ଫାଲଗୁନି ରଣା

Others

3  

ଫାଲଗୁନି ରଣା

Others

ନିଶା ଦ୍ରବ୍ୟ ସେବନ କ'ଣ ଜରୁରୀ ?

ନିଶା ଦ୍ରବ୍ୟ ସେବନ କ'ଣ ଜରୁରୀ ?

2 mins
271


ଭାଗବତରେ ଗୋଟିଏ ପଂକ୍ତି ଅଛି- 'ଜିହ୍ବା ଲାଳସେ ରସ ଖାଇ। ସେ ରସ କେବେ ନ ଛାଡ‌ଇ।' ବାସ୍ତବରେ ଉକ୍ତ ପଂକ୍ତିଟି ସଂପ୍ରତି କାଳରେ ସତ୍ୟତା ରେ ପରିଣତ ହୋଇଛି। ଆମର ଚତୁର୍ପାର୍ଶ୍ଵରେ ବସବାସ କରୁଥିବା ସମସ୍ତ ଜନସମୂଦାୟ ଯାହାକୁ ଦେଖ କେବଳ ନିଶାଦ୍ରବ୍ୟରେ ଲିପ୍ତ ହୋଇଛନ୍ତି। ଆମେ ଶତଚେଷ୍ଟା କଲେ ସୁଦ୍ଧା ସେମାନଙ୍କ ନିଶା ଛ‌ଡାଇ ପାରୁନାହିଁ।ମଦ୍ୟପାନ,ଵିଡ଼ି, ସିଗାରେଟ,ଭାଙ୍ଗ,ତମ୍ଵାକୁ,ଗୁଟଖା ଇତ୍ୟାଦି ପ୍ରକାର ଭେଦରେ ନାନାଦି ନିଶାଦ୍ରବ୍ୟ ଆମ ସମିପସ୍ଥ ବିଦ୍ୟମାନ। ଏଗୁଡିକ ଆମ୍ଭମାନଙ୍କର କଲ୍ୟାଣ ପରିବର୍ତ୍ତେ କେତେଯେ ଅନିଷ୍ଟ ସାଧନ କରୁଛି ତାହା ଅକଳ୍ପନୀୟ। ପ୍ରଥମତଃ ଏହାର ଗ୍ରସନ ଫଳରେ ଆମ ଶରୀରରେ କ୍ୟାନ୍ସର ରୋଗକୁ ପ୍ରଶ୍ରୟ ଦେଉଛି।ଏହାର ଅବିଶ୍ରାନ୍ତ ଉପଯୋଗ କରିଵା ଫଳରେ ଶାରୀରିକ,ମାନସିକ ଏବଂ ଆର୍ଥିକ କ୍ଷେତ୍ରରେ ଅଜସ୍ର କ୍ଷତି ସାଧନ କରି ଚାଲିଛି। ଅନ୍ତଃକରଣରେ ଥିବା ସମସ୍ତ ପ୍ରକାର ଗୋପନୀୟ ବାକ୍ୟକୁ ବନ୍ଧୁଙ୍କ ସାନ୍ନିଧ୍ୟରେ ଅତି ସରଳତାରେ ପରିପ୍ରକାଶ କରି ଦେଉଛି। ଯଦ୍ବାରା ଦୁଇବନ୍ଧୁଙ୍କ ବନ୍ଧୁତା ମଧ୍ୟରେ ବିଦ୍ରୋହର ବହ୍ନି ପ୍ରଜ୍ଜ୍ଵଳିତ ହେଉଛି।ଏହାର ଗ୍ରସନ ଦ୍ଵାରା ଆମେ ହିତାହିତ ଜ୍ଞାନ ଭୁଲି ଯାଉ। କେଉଁଟା ଭଲ କେଉଁଟା ମନ୍ଦ ଆମେ ଜାଣି ପାରୁନାହିଁ। ନିତିଦିନ କଳହର ସୂତ୍ରପାତ ହୁଏ। ମଦ୍ୟପାନ ଦ୍ଵାରା ଆମେ ଅନେକ ପ୍ରକାର ଅପଶଵ୍ଦ କହିବସୁ ଯାହା କୁନି କୁନି ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ଏଣୁ ମଦ୍ୟପାନ ସେବନ କରିବା ସର୍ବଥା ଅନୁଚିତ। ସମାଜ ଉପରେ ଦୃଷ୍ଟି ନିକ୍ଷେପ କଲେ ଆମେ ଅବଗତ ହେଉଛୁ ଯେ, ନିଶାରୂପୀ ଵିଷର କରାଳ ଛାୟା ନିରୀହ ଲୋକମାନଙ୍କ ଜୀବନକୁ ଅତି ତୀବ୍ରତାରେ ବିପର୍ଯ୍ୟସ୍ତ କରି ଦେଉଛି,ଏହାର ସମାଧାନ କରିଵା ପ୍ରତ୍ୟେକ ଭାରତୀୟମାନଙ୍କ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ। ସମୟକୁ ଅପେକ୍ଷା ନ ରଖି ସମାଜ ଯେପରି ବିମାର୍ଗରୁ ନିବୃତ୍ତ ହୋଇ ପାରିବ,ତତ୍ ସମ୍ବନ୍ଧୀୟ ଗଭୀର ଅନୁଶୀଳନ କରିଯିବା ଏକାନ୍ତ ଆବଶ୍ୟକ। ନଚେତ୍ ଆମ ମାନଙ୍କର ଚେତନାର ଭେଳା ନିଶାର ସମୂଦ୍ରରେ ବୁଡ଼ି ଯିବ। ନିଶାର ବିଭିନ୍ନ ଉପକରଣ ଆମ ଭାରତରେ ଯେପରି ଉତ୍ପାଦିତ ନ ହେଉ ସେଥିପ୍ରତି ତୀବ୍ର ସ୍ଵର ଉତ୍ତୋଳନ କରିଵାକୁ ପଡ଼ିବ। ଆମକୁ ଯଥାସମ୍ଭବ ପ୍ରଚେଷ୍ଟା କରିବାକୁ ପଡ଼ିବ ଯେ ଯେକୌଣସି ଉପାୟରେ ବି ଭାରତରେ ନିଶାଦ୍ରବ୍ୟ ର ଭୀଷଣ ପ୍ରତିରୋଧ କରାଯାଉ। ତାର କୁପରିଣାମ ସମ୍ବନ୍ଧରେ ସାଧାରଣ ଜନତା ଅବଗତ ହେଉ। ଯେଉଁ ଅର୍ଥକୁ ଆମେ ବୃଥା କାର୍ଯ୍ୟରେ ବ୍ୟୟ କରୁଛେ ସେହି ଅର୍ଥକୁ କୌଣସି ଧାର୍ମିକ ଅନୁଷ୍ଠାନ କିମ୍ବା ଜଣେ ଅସହାୟକୁ ଦାନ କରିବା ଏକ ପୁଣ୍ୟକର୍ମ ଅଟେ। ଯେଉଁ ମଦ୍ୟକୁ ଆମେ ବିଶୁଦ୍ଧ ଅମୃତ ତୁଲ୍ୟ ଗ୍ରହଣ କରୁଛେ ତାହା ଆମର ଅକଲ୍ୟାଣ ଛଡ଼ା ଆଉ କୌଣସି ଉନ୍ନତି ସଂସାଧିତ କରୁନାହିଁ। ଏଣୁ ଏସବୁକୁ ଆମଦେଶରୁ ଯଥାସମ୍ଭବ ଦୂରୀକୃତ କରିବା ଆମ ପକ୍ଷେ ଏବଂ ଆମଦେଶ ପକ୍ଷେ ହିତକର ହେଵ। ପରିଶେଷରେ ଏତିକି କହିବି -"ନିଶା ଛାଡ଼ନ୍ତୁ ସୁସ୍ଥ ରୁହନ୍ତୁ। "



Rate this content
Log in