Quotes New

Audio

Forum

Read

Contests


Write

Sign in
Wohoo!,
Dear user,
Surjyodaya (Story) Kolahal (poem)
Surjyodaya (Story) Kolahal (poem)
★★★★★

© Purna Chandra Mahakud

Others

6 Minutes   386    3


Content Ranking

ସୂର୍ଯ୍ୟୋଦୟ !

 

ସକାଳୁ ସକାଳୁ ଟେରି ବାଗେଇ ବସିଥିଲା ନେତ| ଘର କାମ ସବୁ ସଅଳ ସଅଳ ସାରି ମାର୍ଗଶୀର ମାସ ଶିତୁଆ ସକାଳର କଅଁଳ ଖରାକୁ ଖୁସିରେ ସାଉଁଟୁ ଥିଲା|ସାହି ବସ୍ତି ମୁଣ୍ଡରେ ତାର ଘର | ବାପା, ମା ଛେଉଣ୍ଡ ପିଲାଟା | କିଛି ଦିନ ଆଗରୁ କାମ ସାରି ଘରକୁ ଫେରିବା ସମୟରେ କେଉଁ ଏକ ଅଜଣା ଟ୍ରକ ଧକ୍କାରେ ବାପା, ମା ଦୁଇଜଣ ଯାକ ଆରପାରିକୁ ଚାଲିଗଲେ |ଦୁର୍ଘଟଣା ଏଠିକାର ନିତିଦିନିଆ କଥା| କେତେ ବେଳେ କାହାର ଜୀବନ ଯିବ କହିହେବ ନାହିଁ |

 

ତା ର ନିଜ ଗାଁ କୋଉଠି ତାକୁ ଜଣା ନାହିଁ | ଶୁଣିଛି ତାର ବାପା,ମା ପଡୋଶୀ ଝାଡଖଣ୍ଡ ରାଜ୍ୟର କେଉଁ ଏକ ମଫସଲ ଗାଁ ରୁ ମୂଲ ଲାଗିବାକୁ ଆସିଥିଲେ ଏ ଅଞ୍ଚଳକୁ | ଜଙ୍ଗଲ, ପାହାଡ ଭର୍ତ୍ତି ବଡବିଲ ଅଞ୍ଚଳ | କାଁ ଭାଁ କେତେଟା ଖଣି ଚାଲୁଥିଲା | ତାରି ଉପରେ ନିର୍ଭରଶୀଳ ହୋଇ ଗୁଜୁରାଣ ମେଣ୍ଟେଇବା ସମ୍ଭବ ନଥିଲା | ଅଧିକାଂଶ ସମୟ ସ୍ଥାନୀୟ ଲୋକଙ୍କ ବିଲ, ବାଡିରେ ମୂଲ ଲାଗୁଥିଲେ |ଏମିତି ଅନେକ ଆସିଥିଲେ ବିଭିନ୍ନ ସ୍ଥାନରୁ ଏ ଅଞ୍ଚଳକୁ | ନେତ ର ପରିବାର ମଧ୍ୟ ସେମାନଙ୍କ ମଧ୍ୟରୁ ଗୋଟିଏ | ଖଣି, ଖାଦାନରେ ଖଟିବା, ବିଲ, ବାଡିରେ ମୂଲ ଲାଗିବା ତାଙ୍କର ମୁଖ୍ୟ ବେଉଷା ଥିଲା | ତାଙ୍କର ଘର କହିଲେ ଟିଣ ଛପର କୁଡିଆ | ଗାଁ ମୁଣ୍ଡ ଜଙ୍ଗଲ ପାଖକୁ ଲାଗି ଫାଙ୍କା ଜାଗା ମାନଙ୍କରେ ଖଣି ଖାଦାନରେ କାମ କରୁଥିବା ଶ୍ରମିକଙ୍କ ପାଇଁ ତିଆରି |

 

ତାର ମନେ ପଡେ ସେ ଯେତେବେଳେ ଛୋଟ ଥିଲା ତାକୁ ଘରୁ ବାହାରକୁ ବାହାରିବାକୁ ଡର ମାଡୁ ଥିଲା|ଚାରିଆଡେ ଘଞ୍ଚ ଜଙ୍ଗଲରେ ଭରପୁର |ଏଇ ମାର୍ଗଶୀର ମାସରେ ଧାନ କ୍ଷେତ ରେ ଫସଲରେ ହସି ଉଠୁଥିଲା ଚାରିଆଡେ | ଧାନ ବାସ୍ଣାରେ ମହକି ଯାଉଥିଲା ଘର ଦ୍ବାର | ମକା, ବିରି, ସୋରିଷ ସବୁ ପ୍ରକାର ଫସଲ ହେଉଥିଲା  | ଏବେ କିନ୍ତୁ ସବୁ ବଦଳି ଗଲାଣି |ଏଇ କେତେ ବର୍ଷ ଭିତରେ ଖଣି, ଖାଦାନ, କଳ, କାରଖାନା ଏତେ ବଢି ଗଲା ଯେ ପାହାଡ ସବୁ ଲଣ୍ଡା ହୋଇଗଲେ, ଚାଷ ଜମି ସବୁ ଖାଦାନ ମାଟିରେ ପୋତି ହୋଇ ଅନୁର୍ବର ହୋଇ ପଡିଆ ପାଲଟି ଗଲା | ବାଧ୍ୟ ହୋଇ ଚାଷି ମାନେ ଟ୍ରକ, ଡମ୍ପର ମାଲିକ ପାଲଟି ଗଲେ ଆଉ ଅନ୍ୟ ମାନଙ୍କୁ ସେମାନଙ୍କର ଜୀବିକା ନିର୍ବାହ କରିବାକୁ ଡ୍ରାଇଭର, ଖଲାସି ରୂପେ କାମ କରିବାକୁ ପଡିଲା |

 

ସତର ଅଠର ବର୍ଷର ଝିଅ ନେତ | ଦେଖିବାକୁ ବହୁତ ସୁନ୍ଦର | ପୁରିଲା ପୁରିଲା ଦେହ, ଡଉଲ ଡାଉଲ ସୁନ୍ଦର ଚେହେରା | ତୋଫା ଗୋରା ଚେହେରା ସାଙ୍ଗକୁ କଥା କୁହା ଆଖି|ଯୌବନ ଆସିଲେ ତ ସମସ୍ତେ ସୁନ୍ଦର ଦିଶନ୍ତି | ନେତ ତ ଏମିତି ବି ସୁନ୍ଦର, ସଦ୍ୟ ଛୁଇଁ ଥିବା ଯୌବନ ତା ଦେହରେ ଭରି ଦେଇଥିଲା ସୌନ୍ଦର୍ଯ୍ୟ ର ସବୁଜିମା, ତାର ଉଜ୍ଜଳ ଚେହେରା ଦେଖଣାହାରୀଙ୍କୁ ସ୍ବତଃ ଆକର୍ଷିତ କରୁଥିଲା |

 

ଦେଖିଲେ ଜମା ପରତେ କରି ହୁଏନି ଯେ ସେ ଶ୍ରମିକ ବସ୍ତିର ଝିଅ ବୋଲି | ପାଖ ବସ୍ତି ପିଲାଙ୍କ ସବୁବେଳେ ନଜର ତା ଉପରେ ଥାଏ | ପିଲା ମଟର ସାଇକେଲ ଧରି ବୁଲିବା ବାହାନାରେ ତା ଘର ସାମନାରେ ଦୁଇ ଚାରି ଘେରା ଚକ୍କର ବି କାଟନ୍ତି | କିନ୍ତୁ, ମାଧ ଭୟରେ ମୁହଁ ଖୋଲି କେହି କିଛି କହି ପାରନ୍ତି ନାହିଁ | ମାଧ ଶ୍ରମିକ ବସ୍ତିରେ ପିଲା | ତାର ପରିବାର ମଧ୍ୟ ଏ ଅଞ୍ଚଳକୁ ଅନ୍ୟ ସ୍ଥାନରୁ ଆସିଥିଲେ | ନେତ ଆଉ ମାଧର ପରିବାର ପାଖା ପାଖି ରହୁଥିଲେ | ଢେର ଦିନରୁ ସମ୍ପର୍କ ବାନ୍ଧି ହୋଇ ଯାଇଥିଲା ଉଭୟ ପରିବାର ଭିତରେ | କଥାରେ କଥାରେ ସମୁଦି, ସମୁଦୁଣି ଡକା ଡକି ହେଉ ହେଉ ଶେଷରେ ନେତ ର ବାହାଘର ମାଧ ସହ ହେବ ବୋଲି ଠିକ କରିଥିଲେ| ଏ କଥା ସମସ୍ତେ ଜାଣନ୍ତି ତେଣୁ ସିଧା ସଳଖ ମୁହଁ ଖୋଲି ନେତକୁ କେହି କିଛି କହି ପାରନ୍ତି ନାହିଁ | ଶ୍ରମିକ ବସ୍ତିରେ ରହୁଥିଲେ ବି ଏଠିକାର ବାସିନ୍ଦା ଗାଁ ଲୋକଙ୍କ ସହ ସମସ୍ତଙ୍କର ସମ୍ପର୍କ ଭଲଥିଲା ଓ ମିଳି ମିଶି ଚଳୁଥିଲେ |

 

ସାଧାରଣତଃ ଖଣି ଅଞ୍ଚଳରେ ରବିବାର ଆସିଲେ ପର୍ବଦିନ ପରି ଲାଗେ | ସପ୍ତାହରେ ଦିନେ ଛୁଟି ମିଳେ | ସେଇ ଗୋଟିଏ ଦିନରେ ସମସ୍ତେ ହାଟ ବଜାର ଭଲ ମନ୍ଦ କରନ୍ତି | ନେତ ମଧ୍ୟ ସକାଳୁ ସକାଳୁ ଘର ବାହାର ଲିପା ପୋଛା କରି ମନ ଖୁସିରେ ସଜ ବାଜ ହେଇ ବସିଥିଲା | ମାଧ ଫେରିଲେ ହାଟକୁ ଯିବେ ସେମାନେ | ବସ୍ତିର ଜଣକର ଡମ୍ପର ଡ୍ରାଇଭର ହେଲା ମାଧ | ରାତି ସାରା ଗାଡି ଚଲେଇବ, ଭୋର ଭୋର କିମ୍ବା ସକାଳ ହେଲେ ଘରକୁ ଫେରେ | ଏଠି ସବୁ ରାତିରେ ମାଲ ବୋଝେଇ ଟ୍ରକ ଚାଲେ | ଆଗରୁ ବହୁତ ଲୋକ ରାତି ଅଧିଆ କାମ କରି ରାତା ରାତି ବଡ ଲୋକ ହେଇ କୋଠା ବାଡିର ମାଲିକ ହେଇଗଲେ | ପାନ ଦୋକନୀ, ଚା ବାଲା ଗାଡି ମାଲିକ ହେଇଗଲେ | ତା ପରେ କଣ ହେଲା କେଜାଣି ସବୁ ଜିନିଷ ଉପରେ କଟକଣା ଜାରି ହେଲା | ଆଗ ପରି ଆଉ ଗାଡି ଚାଲିଲା ନାହିଁ | କେବଳ ରାତି ବେଳା ହିଁ ଚାଲେ | ମାଧ ବେଳ ବୁଡିବା ଆଗରୁ ଘରୁ ବାହାରେ ତା ପରଦିନ ବେଳ ଉଇଁଲେ ଘରକୁ ଫେରେ | ଏତେ ଲୋକଙ୍କର ଏତେ କିଛି ପରିବର୍ତ୍ତନ ହେଇଗଲା କିନ୍ତୁ ତାଙ୍କର କିଛି ବଦଳିଲା ନାହିଁ | ଏବେ ବି ସେମାନଙ୍କୁ ନୀତି କାମ ନକଲେ ଖାଇବାକୁ ମିଳେ ନାହିଁ |    

 

ଭାରି ଖୁସିରେ ବସିଥିଲା ନେତ | ଦୂର୍ଗା ପୁଜାରେ ମାଧ କିଣି ଦେଇଥିବା ଛିଟ ଗୋଲାପି ସାଢିରେ ସେ ଡ୍ରେସ ସିଲେଇ କରିଥିଲା | ମୁଣ୍ଡ କାନ ରାମ୍ପି, ମୁହଁରେ ସ୍ନୋ, ପାଉଡର ମାଖି ସେଇ ଡ୍ରେସ ଟିକୁ ପିନ୍ଧିଥିଲା | ଆଖିରେ କଜ୍ଜଳ, ହତରେ ନଖ ପାଲିସ, ପାଦରେ ଅଳତା ଲଗେଇ ପିଣ୍ଡା ଉପରେ ବସି ଦୁଇ ଆଣ୍ଠୁ ଉପରେ ମୁହଁ କୁ ଭରା ଦେଇ ଆଗାମି ଭବିଷ୍ୟତର ସୁନ୍ଦର ସ୍ବପ୍ନ ଦେଖୁଥିଲା ସେ|ଆସନ୍ତା ବର୍ଷକୁ ତାର ବାହାଘର ହେବ ମାଧ ସାଙ୍ଗରେ|   ସେ ଏମିତି ମାଧର କାମ ସାରି ଫେରିବା ବାଟକୁ ଚାହିଁ ବସିବ | ଛୋଟୋ କିନ୍ତୁ ସୁଖର ସଂସାରଟିଏ ଗଢିବ | ତାର ପିଲା ଛୁଆ ହେବେ| ପିଲା ଛୁଆ କଥା ଭବିଲା ବେଳକୁ ଲାଜରେ ଝାଉଁଳି ଯାଉଥିଲା ନେତ|ତାର ଭାରି ଇଛା ଯେ ତାର ପିଲାମାନେ ଆଉ ତାଙ୍କ ପରି ମୂର୍ଖ ହେବେ ନାହିଁ | ପାଠ ପଢି ମଣିଷ ହେବେ | ସେମାନେ ମୂଲ ଲାଗି ପେଟ ପୋଷିବେ ନାହିଁ | ମାଧଟା ବି ଭଲ ପିଲା | ପାଠ ଶାଠ ସିନା ପଢିନାହିଁ ହେଲେ ଶ୍ରମିକ ବସ୍ତିର ପିଲା ହେଲେ ବି ମଦ ପାଣି ଖଏ ନାହିଁ | ତାର ଗାଡି ଭଲ ତ ସିଏ ଭଲ | ସେଇଥି ପାଇଁ ମାଲିକ ବେଳ ଅବେଳରେ ପଇସା ପତ୍ର ସାହାଯ୍ୟ ବି କରନ୍ତି |

 

ଏମିତି କେତେ କଥା ଭାବି ଭବି ବସିଥିଲା ନେତ | ରୋଷେଇ କରିବାକୁ ବି ମନେ ନଥିଲା |  ହଠାତ ଜଣେ ପାଖଘର ଖୁଡିଙ୍କ ପାଟି ଶୁଣି ସେ ପ୍ରକୃସ୍ଥିତ ହେଲା | କଣ କିଲୋ, ଆଜି ତୋର କିଛି କାମ ଦାମ ନାହିଁ କି ? ଏମିତି ଆଣ୍ଠୁରେ ମୁଣ୍ଡଥାପି କଣ ଭାବୁଛୁ ? ମାଧ ଫେରିବ ବ୍ୟସ୍ତ ହ ନା | ରୋଷେଇ ବାସ କରିବୁ ଯା | ବେଳ ମୁଣ୍ଡ ଉପରକୁ ଉଠିଲାଣି ହେଲେ ମାଧର ଦେଖା ନ ଥିଲା| ଅନ୍ୟ ଦିନ ତ ଏତେ ଦେରି ହୁଏନି ଆଜି କଣ

ହେଲା ? ନିଜକୁ ନିଜେ ପଚାରିଲା ନେତ | ଅଧିକାଂଶ ସମୟ ରାତିରେ ଆକ୍ସିଡେଣ୍ଟ ହୁଏ | ତା ମନକୁ ପାପ ଛୁଇଁଲା | ମାଧ ଭଲରେ ଥଉ ଏଇ କଥା ମନାସୀ ଠାକୁରଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆଟିଏ ମାରିଲା | ପୁଣି ଭାବିଲା ହଁ ରବିବାର ଟା ତ ଗାଡି  ଗ୍ୟାରେଜରେ ଦେଇଥିବ କାମ କରିବାକୁ, ସେଇଥି ପାଇଁ ବୋଧେ ଡେରି ହେଉଛି | ତାର ଆଉ କୋଉଥିରେ ମନ ଲାଗିଲା ନାହିଁ | ଚୁପ୍ ଚାପ୍ ସେମିତି ବସି ରହିଲା | ହଠାତ୍ ତାର ସୁନ୍ଦର ମୁହଁଟା କୌଣସି ଅଘଟଣ କଥା ଭାବି ମଳିନ ପଡିଗଲା |

 

ସେଇ ପିଣ୍ଡାରେ ବସି ବସି କେତେ ବେଳେ ତାର ଆଖି ଲାଗିଗଲା ତାକୁ ଜଣା ନାହିଁ | ପୁଲିସ ଗାଡିର ସାଇରନ୍ ଶବ୍ଦରେ ତାର ନିଦ ଭାଙ୍ଗିଗଲା |ପୁଲିସବାଲା ଶ୍ରମିକ ବସ୍ତିରେ ଥିବା ଏକ ଦୋକାନ ପାଖରେ ଅଟକି କଣ ପଚରା ଉଚରା କରି ଚାଲିଗଲେ | ଭାରି ବ୍ୟସ୍ତ ହୋଇପଡି ସେ ବସିଲା ଜାଗାରୁ ଉଠି ଦୋକାନ ପାଖକୁ ଗଲା| ସେଠି ସବୁ କୁହା କୁହି ହେଉଥିଲେ ଖଣିରୁ ବେଆଇନ୍ ଲୁହା ପଥର ଚୋରି ଅଭିଯୋଗରେ ପୁଲିସ ମାଧକୁ ବାନ୍ଧି ନେଇଛି |  ସେଇ ବିଷୟରେ ବୁଝା ବୁଝି କରିବାକୁ ପୁଲିସ ଆସିଥିଲା | ନେତ ଆଉ କିଛି ଶୁଣି ପାରିଲା ନାହିଁ | ବହୁତ କଷ୍ଟରେ ସେ ତାର ଘର ପାଖକୁ ଫେରିଲା | ମାଧର ଗାଡି ମାଲିକର ପୁଅ ମଟରସାଇକେଲ ରେ ଆସି ତା ହାତରେ କିଛି ଟଙ୍କା ଦେଇ କହିଲା ୟେ ହେଲା ମାଧର ଦରମା ଟଙ୍କା | ବାପା କହିଛନ୍ତି ଖୁବ୍ ଶିଘ୍ର ତାକୁ ମୁକୁଳେଇ ଆଣିବେ |  

 

କିଛି ବୁଝିପାରୁନଥିଲା ନେତ | ଅଚାନକ ଯେମିତି ସବୁ ଜିନିଷ ବଦଳି ଗଲା | ସେ ଜାଣି ପାରିଲା ନାହିଁ କେତେ ବେଳେ ତାର ଦିବାସ୍ବପ୍ନ  ଭାଙ୍ଗିଗଲା | ସତରେ କଣ ମାଧ ଲୁହା ପଥର ଚୋରି କରୁଥିଲା ! ତାକୁ ଆଦୌ ବିଶ୍ବାସ ହେଉନଥିଲା | ଭୋ ଭୋ ହୋଇ ଛୁଆଙ୍କ ପରି କାନ୍ଦି ଉଠିଲା ନେତ|ତାର କାନ୍ଦଣା ଶୁଣି ପାଖ ଘର ଖୁଡି ଜଣକ ଧାଇଁ ଆସିଲେ ସାନ୍ତ୍ବନା ଦେବାକୁ | ଗାଁ ମୁଣ୍ଡ ପୋଖରୀ ପାଖରେ ଥିବା ଶିବ ମନ୍ଦିର ଉହାଡରେ ସୂର୍ଯ୍ୟ ବୁଡି ଯାଉଥିଲେ | ଧିରେ ଧିରେ ମାର୍ଗଶୀର ମାସର ଶୀତୁଆ ସନ୍ଧ୍ୟା ଅନ୍ଧାରର ଚାଦରରେ  ଢାଙ୍କି ହୋଇ ଯାଉଥିଲା |

ନେତ ନଥ୍ କରି ବସି ପଡିଲା ତାର ପିଣ୍ଡା ଉପରେ| ଲୁହ ଛଳ ଛଳ ଆଖିରେ ସେ ଅନ୍ଧାରରେ ଶୂନ୍ୟକୁ ଚାହିଁ ରହିଥିଲା| ତାର ଆଖି ଚାହିଁ ରହିଥିଲା ମାଧର ଫେରିବା ବାଟକୁ, ସେ ଅପେକ୍ଷା କରିଥିଲା ଆଉ ଏକ ନୂତନ ସୂର୍ଯ୍ୟୋଦୟକୁ ଯିଏ ପୁଣିଥରେ ତା ମୁହଁରେ ହସ ଫେରେଇ ଦେବ|

 

ପୂର୍ଣ୍ଣଚନ୍ଦ୍ର ମହାକୁଡ

ସା/ପୋ : ଭଦ୍ରାସାହି,

ଜି : କେନ୍ଦୁଝର, ଓଡିଶା |

ପିନ୍ : ୭୫୮୦୩୫ |

Surjyodaya(Story) Kolahal(poem)

Rate the content


Originality
Flow
Language
Cover design

Comments

Post

Some text some message..