STORYMIRROR

Chitrasen Maharana

Others

3  

Chitrasen Maharana

Others

ରାମାୟଣ

ରାମାୟଣ

4 mins
167


ଯୁଗ ଯୁଗ ଧରି ରାମାୟଣ ଆଧ୍ୟାତ୍ମିକ ଶ୍ରଦ୍ଧାଳୁ ମାନଙ୍କୁ ନିଜ ଦିବ୍ୟମୟ ଜୀବନ ପାଇଁ ରାସ୍ତା ଦେଖାଉଛି । ସେହିପରି ରାମାୟଣ ସହିତ ଏଗାଟି କ୍ଷେତ୍ର, ଘଟଣାବଳୀ ସଂଯୋଗ ହୋଇ ରହିଛି । ଏହାରି ଉପରେ ଆସନ୍ତୁ ଆଲୋକପାତ କରିବା ।


*ଅଯୋଧ୍ୟା:* ଅଯୋଧ୍ୟା ହେଉଛି ସେହି ନଗରୀ, ଯେଉଁଠାରେ ଭଗବାନ ରାମ ମନୁଷ୍ୟ ଶରୀର ଧରି ଜନ୍ମ ହୋଇଥିଲେ ଏବଂ ସେହି ସ୍ଥାନ ଯେଉଁଠାରୁ ତାଙ୍କର ୧୪ ବର୍ଷର ବନବାସ ଆରମ୍ଭ ହୋଇଥିଲା । ଅଯୋଧ୍ୟା କୋଶଳ ରାଜ୍ୟର ରାଜଧାନୀ ଥିଲା । ଏହି ରାଜ୍ୟର ଇକ୍ଷାକୁ ରାଜବଂଶରେ ଭଗବାନ ରାମ ଜନ୍ମଗ୍ରହଣ କରିଥିଲେ । ଅଯୋଧ୍ୟାର ଦକ୍ଷିଣ ଭାଗର ଶେଷ ଅଂଶରେ ଥିବା ରାମକୋଟ ହିଁ ଭଗବାନ ରାମଙ୍କ ଏନ୍ତୁଡ଼ିଶାଳ।


*ଜନକପୁର:* ଜନକପୁର ହେଉଛି ରାମାୟଣର ସେହି ସ୍ଥାନ ଯେଉଁଠାରେ ମା’ସୀତା ଜନ୍ମ ନେଇଥିଲେ ଏବଂ ଭଗବାନ ରାମଙ୍କୁ ବିବାହ କରିଥିଲେ । କିମ୍ବଦନ୍ତୀ ଅନୁଯାୟୀ ଜନକପୁରର ରାଜା ଜନକ ମରୁଡ଼ିରୁ ରକ୍ଷା ପାଇବା ପାଇଁ ଏହି ଜମି କର୍ଷଣ କରିଥିଲେ ଏବଂ କର୍ଷଣ ସମୟରେ ମାଟି ଭିତରୁ ଏକ ପେଡ଼ି ପାଇଥିଲେ, ଯେଉଁଥିରେ ସୀତା ଥିଲେ । ସେହି କାରଣରୁ ଏହାକୁ ସୀତାମାଢ଼ି ମଧ୍ୟ କୁହାଯାଏ ।


*ପ୍ରୟାଗ:* ଭଗବାନ ରାମ ପତ୍ନୀ ସୀତା ଏବଂ ଭାଇ ଲକ୍ଷ୍ମଣଙ୍କ ସହ ଏହି ସ୍ଥାନରୁ ଗଙ୍ଗାନଦୀ ପାର ହୋଇଥିଲେ ନିଜ ରାଜ୍ୟର ସୀମା ବାହାରକୁ ଯିବା ପାଇଁ । ରାମାୟଣର ବର୍ଣ୍ଣନା ଅନୁଯାୟୀ ଏହି ତିନିଜଣ ଆଗକୁ ଯିବା ପୂର୍ବରୁ ଋଷି ଭରଦ୍ୱାଜଙ୍କ ଆଶ୍ରମରେ କିଛି ସମୟ କଟାଇଥିଲେ ।


*ଚିତ୍ରକୂଟ:* ଏହି ସ୍ଥାନ ରାମାୟଣରେ ରାମ ଓ ଭରତଙ୍କ ମିଳନର ସ୍ଥଳ ଭାବରେ ବର୍ଣ୍ଣିତ । ଏହି ସ୍ଥାନରେ ଭରତ ଭଗବାନ ରାମଙ୍କୁ ଦଶରଥଙ୍କ ପରଲୋକ ସମ୍ପର୍କରେ ସୂଚନା ଦେବା ସହ ଅଯୋଧ୍ୟା ଫେରି ରାଜ୍ୟ ଶାସନ ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଯେତେବେଳେ ରାମ ୧୪ ବର୍ଷ ବନବାସ ପାଇଁ ଅଟଳ ରହିଲେ ସେତେବେଳେ ସେ ଏହିଠାରେ ହିଁ ରାମଙ୍କ ପାଦୁକା ଗ୍ରହଣ କରିଥିଲେ ଏବଂ ରାମ ଅଯୋଧ୍ୟାକୁ ଫେରିବା ପର୍ଯ୍ୟନ୍ତ ଏହି ପାଦୁକାକୁ ରାଜ ସିଂହାସନରେ ସ୍ଥାପନ କରିଥିଲେ ।


*ଦଣ୍ଡକାରଣ୍ୟ:* ଦଣ୍ଡକାରଣ୍ୟ ରାମାୟଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ଏହିଠାରେ ରାବଣର ଭଉଣୀ ସୁପର୍ଣ୍ଣଖା ରାମଙ୍କୁ ଦେଖି ତାଙ୍କ ପ୍ରେମରେ ପଡ଼ିଥିଲା । କିନ୍ତୁ ଯେତେବେଳେ ରାମ ତାକୁ ସ୍ୱୀକାର କରିବାକୁ ମନା କରିଦେଲେ ସେ ନିଜ ଅନ୍ୟ ଦୁଇଭାଇ ଖର ଏବଂ ଦୁଷଣଙ୍କୁ ରାମଙ୍କୁ ଆକ୍ରମଣ ପାଇଁ ପଠାଇଥିଲା, ଯେଉଁମାନେ କି ରାମଙ୍କ ସହ ଯୁଦ୍ଧରେ ପ୍ରାଣ ହରାଇଥିଲେ । ହିନ୍ଦୁ ପୁରାଣ ଅନୁଯାୟୀ ଏହି ସ୍ଥାନ ଗୁରୁତ୍ୱପୂର୍ଣ୍ଣ, କାରଣ ମନୁଷ୍ୟ ନିଜର କୁକର୍ମ ପାଇଁ ପ୍ରାୟଶ୍ଚିତ କରିବା ନିମନ୍ତେ ଏହି ସ୍ଥାନକୁ ସର୍ବୋତ୍ତମ ବିବେଚିତ କରାଯାଏ । ବର୍ତ୍ତମାନ ରାମାୟଣ ବର୍ଣ୍ଣିତ ଘୋର ଜଙ୍ଗଲ ଦଣ୍ଡକାରଣ୍ୟ ରହିଛି ଛତିଶଗଡ଼-ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ମିଳିିତ ଭାବରେ ।


*ପଞ୍ଚବଟୀ:* ଦଣ୍ଡକାରଣ୍ୟ ଜଙ୍ଗଲ ମଧ୍ୟରେ ଯେଉଁ ସ୍ଥାନରେ ଭଗବାନ ରାମ ଏକ କୁଟୀର ସ୍ଥାପନ କରି ପତ୍ନୀ ସୀତା ଏବଂ ଭାଇ ଲକ୍ଷ୍ମଣଙ୍କ ସହ ରହୁଥିଲେ ବନବାସ କାଳରେ ସେହି ସ୍ଥାନ ରାମାୟଣରେ ପଞ୍ଚବଟୀ ଭାବରେ ବର୍ଣ୍ଣିତ । ଏହି ସ୍ଥାନକୁ ତପବନ ମଧ୍ୟ କୁହାଯାଏ ।


*କିସ୍କିନ୍ଧା:* ରାମାୟଣରେ ଏହା ବାନରମାନଙ୍କ ରାଜ୍ୟ ଭାବରେ ବର୍ଣ୍ଣିତ । ଏହି ସ୍ଥାନର ବର୍ଣ୍ଣନା ରାମାୟଣ ସହ ମହାଭାରତରେ ମଧ୍ୟ ନିଖୁଣ ଭାବରେ ରହିଛି । ବର୍ତ୍ତମାନ ଏହି ବାନରଙ୍କ ରାଜ୍ୟ କର୍ଣ୍ଣାଟକର ହାମ୍ପି ନିକଟସ୍ଥ ତୁଙ୍ଗଭଦ୍ରା ନଦୀ ଆଖପାଖରେ ରହିଛି ।


*ଋଷ୍ୟମୁଖ ପର୍ବତ:* ରାମାୟଣରେ ଏହା ରାମଙ୍କ ସହ ହନୁମାନଙ୍କ ଭେଟସ୍ଥଳୀ । ଯେତେବେଳେ ରାମ ଏବଂ ଲକ୍ଷ୍ମଣ ଅପହୃତା ସୀତାଙ୍କୁ ଖୋଜି ଖୋଜି ଏଠାରେ ପହଞ୍ଚôଥିଲେ ସେତେବେଳେ ହନୁମାନଙ୍କ ସହ ତାଙ୍କର ଭେଟ ହୋଇଥିଲା । ଏହି ଋଷ୍ୟମୁଖ ପର୍ବତରେ ସୁଗ୍ରୀବ ଏବଂ ହନୁମାନ ବାଳୀକୁ ଭୟ କରି ଲୁଚିଥିଲେ । ଋଷ୍ୟମୁଖ ପର୍ବତ ସହ ସଲଗ୍ନ ହୋଇ ରହିଛି ଅଞ୍ଜନେୟ ପର୍ବତ । ରାମାୟଣରେ ଏହି ପର୍ବତର ଗୁରୁତ୍ୱ ବର୍ଣ୍ଣନା କରାଯାଇଛି, କାରଣ ଏହି ପର୍ବତରେ ହନୁମାନ ଜନ୍ମ ନେଇଥିଲେ ।


*ରାମେଶ୍ୱରମ୍:* ରାମାୟଣରେ ବର୍ଣ୍ଣିତ ଏହି ସ୍ଥାନରୁ ବାନରସେନା ରାମ ଲଙ୍କାରେ ପହଞ୍ଚିବା ପାଇଁ ରାମସେତୁ ନିର୍ମାଣ ଆରମ୍ଭ କରିଥିଲେ । ବିଶ୍ୱାସ କରାଯାଏ ଲଙ୍କାରୁ ଫେରିବା ପରେ ଦେବୀ ସୀତା ଏଠାରେ ଏକ ଶିବଲିଙ୍ଗ ସ୍ଥାପନ କରିଥିଲେ । ଏହିଠାରେ ରାମ ତାଙ୍କୁ ବ୍ରହ୍ମହତ୍ୟା ଦୋଷରୁ ମୁକ୍ତ କରିବା ପାଇଁ ଶିବଙ୍କୁ ଆରାଧନା କରିଥିଲେ । ରାମେଶ୍ୱରମ୍ର ରାମସେତୁ ଚୂନ ପଥରର ଏକ ଶୃଙ୍ଖଳ । ଯାହାକି ତାମିଲନାଡୁର ରାମେଶ୍ୱରମ୍ ଉପଦ୍ୱୀପ ଏବଂ ଶ୍ରୀଲଙ୍କାର ମାନାର ଦ୍ୱୀପକୁ ସଂଯୁକ୍ତ କରିଛି ।


*ଅଶୋକ ବାଟିକା:* ଅଶୋକ ବାଟିକା ରାମାୟଣରେ ବର୍ଣ୍ଣିତ ଏକ ପୁଷ୍ପ ଉଦ୍ୟାନ । ଏହି ଉଦ୍ୟାନ ଥିଲା ରାକ୍ଷସରାଜ ରାବଣଙ୍କର । ସୀତାଙ୍କୁ ପଞ୍ଚବଟୀରୁ ଅପହରଣ କରି ଆଣିବା ପରେ ରାବଣ ତାଙ୍କୁ ଏହି ସ୍ଥାନରେ ରଖିଥିଲା । ସୀତା ରାବରଣ ମହଲରେ ରହିବାକୁ ମନା କରି ଏହି ଉଦ୍ୟାନର ଏକ ଅଶୋକ ବୃକ୍ଷ ତଳେ ବସିଥିଲେ, ତେଣୁ ଏହି ସ୍ଥାନ ଅଶୋକ ବାଟିକା ।


*ତାଲାଇମାନାର:* ଭଗବାନ ରାମ ଶ୍ରୀଲଙ୍କାରେ ଯେଉଁ ସ୍ଥାନରେ ପ୍ରଥମେ ପାଦ ଦେଇଥିଲେ ସେଇ ସ୍ଥାନ ତାଲାଇମାନାର । ଏହିଠାରେ ହିଁ ରାବଣର ଶକ୍ତିଶାଳୀ ସେନାଙ୍କ ସହ ରାମଙ୍କର ଯୁଦ୍ଧ ଆରମ୍ଭ ହୋଇଥିଲା । ଏହି ଯୁଦ୍ଧ ପରେ ରାମ ରାବଣଙ୍କୁ ବଧ କରି ବିଭୀଷଣଙ୍କୁ ଲଙ୍କାର ରାଜଗାଦିରେ ବସାଇଥିଲେ ।


*ଲେପାକ୍ଷି:* ଆନ୍ଧ୍ରପ୍ରଦେଶରେ ଲେପାକ୍ଷି ନାମକ ଏକ ସ୍ଥାନ ରହିଛି । ରାମାୟଣରେ ରାବଣ ଦ୍ୱାରା ସୀତା ଅପହୃତ ହେଉଥିବାର ଚାକ୍ଷୁଷ ପ୍ରମାଣ ଜଟାୟୁ ସୀତାଙ୍କୁ ଉଦ୍ଧାର କରିବା ପାଇଁ ରାବଣ ସହ ଏଠାରେ ଯୁଦ୍ଧ କରିଥିଲେ ଓ ଏହି ସମ୍ବାଦ ରାମଙ୍କୁ ଜଣାଇବା ପାଇଁ ଭୀଷଣ ଆହତ ଅବସ୍ଥାରେ ଏଠାରେ ଅପେକ୍ଷା କରିଥିଲେ ।


*ହାମ୍ପି:* ସେହି ସ୍ଥାନ ଯେଉଁଠାରେ ରାମ ହନୁମାନଙ୍କୁ ଭେଟିଥିଲେ । ଇତିହାସରେ ମଧ୍ୟ ଏହା ବିଜୟର ସ୍ଥାନ ଭାବରେ ଉଲ୍ଲେଖ ରହିଛି । ଏହି ସ୍ଥାନରେ ପାର୍ବତୀ ଶିବଙ୍କୁ ବିବାହ କରିଥିଲେ ବୋଲି ମଧ୍ୟ ପୁରାଣରେ ବର୍ଣ୍ଣନା ରହିଛି ।


*ସୀତା କଟୱା:* ଯେତେବେଳେ ରାବଣ ସୀତାକୁ ଅପହରଣ କରିନେଇଥିଲେ ସେତେବେଳେ ସେ ତାଙ୍କୁ ଏକ ସ୍ଥାନରେ ରଖିଥିଲେ ଯାହା ବର୍ତ୍ତମାନ ସୀତା କଟୱା ନାମରେ ଖ୍ୟାତ ।


*ଦିବୁରୁମ୍ପୋଲା:* ଦିବୁରୁମ୍ପୋଲା ଶବ୍ଦର ଅର୍ଥ ଶପଥର ସ୍ଥାନ । ଏହି ସ୍ଥାନ ରହିଛି ଶ୍ରୀଲଙ୍କାରେ । ରାବଣ ସହ ଯୁଦ୍ଧରେ ବିଜୟୀ ହୋଇ ଫେରିବା ପୂର୍ବରୁ ସୀତା ସେଠାରେ ଅଗ୍ନି ପରୀକ୍ଷା ଦେଇଥିଲେ ।


*କାନିଆ ଉଷ୍ଣପ୍ରସ୍ରବଣ:* ଶ୍ରୀଲଙ୍କାର ତି୍ରଙ୍କୋମାଲିରେ ଥିବା କାନିଆ ଉଷ୍ଣପ୍ରସ୍ରବଣ ଠାରେ ସାତଟି ଉତ୍ତପ୍ତ ଜଳର କୂପ ରହିଛି । ପ୍ରତ୍ୟେକଟି କୂପ ୩-୪ଫୁଟ ଗଭୀର । ବିଶ୍ୱାସ କରାଯାଏ ରାବଣ ନିଜେ ଏହି କୂପଗୁଡ଼ିକ ନିର୍ମାଣ କରାଇଥିଲେ ।


*ଉଷାଙ୍ଗୋଦା:* ଶ୍ରୀଲଙ୍କାରେ ଥିବା ଏହି ସ୍ଥାନକୁ ରାବଣ ନିଜର ପୁଷ୍ପକ ବିମାନ ରଖିବା ପାଇଁ ବ୍ୟବହାର କରୁଥିଲେ ବୋଲି ବିଶ୍ୱାସ କରାଯାଏ ।


*ବିଶ୍ରାକ:* ବିଶ୍ୱାସ କରାଯାଏ ଏହି ସ୍ଥାନ ରାବଣଙ୍କ ଜନ୍ମସ୍ଥାନ । ଏହି ଛୋଟ ଗାଁ ରହିଛି ଉତ୍ତରପ୍ରଦେଶରେ । ଭାରତରେ ଥିବା ଅଳ୍ପ କେଇଟି ରାବଣ ମନ୍ଦିର ମଧ୍ୟରୁ ଗୋଟିଏ ଏଠାରେ ଅଛି ।


*ମାଣ୍ଡସୌର:* ମଧ୍ୟପ୍ରଦେଶର ଦଶାପୁର ବା ମାଣ୍ଡସୌର ରାମାୟଣର ବର୍ଣ୍ଣନା ଅନୁଯାୟୀ ରାବଣଙ୍କ ପତ୍ନୀ ମନ୍ଦୋଦରୀଙ୍କ ଜନ୍ମ ସ୍ଥାନ ।


*ଧନୁଷକୋଡି:* ତାମିଲନାଡୁର ପାମ୍ବନ୍ ଦ୍ୱୀପରେ ଏକଦମ୍ ଶେଷ ମୁଣ୍ଡରେ ଥିବା ଏକ କ୍ଷୁଦ୍ର ଗାଁ ଧନୁଷକୋଡି । ରାମ ଏହିଠାରୁ ସେତୁବନ୍ଧ ଆରମ୍ଭ କରିବାକୁ ବାନରସେନାଙ୍କୁ ପରାମର୍ଶ ଦେଇଥିଲେ ବୋଲି ବିଶ୍ୱାସ କରାଯାଏ ।


*ନିଲାୱାରୀ:* ନିଲାୱାରୀ ଜାଫନାର ଏକ ବିଖ୍ୟାତ ଗ୍ରାମ । ବିଶ୍ୱାସ କରାଯାଏ ଯେତେବେଳେ ବାନରସେନା ଲଙ୍କାରେ ଜଳାଭାବର ସମ୍ମୁଖୀନ ହେଲେ ସେତେବେଳେ ରାମ ଫୃଥିବୀ ବକ୍ଷକୁ ଏକ ଶର ମାରି ଏହି ଜଳଉତ୍ସ ସୃଷ୍ଟି କରିଥିଲେ । ଏହି କୂପର ଗଭୀରତା ଆଜି ମଧ୍ୟ ମପାଯାଇ ପାରିନାହିଁ ଏବଂ ଏହି କୂପର ଜଳ କେବେ ମଧ୍ୟ ଶୁଖିନାହିଁ ।


*ନାଗଫେଣୀ ଗୁମ୍ଫା:* ଶ୍ରୀଲଙ୍କାର ସିଗିରିଆରେ ଏକ ଗୁମ୍ଫା ରହିଛି ଯାହାର ପ୍ରାକୃତିକ ଆକାର ନାଗସାପର ଫଣା ପରି । ଏହି ଗୁମ୍ଫାରେ ମଧ୍ୟ କିଛିଦିନ ପାଇଁ ରାବଣ ସୀତାଙ୍କୁ ବନ୍ଦୀ କରିଥିଲା ଓ ଅସୁରୀମାନେ ସେଠାରେ ତାଙ୍କୁ ଜଗି ରହିଥିଲେ ।



Rate this content
Log in

More oriya story from Chitrasen Maharana