Seema Rekhaa

Others classics inspirational drama

4  

Seema Rekhaa

Others classics inspirational drama

ମୁଁ ପବନପୁତ୍ରଙ୍କ ପତ୍ନୀ

ମୁଁ ପବନପୁତ୍ରଙ୍କ ପତ୍ନୀ

17 mins
431


ମୁଁ ସୁବର୍ଚ୍ଚଲା (ସୁଭର୍ଚଲା) ପବନପୁତ୍ରଙ୍କ ପତ୍ନୀ.......

 କଣ ଆପଣମାନଙ୍କୁ ମୋ କଥା ବିଶ୍ୱାସ ହେଉନି?କେମିତିବା ବିଶ୍ୱାସ ହେବ ସାରା ଦୁନିଆ ତ ମୋ ପତିଙ୍କୁ ବାଳ ବ୍ରହ୍ମଚାରୀ ବୋଲି ଭାବୁଚି । ପ୍ରକୃତରେ ମୋ ପତି ହନୁମାନ ବ୍ରହ୍ମଚାରୀ ନୁହନ୍ତି, ସମ୍ପୂର୍ଣ୍ଣ ରୀତିନୀତି ବୈଦିକ ମନ୍ତ୍ର ସହିତ ସେ ମୋତେ ବିବାହ କରିଛନ୍ତି । ଯଦି ଏହାର ପ୍ରମାଣ ପାଇବାକୁ ଚାହୁଁଛନ୍ତି । ଆନ୍ଧ୍ର ପ୍ରଦେଶର ଖମ୍ମାମ ଜିଲ୍ଲାକୁ ଚାଲନ୍ତୁ ଏଠାରେ ଥିବା ମନ୍ଦିରରେ ମୋ ପତି ବ୍ରହ୍ମଚାରୀ ରୂପରେ ନୁହଁ ଗୃହସ୍ଥ ରୂପରେ ମୋ ସହିତ ପୂଜା ପାଉଛନ୍ତି । ସେଠାକାର ସ୍ଥାନୀୟ ଲୋକମାନେ ଜ୍ୟେଷ୍ଠ ଶୁଦ୍ଧ ଦଶମୀଙ୍କୁ ଆମର ବିବାହ ଦିନ ରୂପେ ପାଳନ କରନ୍ତି | କୁହାଯାଏ ଯେଉଁ ଦମ୍ପତ୍ତି ଏହି ମନ୍ଦିରକୁ ଆସି ଆମ ପତି ପତ୍ନୀଙ୍କୁ ଦର୍ଶନ କରନ୍ତି, ସେମାନଙ୍କ ଦାମ୍ପତ୍ୟ ଜୀବନ ଖୁସିରେ ଭରିଯାଏ ସେଥିପାଇଁ ଏ ଜାଗାକୁ ଲୋକମାନେ ଦୂରଦୂରାନ୍ତରୁ ପରିଦର୍ଶନ କରିବାକୁ ଆସନ୍ତି ଆଉ କୁହନ୍ତି ଯେ ଯଦି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ପ୍ରକାରର ତିକ୍ତତା ଥାଏ କିମ୍ବା ଛାଡପତ୍ର ସମସ୍ୟା ଥାଏ, ଆମ ପତି ପତ୍ନୀକୁ ଦର୍ଶନ କରିବା ମାତ୍ରେ ସବୁ ସମସ୍ୟା ଦୂର ହୋଇଯାଏ |


ପୁରାଣମାନଙ୍କରେ ମୋ ପତିଙ୍କ ଜନ୍ମ ସଂପର୍କରେ ଅନେକ କାହାଣୀ ଅଛି । ସେହି ସବୁ କାହାଣୀ ଭିତରୁ ଗୋଟିଏ କଥା ପ୍ରାୟ ସମାନ ଯେ ମୋ ସ୍ୱାମୀ ଦେବଙ୍କ ଦେବ ମହାଦେବଙ୍କର ଅଂଶ ପବନଙ୍କ ସହଯୋଗରେ ଜାତ । ଶିବପୁରାଣ ଓ ଶତରୁଦ୍ର ସଂହିତା ଅନୁସାରେ, ଭଗବାନ୍ ବିଷ୍ଣୁଙ୍କ ମୋହିନୀ ବେଶରେ ମୁଗ୍ଧ ହୋଇଥିବା ଶିବଙ୍କ ଅଂଶକୁ ସପ୍ତଋଷି ଧାରଣ କରି ମୋ ଶାଶୁ ଅଞ୍ଜନାଙ୍କ ଗର୍ଭରେ ସ୍ଥାପନ କରିବାରୁ ମୋ ପତି ଜନ୍ମ ହୋଇ ଥିଲେ । ବାଲ୍ମୀକି ରାମାୟଣର କିସ୍କିନ୍ଧା କାଣ୍ଡ ଅନୁସାରେ, ମୋ ଶାଶୁ ହେଉଛନ୍ତି ବାନରରାଜ କୁଞ୍ଜରଙ୍କ କନ୍ୟା ଅଞ୍ଜନା । ସେ କେଶରୀ ନାମକ ଜଣେ ମହତ୍ ସ୍ୱଭାବର ବାନରଙ୍କୁ ବିବାହ କରିଥିଲେ । ମାତ୍ର ଦୀର୍ଘକାଳ ପରେ ମଧ୍ୟ ତାଙ୍କର ସନ୍ତାନ, ସନ୍ତତି ହେଲେ ନାହିଁ । ତେଣୁ ସନ୍ତାନଟିଏ ପାଇବାପାଇଁ ଆଶାରେ ସେ ତପସ୍ୟା କଲେ । ସେହି ସମୟରେ ଦିନେ ଶିବ ଓ ପାର୍ବତୀ ମାଙ୍କଡ଼ ଓ ମାଙ୍କଡ଼ୀ ରୂପରେ ଜଙ୍ଗଲରେ ଖେଳୁଥିଲେ । ସେତିକିବେଳେ ପାର୍ବତୀଙ୍କର ଗର୍ଭ ଉଦୟ ହେଲା । ପାର୍ବତୀ ସେହି ଗର୍ଭକୁ ପବନଙ୍କୁ ପ୍ରଦାନ କଲେ । ପବନ ତାହାକୁ ଆଣି ମୋ ଶାଶୁ ଅଞ୍ଜନାଙ୍କ ଗର୍ଭରେ ସଂସ୍ଥାପନ କରିବାରୁ ମୋ ପତି ଜନ୍ମ ହେଲେ । ଭବିଷ୍ୟପୁରାଣର ପ୍ରତିସର୍ଗ ପର୍ବରେ ଏହି କାହାଣୀ ଅଳ୍ପ ଭିନ୍ନ ଭାବରେ ଅଛି । ଅନ୍ୟ ଏକ କାହାଣୀରେ ପ୍ରଥମେ ଶିବ ଓ ପାର୍ବତୀ ହାତୀ ଓ ହାତୁଣୀ ବେଶରେ ଏବଂ ପରେ ମାଙ୍କଡ଼ ଓ ମାଙ୍କଡ଼ୀ ବେଶରେ ଜଙ୍ଗଲରେ ଖେଳୁଥିଲେ ବୋଲି ବର୍ଣ୍ଣନା ଅଛି । ଆନନ୍ଦ ରାମାୟଣରେ କିନ୍ତୁ ମୋ ପତିଙ୍କର ଜନ୍ମ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ । ସେହି କାହାଣୀ ଅନୁସାରେ, ଅଯୋଧ୍ୟାର ରାଜା ଦଶରଥଙ୍କର ତିନି ରାଣୀ ଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନସନ୍ତତି ନ ହେବାରୁ ସେ ଏକ ପୁତ୍ରକାମେଷ୍ଟି ଯଜ୍ଞ କରିଥିଲେ । ସେହି ଯଜ୍ଞର ଚରୁକୁ ରାଣୀମାନଙ୍କୁ ଖୁଆଇବାକୁ ନେବାବେଳେ ଚିଲଟିଏ ଉଡ଼ିଆସି ସେଥିରୁ କିଛି ଖୁମ୍ପି ନେଇଗଲା । ପୁତ୍ରଟିଏ ପାଇବାପାଇଁ ଜଙ୍ଗଲରେ ତପସ୍ୟା କରୁଥିବା ମୋ ଶାଶୁ ଅଞ୍ଜନାଙ୍କ ଆଞ୍ଜୁଳିରେ ତାହା ପଡ଼ିଲା ମୋ ଶାଶୁ ଅଞ୍ଜନା ତାକୁ ଖାଇବାରୁ ମୋ ପତି ଜନ୍ମ ହେଲେ । ଏହି ସବୁ କାହାଣୀରେ ମୋ ପତିଙ୍କ ଜନ୍ମ ସହ ପବନ ବା ମରୁତ, କେଶରୀ ଓ ଅଞ୍ଜନାଙ୍କର ସମ୍ପର୍କ ରହିଛି । ତେଣୁ ମୋ ପତିଙ୍କୁ ମରୁତନନ୍ଦନ ବା ମାରୁତି, କେଶରୀନନ୍ଦନ ଆଉ ଅଞ୍ଜନାସୁତ ବୋଲି କୁହାଯାଏ । ପୁରାଣମାନଙ୍କରେ ମୋ ଶାଶୁ ଅଞ୍ଜନାଙ୍କର ମଧ୍ୟ ଦୁଇ ପ୍ରକାରର କାହାଣୀ ଅଛି । ପ୍ରଥମ କାହାଣୀ ଅନୁସାରେ, ମୋ ଶାଶୁ ଅଞ୍ଜନା ପୂର୍ବ ଜନ୍ମରେ ଥିଲେ ପୁଞ୍ଜିକସ୍ଥଳା ନାମକ ଜଣେ ଦେବୀ । ସେ ଥିଲେ ଦେବଗୁରୁ ବୃହସ୍ପତିଙ୍କର ପରିଚାରିକା । ଦିନେ ଫୁଲ ତୋଳିବାକୁ ଯିବା ବେଳେ ମନ ଉନ୍ମାଦ ହେବାପରି ଏକ ଦୃଶ୍ୟ ଦେଖି ସେ ଫୁଲ ନ ତୋଳି ଫେରି ଆସିଲେ ଏବଂ ବୃହସ୍ପତିଙ୍କୁ କୁଣ୍ଢେଇଧରିଲେ । ସେଥିରେ ବୃହସ୍ପତି ରାଗିଯାଇ ସେ ମର୍ତ୍ତ୍ୟରେ ମାଙ୍କଡ଼ୀ ହୋଇ ଜନ୍ମ ହେବେ ବୋଲି ଅଭିଶାପ ଦେଲେ ଆଉ କହିଲେ, କିଛି କାଳ ଜଣେ ବାନରଙ୍କୁ ବିବାହ କରିବା ପରେ ଶିବଙ୍କ ଅଂଶରେ ତାଙ୍କର ପୁଅଟିଏ ହେବ ଏବଂ ସେ ଶାପମୁକ୍ତ ହୋଇ ଫେରିଆସିବେ । ଦ୍ୱିତୀୟ କାହାଣୀ ଅନୁସାରେ ଥରେ ମହାନ ଋଷି ଅଙ୍ଗିରା ସ୍ୱର୍ଗଲୋକରେ ପହଞ୍ଚିଲେ । ଯେଉଁଠାରେ ଦେବରାଜ ଇନ୍ଦ୍ରଙ୍କ ଦ୍ଵାରା ପୁଞ୍ଜିକସ୍ଥଳା ନାମକ ଏକ ସୁନ୍ଦରୀ ଅପସରାଙ୍କୁ ନାଚିବାକୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ଋଷି ଏହି ନୃତ୍ୟ କାର୍ଯ୍ୟକ୍ରମରେ କୌଣସି ଆଗ୍ରହ ଦେଖାଇଲେ ନାହିଁ ଏବଂ ସେ ଭଗବାନଙ୍କୁ ସ୍ମରଣ କରିବାକୁ ଲାଗିଲେ । ନୃତ୍ୟ ସମାପ୍ତ ହେବା ପରେ, ସେହି ଅପସରା ଋଷୀଙ୍କୁ ତାଙ୍କ ନୃତ୍ୟ ବିଷୟରେ ପଚାରିବାରୁ ତାଙ୍କର ଏହି ନୃତ୍ୟ ପ୍ରତି ଆଗ୍ରହ ନଥିବା କହିଲେ । ଏଥିରେ ଅପସରା କ୍ରୋଧିତ ହେବାରୁ ଋଷି ତାଙ୍କୁ ମାଙ୍କଡ଼ ହୋଇଯିବା ନେଇ ଅଭିଶାପ ଦେଲେ । ଯେତେବେଳେ ଅପସରା ନିଜ ଭୁଲକୁ ବୁଝିପାରିଲେ ସେତେବେଳେ ସେ ଋଷିଙ୍କୁ କ୍ଷମା ମାଗିଲେ । କିନ୍ତୁ ଋଷି ତାଙ୍କ ଅଭିଶାପ ପ୍ରତ୍ୟାହାର କରିଲେ ନାହିଁ । ଏହା ପରେ ଅପସରା ଅନ୍ୟ ଜଣେ ଋଷି ମୁନିଙ୍କ ନିକଟରେ ପହଞ୍ଚି ପୁରା ଘଟଣା ବିଷୟରେ କହିଲେ । ସାଧୁ ମୁନି ଅପସରାଙ୍କୁ କହିଲେ ଯେ ସତ୍ୟଯୁଗରେ ଭଗବାନ ବିଷ୍ଣୁଙ୍କର ଏକ ଅବତାର ପ୍ରକଟ ହେବ । ଏହା ପରେ, ଅପସରା ସତ୍ୟଯୁଗରେ ବାନର ରାଜ କୁଞ୍ଜରଙ୍କ କନ୍ୟା ଅଞ୍ଜନା ଭାବରେ ଜନ୍ମଗ୍ରହଣ କରିଥିଲେ । ଅଞ୍ଜନା ବାନର ରାଜ କପିରାଜ କେସରୀଙ୍କୁ ବିବାହ କଲେ । କେସରୀ ଓ ଅଞ୍ଜନାଙ୍କ ପୁତ୍ରଭାବେ ମୋ ପତି ଜନ୍ମ ଗ୍ରହଣ କରିଥିଲେ । ମୋ ପତି ଜନ୍ମ ହେବା ପୂର୍ବର ଆଉ ଏକ ମଜାଦାର କାହାଣୀ ମଧ୍ୟ କମ୍ବ ରାମାୟଣର ପୂର୍ବକାଣ୍ଡରେ ବର୍ଣ୍ଣିତ ହୋଇଚି । ବାଳୀ ଥିଲା ବାନରମାନଙ୍କର ରାଜା । ଦିନେ ନାରଦ ଯାଇ ବାଳୀ ପାଖରେ ପହଞ୍ଚି କହିଲେ, ମୋ ଶାଶୁ (ଅଞ୍ଜନା)ଙ୍କ ଗର୍ଭରୁ ଶିବଙ୍କ ଅଂଶରେ ପୁତ୍ରଟିଏ ଜାତ ହେବ । ସେ ମହା ଶକ୍ତିଶାଳୀ ହେବ । ତାହା ଶୁଣି ବାଳୀ ଆଶଙ୍କା କଲା ଯେ ମୋ ପତି ଜନ୍ମ ହେବା ପରେ ସେ ଆଉ ରାଜା ହୋଇ ରହି ପାରିବନି । ତେଣୁ ସେ ମୋ ପତିଙ୍କୁ ମାତୃଗର୍ଭରୁ ମାରିଦେବାକୁ ଯୋଜନା କଲା । ସୁନା, ତମ୍ବା, ଲୁହା, ଟିଣ ଓ ଦସ୍ତାକୁ ଘୋରି ମୋ ଶାଶୁ (ଅଞ୍ଜନା)ଙ୍କୁ ପିଆଇ ଦେଲା । ତା'ର ଧାରଣା ଥିଲା, ଏହି ପଞ୍ଚଧାତୁ ମୋ ପତିଙ୍କୁ ମାତୃ ଗର୍ଭରୁ ମାରିଦେବ । କିନ୍ତୁ ତାର ସବୁ ଯୋଜନା ପଣ୍ଡ ହେଲା । ସେହି ପଞ୍ଚଧାତୁ ମିଶ୍ରିତ ଜଳ ମୋ ଶାଶୁ (ଅଞ୍ଜନା)ଙ୍କ ଗର୍ଭକୁ ଯାଇ ମୋ ପତିଙ୍କ କାନର କୁଣ୍ଡଳ ହୋଇଗଲା । 

ମୋ ପତିଙ୍କୁ ମହାମେରୁ ପର୍ବତର ଦକ୍ଷିଣ ଦିଗରେ ଥିବା ଉପତ୍ୟକାର ଜଙ୍ଗଲରେ ମୋ ଶାଶୁ (ଅଞ୍ଜନା) ଜନ୍ମ ଦେଇଥିଲେ । ଶିବଙ୍କ ଅଂଶରେ ଜନ୍ମ ହୋଇଥିବାରୁ ଜନ୍ମ ପରେ ପରେ ତାଙ୍କର ବାଲ୍ୟାବସ୍ଥା ଆସିଗଲା । ସେ ମୋ ଶାଶୁ (ଅଞ୍ଜନା)ଙ୍କୁ ପଚାରିଲେ, ତୁମେ ତ ଶାପମୁକ୍ତ ହୋଇ ସ୍ୱର୍ଗକୁ ଯିବାକୁ ବାହାରିଲଣି; କିନ୍ତୁ ମୁଁ ଖାଇବି କ'ଣ ? ମୋ ଶାଶୁ ( ଅଞ୍ଜନା)କହିଲେ, ପାଚି ଲାଲ୍ ଦେଖାଯାଉଥିବା ଫଳ ବାନରଙ୍କର ପ୍ରିୟ ଖାଦ୍ୟ । ତେଣୁ, ଯେଉଁ ଫଳ ପାଚି ଲାଲ୍ ହୋଇଛି, ସେହି ଫଳ ଖାଆ । ସେତେବେଳକୁ ମୋ ପିତା ସୂର୍ଯ୍ୟ ଉଦୟ ହେଉଥାଆନ୍ତି । ତାଙ୍କୁ ଦେଖି ମୋ ପତି ପାଚିଲା ଫଳଟିଏ ବୋଲି ଭାବି ଡିଆଁଟାଏ ମାରି ପହଞ୍ଚିଗଲେ ମୋ ପିତାଙ୍କ ପାଖରେ । ମାତ୍ର ମୋ ପିତାଙ୍କ ପାଖରେ ରାହୁକୁ ଦେଖି ତା' ଉପରକୁ ବି କୁଦି ପଡ଼ିଲେ । ଇନ୍ଦ୍ରଙ୍କ ବାହନ ଐରାବତ ସେଠି ଥିଲା । ତାକୁ ବି ଗିଳିଦେବାକୁ ବାହାରିଲେ । ତାହା ଦେଖି ଇନ୍ଦ୍ର ମୋ ପତି ହନୁମାନଙ୍କୁ ଲକ୍ଷ୍ୟ କରି ବଜ୍ର ପେଷିଲେ । ତାହା ସିଧା ଯାଇ ତାଙ୍କ ମୁହଁରେ ବାଜିଲା । ମୋ ପତି ଆହତ ହୋଇ ତଳେ ଖସିଡ଼ିଲେ । ପୁତ୍ରର ଏପରି ଅବସ୍ଥା ଦେଖି ପବନଦେବତା ଖୁବ୍ ଦୁଃଖିତ ହେଲେ । ସେ ମୋ ପତିଙ୍କୁ ଧରି ପାତାଳଲୋକକୁ ଚାଲିଗଲେ । ପବନ ନ ରହିବାରୁ ପୃଥିବୀରେ ସବୁ ସ୍ଥିର, ନିଶ୍ଚଳ ହୋଇଗଲା । ଜୀବନ୍ତ ପ୍ରାଣୀମାନେ ଶ୍ୱାସରୁଦ୍ଧ ହୋଇ ମରିଯିବାକୁ ବସିଲେ । ତେଣୁ ପୃଥିବୀବାସୀଙ୍କୁ ଏହି ବିପଦରୁ ରକ୍ଷା କରିବାପାଇଁ ବ୍ରହ୍ମା ଓ ଅନ୍ୟ ଦେବତାମାନେ ପାତାଳଲୋକକୁ ଧାଇଁଲେ । ପବନଙ୍କୁ ପୁଣି ମର୍ତ୍ତ୍ୟକୁ ଫେରି ଆସିବାକୁ ଅନୁରୋଧ କଲେ । ମୋ ପତିଙ୍କୁ ମଧ୍ୟ ସମସ୍ତେ ଆଶୀର୍ବାଦ କଲେ । ଇନ୍ଦ୍ରଙ୍କ ବଜ୍ର ମୋ ପତିଙ୍କ ମୁହଁର ଉପର ଗାଲପାଟି ବା 'ହନୁ'କୁ ଆହତ କରିଥିଲା । ତେଣୁ ସେହିଦିନଠୁଁ ମୋ ପତିଙ୍କ ନାଆଁ ହନୁମାନ ହେଲା । ଏହା ଫଳରେ କିନ୍ତୁ ମୋ ପତିଙ୍କର ଗୋଟିଏ ବଡ଼ ଲାଭ ହେଲା । ଦେବତାମାନଙ୍କ ଆଶୀର୍ବାଦ ଫଳରେ ସେ ବହୁ ଶକ୍ତିଶାଳୀ ହୋଇଗଲେ । ବ୍ରହ୍ମା ତାଙ୍କୁ ଆଶୀର୍ବାଦ କରି କହିଲେ, ଯେତେଦିନ ବ୍ରହ୍ମା ଥିବେ, ମୋ ପତି ସେତେଦିନ ରହିବେ । ବିଷ୍ଣୁ ଆଶୀର୍ବାଦ କଲେ, ମୋ ପତି ସାରାଜୀବନ ତାଙ୍କର ଭକ୍ତ ହେବେ । ଇନ୍ଦ୍ର କହିଲେ, କୌଣସି ଅସ୍ତ୍ରଶସ୍ତ୍ର ତାଙ୍କର ଶରୀର ଭେଦି ପାରିବ ନାହିଁ । ଅଗ୍ନି କହିଲେ, ମୋ ପତିଙ୍କୁ ଅଗ୍ନି ବି ଦହନ କରିପାରିବ ନାହିଁ । ଯମ କହିଲେ, ମୃତ୍ୟୁ ମୋ ପତିଙ୍କୁ ମାରି ପାରିବ ନାହିଁ । ଅନ୍ୟ ଦେବତାମାନେ କହିଲେ, ବଳ ଓ ବେଗରେ କେହି ମୋ ପତିଙ୍କର ସମକକ୍ଷ ହେବେ ନାହିଁ । ପୁଣି ବ୍ରହ୍ମା କହିଲେ, ଗରୁଡ଼ ଅପେକ୍ଷା ମୋ ପତି ଅଧିକ ଶକ୍ତିଶାଳୀ ହେବେ । ପବନ କହିଲେ, ତାଙ୍କ ଅପେକ୍ଷା ମୋ ପତିଙ୍କର ବେଗ ଅଧିକ ହେବ । ଏହିପରି ଜନ୍ମ ହେଉହେଉ ମୋ ପତି ବାଳକ ବୟସରେ ପହଞ୍ଚିବା ସହିତ ଅମିତ ଶକ୍ତିଶାଳୀ ହୋଇଗଲେ । ଏଥର ମୋ ପତି ଇଚ୍ଛାକଲେ, ମୋ ପିତା ସୂର୍ଯ୍ୟଙ୍କୁ ଗୁରୁ ରୂପେ ଗ୍ରହଣ କରି ଋକ୍, ଯଜୁ, ସାମ ଓ ଅଥର୍ବ ଚାରିବେଦ ଏବଂ ସାଂଖ୍ୟ, ପାତଞ୍ଜଳ, ପୂର୍ବ ମୀମାଂସା (ଜୈମିନୀ ଦର୍ଶନ), ଉତ୍ତର ମୀମାଂସା(ବେଦାନ୍ତ), ନ୍ୟାୟ (ତର୍କ) ଓ ବୈଶେଷିକ ଆଦି ଷଡ୍‌ଶାସ୍ତ୍ର ଶିକ୍ଷା କରିବେ । ସେଥିପାଇଁ ସେ ମୋ ପିତାଙ୍କୁ ଅନୁରୋଧ କଲେ । ମୋ ପିତା ମୋ ପତିଙ୍କୁ ଶିଷ୍ୟ ରୂପେ ଗ୍ରହଣ କରିବାକୁ ରାଜି ହେଲେ; କିନ୍ତୁ ସେଥିପାଇଁ ଗୋଟିଏ ସର୍ତ୍ତ ରଖିଲେ । କହିଲେ, ବାଳଖିଲ୍ୟ ଋଷିମାନେ ମୋ' ରଥରେ ବସି ବିଦ୍ୟାଶିକ୍ଷା କରୁଛନ୍ତି । ତେଣୁ ତୁମେ ସେମାନଙ୍କ ସହ ବସି ବିଦ୍ୟାଶିକ୍ଷା କରିପାରିବ ନାହିଁ । ବିଦ୍ୟାଶିକ୍ଷା ପାଇଁ ତୁମକୁ ମୋ' ରଥ ଆଗରେ ଆଗରେ ଚାଲିବାକୁ ପଡ଼ିବ । ମୋ ପତିଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ବିଦ୍ୟା ଶିକ୍ଷା । ସେଥିପାଇଁ କଠିନରୁ କଠିନ ସର୍ତ୍ତ ପାଳିବାକୁ ସେ ରାଜି ଥିଲେ । ତେଣୁ ମୋ ପିତାଙ୍କ ସର୍ତ୍ତରେ ସେ ସାଙ୍ଗେ ସାଙ୍ଗେ ରାଜି ହୋଇଗଲେ । ମୋ ପିତା ମୋ ପତଙ୍କୁ ବିଭିନ୍ନ ବିଦ୍ୟା ସମ୍ପର୍କରେ ଜ୍ଞାନ ଦେବା ଆରମ୍ଭ କରିଦେଲେ | କିଛି ଦିନ ପରେ ମୋ ପତଙ୍କୁ ଜ୍ଞାନ ଦେବା ସମୟରେ ମୋ ପିତାଙ୍କ ସାମ୍ନାରେ ଏକ ଧର୍ମ ସଙ୍କଟ ପରିସ୍ଥିତି ଛିଡା ହେଲା | ସମୁଦାୟ ନଅଟି ଶିକ୍ଷା ମଧ୍ୟରୁ ମୋ ପିତା ମୋ ପତି ହନୁମାନଙ୍କୁ ପାଞ୍ଚଟି ଶିକ୍ଷା ଦେଇଥିଲେ | ଅନ୍ୟ ଚାରୋଟି ବିଦ୍ୟା କେବଳ ବିବାହିତମାନଙ୍କ ପାଇଁ ଥିଲା |ମୋ ପତି ସମ୍ପୂର୍ଣ ଶିକ୍ଷା ନେବା ପାଇଁ ପ୍ରତିଜ୍ଞାବଦ୍ଧ ଥିଲେ | ସେ ଅନ୍ୟ ଚାରୋଟି ବିଦ୍ୟାକୁ ହାତଛଡା କରିବାକୁ ଚାହୁଁନଥିଲେ | ଧର୍ମର ଅନୁଶାସନ କାରଣ ଯୋଗୁଁ ସେ କୌଣସି ଅବିବାହିତଙ୍କୁ ଏହି ଚାରିଟି ବିଦ୍ୟା ସମ୍ପର୍କରେ ଜ୍ଞାନ ଦେଇପାରିବେନି ବୋଲି ମୋ ପତିଙ୍କୁ ବିବାହ କରିବା ପାଇଁ ଉପଦେଶ ଦେଲେ | ନିଜ ପ୍ରତିଜ୍ଞା ଏବଂ ସମସ୍ତ ବିଦ୍ୟା ଗ୍ରହଣ କରିବା ପାଇଁ ମୋ ପତି ବିବାହ କରିବା ପାଇଁ ବି ରାଜି ହୋଇଗଲେ | ତେବେ ମୋ ପତିଙ୍କ ପାଇଁ କନ୍ୟା କେଉଁଠାରୁ ଖୋଜାଯିବ, ସେ କାହାକୁ ବିବାହ କରିବେ ସେନେଇ ସମସ୍ତେ ଚିନ୍ତିତ ଥିଲେ | ଏଭଳି ପରିସ୍ଥିତିରେ ମୋ ପିତା ମୋ ସହିତ ହନୁମାନଙ୍କର ବିବାହ କରାଇ ଦେଲେ| ଏଥିରେ ମୋ ପତିଙ୍କର ବ୍ରହ୍ମଚର୍ଯ୍ୟ ନଷ୍ଟ ହୋଇ ନଥିଲା କାରଣ ପରାଶର ସଂହିତା ଅନୁଯାୟୀ ମୁଁ ଜଣେ ତପସ୍ବିନୀ ବ୍ରହ୍ମାଣ୍ଡର କଲ୍ୟାଣ ପାଇଁ ମୁଁ ହନୁମାନଙ୍କୁ ବିବାହ କରିଥିଲି ନିୟମ ଅନୁସାରେ ବିଦ୍ୟାଶିକ୍ଷା ପୁରା ହେବା ପରେ ଗୁରୁଙ୍କୁ ଦକ୍ଷିଣା ଦେବା କଥା । ତେଣୁ ମୋ ପିତା କି ଦକ୍ଷିଣା ଚାହାନ୍ତି ବୋଲି ମାଆ ପତି ଜାଣିବାକୁ ଇଚ୍ଛା କଲେ । ପିତା କହିଲେ, ବିଦ୍ୟାଶିକ୍ଷା ପ୍ରତି ତୁମର ଆଗ୍ରହ ଦେଖି ମୁଁ ଖୁସି । ଏହି ଆଗ୍ରହକୁ ମୁଁ ଦକ୍ଷିଣା ଭାବରେ ଗ୍ରହଣ କଲି । କିନ୍ତୁ ମୋ ପତି ଦକ୍ଷିଣା ଦେବାକୁ ତଥାପି ଜିଦ୍ କରିବାରୁ ପିତା କହିଲେ, ଏବେ ମୋର ପୁତ୍ର ସୁଗ୍ରୀବ ମର୍ତ୍ତ୍ୟରେ ଅଛି । ଭାଇ ବାଳୀ ପରି ସେ ବଳବାନ୍ ନୁହେଁ । ତୁମର ଯଦି ଗୁରୁଦକ୍ଷିଣା ଦେବାକୁ ଏତେ ଆଗ୍ରହ, ତେବେ ସବୁଦିନେ ତାର ସହଯୋଗୀ ହୋଇ ରୁହ, ତାର ମନ୍ତ୍ରୀ ଭାବରେ କାର୍ଯ୍ୟ କର । ଏଥିରେ ଖୁସି ହୋଇ ମୋ ପତି ଯାଇ ସୁଗ୍ରୀବଙ୍କର ମନ୍ତ୍ରୀ ରୂପେ କାର୍ଯ୍ୟ କଲେ । ସୀତା ହରଣ ପରଠାରୁ ରାମଚନ୍ଦ୍ରଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସୁଗ୍ରୀବ ଓ ମୋ ପତି ଦୁହେଁ ରାମଙ୍କର ଏକନିଷ୍ଠ ସେବକ ରୂପେ ଦାୟିତ୍ୱ ନିର୍ବାହ କଲେ । ପିତୃସତ୍ୟ ପାଳି ରାମଚନ୍ଦ୍ର ଚଉଦବର୍ଷ ବନବାସରେ ଥିବାବେଳେ ରାବଣ ସୀତା ମାଙ୍କୁ ଅପହରଣ କରିନେଲା । ସେତେବେଳେ ସୀତା ମାଆଙ୍କ ସନ୍ଧାନରେ ଯାଇ ଲକ୍ଷ୍ମଣ କିସ୍କିନ୍ଧାଠାରେ ପହଞ୍ଚିଥିଲେ ଏବଂ ଲକ୍ଷ ଲକ୍ଷ ବାନରଙ୍କୁ ନେଇ ଆଠଟି ଆଞ୍ଚଳିକ ସେନାଦଳ ଗଠନ କରିଥିଲେ । ସୁଷେଣଙ୍କୁ ପଶ୍ଚିମ, ଶତବାଳୀଙ୍କୁ ଉତ୍ତର, ବିନତାଙ୍କୁ ପୂର୍ବ ଓ ଅଙ୍ଗଦଙ୍କୁ ଦକ୍ଷିଣ ଦିଗର ଦାୟିତ୍ୱ ଦିଆଯାଇଥିଲା । ଲକ୍ଷ୍ମଣ ଓ ସୁଗ୍ରୀବ ସେମାନଙ୍କର ପରାମର୍ଶଦାତା ଭୂମିକାରେ ଥିଲେ । ମୋ ପତିଙ୍କ ନେତୃତ୍ୱରେ ସେମାନେ ସୀତା ମାଙ୍କ ସନ୍ଧାନ ପାଇଁ ଯାତ୍ରା କରିଥିଲେ । ସୀତା ଦକ୍ଷିଣ ସମୁଦ୍ରର ଲଙ୍କାଦ୍ୱୀପରେ ଅଛନ୍ତି ବୋଲି ସମ୍ପାତି ସେମାନଙ୍କୁ ପ୍ରଥମେ ସୂଚନା ଦେଇଥିଲେ । ତେଣୁ, ମହାଦର୍ପରେ ମୋ ପତି ତାଙ୍କର ଲଙ୍କା ଅଭିଯାନ ଆରମ୍ଭ କଲେ । ମହେନ୍ଦ୍ର ପର୍ବତର ଚୂଡ଼ା ଉପରୁ ସେ ସିଧା ଲଙ୍କା ଅଭିମୁଖେ ଲମ୍ଫ ଦେଲେ । ବାଟରେ ନାଗମାତା ସୁରସା ତାଙ୍କୁ ଗିଳିଦେଲେ; ମାତ୍ର ମୋ ପତି ତାଙ୍କ କାନ ବାଟେ ବାହାରିଗଲେ । କିଛି ବାଟ ଯିବା ପରେ ଛାୟାଗ୍ରାହିଣୀ ନାମକ ଏକ ପ୍ରେତ ତାଙ୍କର ପଥରୋଧ କଲା । ମାତ୍ର ମୋ ପତି ହିଁ ତାକୁ ମାରି ଆଗେଇ ଚାଲିଲେ । ଏହି ପରି ଯାଉଯାଉ ସମୁଦ୍ର ମଝିରେ ଟିକିଏ କ୍ଳାନ୍ତ ହୋଇ ପଡ଼ିବାରୁ ସେ ବିଶ୍ରାମ ନେବାକୁ ଚାହିଁଲେ । କିନ୍ତୁ ସମୁଦ୍ରରେ କେଉଁଠି ବା ବିଶ୍ରାମ ନେବେ ? ଏତିକି ବେଳେ ମୈନାକ ପର୍ବତ ସମୁଦ୍ରଗର୍ଭରୁ ଉଠି ତାଙ୍କୁ ବିଶ୍ରାମ ଦେଲା । ତାଙ୍କୁ ଫଳମୂଳ ବି ଖାଇବାକୁ ଦେଲା । ଏହି ମୈନାକ ପର୍ବତର ମଧ୍ୟ ଗୋଟିଏ କାହାଣୀ ଅଛି । ପୂର୍ବେ ସବୁ ପର୍ବତଙ୍କର ଚଢ଼େଇ ପରି ଡେଣା ଥିଲା । ସେମାନେ ଯୁଆଡ଼େ ମନ ସିଆଡ଼େ ଉଡ଼ି ବୁଲିବାରୁ ଇନ୍ଦ୍ର ବଜ୍ର ମାରି ତାଙ୍କର ଡେଣା କାଟି ଦେଇଥିଲେ । ପବନଦେବତା ତାହା ଜାଣିପାରି ପୂର୍ବରୁ ମୈନାକ ପର୍ବତକୁ ଉଡେଇ ଆଣି ସମୁଦ୍ରରେ ଲୁଚାଇ ଦେଇଥିଲେ । ଏଣୁ ମୋ ପତି ପବନପୁତ୍ର ହୋଇଥିବାରୁ, ଅତୀତର ସେଇ ଋଣ ଶୁଝିବାକୁ ମୈନାକ ତାଙ୍କୁ ସମୁଦ୍ରରେ ଆଶ୍ରୟ ଦେଇଥିଲା । ଅଳ୍ପ ସମୟ ସେଠାରେ ବିଶ୍ରାମ ନେବାପରେ ମୋ ପତି ପୁଣି ତାଙ୍କର ଯାତ୍ରା ଆରମ୍ଭ କରି ସିଧା ଯାଇ ଲଙ୍କାରେ ପହଞ୍ଚିଲେ । ମାତ୍ର ଲଙ୍କାଗଡ଼ର ସୁରକ୍ଷା ଦାୟିତ୍ୱରେ ଥିବା ଲଙ୍କାଲକ୍ଷ୍ମୀ ତାଙ୍କର ପଥରୋଧ କଲେ । ମୋ ପତି ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଲେ । ସେହି ଚାପୁଡ଼ା ଫଳରେ ସେ ପରାସ୍ତ ହେବା ସହିତ ଶାପମୁକ୍ତ ମଧ୍ୟ ହୋଇଥିଲେ । ଲଙ୍କାଲକ୍ଷ୍ମୀ କାହିଁକି ଅଭିଶାପ ପାଇ ଲଙ୍କାଗଡ଼କୁ ଜଗିରହିଥିଲେ, ସେ ସଂପର୍କରେ ବି ଗୋଟିଏ କାହାଣୀ ଅଛି । ପ୍ରକୃତରେ ଲଙ୍କାଲକ୍ଷ୍ମୀ ହେଉଛନ୍ତି ବିଜୟଲକ୍ଷ୍ମୀ । ସେ ଅଷ୍ଟଲକ୍ଷ୍ମୀଙ୍କ ମଧ୍ୟରୁ ଅନ୍ୟତମା । ବ୍ରହ୍ମାଙ୍କର ଧନସଂପତ୍ତିର ଜଗାରଖା କରିବା ତାଙ୍କର କାମ ଥିଲା । ଥରେ ସେ ନିଜର ଦାୟିତ୍ୱ ଠିକ୍ ରୂପେ ପାଳନ ନ କରିବାରୁ ବ୍ରହ୍ମା କୃଦ୍ଧ ହୋଇ ତାଙ୍କୁ ଅଭିଶାପ ଦେଲେ । ସେହି ଅଭିଶାପ ଫଳରେ ସେ ଆସି ଲଙ୍କାଲକ୍ଷ୍ମୀ ରୂପେ ସ୍ୱର୍ଣ୍ଣଲଙ୍କାକୁ ଜଗି ରହିଥିଲେ । ବ୍ରହ୍ମା କହିଥିଲେ, ସୀତା ମାଆଙ୍କ ସନ୍ଧାନପାଇଁ ଲଙ୍କାକୁ ଆସି ମୋ ପତି ତାଙ୍କୁ ଗୋଟିଏ ଶକ୍ତ ଚାପୁଡ଼ା ମାରିବେ । ସେତେବେଳେ ଯାଇ ତାଙ୍କର ମୁକ୍ତି ହେବ । ତାହା ହିଁ ହୋଇଥିଲା । ଏଥର ମୋ ପତି ସିଧା ଅଶୋକ ବନକୁ ଯାଇ ସେଠାରେ ବନ୍ଦିନୀ ଥିବା ସୀତାଙ୍କୁ ଭେଟିଲେ । ସୀତା ମାଆଙ୍କୁ ସେ ସନ୍ତକ ରୂପେ ଶ୍ରୀରାମଙ୍କ ରତ୍ନ ମୁଦ୍ରିକା ଉପହାର ଦେଲେ । ସେ ପ୍ରସ୍ତାବ ଦେଲେ ଯେ ସୀତା ଚାହିଁଲେ ତାଙ୍କୁ ସେ କାନ୍ଧରେ ବସାଇ ଲଙ୍କାରୁ ଉଦ୍ଧାର କରି ନେଇଯିବାକୁ ପ୍ରସ୍ତୁତ । ମାତ୍ର ସୀତା କହିଲେ, ମୋତେ ରାବଣ ଅପହରଣ କରି ଆଣିଲା । ତୁମେ ବି ଯଦି ଅପହରଣ କରି ନେବ, ତେବେ ଶ୍ରୀରାମଚନ୍ଦ୍ରଙ୍କର କି ଯଶ ହେବ ?ତାହା ଶୁଣି ସୀତା ମାଆଙ୍କୁ କହିଲେ, ମୁଁ ଫେରିଯାଇ ରାମ ଓ ଲକ୍ଷ୍ମଣଙ୍କୁ ଧରି ଫେରି ଆସିବି ଏବଂ ଆମେ ଯୁଦ୍ଧରେ ରାବଣକୁ ହରାଇ ଆପଣଙ୍କୁ ଉଦ୍ଧାର କରିବୁ । ଏହା କହି ସେ ସୀତା ମାଆଙ୍କୁ ନିଜର ବିଶାଳ ରୂପ ଦେଖାଇଲେ । ତାଙ୍କର ଲାଞ୍ଜ ଯାଇ ନଦୀରେ ପଡ଼ିଲା । ମୁଣ୍ଡ ପର୍ବତର ଚୂଡ଼ା ସହ ସମାନ ଦେଖାଗଲା । ହାତ, ଗୋଡ଼ ବଡ଼ ବଡ଼ ଗଛପରି ହୋଇଗଲା । ସେହି ରୂପରେ ସେ ବିକଟ ଗର୍ଜନ କରି ସାରା ଲଙ୍କା ନଗରୀକୁ ଥରହର କରିଦେଲେ । ଏଥର ମୋ ପତି ସୀତାଙ୍କଠାରୁ ବିଦାୟ ନେଇ ଲଙ୍କା ବୁଲି ବାହାରିଲେ । ସେ ଦେଖିଲେ, ରାବଣର ଭାଇ ବିଭୀଷଣ ତାଙ୍କ ପ୍ରାସାଦରେ ବିଷ୍ଣୁ ନାମ ଜପ କରୁଛନ୍ତି । ସେ ଭାବିଲେ, ବିଭୀଷଣଙ୍କ ପ୍ରାସାଦ, ରାଜପ୍ରାସାଦ ହେବା ଦରକାର । ପରେ ତାହା ହିଁ ହୋଇଥିଲା । ରାବଣର ମୃତ୍ୟୁ ପରେ ବିଭୀଷଣ ହେଲେ ଲଙ୍କାର ରାଜା । ମୋ ପତିଙ୍କର ତ ଡରଭୟ କିଛି ନଥାଏ । ତେଣୁ ସେ ଇଚ୍ଛା କଲେ, ଲଙ୍କା ଛାଡ଼ିବା ଆଗରୁ ଥରେ ଯାଇ ରାବଣକୁ ଭେଟିଲେ କେମିତି ହୁଅନ୍ତା ! ତା' ପରେ ରାବଣକୁ ନିଜର ଉପସ୍ଥିତି ଜଣାଇବାକୁ ସେ ଲଙ୍କା ନଗରୀରେ ଭଙ୍ଗାରୁଜା ଆରମ୍ଭ କରିଦେଲେ । ତାହା ଦେଖି ରାବଣର ପୁଅ ମେଘନାଦ ଆକାଶରୁ ବ୍ରହ୍ମାସ୍ତ୍ର ମାରି ମୋ ପତିଙ୍କୁ ଆହତ କରିଦେଲା । ତାଙ୍କୁ ବନ୍ଦୀ କରିନେଇ ରାବଣ ଆଗରେ ହାଜର କରାଇଲା । ମାତ୍ର ମୋ ପତି ହନୁମାନ ସେଠାରେ ଗୋଟିଏ ବିଚିତ୍ର କାଣ୍ଡ କଲେ । ନିଜର ଲାଙ୍ଗୁଡ଼କୁ ମୋଡ଼ି ମୋଡ଼ି ଏତେ ଉଚ୍ଚ କଲେ ଯେ ତାହା ରାବଣର ସିଂହାସନଠାରୁ ବି ଉଚ୍ଚା ହେଇଗଲା । ସେ ଯାଇ ତା' ଉପରେ ବସି ରାବଣକୁ ଚାହିଁ ବିଚିତ୍ର ଅଙ୍ଗଭଙ୍ଗୀ କଲେ । ତାହା ଦେଖି ରାବଣ ଅପମାନିତ ହେଲା ଓ ରାଗିଯାଇ ଆଦେଶ ଦେଲା, ଏ ହନୁର ଲାଞ୍ଜରେ ନିଆଁ ଲଗାଇ ଦିଅ । ତାହା ଶୁଣି ଅନ୍ୟ ରାକ୍ଷସମାନେ କନା ଆଣି ମୋ ପତିଙ୍କ' ଲାଞ୍ଜରେ ଗୁଡ଼ାଇବାକୁ ଲାଗିଲେ । କିନ୍ତୁ ମୋ ପତି ତାଙ୍କର ଲାଞ୍ଜକୁ ଫୁଲାଇ ଏତେ ମୋଟା କରିଦେଲେ ଯେ ସବୁ କନା ନିଅଣ୍ଟ ପଡ଼ିଲା । ଶେଷରେ ସେମାନେ ସେଥିରେ ତେଲ ଢାଳି ନିଆଁ ଲଗାଇଦେଲେ । ଏଥର ମୋ ପତି ତାଙ୍କର ଅସଲ କାଣ୍ଡ ଆରମ୍ଭ କଲେ । ବନ୍ଧନରୁ ଖସିଯାଇ ସାରା ଲଙ୍କା ନଗରୀରେ ନିଆଁ ଲଗାଇଦେଲେ । ସ୍ୱର୍ଣ୍ଣଲଙ୍କା ହୁତୁହୁତୁ ହୋଇ ଜଳିବାକୁ ଲାଗିଲା । ସେଇ ଦିନୁ ଭଙ୍ଗାରୁଜା ଓ ଜଳାପୋଡ଼ା ଘଟଣାକୁ 'ଲଙ୍କାକାଣ୍ଡ' ବୋଲି କୁହାଯାଉଛି । ତା' ପରେ ମୋ ପତି ଶ୍ରୀରାମଚନ୍ଦ୍ରଙ୍କ ପାଖକୁ ଫେରିଯାଇ ତାଙ୍କୁ ସୀତା ମାଙ୍କ ସମ୍ବାଦ ଦେଲେ । ମାତ୍ର ସମସ୍ୟା ହେଲା, ସୀତାଙ୍କୁ ଉଦ୍ଧାର କରିବା ପାଇଁ ସେମାନେ ସମୁଦ୍ର ଟପି ଶ୍ରୀଲଙ୍କାକୁ ଯିବେ କେମିତି ?କଥା ହେଲା, ସମୁଦ୍ରରେ ଏକ ସେତୁବନ୍ଧ ତିଆରି ହେବ । ଏହି ସେତୁବନ୍ଧ ନିର୍ମାଣର ନେତୃତ୍ୱ ନେଲେ ସୁଗ୍ରୀବ । ନିର୍ମାଣର ମୁଖ୍ୟ ଯୋଜନା କଲେ ନଳ ଓ ତାଙ୍କର ସହକାରୀ ଭାବେ ରହିଲେ ନୀଳ । ଜାମ୍ବବାନ ଓ ମୋ ପତି ନିରୀକ୍ଷକ ଦାୟିତ୍ୱ ତୁଲାଇଲେ । ବାନରସେନା ସେତୁବନ୍ଧ ନିର୍ମାଣରେ ଦିନରାତି ଏକ କରି ଲାଗିଗଲେ । ସେତୁବନ୍ଧ ନିର୍ମାଣ ହୋଇଗଲା । ସମସ୍ତେ ଲଙ୍କାରେ ଯାଇ ପହଞ୍ଚିବା ପରେ ଘୋର ଯୁଦ୍ଧ ଆରମ୍ଭ ହେଲା । ମୋ ପତିଙ୍କ ହାତରେ ପ୍ରଥମେ ମଲା କୁମ୍ଭକୁର୍ଣ୍ଣ । ତାର ବଡ଼କାନକୁ ଅନ୍ୟ ବାନରମାନେ କାମୁଡ଼ି କ୍ଷତବିକ୍ଷତ କରିଦେଇଥିଲେ । ତେଣୁ ମୃତ୍ୟୁ ପୂର୍ବରୁ ସେ ରାମଚନ୍ଦ୍ରଙ୍କୁ ଅନୁରୋଧ କରିଥିଲା, ତାର ମୁଣ୍ଡକୁ ଯେପରି ଅନ୍ୟ ରାକ୍ଷସମାନେ ନଦେଖନ୍ତି । କାରଣ ତାର କ୍ଷତ ବିକ୍ଷତ କାନକୁ ଦେଖି ସେମାନେ ଉପହାସ କରିବେ । ତେଣୁ ରାମଚନ୍ଦ୍ରଙ୍କ ଆଦେଶରେ କୁମ୍ଭକର୍ଣ୍ଣର କଟାମୁଣ୍ଡକୁ ନେଇ ହନୁମାନ ଗଭୀର ସମୁଦ୍ରରେ ଫିଙ୍ଗିଦେଇଥିଲେ । ସେହି ଯୁଦ୍ଧରେ ରାବଣର ପୁଅ ଇନ୍ଦ୍ରଜିତ ସହ ଲକ୍ଷ୍ମଣଙ୍କର ଯୁଦ୍ଧ ହେଲା । ମାୟାରେ ଇନ୍ଦ୍ରଜିତ ନିଜକୁ ଇନ୍ଦ୍ର ଓ ସେନାପତି ମହୋଦରଙ୍କୁ ଐରାବତ କରି ଲକ୍ଷ୍ମଣଙ୍କ ଆଗରେ ଯାଇ ଉଭା ହେଲା । ଇନ୍ଦ୍ରଙ୍କୁ ଦେଖି ଲକ୍ଷ୍ମଣ ମଥା ନୁଆଁଇ ପ୍ରଣାମ କରିବା ବେଳେ ସେ ବ୍ରହ୍ମାସ୍ତ୍ର ମାରି ତାଙ୍କୁ ମୃତ ପ୍ରାୟ କରିଦେଲା । ମୋ ପତି ଓ ଜାମ୍ବବାନ ମଧ୍ୟ ଅଚେତ ହୋଇଗଲେ । ଇନ୍ଦ୍ର ସେଠାରେ ପହଞ୍ଚି ସୁବର୍ଣ୍ଣକୁମ୍ଭରୁ ଗଙ୍ଗାଜଳ ଦେବାପରେ ମୋ ପତି ଓ ଜାମ୍ବବାନ ଚେତା ଫେରି ପାଇଲେ । ଜାମ୍ବବାନ ମୋ ପତିଙ୍କୁ କହିଲେ, ହିମାଳୟରୁ ଯାଇ ମୃତସଂଜୀବନୀ ନଆଣିଲେ ଲକ୍ଷ୍ମଣ ବଞ୍ଚିବେ ନାହିଁ । କିନ୍ତୁ କାଲି ସଂଧ୍ୟା ପୂର୍ବରୁ ତାହା ଆଣିବାକୁ ପଡ଼ିବ । ସେକଥା ଶୁଣି ମୋ ପତି ମୃତସଂଜୀବନୀ ଆଣିବା ପାଇଁ ହିମାଳୟକୁ ଉଡ଼ିଗଲେ । ମାତ୍ର ସେଠାରେ ମୃତସଂଜୀବନୀ କେଉଁଟି ତାହା ଚିହ୍ନି ନପାରି ପୂରା ଶୃଙ୍ଗଟିକୁ ଓପାଡ଼ି ନେଇ ଆସିଲେ । ସେଥିରେ ଥିଲା ଶଲ୍ୟହାରିଣୀ, ବିଶଲ୍ୟକରଣୀ, ସନ୍ଧାନକରଣୀ ଓ ମୃତସଂଜୀବନୀ । ସେହି ଚାରିଟି ଔଷଧି ଭିତରୁ ଜାମ୍ବବାନ ମୃତସଂଜୀବନୀକୁ ଚିହ୍ନି ପାରିଲେ । ସେହି ଚାରିଟି ଔଷଧିର ଗୁଣ ଥିଲା ଅଦ୍ଭୁତ । ବିଶଲ୍ୟକରଣୀ ତୀର ବା ଅନ୍ୟ ଅସ୍ତ୍ରଶସ୍ତ୍ରକୁ କାଢ଼ି ଦିଏ । ଶଲ୍ୟହାରିଣୀ ତାର ଯନ୍ତ୍ରଣା ଦୂର କରିଦିଏ । ସନ୍ଧାନକରଣୀ ସବୁ କ୍ଷତକୁ ଶୁଖାଇଦିଏ ଏବଂ ମୃତ ସଂଜୀବନୀ ଜୀବନଦାନ କରେ । ତେଣୁ ଏହି ଔଷଧିର ପ୍ରଭାବରେ ଲକ୍ଷ୍ମଣ ଚେତା ଫେରି ପାଇବା ସହିତ ସଂପୂର୍ଣ୍ଣ ସୁସ୍ଥ ହୋଇ ଉଠିଲେ । ଏହା କେବଳ ମୋ ପତିଙ୍କ ଯୋଗୁଁ ସମ୍ଭବ ହେଲା । ପରେ ରାମ ବନବାସରୁ ଫେରିବା ପରେ ଯେଉଁ ଅଶ୍ୱମେଧ ଯଜ୍ଞ ହେଲା, ତାହାର ଘୋଡ଼ାକୁ ରାମଙ୍କର ଦୁଇ ପୁଅ ଲବ ଓ କୁଶ ଅଟକାଇବାରୁ ଯୁଦ୍ଧ ହୋଇଥିଲା । ସେଥିରେ ଶତ୍ରୁଘ୍ନ ଆହତ ହେଲେ । ସେତେବେଳେ ମଧ୍ୟ ମୋ ପତି ହିମାଳୟରୁ 'ଦ୍ରୋଣ' ନାମକ ଔଷଧି ଆଣିବାରୁ ଶତ୍ରୁଘ୍ନଙ୍କ ପ୍ରାଣରକ୍ଷା ହୋଇଥିଲା । ଲଙ୍କାରେ ରାମ-ରାବଣ ଯୁଦ୍ଧ ଚାଲିଥିବା ବେଳେ ମୋ ପତି ସମସ୍ତଙ୍କୁ ସୁରକ୍ଷାର ବଳୟ ମଧ୍ୟରେ ରଖୁଥିଲେ । ପ୍ରଥମ ଦିନର ଯୁଦ୍ଧରେ ରାବଣ ତାର ଧନୁ ହରାଇଲା । ମାତ୍ର ତା' ହାତରେ ଅନ୍ୟ କୌଣସି ଅସ୍ତ୍ରଶସ୍ତ୍ର ନଥିବାରୁ ରାମ ତାକୁ ଛାଡ଼ିଦେଲେ । ଦ୍ୱିତୀୟ ଦିନର ଯୁଦ୍ଧରେ ସେ ଅହିରାବଣ ଓ ମହିରାବଣକୁ ଆଣି ଯୁଦ୍ଧକ୍ଷେତ୍ରକୁ ଆସିଲା । ସେ ଦୁହେଁ ରାତିରେ ଲୁଚି ଲୁଚି ରାମଙ୍କ ଶିବିରରେ ପ୍ରବେଶ କରିବାକୁ ଚାହିଁଲେ । ମାତ୍ର ମୋ ପତି ତାଙ୍କ ଲାଙ୍ଗୁଡ଼ରେ ଗଡ଼ ନିର୍ମାଣ କରି ସମସ୍ତଙ୍କୁ ରଖିଥିବାରୁ ସେଥିରେ ସଫଳ ହେଲେନାହିଁ । ଅନ୍ୟ ଉପାୟ ନଦେଖି ଦୁହେଁ ପାତାଳକୁ ଚାଲିଯାଇ ସେଠାରୁ ସୁଡ଼ଙ୍ଗ କରି ଶିବିର ଭିତରକୁ ପଶିଲେ ଏବଂ ରାମଚନ୍ଦ୍ର ଓ ଅନ୍ୟମାନଙ୍କୁ ସମ୍ମୋହନ ଦ୍ୱାରା ଅଚେତ କରି ପାତାଳକୁ ନେଇଗଲେ । ପାତାଳର ମହାକାଳୀଙ୍କ ନିକଟରେ ସେମାନଙ୍କୁ ବଳିଦେବାକୁ ଯୋଜନା କଲେ । ତାହା ଜାଣିପାରି ବିଭୀଷଣଙ୍କ ନେତୃତ୍ୱରେ ସୁଗ୍ରୀବ ଓ ଅନ୍ୟମାନେ ସୁଡ଼ଙ୍ଗବାଟେ ଯାଇ ସେଠାରେ ପହଞ୍ଚିଲେ ଓ ସେମାନଙ୍କ ସହ ଯୁଦ୍ଧ କଲେ । ଯୁଦ୍ଧରେ ଅଙ୍ଗଦ ମହିରାବଣକୁ ଏବଂ ମୋ ପତି ଅହିରାବଣକୁ ମାରିଦେଲେ । ରାମଚନ୍ଦ୍ର ଓ ଅନ୍ୟମାନେ ମୁକ୍ତ ହେଲେ । ଅହିରାବଣର ଏକମାତ୍ର ପୁଅ ସୁମାଳି ପାତାଳର ରାଜା ହେଲା । ଏହିପରି ମୋ ପତି ଲଙ୍କାରେ ରାମ-ରାବଣ ଯୁଦ୍ଧରେ ବହୁ ବୀରତ୍ୱ ଓ ପରାକ୍ରମ ପ୍ରଦର୍ଶନ କରିଥିଲେ । ଶେଷରେ ରାବଣ ମଲା । ଲଙ୍କାପୁରୀରୁ ସୀତାମା ଉଦ୍ଧାର ହେଲେ । ବିଭୀଷଣ ଲଙ୍କାର ରାଜା ହେଲେ । ତେବେ ମୋ ପତି କେବଳ ଯେ ଅମିତ ପରାକ୍ରମୀ ବୀର, ତାହା ନୁହେଁ । ମୋପତି ମଧ୍ୟ ଖୁବ୍ ସଂଗୀତାନୁରାଗୀ ଥିଲେ । ଅଦ୍ଭୁତ ରାମାୟଣରେ ଏ ସଂପର୍କରେ ଗୋଟିଏ ସୁନ୍ଦର କାହାଣୀ ଅଛି । ଥରେ ନାରଦ ମୋ ପତିଙ୍କୁ ସାକ୍ଷାତ୍ କରିବାକୁ ଆସିଲେ । ତାଙ୍କୁ ଦେଖି, ତାଙ୍କର ପ୍ରଶସ୍ତିରେ ମୋ ପତି ଗୋଟିଏ ଗୀତ ଗାଇଲେ । ସେହି ଗୀତ ଶୁଣିବାବେଳେ ନାରଦ ନିଜର ବୀଣାଟିକୁ ଗୋଟିଏ ପଥର ଉପରେ ରଖି ଦେଇଥିଲେ । ମୋ ପତିଙ୍କ ଗୀତ ଏତେ ପ୍ରଭାବଶାଳୀ ଥିଲା ଯେ ସେଥିରେ ସେହି ପଥର ତରଳିଗଲା ଏବଂ ବୀଣାଟି ସେଥିରେ ବୁଡ଼ିଗଲା । ମୋ ପତି ଗୀତ ବନ୍ଦ କରିଦେବାରୁ ପଥର ପୁଣି ଟାଣ ହୋଇଯାଇ ବୀଣାଟି ପଥର ଭିତରେ ରହିଗଲା । ନାରଦ ଭାବିଲେ, ସେ ଗୀତ ଗାଇ ପଥରକୁ ତରଳାଇ ଦେବେ ଏବଂ ବୀଣାଟିକୁ ଉଦ୍ଧାର କରିବେ । ମାତ୍ର ସେ ଯେତେ ଗୀତ ଗାଇଲେ ମଧ୍ୟ ପଥର ତରଳିଲା ନାହିଁ । ଫଳରେ ମୋ ପତି ଆଉ ଥରେ ଗୀତ ଗାଇଲେ । ପଥର ପୁଣି ତରଳିଗଲା ଏବଂ ନାରଦ ତାଙ୍କ ବୀଣାଟିକୁ ଫେରିପାଇଲେ । ଏହିପରି ମୋ ପତି ନାରଦଙ୍କୁ ମଧ୍ୟ ସଂଗୀତରେ ପରାସ୍ତ କରିପାରିଥିଲେ । ବାଲ୍ୟାବସ୍ଥାରେ ପାଇଥିବା ଆଶୀର୍ବାଦ ଫଳରେ ମୋ ପତି ବ୍ରହ୍ମାଙ୍କ ପରି ଆୟୁଷ ପାଇଥିଲେ । ସାରା ଜୀବନ ବିଷ୍ଣୁଭକ୍ତ ହୋଇ ରହିଥିଲେ । ବିଷ୍ଣୁଙ୍କ ରାମାବତାରର ଶେଷ ଦିନ ପର୍ଯ୍ୟନ୍ତ ସେ ତାଙ୍କର ସେବକ ରୂପେ ଥିଲେ । ଶେଷରେ ପରିଣତ ବୟସରେ ଯାଇ କଦଳୀ ବନରେ ରହିଲେ । ଏହି କଦଳୀ ବନରେ ଅବସ୍ଥାନ କଲାବେଳେ ଥରେ ଭୀମଙ୍କ ସହ ତାଙ୍କର ଦ୍ୱନ୍ଦ୍ୱ ହୋଇଥିଲା । ପାଣ୍ଡବମାନଙ୍କ ଅଜ୍ଞାତବାସ କାଳର କଥା । ଥରେ ଭୀମ ସୌଗନ୍ଧିକ ପୁଷ୍ପ ବା ବ୍ରହ୍ମକମଳ ସନ୍ଧାନରେ ଯିବା ବେଳେ, ବାଟରେ ମୋ ପତିଙ୍କ ଲାଞ୍ଜ ପଡ଼ିରହିଥିବାର ଦେଖିଲେ । ଭୀମ ତାଙ୍କୁ ବାଟ ଛାଡ଼ି ଦେବାକୁ କହିଲେ । ମୋ ପତି କହିଲେ, ଲାଞ୍ଜକୁ ଆଡେ଼ଇ ଦେଇ ଚାଲିଯାଅ । ମାତ୍ର ଭୀମ ଶତଚେଷ୍ଟା କଲେ ମଧ୍ୟ ତାଙ୍କ ଲାଞ୍ଜଟିକୁ ଟେକି ପାରିଲେ ନାହିିଁ । ଭୀମ ବୁଝିପାରିଲେ, ଏହି ବୃଦ୍ଧ ବାନର ସାଧାରଣ ମାଙ୍କଡ଼ ନୁହଁନ୍ତି । ସେ ତାଙ୍କୁ ପ୍ରଣାମ କରିବା ପରେ ମୋ ପତି ନିଜ ପରିଚୟ ଦେଇ ତାଙ୍କୁ ବ୍ରହ୍ମକମଳ ପାଇବାର ପଥ ବତାଇ ଦେଇଥିଲେ । ଅର୍ଜୁନଙ୍କ ରଥର ଧ୍ୱଜାରେ ମୋ ପତି ଅବସ୍ଥାନ କରନ୍ତି । ଏହା ପଛରେ ମଧ୍ୟ ଗୋଟିଏ ସୁନ୍ଦର କାହାଣୀ ଅଛି । ପାଣ୍ଡବମାନେ ଅଜ୍ଞାତବାସରେ ଥିବାବେଳେ ଥରେ ଅର୍ଜୁନ ବୁଲୁବୁଲୁ ସେତୁବନ୍ଧକୁ ଦେଖି ଭାବିଲେ, ଛାର ମାଙ୍କଡ଼ମାନଙ୍କୁ ନେଇ ଶ୍ରୀରାମ ଏତେ କଷ୍ଟକରି ସେତୁବନ୍ଧ ବାନ୍ଧିବା କି ଦରକାର ଥିଲା ? ଗୋଟିଏ ତୀର ମାରି ତ ସେତୁବନ୍ଧ ବାନ୍ଧି ଦେଇ ହୋଇଥାନ୍ତା ! ସେ ସେହି ପ୍ରଶ୍ନଟିକୁ ପାଖରେ ବସି ରାମାୟଣ ପଢ଼ୁଥିବା ଜଣେ ପଣ୍ଡିତଙ୍କୁ ପଚାରିଲେ । ସେ ତାହାର ଉତ୍ତର ଦେଇ ପାରିଲେନି । ଏତିକିବେଳେ ଗୋଟିଏ ଛୁଆ ମାଙ୍କଡ଼ ଆସି କହିଲା, ତୀର ମାରି ସେତୁବନ୍ଧ ବାନ୍ଧିଦେଇ ହୋଇଥାନ୍ତା ସିନା, କିନ୍ତୁ ମାଙ୍କଡ଼ ଚଢ଼ିଲେ ତାହା ଭାଙ୍ଗିଯାଇଥାନ୍ତା । ଅର୍ଜୁନ ସେଥିରେ ରାଜି ହେଲେନି । ଫଳରେ ଜିଦାଜିଦି ପଡ଼ିଲା । ଅର୍ଜୁନ କହିଲେ, ଯଦି ମାଙ୍କଡ଼ ଚଢ଼ିଲେ ମୋ ତିଆରି ତୀରବନ୍ଧ ଭାଙ୍ଗିଯିବ, ତେବେ ଅଗ୍ନି ଜାଳି ମୁଁ ସେଥିରେ ଆତ୍ମାହୁତି ଦେବି । ଆଉ ମାଙ୍କଡ଼ ଚଢ଼ିଲେ ଯଦି ତୀରବନ୍ଧ ନ ଭାଙ୍ଗିବ, ତେବେ ତୁମେ ମୋର ଦାସ ହୋଇ ରହିବ । ଅର୍ଜୁନ ତୀର ମାରି ବନ୍ଧ ତିଆରି କଲେ । ମାତ୍ର ମାଙ୍କଡ଼ ଛୁଆଟି ଚଢ଼ିବା ମାତ୍ରେ ତାହା କଡ଼ମଡ଼ ହୋଇ ଭାଙ୍ଗିଗଲା । ତାହା ଦେଖି ଅର୍ଜୁନ ଅଗ୍ନି ଜାଳି ଆତ୍ମାହୁତି ଦେବାକୁ ଯାଉଛନ୍ତି, ସମୁଦ୍ରରେ ସ୍ନାନ କରୁଥିବା ଜଣେ ବ୍ରାହ୍ମଣ ବାଳକ ଆସି କହିଲା, ଦୁଇଜଣଙ୍କ ଜିଦାଜିଦିରେ ଜଣେ ମଧ୍ୟସ୍ଥ ନରହିଲେ ଜିଦାଜିଦିର କିଛି ମୂଲ୍ୟ ନାହିଁ । ଏବେ ମୁଁ ମଧ୍ୟସ୍ଥି ହେଲି, ଆଉଥରେ ପରୀକ୍ଷା ହେଉ । ଏଥର ଅର୍ଜୁନ ପୁଣିଥରେ ତୀର ମାରି ବନ୍ଧ ତିଆରି କରିଦେଲେ । ମାତ୍ର ମାଙ୍କଡ଼ଛୁଆଟି ଯେତେ ନାଚକୁଦ କଲେ ବି ସେ ବନ୍ଧ ଭାଙ୍ଗିଲା ନାହିଁ । ସେଇଠୁ ସେ ବିରାଟ ଆକାର ଧାରଣ କରି ତୀରବନ୍ଧ ଉପରେ ନାଚିଲା । ମାତ୍ର ବନ୍ଧର କିଛି ହେଲା ନାହିଁ । ସେହି ବ୍ରାହ୍ମଣ ପିଲା ପ୍ରକୃତରେ ଥିଲେ ଶ୍ରୀକୃଷ୍ଣ, ଆଉ ମାଙ୍କଡ଼ ଛୁଆଟି ମୋ ପତି । ଏହି ଦ୍ୱନ୍ଦ୍ୱ ଯୁଦ୍ଧରେ କେହି ହାରିଲେ ନାହିିଁ କି କେହି ଜିତିଲେ ନାହିଁ । ଏଣୁ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶ ଅନୁସାରେ ମୋ ପତି ଯାଇ ଅର୍ଜୁନଙ୍କ ରଥର ପତାକାରେ ରହିଲେ । ସେହିଦିନୁ ଅର୍ଜୁନଙ୍କ ରଥର ନାଆଁ ହେଲା 'କପିଧ୍ୱଜ' । ପୁରୀ ରଥଯାତ୍ରାରେ ଶ୍ରୀଜଗନ୍ନାଥଙ୍କ ରଥଧ୍ୱଜାରେ ମଧ୍ୟ ମୋ ପତି ରୁହନ୍ତି । ତେଣୁ ନନ୍ଦିଘୋଷ ରଥର ପତାକାର ନାଆଁ ବି 'କପିଧ୍ୱଜ' । ଆଜି ବି ଶ୍ରୀମନ୍ଦିର ରେ ଏକ ନାମରେ ଅନେକ ରୂପ ନେଇ ମୋ ପତି ଦଣ୍ଡାୟମାନ । ସିଂହଦ୍ୱାର ଗୁମୁଟିରେ ଫତେ ହନୁମାନ ରୂପରେ ଦର୍ଶନ ଦେଉଛିନ୍ତି ତ ଦକ୍ଷିଣ ଦ୍ୱାର ବାହାରେ ବାରଭାଇ ହନୁମାନ ରୂପରେ ଅବସ୍ଥାନ କରୁଛନ୍ତି ପଶ୍ଚିମ ଦ୍ୱାରରେ ବୀର-ବିକ୍ରମ ହନୁମାନ ରୂପେ ବିରାଜମାନ ହୋଇଛନ୍ତି ତ ବାହାର ବେଢ଼ାରେ ଦକ୍ଷିଣକୁ ମୁଖ କରି ଭକ୍ତଜନଙ୍କୁ ଆଶୀର୍ବାଦ ଦେଉଛନ୍ତି । ସେ ସମୁଦ୍ର ଏବଂ ଗୁରୁ ଶବ୍ଦକୁ ମନ୍ଦିର ମଧ୍ୟରେ ପ୍ରବେଶ କରାଇ ଦିଅନ୍ତି ନାହିଁ ସେଇଥି ପାଇଁ ତାଙ୍କୁ କାନପତା ହନୁମାନ କୁହନ୍ତି ! ଭିତର ଦ୍ୱାର ରକ୍ଷକ ଭାବେ ଚାରିଚକ୍ର ହନୁମାନ ରୂପରେ ମୋ ପତି ରହିଛନ୍ତି । ଅନ୍ୟମାନେ ମୋ ପତିଙ୍କର ଏ ରୂପକୁ ତପସ୍ୱୀ ହନୁମାନ ବୋଲି ସମ୍ଭୋଧନ କରନ୍ତି । ସେ କୋଇଲି ବୈକୁଣ୍ଠ ସୁରକ୍ଷାରେ ଦାୟିତ୍ୱ ନିର୍ବାହ କରୁଛିନ୍ତି ପଶ୍ଚିମପଟ ବାହାର ବେଢ଼ାରେ ଦେବ ଦ୍ୱାରପାଳ ପଂଚମୂଖୀ ହନୁମାନ ରୂପରେ ମୋ ପତି ଅଛନ୍ତି । ଶ୍ରୀଜଗନ୍ନାଥଙ୍କର ହୁଣ୍ଡିକୁ ଦାନ କରୁଥିବା ଭକ୍ତଜନଙ୍କୁ ଆଶୀର୍ବାଦ କରନ୍ତି । ଆନନ୍ଦ ବଜାରରେ ମୋ ପତିଙ୍କର ଷୋହଳ ମୂର୍ତ୍ତି ବିଗ୍ରହ ରହିଛି । ଏଠାରେ ସମସ୍ତ ଶୃଙ୍ଖଳା ଦାୟିତ୍ୱ ମୋ ପତିଙ୍କ ଉପରେ ନ୍ୟସ୍ତ କରେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୋ ପତି ନାମର ବିଗ୍ରହମାନେ ସିନ୍ଦୁରମୂଖୀ ନୁହନ୍ତି । ନାଟ୍ୟମଣ୍ଡପରେ ବି ମୋ ପତି ବିରାଜମାନ ଅଛନ୍ତି । ବିଭିନ୍ନ ସ୍ତମ୍ଭ, ପଟ୍ଟଚିତ୍ର, ସରଘରେ ଏବଂ ବିଭିନ୍ନ ସ୍ଥାନରେ ମୋ ପତିଙ୍କୁ ଦେଖିବାକୁ ମିଳେ । ଏହା ବ୍ୟତୀତ ପୁରୀ ସହର ମଧ୍ୟରେ ମୋ ପତିଙ୍କର ସିଦ୍ଧ ମହାବୀର ରୂପ, ବେଡି ମହାବୀର ରୂପ ଭକ୍ତମାନଙ୍କୁ ଆକର୍ଷିତ କରେ । ବୋଧହୁଏ ଏଇ କାରଣ ଯୋଗୁଁ ସପ୍ତ ଚିରଞ୍ଜିବୀଙ୍କ ମଧ୍ୟରୁ ମୋ ପତି ଜଣେ ବୋଲି କୁହାଯାଏ ମୋ ପତି ଏକମାତ୍ର ଦେବତା ଯାହାଙ୍କ ନାମ ଜପ କରିବା ମାତ୍ରେ ସମସ୍ତ କଷ୍ଟ ଦୂର ହେବା ସହିତ ମନୋସ୍କାମନା ପୁରା ହୋଇଯାଏ । ମୋ ପତିଙ୍କ ଭକ୍ତି ସବୁଠାରୁ ସରଳ ଏବଂ ଶୀଘ୍ର ଫଳ ପ୍ରଦାନକାରୀ । ଜୀବନରେ କେବେ ବି ଯଦି ଭୟ, ଭୂତ, ବାଧା ଆଦି ସମସ୍ୟା ହୁଏ ତେବେ ତୁରନ୍ତ ମୋ ପତିଙ୍କୁ ସ୍ମରଣ କରନ୍ତୁ ମୋ ପତିଙ୍କ ଉପାସକମାନଙ୍କୁ କେବେ ବି ରାହୁ ' ଶନିଦଶା ଗ୍ରାସ କରିନଥାଏ । ଏହାର ଏକମାତ୍ର କାରଣ ହେଲା ଏ ଦେଶର କୋଣ ଅନୁକୋଣରେ ମୋ ପତିଙ୍କର ପବିତ୍ର ଧାମ ରହିଛି ମୋ ପତି ବ୍ରହ୍ମଚାରୀ ହୋଇଥିବାରୁ ଏ ସବୁ ଧାମରେ ତାଙ୍କ ମୂର୍ତ୍ତି ବିଗ୍ରହକୁ ନାରୀମାନଙ୍କୁ ଛୁଇଁବା ମନା' କିନ୍ତୁ ଜାଣନ୍ତିକି ଏମିତି ଏକ ସ୍ଥାନ ଅଛି ଯେଉଁଠି ମୋ ପତି ସ୍ୱୟଂ ନାରୀ ରୂପରେ ପୂଜା ପାଉଛନ୍ତି ଏହି ସ୍ଥାନଟି ହେଉଛି ଛତିଶଗଡ଼ର ରତନପୁର ଗାଁ, ଏହି ମନ୍ଦିର ଦଶ ହଜାର ବର୍ଷ ପୁରୁଣା ମନ୍ଦିର ବିଶ୍ୱାସ ରହିଛି ଭକ୍ତ ଏଠି ପୂଜା କଲେ ଦୁଃସାଧ୍ୟ ରୋଗରୁ ମୁକ୍ତି ଲାଭ କରନ୍ତି ଏହାକୁ ନେଇ ଏକ ଲୋକକଥା ରହିଛି ପ୍ରାଚୀନ କାଳରେ ରତନପୁରରେ ପୃଥ୍ବୀ ଦେବଙ୍କୁ ନାମରେ ଜଣେ ରାଜା ଥିଲେ ସେ ମୋ ପତିଙ୍କର ଭାରି ଭକ୍ତ ଥିଲେ ତାଙ୍କୁ କୁଷ୍ଠ ହୋଇଥିଲା ମୋ ପତି ତାଙ୍କୁୁ ସ୍ୱପ୍ନରେ ଆସି ମନ୍ଦିର ନିର୍ମାଣ କରିବାକୁ କହିଲେ ଓ ସେଠାରେ ରହିଥିବା ମହାମାୟା କୁଣ୍ଡରୁ ତାଙ୍କ ପ୍ରତିମାକୁ ବାହାର କରି ସ୍ଥାପନା କରିବାକୁ ନିର୍ଦ୍ଦେଶ ଦେଲେ ଏହି ପ୍ରତିମାଟି ଥିଲା ନାରୀ ରୂପ ସେହିଦିନ ଠାରୁ ମୋ ପତି ନାରୀ ରୂପରେ ସେଠାରେ ପୂଜା ପାଉଛନ୍ତି ମନ୍ଦିର ପ୍ରତିଷ୍ଠା ପରେ ଉକ୍ତ ଲୋକଟି କୁଷ୍ଠରୁ ସଂପୂର୍ଣ୍ଣ ଭଲ ହୋଇଯାଇଥିଲା ଏହି ପ୍ରତିମାଟି ଦକ୍ଷିଣାମୁଖୀ ଥିବାବେଳେ ତାଙ୍କର ବାମ କାନ୍ଧରେ ରାମ ଓ ଦକ୍ଷିଣ କାନ୍ଧରେ ଲକ୍ଷ୍ମଣ ବିରାଜମାନ କରିଛନ୍ତି ମୋ ପତିଙ୍କ କୃପା ପାଇବାର ସବୁଠାରୁ ସରଳ ଉପାୟ ହେଉଛି ମୋ ପତିଙ୍କର ଚାଳିଶା । ମୋ ପତିଙ୍କ ଚାଳିଶାର ପ୍ରତ୍ୟେକଟି ପଦ ହିଁ ଏକ ମହାମନ୍ତ୍ର । ଯାହାକୁ ପଢିବା ମାତ୍ରେ ସମସ୍ତ ବାଧା ବିଘ୍ନ ସମସ୍ୟା ଦୂର ହେବା ସହ ବିଗିଡିଯାଇଥିବା କାମ ବି ହୋଇଯାଏ । 



Rate this content
Log in