ସମୟର ଗତି
ସମୟର ଗତି


କାଳର କରାଳ ତଳେ କିଏ ବା ବଞ୍ଚି ପାରିବ? ପ୍ରତ୍ୟେକ ମନୁଷ୍ୟକୁ ଦିନେ ନା ଦିନେ ନିଜ ବାଲ୍ଯାବସ୍ଥାକୁ ଛାଡି କିଶୋର, ଯୌବନ,ବାର୍ଦ୍ଧକ୍ୟ ଅବସ୍ଥାକୁ ଅତିକ୍ରମ କରିବାକୁ ପଡିବ।
ଶୀତୁଆ ସକାଳର ଭିଜା କାକରରେ ଉନ୍ମାଦିତ ଧରାପୃଷ୍ଠରେ ଏକ ପାହାଡର ବକ୍ଷଛେଦି କୁଳୁ କୁଳୁ ନାଦକରି ବହିଯାଉଥିବା ଝରଣାର ନୀର ପରି ସମୟ ବିତି ଚାଲିଛି । ଆଉ ତାହା ସହିତ ତାଳ ମିଳାଇ ଚାଲିଛି ଆମ ବୟସ। ବାଲ୍ୟ ,କିଶୋର ପରେ ଏବେ ଯୌବନରେ ପଦାର୍ପଣ କରିଛି। ଯୌବନରେ ଉନ୍ମାଦିତ ଶରୀରକୁ ନିଜ ଆୟତ୍ତରେ ରଖିବା କଷ୍ଟକର ହୋଇପଡୁଛି ।ବୟସ ବଢିବା ସହ ପରିବାରର ବୋଝ ମନକୁ ଆନ୍ଦୋଳିତ କରୁଛି ପ୍ରତିଦିନ।
ଦୀର୍ଘ ଦଶମାସ ଦଶଦିନ ଗର୍ଭ ଧାରଣ ପରେ ମାତୃ ଗର୍ଭରୁ ଧରାପୃଷ୍ଠକୁ ଜନ୍ମ ନେଇଥିଲି ଦିନେ ମୁଁ। ମାଆର ବକ୍ଷରୁ ସ୍ତନ୍ଯପାନ କରି ମେଣ୍ଟାଇଲି ଉଦରର କ୍ଷୁଧା। ବାପା ଙ୍କ ଆଙ୍ଗୁଠି ଧରି ପାଦ ପରେ ପାଦ ଆଗକୁ ବଢାଇ ଚାଲିବା ଶିଖିଥିଲି । ବାରମ୍ବାର ତଳେ ପଡିଥିବା ସତ୍ବେ ବାପାଙ୍କ ପ୍ରୋତ୍ସାହନ ହିଁ ମୋତେ ଚାଲିବାକୁ ଶକ୍ତି ଦେଇଥିଲା । ପରିବାର ବର୍ଗଙ୍କ ବାକ୍ ସଂଯୋଜନା କଣ୍ଠରେ ମାଆ ନାଁ ଧରିବାର ଦେଇଥିଲା କ୍ଷମତା । ଅବୋଧ ଶିଶୁଟିଏ ପରି ଦାଣ୍ଡ ଧୂଳିରେ ସାଙ୍ଗମାନଙ୍କ ସହ ବିତାଇଲି ଶୈଶବ । ସମାଜ ସହ ତାଳ ମିଳାଇ ଚାଲିବା ପାଇଁ ଆବଶ୍ୟକ ହେଲା ଶିକ୍ଷା । ପ୍ରଥମରୁ ଦଶମ ଯାଏ ଗାଁ ସ୍କୁଲରେ କଟିଗଲା ପିଲାଦିନ । ତଥାପି ଶାନ୍ତ ହେଲା ନାହିଁ ଅମାନିଆ ମନ । ଶିକ୍ଷାର କ୍ଷୁଧା ବଢୁଥାଏ । କ୍ଷୁଧା ମେଣ୍ଟାଇବା ପାଇଁ ଗାଁ ଠାରୁ କିଛିଦୂର ଅବସ୍ଥିତ ଏକ ସହରରେ ସରକାରୀ ମହାବିଦ୍ଯାଳୟରେ ଲେଖାଇଲି ନାମ । ପାଇଲି ନୂଆ ନୂଆ ସାଙ୍ଗସାଥି ମିଶିଲି ସହରବାସୀଙ୍କ ସହ । ସମାଜକୁ ଅଧିକରୁ ଅଧିକ ଜାଣିବାକୁ ଚେଷ୍ଟା କଲି । ଏମିତି ଅନୁସନ୍ଧାନ ଭିତରେ କଟିଗଲା ମୋର କଲେଜ ଜୀବନ ।
ତୃଷ୍ଣା କଣ କେବେ କ୍ଷୁଧାକୁ ମେଣ୍ଟାଇ ପାରେ? ସେହିପରି ଏହି ଅତୃପ୍ତ ମନ ଉପର ପାବଚ୍ଛକୁ ଲଙ୍ଘିବାକୁ ଚେଷ୍ଟା କଲାପରେ ଶେଷରେ ସଫଳ ହେଲା । ବାପ-ମା, ସାଙ୍ଗ-ସାଥି, ଆତ୍ମିୟ ସ୍ବଜନଙ୍କୁ ଛାଡି ଘରଠାରୁ ଅତି ଦୂରରେ ଥିବା ଏକ ବିଶ୍ବବିଦ୍ଯାଳୟରେ ଲେଖାଇଲି ନାମ । ପୁଣି ମିଳିଲେ ନୂଆ ସାଙ୍ଗସାଥି , ଜୀବନର ପଥକୁ ଆଲୋକିତ କରୁଥିବା ସୂର୍ଯ୍ୟଙ୍କ ପରି ମିଳିଲେ ପ୍ରଧ୍ଯାପକ-ପ୍ରଧ୍ଯାପିକା । ଏହାର ପଶ୍ଚାତ ପଟରେ ଘଟିଗଲା ଏକ ଘଟଣା ଦେଖାହେଲା ଏକ ସୁନ୍ଦରୀ ତରୁଣୀ ସହ । ହୃଦୟ ପଞ୍ଜୁରୀରେ ଥିବା ଏହି ମନ ପକ୍ଷୀଟିକୁ କରିନେଲା ଚୋରି । ଶୟନେ, ସପନେ, ଜାଗରଣେ ଦୃଶ୍ୟମାନ ହେଲା ତାର ପ୍ରତିଛବି ଆନ୍ଦୋଳିତ କଲା ମନକୁ , ଭୁଲିଲି କର୍ତ୍ତବ୍ୟ ଏବଂ ଲକ୍ଷସ୍ଥଳ । ଜୀବନର ଚଲାପଥରେ ହେଲି ପଥଭ୍ରଷ୍ଟ ପଥିକ । ମରିଚିକା ପଛରେ ଧାଇଁ ଧାଇଁ ଯାଇ ପହଞ୍ଚିଲି ମରୁଦ୍ଯାନରେ , ଯେଉଁଠିଥିଲା ଉପେକ୍ଷା, ମିଥ୍ୟା ପ୍ରତିଶୃତି,ଛଳନା,କପଟ । ଜୀବନରେ ପାଇଲି ଏକ ଗୁରୁତ୍ବପୂର୍ଣ୍ଣ ଶିକ୍ଷା । ପଥପ୍ରଦର୍ଶକ ସାଜିଲେ ମୋ ଗୁରୁ । ଅଥଳ ପାଣିରେ ଗୋଡ ଖସି ଯାଉଥିବା ବେଳେ ହାତଧରି ଉଠାଇ ନେଇଥିଲେ ମୋତେ ସେ । ମୁଣ୍ମୟୀ ମୂର୍ତ୍ତୀରେ ଜୀବନ୍ଯାସ ପରି ପଥଭ୍ରଷ୍ଟ ପଥିକକୁ ଦେଖାଇଲେ ଏକ ନୂଆ ଲକ୍ଷସ୍ଥଳ । ମନେପଡିଗଲା ପିଲାଦିନର ନିଃସ୍ବାର୍ଥପର ଜୀବନ କଥା । ଶେଷରେ ସମ୍ଭାଳି ପାରିଲିନି ହୃଦୟର କୋହକୁ ଉଚ୍ଚସ୍ବରରେ କହିଲି "ରେ ସମୟ ଫେରେଇଦେ ମୋ ପିଲାଦିନକୁ"।