Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jhunilata Bahira

Others

3.5  

Jhunilata Bahira

Others

ଦେଶୀ ମଦ

ଦେଶୀ ମଦ

5 mins
603



-ବାପା, ଯାହା ତ କାମ ଶେଷରେ ଦେବୁ ଦେବୁ ଆଗେ ମୋତେ ଶହେ ଟଙ୍କା ଦେଲୁ |

-କ’ଣ କରିବ ମଉସା ?

-ବାପା, ମୋତେ ଆଗେ ଶହେ ଟଙ୍କା ଦେ | ତା’ପରେ ଯାଇ କାମ କରିବି ?

ଭାରି ଅନୁନୟ ହେଲା ବୁଢା | ତା ପେଜୁଆ ଆଖି | ପାଚିଲା ଅନାବନା ବାଳ | ଜାକିଜୁକି କେଇ ମେଂଚା ଚର୍ମ | ହାଡୁଆ ଦେହକୁ ମଇଳା ପାଇଜାମାଟା ତା ଅଭାବୀ ନିରୀହ ପଣକୁ ଆହୁରି ପଦାକୁ ଟାଣି ଆଣୁଥିଲା | ଜଣେ ଦରଦୀ ମଣିଷକୁ ଭାବପ୍ରବଣ କରିବା ପାଇଁ ସେ ଯଥେଷ୍ଟ ଥିଲା | ମନ ଭିତରଟା କେମିତି ଗୋଟେ ଆମ୍ପୁଡ଼ି ହୋଇଗଲା |

ତଥାପି ନିଜକୁ ସଞ୍ଜତ କଲି | ମୁଁ କିନ୍ତୁ ଏଥର ଦୃଢ ପ୍ରତିଜ୍ଞ ଥିଲି | କାହାର ଆବେଗରେ ମୁଁ ଭାବପ୍ରବଣ ହେବିନି | ମୁଁ ଶକ୍ତ......ଦୃତ ହୃଦୟବାଦୀ ହେବି | ଜଣେ ମନ ଶକ୍ତ କଲେ ଯାଇଁ କଠିନ ନିଷ୍ପତ୍ତି ନେଇପାରେ | ଠକାମିରୁ ବର୍ତ୍ତିପାରେ | ନ ହେଲେ ଆଜିକାଲି ତ ଇମୋସନାଲ ବ୍ଲାକମେଲିଙ୍ଗ କରି ଚୂନ ଲଗେଇବା ଲୋକେ ପ୍ରବଳ | ମୋର ହଲିବାର ନାହିଁ |

-କେତେ ଟଙ୍କା ନେବ ?

-ଫୁଟକୁ ଆଠ ଟଙ୍କା ବାପା | ସେଇ ହିସାବରେ ଯାହା ହେବ ଦେବୁ କାମ ଶେଷରେ | ହେଲେ ଆଗେ ମୋତେ ଶହେ ଟଙ୍କା ଦେ |

-ମୋତେ ଆଉ ସେଗୁଡା ଶିଖାଅନି | ଫୁଟକୁ ପାଞ୍ଚ ଟଙ୍କା ହିସାବରେ ଦେବି | ଇଚ୍ଛା ହେଲେ କର ନ ହେଲେ ନାହିଁ | ବହୁତ କାମେକା ମିଳିବେ |

-ବାପା, ବାଲିମାଟି ହୋଇଥିଲେ ମୋର କିଛି କହିବାର ନଥିଲା | ତୋ କଥାରେ ରାଜି ହୋଇଥାନ୍ତି | ହେଲେ ଏ ପରା ଚିକିଟା ମାଟି | କୋଡ଼ି କୋଦାଳ ଶୁଣିବନି |

ଭାଗ୍ୟ ଓ ଦୁର୍ଭାଗ୍ୟ ସହିତ ବେଳେବେଳେ ନିର୍ଜୀବ ବସ୍ତୁଗୁଡ଼ିକ ବି ସ୍ୱର ମିଳାନ୍ତି | ତାହା ଆକସ୍ମିକ ହୋଇପାରେ ଅବା ପ୍ରାକୃତିକ |

-ନାଇଁ ହେବନି |

ମୋର ଉତ୍ତରରେ ନିରାଶ ହୋଇ ଚାଲି ଯାଉଥିଲା ବୁଢାଟି | ତା ମୁହଁର ନିରାଶପଣ ମୋତେ ଅବଶ୍ୟ ଅନ୍ୟମନସ୍କ କରିଥିଲା | ହେଲେ ମୋ ଜିଦରେ ମୁଁ ଅଟଳ ଥିଲି |

ମଣିଷ ନିଜକୁ ସୁହାଇଲା ପରି କେତେ ଗୁଡ଼ାଏ କଥା ନିଜ ଯୁକ୍ତି ସପକ୍ଷରେ କହି ନିଜକୁ ବୁଝାଏ ଯେତେବେଳେ ସେ ନିଜେ ତା କାର୍ଯ୍ୟରେ ଶହେ ପ୍ରତିଶତ ସହମତ ନ ଥାଏ |

ଯାଉ....କେତେ କାମେକା ମିଳିବେ | ସବୁ କାମବାଲା ଗୁଡାକ ଏମିତି | ଭାରି ଚାଲାକ ହୋଇଗଲେଣି | ଟଙ୍କାକ ଜାଗାରେ ପାଞ୍ଚ ଟଙ୍କା ନେଉଛନ୍ତି | ସେତେବେଳକୁ ବାପାଙ୍କ ଉପରେ ରାଗ ମୋର ପଞ୍ଚମ ହେଉଥିଲା | ଆଗରୁ ଗାଁ ଘର କାମରେ ମିସ୍ତ୍ରୀ ମଜୁରିଆଗୁଡ଼ାଙ୍କୁ କିଛି ମୁହଁ ଟାଣ କରି ନ କହି ପଇସାକୁ ପଇସା ହାଡ଼େ ହାଡ଼େ ଗଣି ଠକାମିର ଶିକାର ହୋଇଛନ୍ତି | ସେଇ ବେକାର କଥାର ଶୁଣା ଅନୁଭୂତିରେ ମୁଁ ମନେ ମନେ ବେଶ ପ୍ରଭାବିତ ହୋଇ ଆଗକୁ କମ ପଇସାରେ ବାପାଙ୍କୁ ଭଲ କାମ କରି ଦେଖାଇବା ନିଶାରେ ଥିଲି |

ବେଳେବେଳେ ଅନୁଭୂତିକୁ ପ୍ରୟୋଗ କଲାବେଳେ ତାହା ସବୁ ଜାଗାରେ ମେଳ ଖାଏନି | ସବୁ ପରିସ୍ଥିତି ସମାନ ନ ଥାଏ |

-ବାପା, ତମକୁ ଭଗବାନ କେତେ ସୁଖରେ ରଖିଛନ୍ତି | ଏଇ ବୁଢାଟିକୁ ଫୁଟକୁ ପାଞ୍ଚ ଟଙ୍କା ଜାଗାରେ ଆଉ ଦୁଇ ଟଙ୍କା ଅଧିକ ଦେଲେ କଣ ଖରାପ ହେବ ? ତମର ଆହୁରି ମଙ୍ଗଳ ହେବ |

ସନା ମଉସା ମଧ୍ୟସ୍ଥି ହୋଇ ଏଇ ଦୁଇଧାଡ଼ି ଗାଳିଦେଲେ | ବାସ ମୁଁ ନୀରବ | ତରଳି ଗଲି |

ପ୍ରାକୃତିକ ରୂପଟି ବେଳେବେଳେ ଟିକେ ଟିକେ ପାଣି ପବନରେ କୃତ୍ରିମ ଖୋଳପାତଳୁ ବାହାରି ଆସେ |

-ହଉ |

ବୁଢାଟି ଯେମିତି ମୋ ଉତ୍ତରକୁ କାନେଇ କାନେଇ ଯାଉଥିଲା | ବୁଢା ଫେରିଲା | ଆଖିରେ ଅୟୁତ ପ୍ରଶାନ୍ତି |

-ବାପା, ହେଲା ଯେ ଶହେ ଟଙ୍କା ଆଗେ ଦବୁନି...? ମୁଁ ନିରୂପାୟ | ଯନ୍ତ୍ରବତ ବଢ଼େଇଦେଲି |

ବାପା, ଏଇଠୁ ଆସୁଛି କହି ପବନପରି ଅନ୍ତର୍ଦ୍ଧାନ ହୋଇଗଲା |

-ମଉସା ଶୀଘ୍ର ଆସ | ନ’ଟା ବାଜିଲା କାମ ଆରମ୍ଭ ହେବ | ଖରା ମାଡି ଆସୁଛି |

ମୁଁ ନୂଆ ନୂଆ ମାଲିକ ପଣିଆ ଜାହିର କରୁଥାଏ | ସବୁ କାମରେ ଆରମ୍ଭ ଅଧିକ ନୀତିନିୟମକୁ ପ୍ରଶୟ ଦିଏ | ବାହାରେ ପାଠପଢି ଇଂଜିନିୟର ପୁଅ ଯେ କେତେ ପାରିବାର ଏଥର ଦେଖିବେ ବାପା |

xxxx

-ଏ କ’ଣ ମଉସା | ମଦ ପିଇ ଦେଇ ଆସିଲ | ଏଇଥି ପାଇଁ ଶହେ ଟଙ୍କା ମାଗୁଥିଲ |

-ବାପା ମଦ ନ ପିଇଲେ କଣ ଏତେ ମାଟି ଖୋଳି ପାରିବି ? ଏଇ ଦେଶୀ ମଦରେ ଟିକେ ଅଧିକ ବଳ | ଆର ଅଲଗା ଚମତ୍କାର | ଏ ଦେହରେ କ’ଣ ଆଉ ବଳ ଅଛି | ମଦ ଟିକେ ନ ପିଇଲେ ଏତେ ମାଟି ଖୋଳିବା ପରେ ସକାଳକୁ ମୁଁ କ’ଣ ଆଉ ଉଠି ପାରିବି ? ଖାଲି ପେଟ ଚାଖଣ୍ଡକ ପାଇଁ ଏତେ ନାଟ ଯାହା | ସେଥିପାଇଁ କାମ ଆରମ୍ଭରେ ଓ ଶେଷରେ ଟିକେ ପିଇଦିଏ |

ମୁଁ ଏକଦମ ଚୁପ | ବେଳେବେଳେ ଖରାପ ଲାଗୁଥିବା କିଛି କାମର ପଛରେ କିଛି ଯୁକ୍ତିଯୁକ୍ତ କାରଣ ଥାଏ | ଚାହିଁ ବି ଖରାପ କାମଟିକୁ ଖରାପ ବୋଲି କହି ହୁଏନା | ସତରେ ଜୀବନ କେତେ କ’ଣ ଶିଖାଏ !

-ମଉସା ଦୁଇଟା ବାଜିଲାଣି | ଯାଅ ଟିକେ କ’ଣ ଖାଇକି ଆସିବ ଆଉ ରେଷ୍ଟ କରିବ ତାପରେ ପୁଣି କାମ ଆରମ୍ଭ କରିବା |

-କେଉଁଠି ଖାଇବି ବାପା ? କିଏ ଅଛି ମୋର | ପୁଅ ବୋହୁ ପଚାରୁ ନାହାନ୍ତି | ତାଙ୍କୁ ଯଦି କାମକୁ ଡାକିଥାନ୍ତି ସେମାନେ ମୋ ପଇସାରୁ ଅଧା ନେଇ ଯାଇଥାନ୍ତେ | କାମ ପୁରା ସରୁ……କ’ଣ ଦିଇଟା ବଜାରରୁ କିଣି ଖାଇନେବି |

ବୁଢ଼ୀଟା ଥିଲା ମୋର ସାହାରା | ଗଲା ଦୋଳକୁ ଚାଲିଗଲା | ବୁଢ଼ୀ ମଲା ପରଠୁ ପୁଅ ବୋହୁ ଆଉ ପଚାରୁ ନାହାନ୍ତି | ଏଇ ମାଟି କାମରୁ ଗଲେ ନିଜ ଲୁଗା ନିଜେ ଧୂଏ | କେବେ ଖାଏ କେବେ ନାଇଁ | ବେଳେବେଳେ ଏଇ ମଇଳା ଲୁଗାରେ ସକାଳ ଦେଖେ | ବୁଢ଼ୀ ପିଛା ବହୁତ ଟଙ୍କା ଖର୍ଚ୍ଚ କଲି | ବଡରୋଗରେ ପଡିଥିଲା | ତାକୁ ବଞ୍ଚାଇବା ପାଇଁ ଲୋନ କରିଥିଲି | ସେଇ ପଇସା ସୁଝିବା ପାଇଁ କାମ କରୁଛି ଏଇ ବୟସରେ | ସେ ତ ଚାଲିଗଲା | ଏବେ ତ ମୁଁ ଏକା | ସେବେଠୁ ମଦ ଟିକେ ଅଭ୍ୟାସ କରିଛି ବଞ୍ଚିବା ପାଇଁ | ଏମିତି ପିଉ ପିଉ କେଉଁ ଦିନ ଚାଲିଯାଆନ୍ତି ନି ଟିକେ ବୁଢ଼ୀ ପାଖକୁ | କେଜାଣି କେଉଁଠି ଯାଇ ରହିଲା…….?

ବୁଢା ଭାରି ଅନ୍ୟମନସ୍କ ହୋଇ ପଡୁଥିଲା….| ଟିକେ ଆଗରୁ ଏମିତି ଗୋଟେ ନିଆଶ୍ରୀ ମଣିଷକୁ କରିଥିବା ବ୍ୟବହାର ପାଇଁ ମୋ ଭିତରର ମଣିଷପଣିଆ ମୋତେ ଧିକ୍କାର କରୁଥିଲା |

ମଦ ନିଶାରେ ବି ବୁଢା ତା’ର ପ୍ରେମକୁ ସ୍ପଷ୍ଟ ଭାବରେ ବଖାଣି ପାରୁଥିଲା | ପ୍ରେମ ନିଶା ମଦ ନିଶା ଠାରୁ ବି ସଶକ୍ତ ସୁଦୃଢ | ପ୍ରେମର ଆବେଗ ସବୁ ନିଶାଠାରୁ ବି ଗାଢ଼ |

-ମଉସା ଏ କ’ଣ କଲ ? ଦେଖାଅ....ଦେଖାଅ.....ମୁଁ ପାଣି ଢାଳି ଦେଉଛି |

ଧାର ଧାର ରକ୍ତ ବୁଢାର ପାଦରୁ ଝରି ଯାଉଥିଲା | ଅତଡାଏ ମାଟି ଖସି ପଡିଥିଲା ବୁଢାର ପାଦରେ | ବୁଢାର କିନ୍ତୁ ଖାତିର ନ ଥିଲା ନା ରକ୍ତକୁ......ନା ଜୀବନକୁ |

ପୋଡ଼ାକାଠର ନିଆଁକୁ କ’ଣ ଡର | ସେ ବଖାଣି ଚାଲିଥିଲା ବୁଢ଼ୀର ସ୍ନେହ ସବୁ |

-ସତରେ ବୁଢ଼ୀ ଥିଲେ ମୁଁ କଣ ଏ କାମ କରିଥାନ୍ତି ବାପା.....?

-ନାଁ…. ସେ କେବେ ମୋତେ ଏ ବୟସରେ ଛାଡି ନ ଥାନ୍ତା |

ସେ ନିଜେ ନିଜେ ପ୍ରଶ୍ନ କରୁଥାଏ ଆଉ ନିଜେ ନିଜେ ଉତ୍ତର ଦେଉଥାଏ |

-ଛାଡ ମଉସା ସେ କଥା | ତୁମ ଗୋଡ ଦେଖାଅ | ମଉସା କାହିଁକି ଏ ଦେଶୀ ମଦଗୁଡା ପିଉଛ କହିଲ.....?

-ଆରେ.....ବାପା, ଥରେ ବିଦେଶୀ ବି ଚେଷ୍ଟା କରିଥିଲି ହେଲେ ବାନ୍ତି ହେଲା....ଝାଡା ହେଲା | ଛାଡିଦେଲି | ଆମେ ଦେଶୀ ଲୋକ.......ଆମକୁ ଏ ଦେଶୀ ମଦ ହିଁ ଠିକ |

XXX


Rate this content
Log in