ମଲା ଜହ୍ନର ଜୋଛନା
ମଲା ଜହ୍ନର ଜୋଛନା
ଆକାଶ ସୁଦୂରୁ ଅପଲକେ ଚାହିଁ ରହିଥାଏ ଧରଣୀକୁ । ଚାହିଁ ରହିଥାଏ ତାକୁ ଛୁଇଁବାକୁ ଅଭିଳାଷୀ କୁନି କୁନି ପାହାଡ଼ ମାନଙ୍କୁ ଆଉ କୋଳାହଳେ ମତ୍ତା ଚଗଲି ସେ ଝରଣା ମାନଙ୍କୁ, ପବନରେ ନୃତ୍ୟରତ ଚଷା ଭାଇର ସେ ସବୁଜିମା କ୍ଷେତ ମାନଙ୍କୁ ଆଉ କେଉଁ ଅଜଣା ଲାଳସାରେ ଧାଇଁ ଚାଲିଥିବା ସର୍ପିଳ ସରିତ ମାନଙ୍କୁ । ସାଗରକୁ ଦର୍ପଣ କରି ସେ ଦେଖେ ନିଜର ହସ, ଲୁହ, କୋହ, ଭୟ ଆଦି ଭିନ୍ନ ଭିନ୍ନ କାଳିରେ ଅଙ୍କା ପ୍ରତିବିମ୍ବକୁ । ସେ ଦେଖେ ହସୁଥିବା ସୁନ୍ଦରି ପୁଷ୍ପାଛ୍ଛନ୍ନ ବଗିଚାମାନଙ୍କୁ ଆଉ ଭଅଁର ପ୍ରଜାପତି ମାନଙ୍କ ସହ ତା ଅକୁହା ଅଦେଖା ଅବୁଝା ପ୍ରେମକୁ । କଣ କେଜାଣି ଭାବେ ସେ ? ସେ ଟିକେ ଲାଜେଇ ଯାଏ । ଆଉ ତାର ଏ ଲାଜ ପଛର ପ୍ରେମ ଧରା ପଡ଼ିଯାଏ ବହୁଥର କବି ଓ ଲେଖକ ମାନଙ୍କର କଳ୍ପନାର ଆଖିରେ । କେତେବେଳେ ସପ୍ତରଙ୍ଗୀ ଇନ୍ଦ୍ରଧନୁକୁ କାୟାରେ ମାଖି ମୁରୁକି ହସେ ପୁଣି କେତେବେଳେ ଝରାଇ ଦିଏ କିଛି ଧାର ଲୁହ ଅମ୍ବୁଦ ରୂପରେ ତା ପ୍ରିୟା ଧରଣୀ ବୁକୁରେ ।
ଏ ସ୍ରୋତ ଅଟେ ଅବଶୋଷର । ତା ଭାବନାର ଚିର ଅପରିପ୍ରକାଶତାର ।
ସୀମାହୀନ ଏଇ ପ୍ରେମ କାହାଣୀର ନାୟକ ସେଇ ନୀଳ ଆକାଶର ଚିର ଆଶା ଭଳି ଆକାଶ୍ ନିର୍ଜୀବ ପାଲଟି ବସି ରହିଥାଏ ଜହ୍ନ ଆଲୁଅରେ । ହାତରେ ଫର୍ ଫର୍ ଉଡୁଥାଏ ନିର୍ଜୀବ କାଗଜ ଖଣ୍ଡେ ଆଉ ନିଶ୍ଚଳ କଲମଟିଏ । ବସି ଭାଳୁଥାଏ ଜୀବନର କିଛି ଜୀବନ୍ତ ସ୍ମୃତିକୁ । ସ୍ମୃତି ତା ପ୍ରିୟା ଅନିଶାର ।
( ପ୍ରେମିକାର ନାମ ପରିବର୍ତ୍ତନ କରିବାକୁ ବାଧ୍ୟ ହେଲୁ । ଏମିତିରେ କାହାଣୀର ନାୟକର ନାଁ ଚୋରି କରି ଆଣିଛେ । ଯଦି ତା ପ୍ରେମିକାର ନାଁ କୁ ବି ନକଲ କରିବା copyright claimed ହେଇଯିବ ନହେଲେ ଆମ ଲେଖା ପାଇଁ ତାଙ୍କୁ ମୂଲ୍ୟାୟନ କରିବାକୁ ପଡ଼ିବ । ହା ହା 😊 Just for Fun )
ଆକାଶ୍ ବିଗତ ଦିନର ପ୍ରତ୍ୟେକଟି କ୍ଷଣର ସ୍ମୃତିରେ ଯନ୍ତ୍ରଣାରେ ଜର୍ଜରିତ ହୋଇ ଚାଲୁଥାଏ । ଭୟ ଓ କୋହରେ ହୃଦୟ କମ୍ପିତ ହୋଇଉଠୁଥାଏ । ମନର ଅକୁହା ଭାବନା ଘନ ଅନ୍ଧାରର ସେଇ କୁନି ଗଙ୍ଗଶିଉଳି ଭଳି ହୋଇଯିବନି ତ ? ଲୁହଧାର ଏଇଠି ହୋଇପଡିଛି ଟିକିଏ କ୍ଷୀପ୍ରତର । ହେବନି ବା କେମିତି ଏ ହସ ଲୁହର କାହାଣୀ ନା ଦୁଇ ଦିନର ନା ଚାରି ଦିନର । ଏହା ଦୀର୍ଘ ୧୫ ବର୍ଷର । ଅକୁହା ଭାଷା ନା କହି ହେଲା ନା ବୁଝେଇ ହେଲା ଅବୁଝା ସେ ଭାବନା ସବୁକୁ ।
ଏହି ସମୟରେ ଦାଲୁକାଏ ପବନରେ ଭାସି ଆସନ୍ତି ଶବ୍ଦମାନେ ଟିକିଏ ଆଶ୍ଵାସନା ଦେବା ପାଇଁ । ବୁଝାନ୍ତି -
....."ପ୍ରେମ ବିଶାଳ ପାରାବାର ।
ଆମେ ତ ମାତ୍ର ଶବ୍ଦ ଛାର ।
ପ୍ରେମ ନିଶବ୍ଦରେ ଏକ ଆଶା ।
ଛୁଇଁ ପାରିବ କି ତାକୁ ଭାଷା ?
ବୋଧେ ଏ ଅଫୁଟା ଅବଜ ।
ସ୍ପର୍ଶରେ ରବିର କିରଣ ।
ଫୁଟିବ ନ ବରି ମରଣ ।".....
ହେଲେ ମନ ବୁଝୁଛି କେଉଁଠି । ସେ ତ ଅନ୍ଧାରି ଗଡର ଅବୁଝା ରାଜା । ଶତ ପ୍ରଚେଷ୍ଟାକୁ ବିଫଳ କରି ଜଣେ ନିଜ କଥାରେ ଅଟଳ ରହେ ଆଉ ଜଣେ ଶତ ଆଶ୍ଵାସନା ପାଇ ମଧ୍ୟ ନିଜ ଭାବନାରେ ଅଟକି ଥାଏ । ଦେଖିବାକୁ ଗଲେ ଦୁହେଁ ଏକ ପ୍ରକାର ସମାନ ।
ବାସ୍ତବ ଆଉ ସ୍ୱପ୍ନ ଭିତରର ଦୂରତା ପୁଣି ହେଇଯିବ କି ଅପହଁଞ୍ଚ ? କାଲିର ସୂର୍ଯ୍ୟାସ୍ତ ପରେ କ'ଣ ପୁଣି ତା ପ୍ରେମ ପାଲଟିଯିବ ସେ ମରୁର ମରୀଚିକା ? କାଲି +୩ ଶେଷ ବର୍ଷର ଶେଷ ପରୀକ୍ଷା ଆଉ ଆନି ସହ ତା'ର ଶେଷ ଦେଖା । ଆନି ତା ଆଖି ଆଗରୁ ପୁଣି ଚାଲିଯିବ ବହୁଦୂର । ଚାଲିଯିବ ଦୂର ୟୁନିଭରସିଟିକୁ ପଢ଼ିବା ପାଇଁ । ବିରହର ଯନ୍ତ୍ରଣା ବିଷୟରେ ହୃଦୟ ତାର ଅବଗତ । ଆପଣମାନଙ୍କର ଅବଗତ ପାଇଁ କାହାଣୀଟିକୁ ସମ୍ପୂର୍ଣ୍ଣ ପଢିବାକୁ ଅନୁରୋଧ ।
ଆନି ଖିଲି ଖିଲି ହସୁଥିବା ସୁନେଲି ସୁରୂଜମୁଖୀଟିଏ । ଆଖି ତାର କଥା କହେ । ପାଦ ତାର ଧାଉଁଥାଏ । ଚୁଲୁବୁଲି ଝିଅଟା । ହସ ଖୁସିର ତା ଛୋଟ ଦୁନିଆ । ସେ ହସେ ଆଉ ତା ମିଠା ମିଠା କଥାରେ ସମସ୍ତଙ୍କୁ ହସେଇବା ପାଇଁ ଭଲ ପାଏ । ପିଲାଟି ଦିନରୁ ଆଜିଯାଏ ସ୍ରୋତସ୍ବିନୀ ବୟସ ବହି ଆସିଲାଣି କାଇଁ କେତେ ଦୂର । ହେଲେ ସମୟର ସୁଅରେ ପ୍ରକୃତିର ଛୁଆଁରେ ସେ ଦିନର ସେ କୁନି ଛୁଆଟା ଆଜି ଟିକେ ଲାଗେ ଅଧିକ ସୁନ୍ଦରି ।
ଆକାଶ୍ ପିଲାଟି ଦିନରୁ ଆନିକୁ ଭଲ ପାଏ । ଯେବେ ପ୍ରେମ ଥିଲା ଗୋଟେ ଅଜଣା ବିଷୟ ତା ପାଇଁ ।
ଏ ପ୍ରେମ କାହାଣୀର ଆରମ୍ଭ ହେଇଥିଲା ମାଧପୁର U.P. ସ୍କୁଲ୍ ରୁ । ଆପଣମାନଙ୍କୁ ଟିକେ ଅଡୁଆ ଲାଗୁଥିବ । ଏଇଠି ମୁଁ ଯଦି କହିବି ଏହା ପୁଣି ପ୍ରଥମ ଶ୍ରେଣୀରୁ । ଏବେ ଆପଣମାନେ ଭାବୁଥିବେ ପ୍ରେମ ପୁଣି ଏତେ ଛୋଟ ବୟସରୁ । ଏ ବୟସରେ ପିଲା ଠିକ୍ ରେ କଥା କହିବା ଶିଖି ନଥାନ୍ତି । ବୋଧେ ଏ ଲେଖକର ମତିଭ୍ରମ ହେଇଯାଇଛି ଯେ ଏମିତି ଲେଖା ଲେଖୁଛି । କିନ୍ତୁ କ୍ଷମା ପ୍ରାର୍ଥନା କରିବି ମୁଁ ନିରୁପାୟ । ଏ ପ୍ରେମର ମୂଳଦୁଆ ଅବୋଧ ସେ ଦିନମାନଙ୍କରୁ ।.....
ସାଙ୍ଗସାଥୀ ଦୁଷ୍ଟାମୀରୁ ଟିକେ ବିରତି ନେଇ ଆରମ୍ଭ ହେଇଥିଲା ଆକାଶ୍ ର ଛାତ୍ର ଜୀବନ । ନୂଆ ଜାଗା, ନୂଆ ସାଙ୍ଗ ଆଉ ନୂଆ କରି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଠ ପଢା ତାକୁ ଭଲ ତ ଲାଗୁଥିଲା ହେଲେ ପିଲା ଦିନର ସେ ଅଳି ଅଝଟରୁ ସେ ବା କେମିତି ଓହରି ଯିବ । ପ୍ରତିଦିନ ସ୍କୁଲ୍ ନ ଯିବାର ବାହାନା କରି ଗାଳି ଶୁଣିବା ପରେ କାନ୍ଦି କାନ୍ଦି ସ୍କୁଲ୍ ରେ ପହଁଞ୍ଚିବା ଯେମିତି ଗୋଟିଏ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଯାଇଥିଲା । କାନ୍ଦ ଘର ଦୁଆରୁ ସ୍କୁଲ୍ ଗେଟ୍ ଯାଏ ସୀମିତ ଥିଲା । ପରେ ସେ ପୁଣି ହସ, ଖେଳ ପଢ଼ାରେ ମାତି ଯାଉଥିଲା । ଆକାଶ ଭଲ ପାଠ ପଢୁଥିଲା । ତା ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ତାକୁ ଭଲ ପାଉଥିଲେ ।
ଆରମ୍ଭର ଏମିତି କିଛି ଦିନ ବିତିଯାଇଥିଲା । ହେଲେ ସେଇ ଭଲ ପାଇବାରେ ବୋଧେ ଭାଗ ବସାଇବା ପାଇଁ ସେବେ ଆଗମନ ହୋଇଥିଲା ଆମ କାହାଣୀର ନାୟିକାଙ୍କର । ସେଦିନ ପ୍ରାର୍ଥନା ସଭା ସାରି ସମସ୍ତେ ଶ୍ରେଣୀରେ ବସିଥାନ୍ତି । ସେବେ ନୂଆକରି ଶ୍ରେଣୀକୁ ଆସିଥିଲା ଝିଅଟିଏ । ଦେଖିବାକୁ ଖୁବ୍ ସୁନ୍ଦର । ସତେ କଣ୍ଢେଇଟିଏ । ଶାନ୍ତ ସେ କାହାକୁ କିଛି କହୁ ନଥିଲା । ସେଦିନ ସାର୍ ଦିଦି ମାନଙ୍କ ପ୍ରଶ୍ନ ର ଠିକ୍ ଉତ୍ତର ଦେଇଦେବାରୁ ବହୁତ୍ ପ୍ରଶଂଶା ପାଇଥିଲା । ଆକାଶ୍ ସହି ପାରୁନଥିଲା ଯେମିତି । ପାଗଳା ପିଲାଟା ମୁହଁର ଅଭିବ୍ୟକ୍ତିଟା ଯେ ଈର୍ଷ୍ୟା ଏହା ଅଛପା ନଥିଲା । ଦିନ କେଇଟାରେ ସେ ଈର୍ଷ୍ୟା କୁଆଡେ ଉଭେଇଗଲା । ଉତ୍କଣ୍ଠା ଆଉ ଆଗ୍ରହ ବାନ୍ଧି ଦେଲା ବନ୍ଧୁତାର ଡୋର । ଦୁହେଁ ଭଲ ସାଙ୍ଗ ହୋଇଯାଇଥିଲେ ଆଉ ଭଲ ପାଠ ମଧ୍ୟ ପଢୁଥିଲେ । ହସ ଖୁସି ମଜାରେ ସମୟ ଗଡି ଚାଲୁଥିଲା । ବୟସର ବୃଦ୍ଧିରେ ଶ୍ରେଣୀର ଗୋଟେ ଗୋଟେ ନୂଆ ସୋପାନକୁ ଅତିକ୍ରମ କରି ସେମାନେ ବଡ ହେବାରେ ଲାଗିଲେ । ବିଗତ ଦିନର ବନ୍ଧୁତ୍ୱ ଟିକିଏ ନିବିଡ ହେବାରେ ଲାଗିଥିଲା । ଦିନକୁ ଦିନ ଆକାଶ୍ ର ଛୋଟିଆ ମନଟା ଆନି ପ୍ରତି ଢଳିବାରେ ଲାଗିଥିଲା । ଦିନ ରାତି ବସି ଭାବୁଥିଲା କେବେ ତାକୁ ଗାଁ ମଝି ଆମ୍ବ ଗଛରୁ ଆମ୍ବ ତୋଳି ଦବ ତ କେବେ ସାଧୁଆ ଦୋକାନରୁ ତା ପ୍ରିୟ ଚକୋଲେଟ୍ କିଣିଦବ । ପୁଣି ଯୋଜନା କରୁଥିଲା ସ୍କୁଲ୍ ବଗିଚାର ସବୁଠୁ ସୁନ୍ଦରି ଫୁଲକୁ ବାଛି ତା ହାତରେ ଧରେଇଦବ । ତା ଓଠରେ ଟିକେ ହସ ଆଣିଦବା ପାଇଁ ସେ ଯେମିତି ପାଗଳ ହେଇଯାଉଥିଲା । ଆକାଶ୍ ର ଛୋଟିଆ ମନ ଟା ଧୀରେ ଧୀରେ ପ୍ରେମର ଅନୁଭବରେ ଅବଗତ ହେବା ଆରମ୍ଭ କରୁଥିଲା । ହେଲେ ପରିପ୍ରକାଶ କରିବା ପାଇଁ ବୋଧେ ଓଠ ତଥାପି ଥିଲା ଭାଷାର ତଲାସରେ ।
ଏଇଠି ସମୟ କ୍ରୁରତା ଆରମ୍ଭ କରିଦେଇଥିଲା । ଦିନ କେଇଟା ଭଳି ଆରମ୍ଭ ହେଇଥିବା U.P. ସ୍କୁଲ୍ ର ଜୀବନ ସମାପ୍ତ ହୋଇଗଲା । ସମସ୍ତେ ହାଇସ୍କୁଲ୍ ଗଲେ ପାଠ ପଢିବା ପାଇଁ । ଆକାଶ୍ ଆଉ ଆନିର ମିଳାମିଶା ଏବେ ଟିକେ କମି ଯାଇଥିଲା । ସମାଜ ଆଖିରେ ନିବିଡ ବନ୍ଧୁତା ଟା ଧୂଳିକଣା ଭଳି ଖୁଞ୍ଚି ହେଲା ଯେମିତି । ଦୂରତା ଅଦିନିଆ କୁହୁଡି ଭଳି ନିଶବ୍ଦରେ ଗ୍ରାସ କରି ଆସିଲା । ପରସ୍ପରକୁ ଅତି ନିକଟରୁ ଜାଣିଥିବା ମନ ଦୁଇଟା ଅଚିହ୍ନା ପାଲଟି ଯାଉଥିଲେ । ଆପଣାର ମଣିଷ ଆଉ ତା ସହ ଜଡିତ ଜୀବନ୍ତ ମୁହୂର୍ତ୍ତ ବିନା ତ୍ରୁଟିରେ ନିୟତି ନିର୍ଦ୍ଦେଶରେ ପରିବର୍ତ୍ତନ ହେଇଯିବା କିଛି ଗଲା ଜନ୍ମର ପାପର ଫଳଠୁ କମ୍ ଲାଗୁ ନଥିଲା ଆକାଶ କୁ । ସମୟ ଚକରେ ଘୂର୍ଣ୍ଣାୟମାନ ମଣିଷ । ଅବୁଝା ଏ ଦୂରତାଠୁ ଦୂରରେ ଆନି ଏବେବି ଆକାଶ କୁ ଭଲ ବନ୍ଧୁଟିଏ ଭାବୁଥିଲା । ହେଲେ ଆକାଶ୍ ର ମନ ବନ୍ଧୁତାର ପରିଧି ଡେଇଁ ନିଜର ହେବାର ଲାଳସାରେ ନିଶ୍ୱାସ ନଉଥିଲା । ସବୁ ସ୍ୱପ୍ନ ଯେ ବାସ୍ତବ ହୁଏ ଆଉ ସବୁ ବନ୍ଧୁତା ପ୍ରେମ ଏହା ସ୍ୱଭାବିକ ଦୃଷ୍ଟିରେ ଯୁକ୍ତିଯୁକ୍ତ ନୁହେଁ । ତଥାପି ଆମ୍ଭେମାନେ ସମୟର ଅପେକ୍ଷାରେ ।...
ଆକାଶ୍ ଆନିକୁ ହୃଦୟର ସାଥୀ ମାନି ସାରିଥିଲା ହେଲେ ଆନି ହୃଦୟରେ ବନ୍ଧୁଟିଏ ବ୍ୟତୀତ ଆଉ ନିଜର ପରିଚୟ ଖୋଜି ପାଉନଥିଲା । ଛୋଟିଆ ପିଲାଟା । ବିଚଳିତ ହୋଇ ପଡୁଥିଲା । ମେଳାପି ପିଲା ସେ । ସତେ ବାଚାଳଟିଏ । ସବୁବେଳେ ଗପୁଥାଏ । ହେଲେ ଆଜିକାଲି ଭାଷା ମାନଙ୍କ ମେଳରେ ଆଉ ଦେଖାଯାଉନଥିଲା । ନୀରବରେ ଗୁମ୍ ହେଇ ବସି ରହୁଥିଲା । ସାଙ୍ଗସାଥୀ ମାନଙ୍କଠୁ ବି ଦୂରେଇ ରହୁଥିଲା । ପାଠ ପଢାରେ ବି ମନ ଲାଗୁନଥିଲା ତାର । କିଛିଟା ଦିନ ପରେ ସ୍କୁଲ୍ ଜୀବନର ଘଟିବ ଅବସାନ । ତା ବନ୍ଧୁତା ଏବେ ପୁନେଇଁ ଆକାଶର ମିଞ୍ଜି ମିଞ୍ଜି ତାରା ମାନଙ୍କ ଭଳି ଶୋଭାହୀନ ଦିଶୁଥିଲା । ମନର କୋହ ପ୍ରତ୍ୟୁଷରେ ଅନ୍ତର ଭୟ ସଞ୍ଚାର କରି ଯାଉଥିଲା ତାର ପ୍ରତ୍ୟେକଟି କ୍ଷୀପ୍ର ହୃଦ୍ ସ୍ପନ୍ଦନରେ । ସତରେ ଏଇ ଏକ ତରଫା ପ୍ରେମ କେତେ ଯେ ଯନ୍ତ୍ରଣାଦାୟକ ହେଇଥିବ ତା ପାଇଁ ପାଠକ ପାଠିକା ଆକାଶ୍ ଚରିତ୍ରରେ ନିଜକୁ ରଖିଲେ ହିଁ ଅନୁଭବ କରିପାରିବେ । ଏପଟେ ଅକୁହା ଭାଷାର ପୀଡା ସେପଟେ ବନ୍ଧୁତାକୁ ହରେଇବାର ଭୟ । ମଝିରେ ଆକାଶ୍ । ନା ଥିଲା ସାହାସ ଓଠ ଖୋଲି କହିବାର ନା ତା ଉତ୍ତରର ସାମ୍ନା କରିବାର । ୮ ବର୍ଷର ବନ୍ଧୁତା ୮ ଦିନର ଅତିଥି ଭଳି ଲାଗୁଥିଲା ଆଉ ଏ ୨ ବର୍ଷର ଦୂରତା ୨୦ ବର୍ଷ ଭଳି କଷ୍ଟ ଦଉଥିଲା ।
ଇଂରାଜୀରେ କହନ୍ତି "Time and Tides wait for none." ଦେଖୁ ଦେଖୁ ଏ ୨ ବର୍ଷ ବି ବିତିଗଲା ଆଖି ପିଞ୍ଛୁଳାରେ । ଜୀବନ ଭିନ୍ନ ଏକ ମୋଡ ନେଲା । ଦୂରତା ହେଇଗଲା ମଜବୁତ୍ । ଆନି ଚାଲିଗଲା ସହରରକୁ ତା ମାମୁଁଙ୍କ ପାଖକୁ ଭଲ କଲେଜ୍ ରେ ପାଠ ପଢିବା ପାଇଁ । ଆକାଶ୍ ଆଜିବି ଆନିର ସ୍ମୃତି ସହ ପଡ଼ି ରହିଥିଲା ଗାଁରେ । ଶେଷ ଦେଖା ଆଉ ତାର ଶେଷପଦ କଥା "Best of luck" ତା ଆଖିର ଲୁହକୁ ଶୁଖିବାକୁ ଦଉନଥିଲା । ଯଉ ଭାଗ୍ୟରେ ଆନି ନାହିଁ ସେ ସେ ଭାଗ୍ୟକୁ ଧିକାର କରୁଥିଲା ଆଉ ଭଗବାନଙ୍କୁ ମୀନତି । ଆଖି ଆଗରେ ସେ ଚେହେରା ନାଚୁଥିଲା ସବୁବେଳେ । ଛୋଟରୁ ବଡ ଯାଏ ତା ସହ ପ୍ରତ୍ୟେକଟି କଥା ପ୍ରତ୍ୟେକଟି ସ୍ମୃତି କେବେ ହସୁଥିଲା, କେବେ ରୁଷୁଥିଲା, କେବେ ଲୁଚୁଥିଲା ଯେ ହଜିଯାଉଥିଲା । ଏଇସବୁକୁ ନେଇ ସେ ବଞ୍ଚୁଥିଲା ଜୀବନ, କାଟୁଥିଲା ସମୟ । ମନରେ ପାଇବାର ଆଶା ଜୀଇଁ ରହିଥିଲା ତଥାପି ।
ନିୟତିର ଇଚ୍ଛା ବିଚିତ୍ର ବଡ଼ ଅବୁଝା । ଆକାଶର ଯନ୍ତ୍ରଣାକୁ ଭଗବାନ ସହିପାରିନଥିଲେ ବୋଧେ । ଆନିର ମାମୁଁଙ୍କ ବଦଳି ଅନ୍ୟ ଏକ ସହରକୁ ହୋଇଗଲା । ରହିବା ଖାଇବା ଖର୍ଚ୍ଚ ପୂର୍ବ ଠାରୁ ଢେର୍ ଅଧିକ । ଏପଟେ ଆନିର +୨ ରେଜେଲ୍ଟ୍ ଆସିବାକୁ ଥାଏ । +୨ ପରେ ପୁଣି +୩ ୩ ବର୍ଷ ପଢିବ ସେ । ମାମୁଁ ମାଇଁଙ୍କ ମନା କରିବା ସତ୍ତ୍ବେ ବି ଆନି ଫେରି ଆସିଥିଲା ପୁଣି ନିଜ ଗାଁ କୁ । ମାମୁଁ, ମାଇଁ ଆଉ ତାଙ୍କ ଦୁଇ ପୁଅ ଝିଅ । ଘର ଖର୍ଚ୍ଚ, ପିଲାଙ୍କ ପଢା ଖର୍ଚ୍ଚ ଉପରେ ଆନିର ରହିବା ଖାଇବା ଖର୍ଚ୍ଚଟା ବୋଝ ବୋଲି ଭାବି ଆନିର ମାଆ ବାପା ତାକୁ ଘରକୁ ନେଇ ଆସିଲେ । ଆନି ମନ କିନ୍ତୁ ଖୁସି ଥିଲା । ସହରର ଗଳି କନ୍ଦି ଭିତରେ ସେ ଯେମିତି ହଜି ଯାଇଥିଲା । ହେଲେ ସବୁବେଳେ ମନେ ପକଉଥିଲା ତାର ସ୍କୁଲ୍ ଜୀବନକୁ । ପିଲାଦିନ ସାଙ୍ଗସାଥୀ ମାନଙ୍କ ସହ ପୁଣି ଦେଖା ହେବ ସେ ମିଶିବ, ପଢିବ । ହଜିଯାଇଥିବା ପିଲାଦିନ ତାର ପୁଣି ଫେରି ପାଇବ । ୨ ବର୍ଷର ବିଚ୍ଛେଦ ପରେ ଆକାଶ୍, ସିମୁନ୍, ଶ୍ରୀୟା, ମାମା, ଶୁଭମ୍, ସିପୁନ୍ ତାର ଭଲ ସାଙ୍ଗ ମାନଙ୍କ ସହ ପୁଣି ମିଳନ ହେବ ତାର । ଖୁସିର ସୀମା କହିଲେ ନ ସରେ । ଏହା ଭିତରେ +୨ ରେଜଲ୍ଟ୍ ଆସିଯାଇଥିଲା । ସମସ୍ତେ ଭଲ ନମ୍ବର ରଖି ପାସ୍ କରିଥିଲେ । ଆସିବାର ଏତେ ଦିନ ଭିତରେ ଘର ପାଖ ଦୁଇ ତିନି ଜଣ ସାଙ୍ଗଙ୍କ ସହ ଦେଖା ହୋଇଥାଏ ତାର । କଲେଜ୍ ରେ ସମସ୍ତଙ୍କୁ ଭେଟିବ ଭାବି ଆଉ ଦେଖା କରିନଥିଲା କାହା ସହ । କିଛି ଦିନ ଭିତରେ +୩ ରେ ନାଁ ଲେଖା ସରିଲା ।
କଲେଜ୍ ରେ ପ୍ରଥମ ଦିନ । ଆନି ତର୍ ତର୍ ରେ ବାହାରୁଥାଏ । ବହି ଥାକରୁ ନୋଟ୍ ଆଣି ବ୍ୟାଗ୍ ସଜାଡୁ ସଜାଡୁ ନଜର ପଡିଲା ଗୋଟିଏ ନୋଟ୍ ଉପରେ । ନୋଟ୍ ଟା ଆକାଶ୍ ର ଦଶମ ଶ୍ରେଣୀର ରହିଯାଇଛି ତା ପାଖରେ । ନୋଟ୍ ଟା ଦେଖି ହସିଦେଲା ଟିକେ ସେ । ଡେରି ହେଇଯିବା ଡରରେ ଶୀଘ୍ର ଶୀଘ୍ର ବାହାରି ଗଲା କଲେଜ୍ । ଶ୍ରୀୟା, ସିପୁନ୍, ଶୁଭମ୍, ମାମା ଆଉ ଆକାଶ୍ ସମସ୍ତେ କଲେଜ୍ ରେ ପହଁଞ୍ଚି ସାରିଥାନ୍ତି । ଆନି ଆଉ ସିମୁନ୍ ପହଁଞ୍ଚିଲେ ।
କ୍ଲାସ୍ ରେ ହଠାତ୍ ଆନିକୁ ଦେଖି ଆକାଶ ନିଜ ଆଖିକୁ ବିଶ୍ୱାସ କରିପାରିଲାନି । କିଛି କ୍ଷଣ ପାଇଁ ସ୍ୱପ୍ନ ଆଉ ବାସ୍ତବ ଭିତରେ ଅଟକି ଯାଇଥିଲା ସେ । ହୃଦ୍ ସ୍ପନ୍ଦନ କ୍ଷୀପ୍ର ବେଗରେ ଧାଇଁ ଉଠିଥିଲେ । ଆଖିର ସେ ଚିରସ୍ରୋତା ନଈ ଟା କୁଳ ଲଙ୍ଘିବାକୁ ଚାହୁଁଥିଲା । ମନରେ ଖୁସି ଆଉ କୋହର ମିଳନରେ ଶରୀର ତାର ସ୍ଥାଣୁ ପାଲଟି ଯାଇଥିଲା । ଇଚ୍ଛା ହଉଥିଲା ତା ହାତକୁ ଧରି ମନଭରି କାନ୍ଦିବାକୁ, ସମୟ ର ଭିଡ଼ ଭିତରେ ତାକୁ ଆଉ ନ ହଜେଇବା ପାଇଁ ତା ହାତକୁ ସାରା ଜୀବନ ଭିଡ଼ି ଧରିବାକୁ ।
"ଓଏ ହିରୋ"... ହଠାତ୍ ପ୍ରକୃତିସ୍ଥ ହେଇ ଦେଖିଲା ଆନି ସାମ୍ନାରେ । କଣ ଭୁଲିଗଲୁ ମତେ ? କଣ ଖବର ? ଏମିତି ନାନା ପ୍ରକାର କଥା ହେଲେ । ଅନ୍ୟ ସମସ୍ତେ ମଧ୍ୟ ଆନିକୁ ଦେଖି ଖୁବ୍ ଖୁସି ଥିଲେ ସେଦିନ ଆଉ ଆନିବି । ସେଦିନ ଦେଖା ପରଠୁ ଆକାଶ୍ ମନର ଖୁସି ଭାଷାରେ ଅବ୍ୟକ୍ତ । ରାତିରେ ଶୋଇପାରିନଥିଲା ସେ sry ଶୋଇବାକୁ ହିଁ ଚାହିଁନଥିଲା । ୨ ବର୍ଷ ବିତି ଯାଇଥିଲେ ବି ସହରର ପାଣି ପବନ ଭିତରେ ଆଜିବି ସେ ସେମିତି ରହିଛି । ଟିକିଏ ବି ବଦଳିନି । ସ୍ୱର ଟିକିଏ ବଦଳି ଯାଇଛି ହେଲେ କଥା ଯେମିତିକୁ ସେମିତି ।
ତା ଆନି ପୁଣି ଫେରି ଆସିଛି ବୋଲି ତାର ଖୁସିର ସୀମା ନାହିଁ । ହେଲେ ଆଖି ଆଗରେ ଆନିକୁ ପାଇବି ସେ ସେଇ ଯନ୍ତ୍ରଣାରୁ ମୁକ୍ତ ହେଇ ପାରିନଥିଲା । And we know ସମୟ ତା କର୍ତ୍ତବ୍ୟରେ । ଏମିତି ହିଁ ବିତି ଆସିଛି ଅତୀତର ପୃଷ୍ଠାରୁ ।.....
ଏବେ ଆସିବା ବର୍ତ୍ତମାନକୁ । ଆଜି ଶେଷ ପରୀକ୍ଷା । ଆନି ପୁଣି ଆଖି ଆଗରୁ ଦୂରେଇ ଯିବ । ପିଲାଟି ଦିନରୁ ଆଜି ଯାଏ ଯାହାକୁ ହୃଦୟରେ ସାଇତି ରଖିଛି, ଯାହା ପାଇଁ ଓଠ ତାର ନୀରବେ ହସିଛି, ଆଖିରୁ ଝରିଛି କେତେ ଅଶ୍ରୁର ଧାର, ଯାହା ସ୍ମୃତିକୁ ଜୀଇଁବାର ଏକ ଆଧାର କରିଛି, ଯାହା ଉପସ୍ଥିତି ହୃଦୟରେ ପୁନଃ ଶାନ୍ତି ଆଣିଦେଇଛି, ସେ ପୁଣି ଦୂରକୁ ଚାଲିଯିବ । ବିଚ୍ଛେଦର ବିରହ କେତେ ଯେ କଷ୍ଟ ବିରହ ପରର ମିଳନ ପରେ ପୁନଃ ବିଚ୍ଛେଦର ଉଦନ୍ତ ଆଉ ତା ହୃଦୟ ସହି ପାରିବ ନାହିଁ । ଏଥର ଆଖିରୁ ଲୁହ ପୋଛି ମନକୁ ଦୃଢ଼ କଲା । ସ୍ଥିର କଲା ହୃଦୟରେ ସାଇତା ସବୁ ଅକୁହା କଥାକୁ ବିନା ଦ୍ଵିଧା ଆଉ ବିନା ବିଧାରେ ଖୋଲି କହିଦବ ଆନି ଆଗରେ ।
କଲେଜ୍ ରେ ପହଁଞ୍ଚିଲା । ଆନି କ୍ଲାସ୍ ରେ ବସିଥାଏ । ତା ପାଖକୁ ଗଲା ହେଲେ ତା ହସୁଥିବା ମୁହଁକୁ ଦେଖି ଅଟକି ଗଲା । ସେ ପୁଣି ଚୁପ୍ ରହିଗଲା । ହସୁଥିବା ମୁହଁରେ ଏମିତି କଥା କହି ତା ହସକୁ ବନ୍ଦ କରିବାକୁ ସାହାସ ସେ କରି ପାରିଲାନି । ଫେରି ଆସୁଥିଲା ଆନି ପଛରୁ ଡାକିଲା ଆକାଶ୍... । ସେ ପଛକୁ ବୁଲିଲା । କ'ଣ କହୁଥିଲୁ କି ? ଆସିଥିଲୁ ଫେରିଗଲୁ । ଆକାଶ୍ ଲୁଚାଇବାକୁ ଚେଷ୍ଟା କରି କହିଲା ନା ଦେଖିବାକୁ ଆସିଥିଲି ସାଙ୍ଗ ପିଲା କଣ କରୁଛନ୍ତି ସବୁ । ଆଚ୍ଛା ଶୁଭମ୍, ସିପୁନ୍ କୁଆଡେ ଗଲେ ମୁଁ ଟିକେ ଦେଖି ଆସେ କହି ଚାଲି ଯାଉଥିଲା । ଆନି ପୁଣି ଡାକିଲା । ଆଜି ଶେଷ ପରୀକ୍ଷା । ଆଉ ତୋ ସହ ଦେଖା ହେଇ ପାରିବିନି । ଭଲରେ କଥା ହବୁନି ଟିକେ । ଏମିତି ଅଣଦେଖା କରି ଚାଲିଯାଉଛୁ । ଆକାଶ୍ ର କୋହ ଅସମ୍ଭାଳ ହୋଇ ଉଠୁଥିଲା । ଲୁହ ଆଖିର ଦରଜା ବାଡଉଥିଲେ । ମନର କୋହ ଆଉ ଆଖିର ଲୁହକୁ ଚାପି ତା ପାଖରେ ଯାଇ କହିଲା ନା ସେମିତି ନୁହଁ । ତୁ ଯଉଠି ବି ରହ ଖୁସିରେ ରହ । ମନ ଦେଇ ପାଠ ପଢ଼ିବୁ । ଛୋଟବେଳୁ ଆଜି ଯାଏ ଯେମିତି ପଢ଼ାରେ ଭଲ କରି ଆସିଛୁ ଆଗକୁ ଆହୁରି ଭଲ କର । ଆଉ କିଛି କହିବା ଆଗରୁ ତା କଣ୍ଠ ରୁଦ୍ଧ ହେଇ ଆସିଲା । ମୁଁ ଆସେ କହି ହଠାତ୍ ଉଠି ସେଠୁ ପଳାଇ ଆସିଲା ।
ପରୀକ୍ଷା ସରିଲା । ସମସ୍ତେ ବାହାରେ ଆସି ଯିଏ ଯାହା ସହ ଦେଖା ହେଉଥିଲେ । ପରସ୍ପର କୋଳାକୋଳି ହେଉଥିଲେ । କେତେ ଚିତ୍ରକର ପରସ୍ପରର ଡ୍ରେସ୍ ରେ ଆଙ୍କୁଥିଲେ ସ୍ମୃତିର ଚିତ୍ର ସବୁକୁ ପୁଣି ସ୍ମୃତି କରି ସାଇତି ରଖିବା ପାଇଁଁ । ଏଇ ଶେଷ ଦିନକୁ ସ୍ମରଣୀୟ କରିବା ପାଇଁ ପୁଣି କେହି ବୋଳି ଦଉଥିଲା କାହା ଗାଲରେ ଅଭିର । ହେଲେ ଆକାଶ୍ ସମସ୍ତଙ୍କ ଠାରୁ ଲୁଚି ଦୂରରେ ଗୋଟିଏ ଗଛ ମୂଳେ ଏକୁଟିଆ ବସି କାନ୍ଦୁଥିଲା । ଏହି ସମୟରେ ହଠାତ୍ କାହାର ହାତ ତା କାନ୍ଧ ଉପରେ ପଡ଼ିବାରୁ ସେ ଚମକି ପଡ଼ିଲା । ଲୁହ ପୋଛି ପଛକୁ ବୁଲି ଦେଖେ ତ ଆନି । ସେ କିଛି କହିବା ପୂର୍ବରୁ ଆନି ଆରମ୍ଭ କଲା କଣ ପ୍ରେମିକ ଚୂଡ଼ାମଣି ଏକୁଟିଆ ବସି ଏଠି କାନ୍ଦ କାହିଁକି ହଉଛି ? ଭଲ ପାଉଛୁ କାହାକୁ । ଆକାଶ୍ ଟିକେ ବିଚଳିତ ହେଇ ପଡିଲା । ଭଲ ପାଉଛୁ ହେଲେ ଓଠ ଖୋଲି କହିବାର ସାହସ ନାହିଁ । ଆକାଶ୍ କଥା ବୁଲେଇ କିଛି କହିବାକୁ ଚାହୁଁଥିଲା ହେଲେ ଆନି କାଗଜ ଫର୍ଦ୍ଦଟିଏ ବଢେଇ ଦେଲା ତା ହାତକୁ । ସେଥିରେ ଲେଖାଥିଲା ଗୋଟିଏ କବିତା ତା ତଳେ ଅଙ୍କା ଥିଲା ଛବି ଟିଏ ତା ତଳେ ଲେଖା ଥିଲା ଆକାଶ୍ ଦାସ୍ ଆଉ ତା ତଳେ ଅନିଶା ଦାସ୍ । ଆକାଶ୍ ମୁହଁ ତଳକୁ କରି ଥରୁଥାଏ । ମୁହଁ ଉଠେଇ ଆଉ ସାମ୍ନା କରିବାର ସାହାସ ନାହିଁ । ଆନି ପୁଣି କହିଲା ମହାଶୟେ ନିବେଦନ ତ ପହଁଞ୍ଚିଛି ଠିକଣାରେ ଏବେ ଉତ୍ତର ଶୁଣିବେନି । କହିବାକୁ ଭାଷା ନ ଥାଏ ଆକାଶ୍ ପାଖରେ । ସେମିତି ତଳକୁ ମୁହଁ କରି ଥରୁଥାଏ । ହଉ ମୁଁ ଆସୁଛି ତାହେଲେ କହି ଆନି ଫେରି ଯାଉଥିଲା ଆକାଶ୍ ତା ହାତକୁ ଟାଣି ଧରି "ଆନି ।"... ତଥାପି ମୂକ ଭଳି ଥାଏ । କଣ ହେଲା ହଉ ମୁଁ ଆସୁଛି କହି ଆନି ପୁଣି ଯିବାକୁ ବାହାରୁଥିଲା । ଆକାଶ୍ ପାଟିରୁ ବାହାରି ପଡିଲା "ଆଇ ଲଭ୍ ୟୁ ଆନି ।" 😔 "ଆଇ ଲଭ୍ ୟୁ ଦ ମୋଷ୍ଟ୍ ।" 🥺 ଆନି ଜାଣି ଜାଣି ତା ସହ ଲାଗିବା ପାଇଁ ହେଲେ କାଇଁ ମୁଁ ଏ ବିଷୟରେ ଜାଣିନି ତ କିଛି । ମୁଁ ତୋର ଏତେ ଭଲ ସାଙ୍ଗ ମତେ ବି ତ ତୁ ଜଣେଇନୁ । ଆକାଶ୍ ଲାଜେରେ ମୁହଁକୁ ତଳକୁ ପୋତି ଠିଆ ହେଇଥାଏ । ଆନି - କେବେଠୁ ଏମିତି ?
ଆକାଶ୍ - ଆମ ସ୍କୁଲ୍ ଦିନରୁ ।
ଆନି - ଆଚ୍ଛା । କହି ନଥିଲୁ ତ କାଇଁ ।
ଆକାଶ୍ - ସାହାସ ପାଇନି ।
ଆନି - ଓ ତାହେଲେ ଏବେ ମୋ ଉତ୍ତର ଶୁଣିବାକୁ ଚାହିଁବୁନି ।
ଆକାଶ୍ - 🥺 ଛାତିର ସ୍ପନ୍ଦନ ଜୋର୍ ରେ ବଢ଼ି ଯାଇଛି ।
ଆନି - ଉଇଲ୍ ୟୁ ମେକ୍ ମି ୟୋର୍ ଫର୍ ଏଭର୍ ?
ଆକାଶ୍ - ୟେସ୍ ।.....🥺😭☺️🙇🏻
ଅନିଶା - ଏଇ ଶେଷ ଫର୍ଦ୍ଦରୁ ଆରମ୍ଭ ହେବ ଆମ ଜୀବନର ଏକ ନୂଆ ଫର୍ଦ୍ଦ ।
ଆକାଶ୍ - ହଁ, ତୁ କାଗଜ ଆଉ ମୁଁ କାଳି ହେଇ ଲେଖିବା ହସ ଖୁସିର ଛୋଟିଆ ଅଧ୍ୟାୟ ଟିଏ ।
ଆନି ଜୋର୍ ରେ ଜାବୁଡି ଧରିଛି ଆକାଶ୍ କୁ ।
ଶ୍ରାବଣର କାଦମ୍ବିନୀ ଅଦିନରେ ଝରି ପଡିଛି ଆକାଶ୍ ର ଆଖିରୁ । ଭଗବାନଙ୍କୁ ଅନ୍ତରରୁ ଧନ୍ୟବାଦ ଜଣେଇବା ପାଇଁ ଉପରକୁ ଅନେଇ ଦେଖେ ତ ଦିବା ଆକାଶର ସେ ମଲାଜହ୍ନ ଟା ଆଜି ଭାରି ଉଜ୍ଜ୍ୱଳ ଦେଖା ଯାଉଥିଲା ।
- Dinesh Barik ✍🏻
(ବନାନ କିମ୍ବା ଅନ୍ୟ କୈାଣସି ପ୍ରକାରର ତ୍ରୁଟିଥିଲେ କ୍ଷମା ପ୍ରାର୍ଥନା କରିବି । 🙏🏻
ଆଶା କରୁଛି ଲେଖାଟି ଆପଣମାନଙ୍କୁ ଭଲ ଲାଗିଥିବ । ଆପଣମାନଙ୍କର ମତାମତ ଓ ଉପଦେଶ ର ଅପେକ୍ଷାରେ । 🙏🏻)
