STORYMIRROR

Ankita Mishra

Others

4  

Ankita Mishra

Others

ସାହେବ

ସାହେବ

3 mins
228

ଶଶୀ ମଉସାଙ୍କ ଚା’ ଦୋକାନ ସୁନ୍ଦରପୁର ଛକରେ ବୋଲି କିଏ ନ ଜାଣେ। ଶଶୀ ମଉସା ଯେମିତି ଭଲଲୋକ, ତାଙ୍କ ଚା’ ସେମିତି ମନମତାଣିଆ। ସେଥିପାଇଁ ତ ଗରିବ ଠାରୁ ଧନୀ ସାହେବ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଦୋକାନରେ ଭିଡ଼ ଜମାଇଥାନ୍ତି। ତାଙ୍କ ଦୋକାନରେ ୧୦ ବର୍ଷର ପିଲାଟିଏ। ନାମ ତାର ‘ଛୋଟୁ’। ଗରିବ ବାପଛେଉଣ୍ଡ। କାମ କରେ, ପେଟ ପୋଷେ। କାହାରି ଉପରେ ବୋଝ ହେବାକୁ ଚାହେଁନି। ସମୟ ତାକୁ ସ୍ୱାଭୀମାନୀ କରି ଗଢ଼ିଛି। ଗରାଖ ମାନଙ୍କର ପ୍ରଥମ ପସନ୍ଦ ଛୋଟୁ ହାତରୁ ଚା’ ପିଇବା। କାରଣ ତା’ର କଅଁଳିଆ କଣ୍ଠରେ ଗରମ ଗରମ ଗୁଜୁରାତି ମିଶା ଚା’ ଡାକ ସ୍ଵରଟା ଭାରି ଆପଣାର ଲାଗେ। ସକାଳୁ ସକାଳୁ ସାହେବମାନଙ୍କୁ “ଗୁଡ୍ ମର୍ନିଂ, ସାରେ!” କହି ଚା’ ବଢ଼ାଇ ଦିଏ ଓ କେତେ ମନମତାଣିଆ କଥା ସେମାନଙ୍କ ସହ ଗପିଯାଏ।


ଛୋଟୁ ଓ ତା’ର ରୋଗୀଣା ମାଆ ପାଖ ବସ୍ତିର ଶେଷ ମୁଣ୍ଡରେ ରୁହନ୍ତି, ପଲିଥିନ ପକା ଛୋଟ ଚାଳଘରେ। ମାଆ ତା'ର ପରଘରେ ବାସନ ମାଜେ। ଛୋଟୁ ଶଶୀ ମଉସାଙ୍କ ଦୋକାନରେ ରହି କାମକରେ। ଦୁହିଁଙ୍କ କାର୍ଯ୍ୟରୁ ଯାହା କିଛି ପଇସା ଆସେ, ସେ ଦୁହେଁ କଷ୍ଟେମଷ୍ଟେ ଚଳିଯାନ୍ତି। ସେହି କଷ୍ଟ ଭିତରେ ଛୋଟୁ ସ୍କୁଲପଢ଼ା ଛାଡ଼ିନାହିଁ। ୩ ଦିନ ଛୋଟୁ ଶଶୀ ମଉସାଙ୍କ ଦୋକାନରେ କାମକରେ ଓ ୩ ଦିନ ସ୍କୁଲକୁ ଯାଏ। ଛୋଟୁ ମଧ୍ୟ ଖତଗଦାର ପଦ୍ମ ପରି ପାଠରେ ଯେମିତି ସବୁଠୁ ଆଗୁଆ ଠିକ୍ ସେମିତି ବୁଦ୍ଧିରେ ଭାରି ପାରଙ୍ଗମ। କ୍ଷଣିକରେ ଆପଣାର କରି ନେବ। ସେଥିପାଇଁ ସ୍କୁଲରେ ସବୁ ସାର୍ ଖୁବ୍ ସ୍ନେହ ଓ ଆଦର କରନ୍ତି। ତା’ର ପରିସ୍ଥିତି ଜାଣି କେବେ କେହି ତା’ର ଅନୁପସ୍ଥିତି ପଚାରନ୍ତି ନାହିଁ। ତା’ ଜୀବନର ଗୋଟିଏ ଲକ୍ଷ୍ୟ ଯେ ସେ ଜଣେ ସାହେବ ହେବ।


ଚା’ ଦୋକାନରେ ସାହେବମାନଙ୍କୁ ଦେଖି ସେ କେତେ କଥା ଭାବିଥାଏ। ବେଳେବେଳେ ଆଇନା ଆଗରେ ସାହେବମାନଙ୍କ ଚାହାଣିରେ ଅନାଏ ଓ କଣ ଗୁଡ଼ାଏ କଥା ମନକୁ ମନ କହିପକାଏ। ସେ ଶୋଇଲା ବେଳେ ମଧ୍ୟ ବିଳିବିଳେଇ କୁହେ, “ମାଆ, ମୁଁ ଦିନେ ସାହେବ ହେବି। କଳା ବୁଟ୍, କଳା ଚଷମା ସହିତ କଳା କୋଟ୍ ପିନ୍ଧିବି।” ସ୍କୁଲରେ ସାର୍ ମାନେ ଯଦି କେବେ ପଚାରନ୍ତି - “ପିଲାମାନେ, ତୁମେ ବଡ଼ ହେଲେ କଣ ହେବ?”, ଛୋଟୁ ତା’ ନିଜ ତରଫରୁ ଛିଡ଼ା ହୋଇ କହେ, “ସାର୍, ମୁଁ ବଡ଼ ହେଲେ ଜଣେ ସାହେବ ହେବି।” ସାର୍ ମୁରୁକି ହସି କୁହନ୍ତି, “କିଏ ଶିକ୍ଷକ, ଡାକ୍ତର ନ ହେଲେ ଇଞ୍ଜିନିୟର କୁହେ। ତୋର ଇଏକି ବୃତ୍ତି?” କିନ୍ତୁ ତା’ର ଗୋଟିଏ ଜିଦ୍, ସେ ସାହେବ ହେବ। ସେ ବୁଝିଛି, ସାହେବ ମାନେ କଳା ବୁଟ, ଚଷମା, କୋଟ ପିନ୍ଧନ୍ତି। ସେମାନେ ବଡ଼ଲୋକ ଓ ସବୁଠାରୁ ଭଲ ଲୋକ।


ଦିନେ ଛୋଟୁର ମାଆ ଦେହ ତାତି ଥାଏ। ସେ ଆସିଲା ବେଳେ ତା’ ମାଆକୁ କହି ଆସିଥିଲା ଶଶୀ ମଉସାଙ୍କ ଦୋକାନରୁ ସଅଳ ଫେରି ଆସିବ ଓ ଆସିଲା ବେଳକୁ ତା’ ପାଇଁ ଡାକ୍ତରବାବୁଙ୍କ ପାଖରୁ ଔଷଧ ନେଇ ଆସିବ। ସେଦିନ ଛୋଟୁ ସଅଳ କାମ ସାରି ଫେରିବା ବେଳେ ତାଙ୍କ ସ୍କୁଲର ରଘୁସାରଙ୍କ ସହ ଦେଖା ହୁଏ। ସାର୍ କହିଲେ, “ତୁ ତ ୩ ଦିନ ହେଲା ସ୍କୁଲକୁ ଆସିନଥିଲୁ, ବାଧ୍ୟ ହୋଇ ମତେ ଆସିବାକୁ ପଡ଼ିଲା। ଛୋଟୁ ତୁ ଆମ ସ୍କୁଲର ନାଆଁ ରଖିଦେଲୁ। ପଞ୍ଚମରେ ତୁ ବୃତ୍ତି ପାଇଛୁ, ପୁଣି ଆମ ବ୍ଲକରେ ପ୍ରଥମ ହୋଇଛୁ। ସତରେ, ତୁ ଦିନେ ସାହେବ ହେବୁ !”


ସେଦିନ ଛୋଟୁ ଖୁସି ହୋଇ, ସାରଙ୍କୁ ପ୍ରଣାମ କରି ଡାକ୍ତରବାବୁଙ୍କ ଠାରୁ ଔଷଧ ନେଇ ମାଆ ପାଖକୁ ଧାଇଁ ଯାଏ ଏ ଖୁସି ଖବର ଦେବାକୁ। ହଠାତ୍ ତା’ର ନଜର ପଡ଼ିଲା କେଉଁ ରାକ୍ଷସ ତା’ର ବସ୍ତିକୁ ଭାଙ୍ଗି ଚୁରମାର କରି ଦେଉଛି। ସେ ଆଗକୁ ଯାଇ ଦେଖେ ତ ତା’ ହାତରୁ ଚା’ ପିଉଥିବା ସାହେବ ବାବୁଙ୍କ ଭିତରୁ ଜଣେ ବାବୁଙ୍କ ନିର୍ଦ୍ଦେଶରେ ବୁଲଡୋଜରଟି ବସ୍ତିର ଘରଗୁଡ଼ିକୁ ମଣ୍ଡାଖିଆ ଅସୁରପରି ଗିଳି ଚାଲିଛି। ଛୋଟୁ ଯାଇ କହିଲା, “ସାର୍, ମୁଁ ଛୋଟୁ। ଆମ ଘରକୁ ଭାଙ୍ଗନ୍ତୁ ନାହିଁ। ମୋ’ ମାଆର ଦେହ ଭାରି ଖରାପ। ଆମେ ରହିବୁ କେଉଁଠି?” କିନ୍ତୁ ସାହେବ କହିଲେ, “ଯା, ଯା ଏଇଠୁ ପଳା।”


ଛୋଟୁ ସାହେବଙ୍କ ଗୋଡ଼ ଧରି କାକୁତିମିନତି ହେଲା। ତା’ର ପ୍ରତିବଦଳରେ ସାହେବ ତାକୁ ଛାଟି ଦେଲେ। ନିମିଷକ ଭିତରେ ତା’ର ପଲିଥିନ ପକା ଚାଳଘରଟି ଧୂଳିରେ ମିଶିଗଲା। ମନ୍ଦିର ବାରଣ୍ଡାରେ ମାଆ କୋଳରେ ଶୋଇଥିବା ବେଳେ ଛୋଟୁ ନିଦରେ ବିଳିବିଳି ହେଉଥିଲା, “ମାଆ, ମୁଁ ଆଉ ସାହେବ ହେବି ନାହିଁ! ତୁ ଆଉ କାନ୍ଦେନି।” ଠିକ୍ ସେହି ସମୟରେ ମନ୍ଦିରର ସନ୍ଧ୍ୟା ଆଳତି ଘଣ୍ଟ ଜୋରରେ ବାଜି ଉଠିଲା। ଛୋଟୁର ସାହେବ ହେବାର ସ୍ଵପ୍ନ ମଧ୍ୟ ଧୀରେ ଧୀରେ ଅସ୍ତମିତ ହୋଇଯାଉଥିଲା ରାତ୍ରିର ଆଗମନରେ। 


Rate this content
Log in

More oriya story from Ankita Mishra