STORYMIRROR

Susama Mishra

Others

4.0  

Susama Mishra

Others

ସ୍ତ୍ରୀ ଲୋକ

ସ୍ତ୍ରୀ ଲୋକ

1 min
514




ଫ୍ରକ୍ ପିନ୍ଧା ଝିଅଟିକୁ ଛାଡ଼ିଦେଇ ଆସିଲି ବାଲି ଘରେ

ସଢ଼େଇରେ ମିଛି ମିିଛି ଭାତ ରାନ୍ଧିବାକୁ

ନୂଆ ନୂଆ ଶାଢ଼ୀ ପିନ୍ଧା ଝିଅଟିକୁ

ଛାଡ଼ି ଦେଇ ଆସିଲି ଦର୍ପଣ ଆଗରେ

ନିଜ ଚେହେରାକୁ ଦେଖି

ପହିଲି ଚମକରେ ଚମକି ଯିବାକୁ।

ମନ ଲଗାଇ ପଢ଼ୁଥିବା ଝିଅଟିକୁ

ଛାଡ଼ିଦେଇ ଆସିଲି ପଢ଼ାଘରେ

କୃତିତ୍ଵର ପାହାଚରେ ପାଦ ଥାପିବାକୁ।

ନିଜକୁ ଛାଡ଼ିଦେଇ ଆସିଲା ପରେ

ତିନୋଟି ଛକରେ

ଯିଏ ବଳି ଗଲା ସେ ଏକ ସ୍ତ୍ରୀ ଲୋକ ହୋଇଗଲା

ତାର ମିଛ ବାଲିଘର

ସତ ହୋଇଗଲା କଂକ୍ରିଟ କାନ୍ଥରେ।

ତା ହାତରେ ହାତ ବାନ୍ଧି ହେଲା ପରେ

ସେ ସତ ସତ ରାନ୍ଧିବା ଶିଖିଲା

ଘର କାମ ପାଇଁ ଏକନିଷ୍ଠ ଶ୍ରମିକ ହୋଇଲା।

ସେ ଯେବେବି ଦର୍ପଣ ଆଗରେ ଠିଆ ହେଉଥିଲା

ବଦଳି ଯାଉଥିଲା ତାର ନିଟୋଳ ଚେହେରା

ସେ ଯେବେ ବି ବହି ଖୋଜିଲା

ସଫଳତାର ସିଡ଼ି ଚଢ଼ିବା ପାଇଁଁ

କ୍ଲାନ୍ତିର ଶେଯରେ ଶୋଇ

ଜୀଉଁଥିବା ଜୀବନକୁ ହିଁ

ଏକାଗ୍ର ଚିତ୍ତରେ ପଢ଼ିବାକୁ ଲାଗିଲା।

ମୋତେ ଚୁକ୍ତି କରିବାକୁ ହେଲା, ଆଜୀବନ

ସେମାନଙ୍କ ଇଚ୍ଛାର ତୂଳୀ ଧରି ରଙ୍ଗେଇବାକୁ

ଜୀବନ ବହିର ମଲାଟ।

ସେଇ ଦିନରୁ

ନିଜଠୁ ଅଲଗା କରି ସ୍ତ୍ରୀ ଲୋକଟିକୁ

ମୁଁ ଛାଡ଼ି ଦେଇ ଆସିଛି

ସଖୀ କଣ୍ଢେଇ କରି ସେ ଅଗଣାରେ।

ଏକାନ୍ତରେ ନିଜ କଥା ନିଜକୁ ପଚାରି

କେବେ କେମିତି

ନିଜକୁ ମୁଁ କହି ଦେଉଛି

ସହିବାର ସୀମାନ୍ତରେ

ଅଧିକାଂଶ ନାରୀ

ଠିକ୍ ମାେ ପରି

ଗୋଟେ ଗୋଟେ କଳଙ୍କିଲଗା ତରବାରୀ।


ଡ ସୁଷମା ମିଶ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍