କର୍ଫ୍ୟୁ ବନାମ ୧୦୦ଫର୍ଟିଫୋର୍
କର୍ଫ୍ୟୁ ବନାମ ୧୦୦ଫର୍ଟିଫୋର୍


ଆରେ ,ଏ ସବୁ କ'ଣ ? ଘରଟା ଭିତରେ ରହି ରହିକା ଭୋ...ଭୋ... ଶବ୍ଦ ଶୁଭୁଛି ।ବିଲାତି କିସମ କଥା ଜାଣେ ଯେ ସେ କ'ଣ ଏମିତି ରିଦିମ୍ ଓ ଟାଇମିଙ୍ଗରେ ଭୋ... ଭୋ... କରେ !! ଆହେ ,ଶୁଭୁଛି ନା ନାହିଁ ...
---କ'ଣ ହେଲା ଯେ ,ତମେ କାହିଁକି ପାଟି କରୁଛ ?
--ରୋଷେଇ ଘରେ ଥାଇ ବି ବାରିପାରୁନ କିଏ ଭୋ...ଭୋ... କରୁଛି ।ସବୁ ମାରା କରିବ ।ମୋତେ ହିଁ ପାଣି ବୁହାଇବ ସଫା ସୁତୁରା କରିବାକୁ ।
--କି କଥା ।ଶୂନ୍ୟଟାରେ ......
---ଏଇ ,ହେଇ ବା ...ପୁଣିଥରେ ଭୋ...ଭୋ... ।ବାଡ଼ିଟେ ଦିଅ
--- କ'ଣ ବାଡ଼େଇବ ।ନିଇତି ଭୁକା ଶୁଣିବାକୁ ...
--- ଆରେ ସତେ ତ !ଠିକ୍ ଅଛି ।ଯାଏଁ ,ଦେଖେ ...
ବାରିଘର ଆଡେ ଜଡ଼ା ସାର୍ ଗଲେ ।ଶୁଣିଲେ ଘର ଭିତରେ କିଏ ଜଣେ ଉଥଳପୁଥଳ କରୁଛି ।
ହୋ.....ରାଇଟ ହ୍ୟାଣ୍ଡ ,ହୋ...ଲେଫ୍ଟ ହ୍ୟାଣ୍ଡ ,ଜମ୍ପ ହାଇ .....ହୋ...
---ଆରେ ....ଆରେ ....ରୁଙ୍ଗୁଲି , ତୁ ଏ ଘରେ କ'ଣ କରୁଛୁ ? ଆଉ କିଏ ଅଛି ?
---ବାପା ,ମୋର ମାର୍ସିଆଲ୍ ଆର୍ଟ କ୍ଳାସ ହେଉଛି ।ତମେ ଡିସ୍ଟର୍ବ କରନି ।
----ଆରେ ,ଏସବୁ ବନ୍ଦକର ।ବର୍ଡରରେ ଯାହାସବୁ ଘଟିଯାଉଛି ,ସେୟା ଦେଖି ଦେଶରେ ସବୁ ବ୍ୟାନ୍ ହେଲାଣି ।ତୁ ଏଠି ଏଇ ହୋ..ହୋ.. ହେଲେ ଘରେ ତାଲା ପଡିଯିବ ।
---ହେଇଟି ,ଶୁଣୁଛ ,ରୁଙ୍ଗୁଲି ଏଇଠି ହୋ ହୋ ହେଉଛି ।
----ହଇ ହେ ,ହୋ...ହୋ.. ଆଉ ଭୋ..ଭୋ.. ଭିତରେ ଫରକ ବାରିପାରୁନ ।ତୁଚ୍ଛାଟାରେ ଘରେ ଗହଳି ।
----ହଁ ,ପଛରେ ଜଡା କହିଲେଣି ..ଏବେ କାଲା କହିବେ ।
---ହଁ ..ହଁ...ଗୋଟେ କର୍ଫ୍ୟୁ ଅନ୍ୟଟି ହଣ୍ଡ୍ରେଡ ଫର୍ଟି ଫୋର୍ ।ଚୁପଚାପ ଦାଣ୍ଡଘରକୁ ଯାଅ ,ଆଉ ମୋତେ କାମ କରିବାକୁ ଦିଅ ।
ଜଡ଼ା ସାର୍ ଭାବୁଥିଲେ ଏଇ ଶେଷ କଥାଟି--ପାଞ୍ଚ ଆଇନ୍ , ଅର୍ଥାତ୍ ଚୁପ୍ ରହିଗଲେ ,ଦେଶରେ ଗୋଟିଏ ବିପ୍ଳବ ଆସିବ ।ଆଉ ସେଇ ବିପ୍ଳବର ସେ ହେବେ କର୍ଣ୍ଣଧାର ।ସେ ଥ୍ରୀ ଇନ୍ ଓ୍ବାନ ହେଇଯିବେ ।ଲୋକେ ତାଙ୍କୁ ଘରେଘରେ ପୂଜାକରିବେ ।ଦେଶର ରାଷ୍ଟ୍ରୀୟ ପ୍ରତୀକ ହେଇଯିବେ ।
ଲଥ୍ କରି ସୋଫା ଉପରେ ବସିଗଲେ ଜଡ଼ା ସାର୍ ।ସକାଳୁ ସକାଳୁ ମୁଣ୍ଡ ଗୋଳମାଳ ।କଳ୍ପନା ରାଇଜରେ ଘୁରିବୁଲିବା ତାଙ୍କର ଗୋଟିଏ ଅଭ୍ୟାସ ହୋଇଗଲାଣି ।ନିଜ ମନକୁ ଯାହା ନପାଇଲା ତାହା ଖରାପ ।ସେ ଭାବିନେଇଥିଲେ ଯେ ଘରେ ଗୋଟିଏ ମନ ଆଉ ସେଇଟା ତାଙ୍କରି !ଆଜି କିନ୍ତୁ ବୁଝିଗଲେ ଯେ ଆଉ ଦି'ଟା ମନଅଛି ।
ସେ ଦୃଢ଼ ନିଶ୍ଚିତ ହେଲେଯେ ଏଣିକି ଟିକେ ବାସ୍ତବ ହେବେ ।ମନ ବୁଝାଇବାକୁ ଯାଇ ଖଣ୍ଡିଏ ବହି ଆଣିଲେ ପଢ଼ିବାକୁ ...
--"ସାର୍,ଆସନ୍ତୁ ଜହ୍ନ ଆଉ ଟିକେ ପରେ ପହଞ୍ଚିଯିବ ",ପଞ୍ଝାଏ ତାରା ଆସି ଡାକୁଥିଲେ ।
--- ନା ..ନା... ତୁମେ ସବୁ ଫେରିଯାଅ ।ମୁଁ ଆଉ କ'ଣ ପିଲା ହେଇଛି ଯେ ଖେଳିବି !ମୁଁ ଏବେ ବାସ୍ତବ ଜୀବନ ବିତାଇବାକୁ ଚାହୁଁଛି ।
---ସାର୍ ,ରାତି ଓ ଦିନ କ'ଣ ଅବାସ୍ତବ ?
---ଜମାରୁ ନୁହେଁ ।
---- ସୂର୍ଯ୍ୟ ,ଚନ୍ଦ୍ର ,ତାରାସବୁ ଅବାସ୍ତବ ?
----- ଜମାରୁ ନୁହେଁ...
----ଏ ପୃଥିବୀ ,ପାହାଡ଼,ଝରଣା ,ସାଗର ,ବୃକ୍ଷଲତା ଇତ୍ୟାଦି....
----ଜମାରୁ ନୁହେଁ ।
----ଆକାଶ ଓ ପବନ ନିଶ୍ଚୟ ଅବାସ୍ତବ ?
---- ଚୁପ୍.... ର...ହୋ...ହୋ...ହୋ....
କ'ଣ ହେଲା ,କ'ଣ ହେଲା କହି ରୁଙ୍ଗୁଲି ବୋଉ ଦାଣ୍ଡଘରକୁ ଧାଇଁ ଆସିଲେ ।ଜଡ଼ା ସାର୍ ଏବେ ବି ନିଦରେ ଦୁଇହାତର ମୁଠାକୁ ଜୋର୍ କରି ବାଁ ଡାଁ ଥରକୁ ଥର ଆଗକୁ ନେଇ ରିଦିମ୍ ରେ ହୋ ..ହୋ.. କରୁଥିଲେ ।
----- ହେଇଟି ,ଏଗୁଡ଼ା ଠିକ୍ ନୁହେଁ ।ପୁଅକୁ ମନାକରୁଥିଲ ।ଏବେ ନିଜେ ଦାଣ୍ଡ ଘରେ ହୋ ..ହୋ କରୁଛ ।
ପାଟି ଶୁଣି ଜଡ଼ା ସାର୍ ଙ୍କ ନିଦ ଭାଙ୍ଗିଯାଇଛି ।କ'ଣ ହେଲା ବୋଲି ଓଲଟା ପଚାରଛନ୍ତି ।
----ସମୟ ଦେଖିଲ କେତେଟା ବାଜିଛି ?ସକାଳ ୮ଟାରେ ନିଦ ।
ଜଡ଼ା ସାର୍ ଙ୍କ ଉପରେ ୧୦୦ଫର୍ଟିଫୋର୍ ଲାଗୁହେଲା ଭଳି ଲାଗିଲା ।ତମତମ ହୋଇ ସ୍ତ୍ରୀ ଚାଲିଗଲେ ।ଗାଁ ଦାଣ୍ଡରେ ମାଇକ୍ ରେ ଘୋଷଣା ହେଉଥିଲା "ଆସନ୍ତା ତିନିଦିନ ପର୍ଯ୍ୟନ୍ତ ଗ୍ରାମକୁ କଣ୍ଟେନ୍ ମେଣ୍ଟ ଜୋନ୍ ରୂପେ ଲୋକାଲ୍ କଲେକ୍ଟର ଘୋଷଣା କରିଛନ୍ତି ।କରୋନା ଭୟାଭୟତାକୁ ଲକ୍ଷ୍ୟକରି ଜନହିତରେ ସମସ୍ତ ଦୋକାନ ବଜାର ସଟ୍ ଡାଉନ୍ ହେବ ।କେହି ଘରୁ ବାହାରିବେ ନାହିଁ ।"
କଳ୍ପନା ଘେରରୁ ବାହାରିଗଲେ ଜଡ଼ା ସାର୍ ।ବାସ୍ତବ ଦୁନିଆର କାଳ୍ପନିକ ଚିତ୍ର ସବୁ ଭାସି ଆସିଲା ।ଫେର୍ ଘର ଭିତରେ ରହିବାକୁ ପଡିବ ।ଶେଜରେ ଦିନବେଳା ସେଇ ଗ୍ରହ ନକ୍ଷତ୍ରଙ୍କ ସହ ଭେଟ ।ପାହାଡ଼ ,ଝରଣା ,ପକ୍ଷୀଆଦିଙ୍କ ସହ କଥା ।ଧେତ୍ ...ଏଇକଥା ତ ସେ ପିଲାଦିନରୁ କରିଆସୁଛନ୍ତି ।ଏବେ କାଳ୍ପନିକ ହେଲା କେମିତି !!!
ଜଡ଼ା ସାର୍ ଧୀରେଧୀରେ ପ୍ରକୃତିସ୍ଥ ହେଉଥିଲେ ।କାଳ୍ପନିକ ହେଉ ବା ବାସ୍ତବ ,ଏ ଦୁହିଁଙ୍କ ଠାରୁ ନିସ୍ତାର ନାହିଁ ।ସେ କରୋନାର କର୍ଫ୍ୟୁ ହେଉ ବା ସ୍କ୍ରୀର ୧୦୦ଫରଟିଫୋର୍ ...!!!!