Jyotshna Prusty

Others

3  

Jyotshna Prusty

Others

ଯାହାକୁ ରଖିବେଅନନ୍ତ

ଯାହାକୁ ରଖିବେଅନନ୍ତ

2 mins
7.9K


ଭଦ୍ରକ ଭଳି ଏକ ଛୋଟ ସହରରେ ଗତିକୃଷ୍ଣ ବାବୁ ସପତ୍ନୀ ପରିବାର ଓ କୁଟୁମ୍ବଙ୍କ ସହ ବସବାସ କରୁ ଥାଆନ୍ତି। ତାଙ୍କର ଦୁଇ ଝିଅ ଏବଂ ଗୋଟିଏ ପୁଅ । ବଡ଼ ଝିଅ ତନ୍ମୟୀ( ତନୁ) ସ୍ବଭାବିକ ସରଳ ଝିଅଟିଏ । ସଂଯୁକ୍ତ ପରିବାର ରେ ଲାଳନ ପାଳନ ହୋଇ ଥିବାରୁ ,ଉତ୍ତମ ସଂସ୍କାର ପାଇଥାଏ । ତାଙ୍କ ଘର ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ । ତେଣୁ ପ୍ରାକୃତିକ ପରିବେଶ ବେଶ୍ ସମୃଦ୍ଧ କାରଣ ସେବେ ହଦଗଡ଼ ବନ୍ଧ ନିର୍ମାଣ ହୋଇ ନଥାଏ । ନଈ କୂଳ ପାଳ ଜମିରେ ବିଭିନ୍ନ ପ୍ରକାର ପନି ପରିବା ,ଫୁଲ ଫୁଲୁରୀ ଚାଷ ଦେଖି କେହି ବି ଖୁସି ହୋଇ ଯାଆନ୍ତି ।

ଦିନକର ଘଟଣା ; ପଞ୍ଚମ ଶ୍ରେଣୀରେ ପଢୁ ଥିବା ତନୁ ନିଜ ଘର ଅଗଣାରେ ଖେଳୁ ଥାଏ ।ମାଟିରେ ଗଢ଼ା ହାଣ୍ଡି ,ଡେକେଚି ଓ କଡେଇ ସଢେଇରେ ରୋଷେଇ ଖେଳ । ଖେଳୁ ଖେଳୁ କଣ ଭାବିଲା କେଜାଣି କାନ୍ଧରେ ଗୋଟେ ଗାମୁଛା ପକାଇ ନଈ ଆଡେ ମୁହାଁଇଲା । ନଈ କୂଳ ତୁଠ ପଥର ଉପରେ କିଛି ସମୟ ଠିଆ ହୋଇ ପାଣିକୁ ଚାହିଁଲା , ମନ ଭରି ଗାଧୋଇବା ପାଇଁ ନଈ ଭିତରକୁ ପଶିଲା । ଅଳ୍ପ ପାଣିରେ ଗାଧାଉ ଗାଧାଉ କେତେବେଳେ ଅଜଣାତରେ ବେଶୀ ପାଣିକୁ ଚାଲି ଗଲା । ପ୍ରଖର ଶ୍ରୋତ ଟାଣି ନେଉଥାଏ । ସେ ପହଁରା ଜାଣି ନାହିଁ । ଯେତେ ଛାଟିପିଟି ହେଲେ ମଧ୍ୟ ଥଳ କି କୂଳ ପାଉ ନାହିଁ । ଉବୁଟୁବୁ ହେଉ ଥାଏ ।ବୋଧ ହୁଏ ଏଇ ତା'ର ଶେଷ ଦିନ । ସେ ବୁଡି ଯାଉ ଥିବା ବେଳେ ଦୁଇ ହାତ ଉପରକୁ ଉଠାଇ କାହାକୁ ବିକଳରେ ଡାକୁ ଥିଲା ସତ କିନ୍ତୁ ତା ଡାକ ନଈର ବିସ୍ତୃତ କାୟା ଓ ଦୂରରୁ ପୋଲ ଉପରେ ଯାଉଥିବା ଯାନବାହାନ ମୋଟର ଶବ୍ଦରେ ମିଳେଇ ଯାଉଥିଲା । ଚାରିଆଡେ ଅନ୍ଧକାର ଘେରି ଆସିଲା । ତୁଠ କି ଜନ ବସତି ଦେଖା ଯାଉ ନାହିଁ ।ଆଖି ଖୋଲିବାକୁ ଚେଷ୍ଟା କରି ହାରି ଯିବା ଉପରେ ।

ଠିକ୍ ଏହି ସମୟରେ ହଠାତ୍ କେହି ଜୋର କରି ପାଣି ଭିତରୁ ବାହାରକୁ ହାତ ଧରି ଟାଣି ନେବା ପରି ତାକୁ ଅନୁଭବ ହେଉ ଥାଏ । ଗଭୀର ନିଦର ସପନ କି ? ଆଖି ଖୋଲି ଦେଖିଲା ସୁଦୂରରେ ବହୁତ ସୁନ୍ଦର ବାଳକ ଶିଶୁ ଟିଏ ମୁରୁକି ମୁରୁକି ହସି ଚାଲି ଯାଉଛି । ବେଳେବେଳେ ପଛକୁ ଫେରି ଚାହିଁ ହସୁଥିଲା । ତନୁର ଆଶ୍ଚର୍ଯ୍ୟ ମନରେ ପ୍ରଶ୍ନ ଉଙ୍କୁ ଥାଏ । (କିଏ ସେହି ବିସ୍ମୟ ବାଳକ ଶିଶୁ ରୂପୀ ଦେବତା ? , ଯିଏ ଜୀବନ ଦାନ ଦେଇ ଗଲେ ) ଉତ୍ତର ଦେବା ପାଇଁ କେହି ନାହିଁ । ତାହେଲେ କ'ଣ ସେ ଭାବଗ୍ରାହୀ ଭକ୍ତର ଠାକୁର ,ଆରତ ହରଣକାରୀ ଜଗତପତି ପ୍ରଭୂ ଶ୍ରୀ ଜଗନ୍ନାଥ ତାକୁ ଉଦ୍ଧାର କରି ଦେଇ ଗଲେ । କିଛି ସମୟ ଉତ୍ତାରୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ କହି କହି ଘର ଅଭିମୁଖେ ଚାଲିଲା । ସେହି ଦିନ ଠାରୁ ଯେ କୌଣସି ପରିସ୍ଥିତି ପରିବେଶର ସାମନା କରିବା ପୂର୍ବରୁ ସ୍ମରଣ କରି ଜୀବନ ଯାତ୍ରା ଅବ୍ୟାହତ ରଖି ପାରିଛି । ସତରେ ଯାହା କୁହନ୍ତି "ଯାହାକୁ ରଖିବେ ଅନନ୍ତ ,କି କରି ପାରେ ବଳବନ୍ତ " ।

(ଶ୍ରୀମତୀ ଜ୍ୟୋତ୍ସ୍ନା ପୃଷ୍ଟି ,ସୌଭାଗ୍ୟ ନଗର ,ୟୁନିଟ-୮,ଭୁବନେଶ୍ବର)


Rate this content
Log in