ଗୁରୁଦକ୍ଷିଣା
ଗୁରୁଦକ୍ଷିଣା
ଏମିତି ଗୋଟେ ପ୍ରତିଜ୍ଞାଟେ
କରି ଦେବା ପରେ
ସେ ହୁଏତ କ୍ଷଣଟିଏ ଭାବିଥିବ
କଣ ମାଗିବେ ଗୁରୁବର
ପାହାଡ ପର୍ବତ ଘେରା
ଶବର ମୁଲକ
ଆମ୍ବ ଖଜୁରୀରେ ଭରା
ଗୋଟେ କନ୍ଧରଜା ଗାଁ
ତା ଭିତରେ ଥିବ ଗୋଟେ
ନିଟୋଳ କୁଟୀର
ନହଲେ ପାରନ୍ତି ମାଗି
ଧନୁର୍ବାଣ ଲକ୍ଷ୍ୟ ଭେଦି ଶର
ଅବା ଗୋଟା ପଣେ ବଳିଦାନ
ଦେହରୁ ଅଲଗା କରି ଶିର !
ଅଥଚ ସେ କଣ ଜାଣିଥିଲା
ମୁଁ ମାଗିନେବି ତା ଦେହରୁ ଆତ୍ମା
ପୁଣି ଆତ୍ମାରୁ ଫଗୁଣ
ଅଲଗା କରିଦେବି ରାତିରୁ ନିଦ
ପୁଣି ନିଦରୁ ସପନ
ମାଗିନେବି ତା ଜିଇଁବାର
ସମସ୍ତ ପୁଲକ
ଅଥଚ ଯାଚି ଦେଉଥିବି
ବଂଚିବାର ପୁରା ଆଶ୍ଵାସନ !
ୟେ କେମିତିକା ଗୁରୁଦକ୍ଷିଣା?
ମୋ ଭାବିବାର ପାଳି ଏଥର
ମୁଁ ଚାହିଁଲେ ମାଗିଥାନ୍ତି
ତା ବିଦ୍ୟା ବୁଦ୍ଧି ଘର ବାଡ଼ି
ତୁଚ୍ଛ ଅହଂକାର
କି ମାତ୍ରକ ମୁହୂର୍ତ୍ତ ଭିତରେ
ସେ ଭେଟି ଦେଇଥାନ୍ତା
ତା ଅତି ପ୍ରିୟ ଧନୁତୀର
ଅବା ମସ୍ତକକୁ ମୋତେ ଉପହାର
କିନ୍ତୁ, ମୁଁ ଯେ ଗୃହତ୍ୟାଗୀ ଦ୍ରୋଣ
ସଂସାର ବିରାଗୀ
ଘରଦ୍ୱାର ଥାଟବାଟ
ଲୋଡ଼ା ନାହିଁ ମୋର
ମୁଁ ତ ଖାଲି ମାଗିଥିଲି
ଛୋଟ ଗୋଟେ ବୃଦ୍ଧIଙ୍ଗୁଳି
ଯେହେତୁ ସେ ଶିଖିଥିଲା
ସବୁ ବିଦ୍ୟା ଅଜ୍ଞାତରେ ମୋର ଇ
ଆଜି ଏକଲବ୍ୟ ଅଞ୍ଜଳିରେ ଭରା
ରକତ ଭିଜା ଆଙ୍ଗୁଠିଟେ
ହଳଦୀ ଅକ୍ଷତ ବୋଳା
ଅସ୍ତରାଗ ଆକାଶର
ଫେଣ୍ଟାଫେଣ୍ଟି ରଙ୍ଗ ନେଇ
ଦର୍ପ ଆଉ ନମ୍ରତାର ଅପୂର୍ବ ଠାଣିରେ
ଏକଲବ୍ୟ ଭେଟି ଦେଉଥିଲା
ତା ଗୁରୁଦକ୍ଷିଣାକୁ ଗୁରୁ ପାଦତଳେ
ଆଉ ଛାତିରୁ ଅଲଗା କରି
କଲିଜାକୁ ମୋର
କିଏ ଅବା ବାଢି ଦେଉଥିଲା ମୋରି ପାଦରେ I