ପ୍ରତ୍ୟାଶା
ପ୍ରତ୍ୟାଶା
ଶବ୍ଦହୀନ ରାତ୍ରୀର ଅନ୍ଧାର ଭିତରୁ
ଉଂକିମାରେ କାହିଁ କେତେ ଜୀବନ କାହାଣୀ,
କୁହୁଡିର ଶୀତଳ ଜମାଟ ତଳେ
ସ୍ପନ୍ଦିତ ହେଉଥାଏ ଆଶାଗ୍ନିଟେ ପୁଣି,
ଜୀବନର ଚଲାପଥ
ସବୁଦିଗୁଁ ସତେ ଅବା ରୁଦ୍ଧ,
ଶ୍ରାନ୍ତ, କ୍ଲାନ୍ତ, ବିବଶ ପଥିକ-
ବିଶ୍ୱର ନିୟମରେ ସ୍ତବ୍ଧ !
* * *
ହାଡଭଂଗା ଶୀତର ଶ୍ମଶାନ ସଜେଇ
ରାତ୍ରୀ କି ଗାଉଅଛି ମୃତ୍ୟୁର ଗୀତ ?
ଶିଥିଳ ରାସ୍ତାଘାଟେ
ଦୋକାନର ଧାଡି,
ହାତ ଠାରି କହୁଛି କି ଆଉ-
“ଦଣ୍ଡେ ଅଟକି ଯାଅ,
କିନ୍ତୁ, ବାଧ୍ୟ ତୁମେ
ପୁଣି, ଠିଆ ହେବା ପାଇଁ “ ।
ସେ ବାରଣ୍ଡାର ସୀମିତ ଆୟତ,
କୋଳେଇ ରଖିଛି ଏକ ଉଷ୍ମ ମାତୃତ୍ୱ-
ଦୁଇଟି ମାସର ଏକ ଅବୋଧ ପ୍ରାଣକୁ
ଢାଂକି ଚାଲେ ଚିରା ପଣତଟିଏ,
ଅନ୍ଧାରର ସମୁଦ୍ରରେ
ଶୀତର ଅକ୍ଟୋପସଟିଏ
କବଳିତ କରି ଚାଲେ
ଅନ୍ତରରୁ ଅନ୍ତରତମକୁ,
କିନ୍ତୁ, କେତେଦୂର ?
ସୃଜନୀ ଶକ୍ତି କେବେ ହାର୍ ମାନି ପାରେ !
ଜଡାଇ ଧରେ ତା’ ସୃଷ୍ଟିକୁ
ବକ୍ଷର ଅତଳ ଗହ୍ୱରେ,
ଆତ୍ମାର ଉଷ୍ମତା ସଂଚରିତ ହେଉଥାଏ
ଆଉ ଏକ ଆତ୍ମାକୁ;
କିଏ ଦେଖେ ,
କିଏ ଜାଣେ,
କିଏ ବୁଝେ ?
ସାକ୍ଷୀହୀନ ଜୀବନ ସଂଗ୍ରାମ ଯେତେ,
ସୁପ୍ତ ନୁହଁ, ଲୁପ୍ତ ନୁହଁ,
ଦୀପ୍ତ ତାଂକ ନିଜସ୍ୱ ତେଜରେ !
ଦେଖୁନାହଁ -
ବହଳ ଅନ୍ଧକାର ଚିରି
ମା’ର ଦୃଷ୍ଟି ଯେ ସ୍ଥିର ସେଇ
ନକ୍ଷତ୍ରର ଆଲୋକ ଦେଶରେ ;
ପ୍ରତୀକ୍ଷାର ଅନ୍ତ ଯେ ହେବ ପ୍ରତ୍ୟାଶାର ଅନନ୍ତ ଶକ୍ତିରେ - !!!