Rachana Rath

Others

3.8  

Rachana Rath

Others

" ରାକ୍ଷୀ ରହିଲା ସାକ୍ଷୀ "

" ରାକ୍ଷୀ ରହିଲା ସାକ୍ଷୀ "

3 mins
34


 

 ବ୍ୟସ୍ତରେ ଥାଏ ଶିଖା । ଆଜି ରକ୍ଷା ବନ୍ଧନ କେତେ କଣ କାମ ବାକି ରହିଥାଏ । ବାପା ମାଆ ଯିବା ପରେ ସେ ଏକା ଘରର ମୁରବୀ ହୋଇ ତାର ଗେହ୍ଲା ଭାଇକୁ ବଡ଼ କରିଥିଲା । କାହିଁ କେତେ କଷ୍ଟ ସେ ଦେଖିଛି ପିଲାବେଳୁ କିନ୍ତୁ ବିନୟର ଚାକିରୀ ହେବା ପରେ ସେ କିଛି କଷ୍ଟ ହେବାକୁ ଦେଇନି ତା ପୂଜ୍ୟ ଅପାକୁ । କବାଟ ଠକ୍ ଠକ୍ ହେଲା । ଶିଖା ଦୌଡ଼ିଯାଇ ଦେଖେ ତ ଦୁଆର ସାମ୍ନାରେ ବିନୟ । କାନ ମୋଡ଼ି ଭିତରକୁ ନେଇ ଆସିଲା ଶିଖା । "ଦେଖୁଛି ତୋ ଚଗଲା ବୁଦ୍ଧି କେବେ ଯିବ ନାହିଁ ଆଉ କାଲିଠୁ ଫୋନ କଣ ପାଇଁ ବନ୍ଦ ଆସୁଛି ତୋର ?? ଜାଣିଛୁ କେତେ ବ୍ୟସ୍ତରେ ଥିଲା ତୋ ଅପା " କହି ମୁହଁ ବୁଲାଇଦେଲା ଶିଖା । ଛୋଟ ପିଲାଟେ ଭଳି କାନ ଧରି ଉଠବସ୍ ହେଉଥାଏ ବିନୟ । ହସି ହସି କୋଳେଇ ନେଲା ତା ଭାଇକୁ । ଏହି ବିନୟର ବିନୟତା ହିଁ ତ ଥିଲା ଯାହା ଶିଖାର ସମସ୍ତ ଦୁଃଖର ଗାରକୁ ଲିଭାଇ ଦେଇଥିଲା । ବିନୟକୁ ବସାଇ ରାକ୍ଷୀ ବାନ୍ଧିଦେଲା । ଛଳଛଳ ଆଖିରେ ମୁଣ୍ଡ ଆଉଁଶି ଦେଲା ଶିଖା । ବିନୟ ଅପାର ତତଲା ଲୁହକୁ ଧୋଇଦେଲା ତାର ଶୀତଳ ଦୁଇ ଟୋପା ଲୁହ ଦେଇ । ପଚାରି ଉଠିଲା " ଅପା କହିଲୁ ତୋର କଣ ଉପହାର ଦରକାର ଏଇନେ ଯାଇ ନେଇ ଆସିବି । ସମୟ ପାଇନି ସେଇଠୁ ଆଣିବାକୁ । " ଶିଖା ହସିଦେଇ କହୁଥିଲା " ମୋତେ ଆଉ କଣ ଦରକାର !! ମୋର ସବୁଠାରୁ ବହୁମୂଲ୍ୟ ତୁ... । " ନା ! ନା ! ସେ କଥା ଜମା ହବନି ମୁଁ ଏଇନେ ଯାଇ ନେଇଆସୁଛି" କହି ଚାଲିଗଲା ବିନୟ ଶିଖାର ବାରଣ ସତ୍ତ୍ୱେ । ଶିଖାର ଖୁସିର ଠିକଣା ନଥାଏ । ବର୍ଷେ ପରେ ମିଶିଛି ସେ ତା ଭାଇ ସହ କେତେ କଣ କଥା ହବ , କେତେ ଅଭିମାନ କରିବ । ଏ ସବୁ ଭାବି ଭାବି ସେ ରୋଷେଇ ଘରକୁ ଚାଲିଗଲା । କିଛି ସମୟ ପରେ ଘର ଆଗରେ ଗାଡ଼ି ଗୋଟେ ଆସି ଲାଗିଲା । ଚାରି ପାଞ୍ଚଜଣ ଯବାନ ଓହ୍ଲାଇ ଆସିଲେ ତ୍ରିରଙ୍ଗା ପତାକାରେ ଆଚ୍ଛାଦିତ ବକ୍ସ ଗୋଟେକୁ ନେଇ । ଶିଖା କବାଟ ପଛରେ ଥାଇ ଅନାଉଥାଏ । କେହି ଜଣେ ଆସି ତାକୁ ଗାଡ଼ି ପାଖକୁ ନେଇଗଲେ । ବାକ୍ସଟିକୁ ଶିଖା ଏକଲୟରେ ଅନାଉଥାଏ । ଜଣେ ଆସି ଆବରଣଟିକୁ କାଢ଼ିବା ମାତ୍ରକେ ଶିଖା ଲଥ୍ କିନା ସେଇଠି ବସିପଡ଼ିଲା। ଲାଗିଲା ଯେପରି ତା ଆଖିର ଆଲୁଅ ଲିଭିଗଲା । ସେ ବୋଧେ ସ୍ୱପ୍ନ ଦେଖୁଛି ବିନୟ ତ ଏବେ ......

ସେ ଗାଳି କରିବା ଭଳି ବିନୟକୁ କହୁଥିଲା " ଦେଖ ବାବୁ, ବହୁତ ହୋଇଗଲା ଆଉ ନୁହଁ । ଉଠେ !! ଚାଲେ ଗଣ୍ଡେ ଖାଇବୁ । ଏମିତି କିଏ କଣ କରନ୍ତି କି ଅପା ସହ ??? ଦେଖେ ଅପା ତୋ ଉପରେ ବହୁତ ରାଗିଛି । ଯେତେ କାନ ଧରି ଉଠବସ୍ ହେଲେ ବି ଆଉ କଥା ହେବିନି ।" ଜଣେ ଯବାନ ଆସି କହୁଥିଲେ " କାଲି ଶତ୍ରୁମାନଙ୍କ ସହ ଯୁଦ୍ଧ କରି ଶହୀଦ ହୋଇଗଲେ ବିନୟ ସାର୍। " ଅନ୍ତିମ ନିଃଶ୍ୱାସ ଯାଏ ଲଢ଼ିଲେ ଆଉ ଶେଷ ମୁହୂର୍ତ୍ତରେ ପଦିଏ କହିଲେ " ମୋ ଅପାକୁ କହିବ ସେ କାନ୍ଦିବ ନାହିଁ । ରକ୍ଷା ବନ୍ଧନ ବେଳେ କେବଳ ତାକୁ ନୁହେଁ ଦେଶକୁ ରକ୍ଷା କରିବାର ପ୍ରତିଶ୍ରୁତି ଦେଇଥିଲି ରାକ୍ଷୀ ତାର ସାକ୍ଷୀ ଅଛି । ମୁଁ ଜାଣିଛି ସେ ମୋ ପାଇଁ ଗର୍ବ କରିବ । ଶିଖା କହୁଥାଏ " ବିନୟ ଯାଇଛି ମୋ ପାଇଁ ଉପହାର ଆଣିବାକୁ ମୁଁ ଏବେ ତାକୁ ରାକ୍ଷୀ ବାନ୍ଧିଥିଲି କହି ହାତକୁ ଅନାଇଲା , ଏ କଣ !!! ସେ କିଛି ସମୟ ପୂର୍ବରୁ ବାନ୍ଧିଥିବା ରାକ୍ଷୀଟି ତା ହାତରେ ଥିଲା । ଆଖିରୁ ଲୁହ ଶୁଖି ଯାଇଥିଲା ଶିଖାର ବୋଧେ ହୁଏ ହୃଦୟରୁ ରକ୍ତର ଧାର ବୋହୁଥିଲା । ରାକ୍ଷୀ ତ ସାକ୍ଷୀ ଥିଲା କିନ୍ତୁ ତାକୁ କଣ କିଏ କେବେ କାଠ ଗଡାକୁ ଡାକିଥିଲା !! 



Rate this content
Log in