Anuradha Dey

Others

3  

Anuradha Dey

Others

ପିଠା ଠାକୁର

ପିଠା ଠାକୁର

4 mins
209


ହଜିଲା ସମୟ ସ୍ମୃତିରୁ .....


ଦିନ 1 1:30 ଖଣ୍ଡେ ହେବ। ପଛ ଦ୍ଵାରରେ କିଏ ବାଡ଼େଇଲା, ଗାଁ ରେ ଆମର ତିନି ତଳ ମାଟି ଘର ଥାଏ । ତଳ ମହଲା ମଝି ମହଲା ମିଶେଇ ବାର ଟି କୋଠରୀ ଉପର ମହଲା ଧାନ ଶୁଖା ପାଇଁ ବ୍ୟବହାର ହୁଏ। ଛ’ଟି ଚୁଲିରେ ଅଲଗା ରୋଷେଇ ହେଲେ ବି ବଡ଼ ଓ ଛୋଟ ପିଲା ମିଶି ତିରିଶ ଜଣ ସଦସ୍ୟ ଗୋଟେ ଛାତ ତଳେ ରହୁଥିଲୁ । ବୟସ ମୋର ପାଞ୍ଚ କି ଛ’ ଖଣ୍ଡେ ହବ ସେବେ। ପଛ ଦ୍ଵାର ପଟେ ଥିବା ବୋଉ (ବଡ଼ ମା) ର ଚୁଲି ମୁଣ୍ଡ ରେ ବସି ତା ପୁରୁଣା ଭାଙ୍ଗି ଯାଇଥିବା ଲୁହା ଚୁଲି ଉପରେ ମୁଁ ଗବେଷଣା ଚଳେଇ ଥାଏ । କବାଟ ଖୋଲି ଦେଖିଲି ହାଡ଼ିଆ କା ଘର ଖୁଡୀ। ମୋର ଜେଜେମା ହେବେ, ମା’ ଡାକୁଥିଲା ତେଣୁ ମୁଁ ବି ଡାକୁଥିଲି ଖୁଡୀ ବୋଲି। ସାନ ଜେଜେ ଘର ସେ ମୁଢ଼ି ଭଜା, ଧାନ ସିଝା, ଗାଈ ଗୁହାଳ କଥା ଦେଖୁଥାନ୍ତି। ଆସୁ ଆସୁ ତୁରନ୍ତ ମୋତେ କହିଲେ, “ଗଲୁ ତୋ ଅଞ୍ଜୁ ଭାଉଜକୁ ପଚାରିବୁ ସେ ଏ ପାଳି ପିଠା ନବ ନା ମୁଁ ଚନ୍ଦନ ଘରକୁ ଦେଇ ଦେବି?” ଅଞ୍ଜୁ ଭାଉଜ ମୋ ମଝିଆ ବଡ଼ ବାବା ଙ୍କ ବଡ଼ ବୋହୂ। ସେତେବେଳେ ବଡ଼ ବାବାଙ୍କର ତିନି ବୋହୂ ଆସି ସାରି ଥିଲେ ବି ଚାକିରି ପାଇଁ ବାହାରେ ରହୁ ଥିଲେ ତେଣୁ ଅଞ୍ଜୁ ଭାଉଜଙ୍କୁ ମୋ ନଖରାମୀ ବେଶୀ ସହିବାକୁ ପଡୁଥିଲା। ମୁଁ ତୁରନ୍ତ ଦୌଡ଼ି ଗଲି ଉତ୍ତର ପଟରେ ଥିବା ଅଞ୍ଜୁ ଭାଉଜ ଙ୍କ ଚୁଲି ଶାଳକୁ ଭାବିଲି ଆଜି ପିଠା ଖାଇବାକୁ ମିଳିବ। ହେଲେ ମୋ ଠୁ ପିଠା କଥା ଶୁଣି ଅଞ୍ଜୁ ଭାଉଜ ମନା କରିଦେଲେ, ସେ କହିଲେ “ଆଜି ତ ମୁଁ ଖାଇ ଦେଇଛି ଆର ସପ୍ତାହ ନେବି l” ମନ ଦୁଃଖରେ ଆସି ତାକୁ ବିଦା କଲି ହେଲେ ଭାଉଜ ଉପରେ ବହୁତ୍ ରାଗି ଯାଇ ମନ କୁ ମନ କହିଲି ନିଜେ ନଖାଇବେ ମୋତେ ଦେଇଥାନ୍ତେ। ହଉ ଆରଥରକୁ ଦେଖିବା।

  ଗୋଟେ ସପ୍ତାହ ବିତି ଗଲା। ସେଦିନ ଥାଏ ରବିବାର । ଯଉଁ ଦିନ ଠିକ୍ ସାତ ଦିନ, ଭାଉଜ ଗାଧୋଇ ପାଧୋଇ ବାହାରିଲେ। ପିଠା ଖାଇବା ଲୋଭରେ ସେଦିନ ଧୂଳି ଖେଳା ଛାଡ଼ି ମୁଁ ବାହାରିଲି ତାଙ୍କ ସହ ଯିବା ପାଇଁ । ହାତରେ ଗୋଟେ ବଡ଼ ପଥୁରିକୁ ପିତ୍ତଳ ଥାଳି ଘୋଡ଼େଇ ଧରି ଥାନ୍ତି। ଆମେ ଯାଇ ପହଞ୍ଚିଲୁ ସେଇ ନିର୍ଦିଷ୍ଟ ଘର ଆଗରେ। ଚନ୍ଦନ ଭାଇ ମା ଆମକୁ ତାଙ୍କ ପୋଖରି ପାଖକୁ ନେଇଗଲେ। ତାଙ୍କ ହାତରେ ବି ପଥୁରିଟିଏ ଥାଳିଆ ଘୋଡ଼ାଇ ଧରିଥାନ୍ତି। ମୋ ମନରେ କୌତୁହଳ ସୃଷ୍ଟି ହେଲା । ପୋଖରୀ ପାଖରେ କାହିଁକି ପିଠା ଦେବେ!, ଦେଖାଯାଉ କ’ଣ ହଉଚି। ସେଠି ପହଞ୍ଚି ଯାହା ଶୁଣିଲି, ମୋ ପିଠା ଖାଇବା ଲୋଭ ଉଭେଇ ଗଲା। ଶୁଣିଲୁ ତାଙ୍କ ଠୁ ସେଇଟା ପିଠା ନୁହଁ, “ପିଠା ଠାକୁର” ।ମନରେ ମାନସିକ କରି ପିଠାକୁ ପୂଜା କରିବ, ସାତ ଦିନରେ ପିଠା ଦୁଇଟି ହେଲେ ଯାଇ ମାନସିକ ପୂରା ହେବ ନହେଲେ ନାହିଁ । ଖାସ୍ କରି ନିଃସନ୍ତାନକୁ ସନ୍ତାନ ସୁଖ ଦବାରେ ସେ ପିଠା ର ଖ୍ୟାତି ରହିଚି। ମୁଁ ଅବାକ୍ ହେଇ ଅନେଇ ଥାଏ। ପଚାରିଲି “ସାତ ଦିନ ପରେ ସେ ପିଠା କ’ଣ ହେବ?”। ସେ କହିଲେ “ଆଉ କିଏ ଆସି ତାକୁ ନେଇଯିବ, ଆରଟି ଗଙ୍ଗା ମା(ପାଣି) ନେବ ”। ଏତିକି କହି ଥାଳି ଉଠେଇ ସେ ପିଠା ଦେଖିଲେ। ବଡ଼ ପଥୁରି ଆକାରର ଦୁଇଟି ପିଠା, ଚିତଉ ପିଠା ପରି ଦେଖାଯାଉଥାଏ। ଭାଉଜଙ୍କୁ ଗୋଟେ ନେଇ ଆମ ପଥୁରି ରେ ରଖିବାକୁ କହିଲେ। ପଥୁରିରେ କିଛି ଫୁଲ, ଦୁବ ଓ ଚାଉଳ ରଖି ତଳ ପିଠା ଟିକୁ ଆଣି ତା ଉପରେ ରଖି ଥାଳି ଘୋଡ଼ାଇ ଦେଲେ ଭାଉଜ । ଆର ପିଠା ଟିକୁ ପାଣି ରେ ବିସର୍ଜନ କରିଦେଲେ। ତାଙ୍କୁ ଏକ ଟଙ୍କା ଦେଇ ଆମେ ଘରକୁ ପିଠା ନେଇ ଆସିଲୁ।


  ଭାଉଜ ଉପରେ ତାଙ୍କ ରୁମ୍ ରେ ପିଠାକୁ ସବୁଦିନ ପୂଜା କରୁଥାନ୍ତି, ମୁଁ ଭାବୁ ଥାଏ ପିଠା ଦୁଇଟା କେମିତି ହବ ଦେଖିବି। ମୋତେ ସମସ୍ତେ ତାଗିଦ୍ କରି କହିଥାନ୍ତି ସେ ପିଠା ପଥୁରି ନ ଛୁଇଁ ବା ପାଇଁ। ଦିନେ ଉପରେ କେହି ନଥିଲା ବେଳେ ମୁଁ ଲୁଚି କି ଗଲି, ପିଠା ଉପରୁ ଥାଳିଟି ଉଠେଇ ଦେଖି ବାକୁ ପିଠା ଦୁଇଟା ହେବା ଆରମ୍ଭ ହେଲା କି ନାହିଁ। କିଏ ବିଶ୍ବାସ କରିବେ କି ନାହିଁ ଜାଣିନି, ଆଗରୁ ବାରମ୍ବାର ଧରିଥିବା ପିତ୍ତଳ ଥାଳି ସତେ ଯେମିତି ପଚାଶ କିଲୋ ପରି ଭାରୀ ଲାଗିଲା । ହାତ ବି ଝିମ୍ ଝିମ୍ ହେଇ ଗଲା । ଡରି କି ଠାକୁରଙ୍କୁ କ୍ଷମା ମାଗି ପଳେଇ ଆସିଲି କାହାକୁ ଆଜି ଯାଏ ଏକଥା କିଛି ବି କହିନି। ତାଙ୍କୁ ଅନୁକରଣ କରି ମୁଁ ବି ମୋ ପ୍ଲାଷ୍ଟିକ୍ ବାଟି ରେ କାଦୁଅକୁ ପିଠା ଆକାର ଦେଇ ପ୍ଲେଟ୍ ଘୋଡ଼ାଇ ରଖି ପୂଜା କରିବା ଆରମ୍ଭ କରିଦେଲି, ବିଶ୍ବାସ କଲି ସାତ ଦିନ ହେଲେ ଆଉ ଗୋଟେ କାଦୁଅ ପିଠା ସେଥିରେ ହେଇଯିବ। ଦେଲେ ବାବା ମୋ ପାଇଁ ଗୋଟେ ଆଖି ମିଟି ମିଟି କରୁଥିବା କଥା କୁହା କଣ୍ଢେଇ ଆଣିଦେବେ। ସେମିତି ତ ହେଲାନି, କିନ୍ତୁ କଣ୍ଢେଇଟି ପାଇଲି।

      କି ଦୁର୍ଭାଗ୍ୟ ମୋର, ମୁଁ ଚାଟଶାଳୀରେ ପଣିକିଆ ଲେଖୁଥିଲା ବେଳେ ଅଞ୍ଜୁ ଭାଉଜଙ୍କ ଠୁ ଜଣେ ପିଉସୀ ଆସି ସାତ ଦିନ ପୁରା ହେବା ଦିନ ପିଠା ନେଇଗଲେ ଆଉ ଅଞ୍ଜୁ ଭାଉଜଙ୍କ ପିଠା ଦୁଇଟା ହବାର ମୁଁ ଦେଖି ପାରିଲିନି। ପୁଣି ସାତ ଦିନ ପରେ ମୋତେ ପଣିକିଆ ଶିଖାଉ ଥିବା ଲକ୍ଷ୍ମୀ ଭାଉଜ ସେ ପିଠାକୁ ନେଇ ଆସିଲେ, ମୁଁ ସେତେବେଳେ ତାଙ୍କ ଘରେ ତାଙ୍କ ଶାଶୁ ପାଖରେ ବସି ପଣିକିଆ ଲେଖୁଥିଲି। ଶେଷଥର ସେ ପିଠାର ଉପସ୍ଥିତି ପଥୁରି ଭିତରେ ସେଇଠି ମୁଁ ଅନୁଭବ କରିଥିଲି, ତା ପରେ କିଏ କୁଆଡ଼େ ନେଇଗଲା ମୋ ବୁଝିବା ବାହାରେ ଥିଲା। ତାର ଠିକ୍ ବର୍ଷଟିଏ ପରେ ଅଞ୍ଜୁ ଭାଉଜ ଆମ ଲୁସିକୁ ଜନ୍ମ ଦେଲେ। ଆଓ ମୁଁ ପିଠାକୁ ମନେ ମନେ ଧନ୍ୟବାଦ ଦେଲି। କହିବା ଅନୁସାରେ ତିନି ଜଣ ଯାକ ପିଠା କରୁଣା ରୁ ମା’ ହେଇଥିଲେ।

   ତେଇଶି ବର୍ଷ ପ୍ରାୟ ବିତି ଗଲାଣି। ଜାଣି ନି ସେ ପିଠା କେଉଁଠି ଥିବ। ପାଇଲେ ମୁଁ ବି ତାକୁ ପୂଜା କରନ୍ତି, ଆଉ ସତ କଣ୍ଢେଇଟିଏ ତା କରୁଣାରୁ ପାଇ ଯାଆନ୍ତି।



Rate this content
Log in

More oriya story from Anuradha Dey