Dr Mousumi Parida

Others

3  

Dr Mousumi Parida

Others

ତୁମେ ମୁଁ ଓ ମୋକ୍ଷ

ତୁମେ ମୁଁ ଓ ମୋକ୍ଷ

6 mins
845


ଗୋଟେ ରାତି ଥିଲା, ଜହ୍ନମାର୍କିଆ । ଗୋଟେ ସ୍ୱପ୍ନ ଥିଲା ଚକମକିଆ । ତାରାଭର୍ତ୍ତି ଆକାଶର କାନଭାସ୍ ସହ ମନର ଙ୍ଗତୂଳୀମନ୍ଦ ନଥିଲା ବଞ୍ଚିବାର ଶୈଳୀ ଅଭାବମାନଙ୍କ ରୁଗ୍ ରୁଗ୍ ପୋଡାରେ। ମୁଣ୍ଡଟା ଯେତେବେଳେ ଧକ୍ ଧକ୍ ହେଉଥିଲା ମାଇଗ୍ରେନରେ, ଆକାଶ ତଳକୁ ଖସିପଡୁଥିଲା ଖଣ୍ଡ ଖଣ୍ଡ ହୋଇ ! ଜମାଟ ବାନ୍ଧୁଥିଲା ରକ୍ତ, ଅଚେତ ପ୍ରାୟ ଶରୀରରେ ଖେଳିଯାଉଥିଲା ବିଜୁଳି , ଘମାଘୋଟ୍ ବାଦଲମାନଙ୍କ ଲଢେଇରେ । କେତେ ଅସରା ବର୍ଷୁଥିଲା ବର୍ଷା ସେସବୁର ସାକ୍ଷୀ ଏକା ତ ତୁମେ ! 


ମରୁଭୂମିର ଶୋଷିଲାକୁ ଦେଖିଛ? ମଥା ଉପରର ଖରା, ପାଦତଳର ବାଲି ଓ ଅଠା ହୋଇଯାଉଥିବା ତଣ୍ଟି ସହ ଆଉ କେତେ ଯେ ସମସ୍ୟା ତା ବେକ ମୋଡିବାକୁ ବ୍ୟାକୁଳ ଥାଏ ସେକଥା କାଇଁ ପଚାରୁଛ! ବିଡମ୍ବନା ଦେଖ -ତା'ଠୁ ପାଣି ବୁନ୍ଦାଟେ ବି ଥିବ ଅପହଞ୍ଚ ! ଏପଟେ ଟ୍ୟାପରୁ ଅନର୍ଗଳ ବୋହିଚାଲିଥିବ ପାଣି ! ଗୁଳିବିଦ୍ଧ ଶରୀରକୁ ଦେଖିଛଯେମିତି ସେ ମୁକ୍ତି ଚାହୁଁଥିବ ଯନ୍ତ୍ରଣାରୁ ! ନବେ ପ୍ରତିଶତ ପୋଡିଯାଇଥିବା ମଣିଷଟି କିପରି ଅସହାୟତା ରୁଣ୍ଡେଇ ପଡିଥାଏ ! କୋଉ ନିର୍ଦ୍ଦିଷ୍ଟ ଯନ୍ତ୍ରଣାଟି ପାଇଁ କାନ୍ଦେ ସେ କୁହ ତ ! ସାରା ଶରୀର ଅବଶ ହୋଇପଡିଥିଲେ ବି ତା ଭିତରର ନିଆଁରେ ସେ ପାଉଁଶ ହୋଇସାରିଥାଏ ! ଯନ୍ତ୍ରଣା ବି ବହୁରୂପୀବେଳକାଳ ଜାଣି ପାଦ ଟିପି ଆସୁଥାଏ !


ସେଭଳି ମୁଁ ବି ଗୋଟେ ଯୁଦ୍ଧ ଲଢି ଫେରିଆସେ ନିଖୁଣ ଭାବେ । ମୋ ଭିତରେ ପୋଡିଯାଉଥିବା ମଣିଷ, ପୁଣି ଗୁଳିବିଦ୍ଧ ଶରୀର ପୁଣି ମରୁଭୂମିର ସେ ଅସହାୟ ମଣିଷ ଏକାକାର ହୋଇ ଲଢୁଥାନ୍ତି ଜୀବନ ସହ ! ପାଖରେ ସ୍ୱୟଂ ଈଶ୍ୱର ଥା'ନ୍ତି କି ତାଙ୍କ ଦୂତ ଜାଣେନା, କିନ୍ତୁ କେହି ତ ଥା'ନ୍ତି ନିଶ୍ଚୟ । ବିପର୍ଯ୍ୟସ୍ତ ମନ ଓ ଶରୀରର ସବୁ ଅଭାବ, ଅସହାୟତା ଏବଂ ଜ୍ୱଳନକୁ ଗୋଟେଇନେବାକୁ । ତେବେ ବି କହିବି ମନ୍ଦ ନଥିଲା ଜୀବନ । ପାଦ ସହ ପାଦ ମିଶାଇ ଚାଲୁଥିବା ବିଶ୍ୱାସୀ ସାଥୀଟେ ମିଳିଗଲେ କଣ୍ଟା ବି ଫୁଲ ପାଲଟେରକ୍ତ ବି ମଲମ ପରି କ୍ଷତ ଭରୁଥାଏ ।


ରୋଜ୍ ଗୋଟେ ଘଟଣା ଘଟୁଥିଲା ସେତେବେଳେ, ଯାହା ଆଜିଯାଏଁ ବି ଘଟୁଛି ନିରନ୍ତର। ମୋ ନିଦସବୁ ତୁମ ଆଖିରେ ଜମାଟ ବାନ୍ଧନ୍ତି ! ତୁମ ଅବଶୋଷତକ ମୋ ଆଖିରେ! ନିଦ-ଶୂନ୍ୟ ଆଖି ଅନ୍ୟ ହଳକ ଆଖିର ଶାନ୍ତି ମାପୁ ମାପୁ ଯନ୍ତ୍ରଣା ଖୋଜେ ଅଧାରାତିରେ ! କୁହନ୍ତି ଅଧାରାତିର ଇଚ୍ଛା କାଳେ ପୂରଣ ହୋଇଯାଏ । ସୈତାନ କାଳେ ଛକିଥାଏ ଈଶ୍ୱର ହେବାକୁ ! ସେଥିପାଇଁ "ତଥାସ୍ତୁ" କହିବାକୁ ବ୍ୟାକୁଳ ହୁଏ । ଇଚ୍ଛା ଓ ଯାତନାମାନଂକ ପ୍ରତୀକ୍ଷାରେ ରାତି ସାରେ । ଈଶ୍ୱରଙ୍କୁ ଭେଟିଛି ଅନେକଥର । ସୈତାନ ସହ ବି ଲଢିଛି । ଉଭୟ ନିଜ ସ୍ଥିତିରେ ଯେତିକି ଅସହାୟ ସେତିକି ଲହୁଲୁହାଣ ହୁଏ । ଅବଶ୍ୟ ସୈତାନର "ତଥାସ୍ତୁ" ଅଧାରାତିର ଯନ୍ତ୍ରଣାକୁ ନେଇ କବିତାର ରୂପ ଦିଏ ନହେଲେ ଗପର ରଙ୍ଗ ! ଆଉ କେବେକେବେ ଲମ୍ବେଇଯାଏ ରାତି ଗୋଟେ ଅସମାପ୍ତ ଉପନ୍ୟାସ ପରି ଯେ ଖୋଜେ ପୁଣି ଗୋଟେ ଅସମାପ୍ତ ରାତି !


ଜୀବନରେ ଈଶ୍ୱରଂକ ସହ ସୈତାନ ବି ରହିବା ଜରୁରୀ ! ତେବେ ଯାଇ ଜୀବନ ସୁନ୍ଦର ଓ ପରିପୂର୍ଣ୍ଣ ମନେହୁଏ ! ଝରଣା ପରି ଗୁଣୁଗୁଣାଉଥାଏ, ଅବୋଧ ଶିଶୁ ପରି ବାଦଲ ବଣ ଜଙ୍ଗଲ ସମୁଦ୍ର ସବୁଠି ଧାଉଁଥାଏ । ପବନ ପରି ତାନଟେ ଗଢି ପତ୍ର ଫାଂକରେ ହାକୁଡି ମାରୁଥାଏ । 


ସେବେ ଲୁହ ବି ବେତାଏ ମଲ୍ଲୀଫୁଲିଆ ବାସ୍ନା ନଇଲେ ମହୁର ମିଠାସ୍ ନେଇଆସେ। ମୁଠେ ହସ ବୁଣିଦେଲେ ଅମାବାସ୍ୟା ପୂର୍ଣ୍ଣିମାରେ ଆଉ ଦିନଟା ଇନ୍ଦ୍ରଧନୁର ସାତରଙ୍ଗରେ ରଙ୍ଗେଇ ହୋଇଯାଏ ! ରାଗରୁଷାରେ ବି କିଛି ଗୋଟେ ଥାଏଏଇ ଯେମିତି ମେଂଚେ ବଉଳ କି କାମିନୀ ପାଖୁଡା ( ଯଦିଓ ଏକା ଋତୁରେ ସଂଭବ ନୁହଁ ) । ବୋଧେ ଖୁବ୍ ବେଶି ବିଶ୍ୱାସ ଓ ଜିଦ୍ ଧରି ମନ୍ଦାର ଫୁଲର କ୍ଷତ ଓ ପଂଚୁଫୁଟଣରୁ କଳାଜୀରା ବାହାର କରିବାର ଯାତନା ସହେ ! ଜୀବନ ଯେ ଅସରନ୍ତି 'ହୁଁ' ର କାହାଣୀଯେଉଁଠି ସବୁ ମୂଲ୍ୟବାନ୍ ମୂଲ୍ୟହୀନ । ସବୁ ଶିଖର , ମାଟି ଉପରର ନାଲି କାଇଁଚ ! କେବେ ପ୍ରାପ୍ୟ କେବେ ଦୁଷ୍ପ୍ରାପ୍ୟ । 

ତୁମକୁ ଦେଖେଇ ମୁଁ ସୋରିଷ ବୁଣେ ଚଟାଣରେମାଛ ଭାଜିଲାବେଳେ ତତଲା ତେଲ ଛିଟ୍କାରେ ନିଜକୁ ଜଳାଏ । କାଇଁ କେଜାଣି ତୁମେ ରାଗନି ! ବରଫ ଲଦ, ସୋରିଷ ସବୁଙ୍କୁ ଗୋଟାଇବାରେ ସାହାଯ୍ୟ କର । ଯେତିକି ବି ଭର୍ତ୍ସନା କର ଭାରି ହସ ଲାଗେ ! ତୁମକୁ ରାଗିଆସେନା କି ମୋତେ ତୁମକୁ ରଗେଇ ଆସେନା । ଅନୁଭବ କରେ ତୁମ ଭଲପାଇବା ! ତୁମେ ଶବ୍ଦରେ ବିଶ୍ୱାସ କରନି କାମରେ କରିଦେଖାଅ ! ମୁଁ କିନ୍ତୁ ଶବ୍ଦମାନଂକ କବ୍ଜାରେ ନିଜକୁ ଉଣ୍ଡାଳିହୁଏ ! ତେବେ ବି ତୁମେ ରାଗନି ମୋ ନିର୍ବୋଧତାରେ !!


ଜୀବନର ଯେତିକି ବିଡମ୍ବନା ଘଟେ ସେତିକି ଅସହାୟତା ବି ମ୍ରିୟମାଣ କରେ । ସହିବାକୁ ହୁଏ ବିଲକୁଲ୍ କରିନଥିବା ଭୁଲର ପରିଣାମ । ଯଦି ରାଗୁଥାନ୍ତ ମୁଁ କଣ ଅସହାୟତାର ଦଲଦଲ ମାଟିରେ ବୁଡିବୁଡିଯାଇଥାନ୍ତି !! ଓହ୍ ମୋ ନିର୍ବୋଧପଣକୁ କାଇଁ ଏତେ ସହ ଯେ ! ଖୁବ୍ ରାଗନ୍ତ, ଗାଳି କରି କହନ୍ତ - "ଛାଡ ସେ କଲମ ଚାଷ। ମନଦିଅ କଂନିନେଣ୍ଟାଲ ବନେଇବାରେ । ଥାଇ ଫୁଡ୍ ଇଶାକୁ ଶିଖ । ସପିଂ କର । ସାଂଗଟେ ସିଂଗାପୁର ଯାଇଛି, କଣ ଦରକାର ବୋଲି ପଚାରୁଥିଲା କଣ ମଗେଇବ ତାଲିକା କର । ମା କିପରି ସଜନା ବଡି ରାଇତା ବନାଏ ଖଅଂଗା ମାଛରେ କି ମସଲା ଦିଏ ପଚାର ମଟନ୍ ତା ହାତରେ କିପରି ସ୍ୱାଦୁକର ହୁଏ ବୁଝିନିଅ । " 


କିଛି ବି କୁହନି ଏସବୁ । କାଇଁ କହନି ଯେ ! ଓଲଟି ଦେଖୁଥାଅ ଧଇଁସଇଁ ହୋଇ ମୁଁ କିପରି ଧାଉଁଥାଏ ଏ କୋଣରୁ ସେ କୋଣକୁ ତୁମ ଦୁନିଆର ! ସେଥିପାଇଁ ମନକୁ ବୁଝାଇଦିଏ - ବୋଧେ ମୋତେ ମନାଇ ଆସେନି ବୋଲି ତୁମେ ରାଗନି । ତୁମେ କିନ୍ତୁ କୁହ - "ଆରେ ବାବା ସେ ବରକୋଳିଆ ବର୍ଷାଟୋପାକୁ କିଏ ସହିବ !! ତା ସହ ଯୋଉ କୁଆପଥର ମାଡ !! ବୁଦ୍ଧିଘର ଉଡେଇନେବ ପରା "! ଖୁବ୍ ହସେ ଆମେ ଦିହେଁ ପରସ୍ପରର ଅଭାବକୁ ପୂରଣ କରି । 


କିଏ କହେ ଜଣକୁ ବୁଝିଯିବା ପରେ ଆବେଗରେ ଭଟ୍ଟା ପଡେ ବୋଲି ? କିଏ କହେ ଜୀବନତମାମ୍ ଅତି ନିଜର ଭାବେ ଜଣେ କି ଦୁଇଜଣ ଯଥେଷ୍ଟ ନୁହେଁ ବୋଲି ? ନିଜକୁ ଓ ସାମ୍ନା ଲୋକକୁ ସେତିକି ଭଲପାଇବା ଦେଇ ତ୍ୟାଗ ଓ ବିଶ୍ୱାସରେ ବାନ୍ଧିପାରିଲେ ସିନା !! ଆଚ୍ଛା , ସାରା ଜୀବନ ମଣିଷ ନିଜକୁ କିପରି ଏତେ ଭଲପାଇପାରେ !! ନିଜ ଦୋଷତ୍ରୁଟିକୁ ଅଣଦେଖା କରି କିପରି ଅନ୍ୟର ଅଭାବଗୁଡିକୁ ଖୁଂଟୁଥାଏ ! 


ମଣିଷ କେବେଠୁ ଓ କୋଉଥିପାଇଁ ନିଜକୁ ନଈର ସ୍ରୋତ ବୋଲି ମନେକଲା ଜଣାନାହିଁ !! ବୋଧେ ନିଜ ଅନୁସାରେ ନିଜ ଭ୍ରମ ପ୍ରମାଣିତ କରିବାକୁ ! ନଈ ଓ ମଣିଷ କଣ ସବୁଥିରେ ସମାନ ? ଦୁହିଙ୍କ ଧର୍ମ କଣ ଗୋଟାପଣେ ଅଭିନ୍ନ ? ମଣିଷ ଭିତରେ କଣ ଏତେ ନମନୀୟତା ଥାଇପାରେ ? 


ଯଦି ନଦୀ ଓ ମଣିଷ ସମାନ ତେବେ ସମୁଦ୍ରରେ ନିଜକୁ ସମର୍ପଣ କରି ନିଜ ଅସ୍ତିତ୍ୱ କାଇଁ କାମନା କରେ ମଣିଷ ( ସେ ନାରୀ ବା ପୁରୁଷ ଯେ ବି ହେଉ ) ନଦୀ ତ ଖୋଜେନି ନିଜ ଠିକଣା? ମଣିଷ ଋତୁ ପରିବର୍ତ୍ତନ ପରି ନିଜକୁ ବଦଳାଉ ଭଲ ହେଲେ ଅନ୍ୟର ମନ ସହିତ କୌଶଳ ନକରୁ । କାହାକୁ ଅନ୍ୟାୟରେ ଧରାଶାୟୀ କରି ଜିତାପଟ୍ ର ବାହାବା ନଲୁଟୁ ।


ସେଥିପାଇଁ ହୁଏତ ମାଆ ବାପା ହଳେ ଜୀବନରେ ଆଶିଷ ବାଢିବାକୁ! ବିବାହ ନାମକ ବନ୍ଧନ ବି ସେଇ ଏକକବାଦକୁ ବିଶ୍ୱାସ କରେ । ସଚ୍ଚୋଟ ସଂପର୍କରେ ବୁଦ୍ଧି କି ଚତୁରତା ଖଟେଇବାକୁ ପଡେନି । ସେଠି ଆତ୍ମସମର୍ପଣ ଥାଏ, ହାର୍ ଜିତର ଖେଳ ନଥାଏ ॥


ଜୀବନକୁ ବ୍ୟବଚ୍ଛେଦ କରିବା ମୁଁ ବି ଶିଖିଗଲି ସେତେବେଳଠୁ ଯେବେ ଆଖପାଖର କିଛି ମିଛ ଶ୍ରଦ୍ଧା ବାଣ୍ଟୁଥିବା ଲୋକଙ୍କୁ ଭେଟିଲି। ସଫଳତା ପାଇଁ ନିଜ ସଚ୍ଚୋଟତାକୁ ବାଜି ଲଗାଉଥିବା ଲୋକେ ବହୁତ। ସେସବୁ ଭିତରେ ବହୁତ କିଛି ଶିଖିଗଲି । କିପରି କ୍ଷତରୁ ରକ୍ତକୁ ରୋକି ହସାଯାଇପାରେ, କିପରି ଅନ୍ୟକଥାରେ ଜଣକୁ ବିଲକୁଲ୍ ନଜାଣି ତା ବିଷୟରେ ଉଦ୍ଭଟ କଳ୍ପନା କରାଯାଇପାରେ, କିପରି କିଛି ପ୍ରାଣୀ ଅନ୍ୟର ଲାଂଜ ଧରି କିଛି ସମଧର୍ମୀଙ୍କୁ ପାର କରାଇ ପାଊଣା ଆଦାୟ କରିବାକୁ ଚେଷ୍ଟିତ ଥାଏ , କାହା ହସରେ କେତେ ପ୍ରବଂଚନା, କେତେ କ୍ଷୟକ୍ଷତିର ସଂଭାବନା , କେ' କେତେ ଛଳୁଥାଏ , ଗିଳୁଥାଏ ଆଉ ଜାଲ ବିଛାଇ ପକ୍ଷୀ ଧରୁଥାଏ ସବୁ ବୁଝିଯାଇଥିଲି ॥


ଇଂଜେକ୍ସନ ନେବା ପୂର୍ବରୁ କି ପରେ କାନ୍ଦିବା ଭୁଲିଗଲି ! ବେଜେ ଶାରୀରିକ ଯନ୍ତ୍ରଣା ଧରି ଧାଇଁଲି ଘରୁ କଲେଜ, କଲେଜରୁ ଯନ୍ତ୍ରଣା ଯଚା ହେଉଥିବା ବଜାରକୁ। ଯୋଉବାଟେ ମୋର ରୋଜ୍ ଭେଟ ହୁଏ ଅସହାୟତା ସହ । ମଣିଷଂକୁ ଚିହ୍ନିବା ଭୁଲିଗଲି !! କେତେବାର ମୋ ସରଳତା ଓ ସଚ୍ଚୋଟତାରେ ସେମାନେ ନିଆଁ ଲଗେଇଲେ କେତେବାର ସେମାନେ ମୋ ଆସ୍ମିତାକୁ ଶରବିଦ୍ଧ କରିବାକୁ ଚେଷ୍ଟା କଲେ ମନେଅଛି । 


କୋଉ ହରେଇପାରିଲେ !! ଲୁହ ବି ବୁଝିଗଲା ମନ କି ଦେହରେ ଦାଗ ହେଲେ ମାତ୍ର କିଛି ଦିନରେ ଭରିଯାଏ । ଯାତନା ନଥାଇ ଜୀବନ ଗୋଟେ କି ଜୀବନ ତୁମେ ଇ ବୁଝାଇଦିଅ । ସମସ୍ୟାକୁ ଆଡ କରି ସାମ୍ନା କରି କିପରି ବାଜି ଜିତିହୁଏ ତୁମେ କରିକି ଦେଖେଇଦିଅ । 


ଆଖି ଆଉ ପିଆଜ କାଟିବା ବେଳେ ବିଲକୁଲ ହଇରାଣ କରେନି । ନଡିଆ ଛଡେଇଲାବେଳେ ଛୁରୀରେ ହାତକଟି ରକ୍ତ ବହିଲେ ବି କଷ୍ଟ ହୁଏନି । ତତଲା କଡେଇରେ ନିଜେ ଛାଣିହେବା ଆଉ ଅସମ୍ଭବ ମନେହେଲାନି ! ସବୁ ସମସ୍ୟା ଆଗପରି ମନକୁ ବାଧିଲାନି ସେମିତି ! ସତରେ ସମସ୍ୟା ଘେରରେ ବଞ୍ଚିବା ଶିଖିନେଲି । 


କାଇଁ ଜାଣ? ତୁମେ ମୋ ହାତ ଧରିଥିଲ ବୋଲି ! ଦିହିଙ୍କ ଛାଇ ଯୋଉଠି ଏକ ହୁଏପରସ୍ପରକୁ ପଢିହୁଏ ବିନା ଶବ୍ଦରେ ଯୋଉଠିସେତିକି ମାତ୍ର ଶାରୀରିକ ଦୂରତା ଥିଲା ଆମ ଭିତରେ ! ବାସ୍ତବରେ ମାନସିକ ଦୂରତା ଇ ନଥିଲା !! 


ଆମେ ଥିଲେ। ଥିଲା ଦୁଇହଳ ଆଖି ଆଉ ବେଜାଏ ଉଚ୍ଚାଟନ ଦୁଇ ହୃଦୟର ଅଗଣିତ ସ୍ପନ୍ଦନରେ। କେଜାଣି କାହିଁକି ଜୀବନକୁ ବୁଝିବା ପରେ ସ୍ୱପ୍ନ ହଳେ ବା ଅଧିକ ନହୋଇ ଗୋଟେ ଥିଲା ! ବୋଧେ ଦୁହେଁ ପରସ୍ପରର ପରିପୂରକ ଥିଲେ ନହେଲେ କା' ! ଏମିତି ହିଁ ହୁଏ, ଅସମ୍ଭବ ନୁହେଁ ତ !! ହୁଏ, ଯଦି ଜଣକର ସ୍ପନ୍ଦନରେ ଆରଜଣକ ସ୍ପନ୍ଦିତ ହେଉଥାଏ । ମାନୁଛି ଏସବୁ ସାଧାରଣ କଥା ନୁହେଁ । ଆଖିମୁଦି ବିଶ୍ୱାସ କରିବାସବୁକଥା ଓଗାଳି ଦେଇ ନିଶ୍ଚିନ୍ତ ହୋଇଯିବା, ଗୁଡେ ମୁହଁ ଫୁଲେଇବା ଏସବୁ ଭିତରେ ଆମ ଜୀବନ ବି ଅନେକ ମୋଡ ବୁଲାଣି ଡେଇଁଚି । ଭଉଁରିରୁ ମୁକୁଳି ଧାଇଁଚି ସୁନ୍ଦର ଅନୁଭୂତି ଦେଇ । 


ଦୁଇହଳ ଆଖିଙ୍କ ସ୍ୱପ୍ନ ଏବେ ଖଣ୍ଡିଉଡା ଦେଲାଣି ! ଟିକେ ଟିକେ ଭୟ ବି ଲାଗିଲାଣି । ଖଣ୍ଡିଉଡା ଦେଉଥିବା ପକ୍ଷୀ ସଂପୂର୍ଣ୍ଣ ଉଡିବା ଶିଖିଗଲେ?? ଧେତ୍ ସବୁ ଭିତରେ ଭୟ ! 


ବେଶ୍ ଜାଣିଛ , ତୁମ ଦୁହିଙ୍କ ଚାରିପଟେ ଘୂରୁଛି । ଦୁନିଆ ମୋର ଖୁବ୍ ସୀମିତ ! ଈଶ୍ୱର ଜାଣନ୍ତି ପକ୍ଷିଣୀର ଦୁଃଖ !! ବାସ୍ ଆମ ସ୍ୱପ୍ନ ଆକାଶରେ ଉଡୁଥାଉ ସବୁତକ ଆଶା, ସମ୍ଭାବନା ତାର ରଂଗୀନ ଡେଣାରେ । କେବେକେମିତି ଥକିପଡିଲେ ଚାଲିଆସୁ ଆମ କକ୍ଷପଥକୁ । ଖୁବ୍ ଖୁସିରେ ବଞ୍ଚୁ ଛଳନାହୀନ ମନ ନେଇ ଠିକ୍ ଆମ ପରି। ଜୀବନରେ ସଚ୍ଚୋଟତା ନେଇ ବଞ୍ଚିବା କଣ କମ୍ କଷ୍ଟକର !! ତାର ସବୁ କଷ୍ଟଯାତନା ପବନ ପରି ଭାସିଯାଉ ଦୂର ଦିଗନ୍ତକୁ!! 


ଏବେ ଚାଲ ଉଠିବା । ବାଟ ବହୁତ । ହେଲେ ଥକିବାର ନାହିଁ। କେତେ ଝଂଜା ବହିଛିବନ୍ୟା ବି ଘେରବନ୍ଦୀ କରିଛି ॥ ହାରିନେ ନା ! ସାହସର ସହ ମୁକାବିଲା କରିଛେ । ବାସ୍ଟିକେ ହସିଦିଅ ଏଥରଆଖି ଆଗରୁ ଅନ୍ଧକାର ହଟିଯିବ ଯେ ! କଣ୍ଟାସବୁ ଫୁଲ ହୋଇ ଝରିଯିବେ ଆମ ବାଟସାରା । ତୁମେ ଓ ମୁଁ ଗୋଟେ ଛାଇ ହୋଇ ଏମିତି ବାଣ୍ଟୁଥିବା ଜୀବନକୁ । ଯାତନାକୁ "ହାସ୍" କରି ମୋକ୍ଷ ଖୋଜୁଥିବା ପରସ୍ପର ଭିତରେ ।



Rate this content
Log in