁଣି ଝିଅଟି' ଆତ୍ମହତ୍ୟା କରିବା ପାଇଁ କୂପରେ ଡେଇଁ ପଡିଥିଲା । ତା'କୁ କୂପରୁ ଉଦ୍ଧାର କରିଥିଲୁ । ମୃତ ଶରୀରକୁ ଡାକ୍ତରଖାନା ନେଇ ଯାଇଥିଲୁ । ସେଠାରେ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ ।
ସକାଳୁ ସକାଳୁ ମୁଁ ଗାଁକୁ ଫେରି ଆସିଥିଲି । ଆଜି ବି' ସେ କଥା ମୋର ମନେ ପଡୁଛି । ମୁଁ ଯେଉଁ ମିଛ କହିଥିଲି, ସେ ଝିଅଟି' ଆଜି ମୋତେ କ'ଣ ଭାବୁଥିବ ? ସେ ସ୍ତ୍ରୀ ଲୋକ ଜଣକ ମୋ କୋଳରେ ମୃତ୍ୟୁ ବରଣ କରିବାକୁ ଲେଖି ଆଣିଥିଲେ ନା' ମୁଁ କୋଳରେ ଧରିଲି ବୋଲି ମୃତ୍ୟୁ ବରଣ କରିଥିଲେ ? ଏପରି ଅନେକ ଅସମାହିତ ପ୍ରଶ୍ନ ମୋ ହୃଦୟରେ ଅନୁରଣିତ ହେଉଛି । ଆଜି ମଧ୍ୟ ସେହି ମା' ମା' କରୁଣ ଚିତ୍କାର ମୋ କାନରେ ପ୍ରତିଧ୍ୱନିତ ହେଉଛି ।