ପବିତ୍ର ବନ୍ଧନ
ପବିତ୍ର ବନ୍ଧନ
ବଡି ସକାଳରୁ ଚିଲ୍ଲେଇ ଡାକିଲା ନିଦ ମୋର ଗଲା ଭାଙ୍ଗି
ଆଖି ମଳି ମଳି ନିଦରୁ ଉଠି ମୁଁ ଚାହିଁଦେଲି ତାକୁ ରାଗି |
କ୍ରୋଧ ଭରା ମୋର ନାଲି ଆଖି ଦେଖି ଭୟରେ ଆସିଲା ଧାଇଁ
କୋଳରେ ମୋହର ମୁହଁକୁ ଲୁଚାଇ କାନ୍ଦିଲା ସେ କଇଁ କଇଁ |
ଚାହିଁଦେଲି ତାର ନିଷ୍ପାପ ମୁହଁକୁ ରାଗ ମୋ ଗଲା ଉଭେଇ
ସ୍ନେହବୋଳା କଣ୍ଠେ ପଚାରିଲି ତାକୁ କାହିଁକି କାନ୍ଦୁଛୁ ତୁହି |
ରକ୍ଷାର କବଚ ବାନ୍ଧିବି ତୋ ହାତେ କାଳିଆକୁ ରଖି ସାକ୍ଷୀ
ଜଗତଜିତା ଯେ ହବ ମୋର ଭାଇ ସେଥିପାଇଁ ଦେଲି ଡାକି |
ଧୂପ ଦୀପ ଜାଳି ବନ୍ଦାପନା କରି ରାକ୍ଷୀ ବାନ୍ଧିଦେବି ହାତେ
ସମ୍ପଦେ ବିପଦେ ମୋ ଚଲାପଥେ ସାହା ହେବୁ ତୁହି ମୋତେ |
ଦେଖି ତ୍ୟାଗ ତାର ଲଜ୍ଜାରେ ମୋର ମୁଣ୍ଡଟା ଗଲା ନଇଁ
ଆଜିର ସମାଜେ ସ୍ୱାର୍ଥପର ଭାଇ ତାର ମୂଲ ବୁଝେ ନାହିଁ |
ଭାଇ ଭଉଣୀର ମଧୁର ସମ୍ପର୍କେ ବିଷ ତ ଭରିବା ନାହିଁ
ଭଗିନୀ ଅଟଇ ଜନନୀ ସମାନ ଏ କଥା ନ ଭୁଲ ଭାଇ |
ରାକ୍ଷୀ ପୁର୍ଣିମାର ପବିତ୍ର ବନ୍ଧନ ଏହି ମହା ଶିକ୍ଷା ଦେଉ
ଭାଇ ଭଉଣୀଙ୍କ ସୁମଧୁର ସ୍ମୃତି ଚିର ଅମଳିନ ଥାଉ |