ଆଈ ମା'ର ଗପ ଚାଙ୍ଗୁଡ଼ି

Others

2  

ଆଈ ମା'ର ଗପ ଚାଙ୍ଗୁଡ଼ି

Others

କିଏ ଭଲ କିଏ ଅସଲ ଭେଲ?

କିଏ ଭଲ କିଏ ଅସଲ ଭେଲ?

5 mins
595


ବହୁବର୍ଷ ତଳର କଥା । ଦଶପଲ୍ଲାର ଘୋର ଜଙ୍ଗଲରେ ଭାଲୁଟିଏ ବାସ କରୁଥିଲା । ତା’ର ନାମ ବିଲୁ । ସେ ଭାଲୁଟି ଅତ୍ୟନ୍ତ ସାଧାରଣ ଓ ଦୟାଳୁ ଥିଲା । ଏକଦା ସେ ଭାଲୁ ବିଲୁ ମହୁ ଖାଇବାକୁ ଭାରି ଇଚ୍ଛା କଲା । ତେଣୁ ଭାଲୁ ବିଲୁ ଜଙ୍ଗଲରେ ଏଣେ ତେଣେ ଘୂରି ବୁଲିଲା ମହୁ ଖୋଜିବାରେ । ଜଙ୍ଗଲରେ ବୁଲୁ ବୁଲୁ ଜଙ୍ଗଲ ମଝିରେ ସେ ଭାଲୁ ବିଲୁ ଦେଖିଲା ସୁନ୍ଦର ଫୁଲ ବଗିଚାଟିଏ । ଆଉ ସେ ବଗିଚା ପାଖରେ ପୋଖରୀଟିଏ । ପୁଣି ସେ ପୋଖରୀ କୂଳରେ ଗୋଟାଏ ଖୁବ୍ ବଡ ନିମ୍ବ ଗଛଟିଏ । ଆଉ ସେଇ ନିମ୍ବଗଛର ଉପର ଡାଳରେ ଚାଲୁଣି ଭଳି ଦୁଇ ଚାରିଟା ମହୁଫେଣା ଝୁଲୁଛି । ତହୁଁ ବିଲୁ ଭାଲୁ ସେ ଗଛ ନିକଟକୁ ଗଲା । ହଠାତ୍ ଭାଲୁଟି ଶୁଣିଲା କିଏ ଜଣେ ଡାକୁଛି ମୋତେ ସାହଯ୍ୟକର, ମୋତେ ସାହଯ୍ୟ କର । ସେହିକ୍ଷଣି ସେ ଭାଲୁଟି ବି ତା’ ଚାରିଆଡକୁ ଚାହିଁଲା । ଦେଖିଲା ଗୋଟିଏ ମହୁମାଛି ପୋଖରୀର ପାଣି ଭିତରେ ପଡିଯାଇଛି । ବିଲୁ ସେଠାରେ ପହଁଚି ଦେଖିଲା ମହୁମାଛିଟି ପାଣିରେ ଭାସୁଛି । ତେଣୁ ସାଙ୍ଗେ ସାଙ୍ଗେ ସେ ବିଲୁ ଭାଲୁ ଗୋଟିଏ ବଡ ପଣସ ପତ୍ର ପୋଖରୀ ପାଣିରେ ପକାଇ ଦେଲା । ଆଉ ସେ ମହୁମାଛିକୁ କହିଲା ଏ ପତ୍ର ଧରି ଉପରକୁ ଉଠି ଆସ । ସେ ପତ୍ରଟି ବି ଭାସି ଭାସି ମହୁମାଛିଟି ନିକଟରେ ରହିଲା । ତାପରେ ସେ ମହୁମାଛିଟି ପତ୍ର ଉପରକୁ ଉଠିଗଲା । ସେତେବେଳେ ସେ ମହୁମାଛିଟିର ତ ଡେଣା ପାଣିରେ ସମ୍ପୂର୍ଣ୍ଣ ରୂପେ ଭିଜି ଯାଇଥାଏ । ତେଣୁ ସେ ଆଉ ଉଡି ପାରୁନଥିଲା । ବିଲୁ ଏଣେ ପତ୍ରଟି ପୋଖରୀ କୂଳରେ ଲାଗିବାର ଦେଖି ଧୀରେ ଧୀରେ ନିଜ ଜିଭ ସାହାଯ୍ୟରେ ସେ ପତ୍ରଟିକୁ ଉପରକୁ ଉଠାଇ ଆଣିଲା ।

ପତ୍ରଟି ଉପରେ ତ ମହୁମାଛିଟି ଥାଏ । ତହୁଁ ଭାଲୁ ସେ ପତ୍ରଟିକୁ ଆଣି ଖରାରେ ଶୁଖାଇଲା । ଖରାରେ ସେ ମହୁମାଛିର ଡେଣା ଓ ଦେହ କିଛି ସମୟ ପରେ ଶୁଖିଗଲା । ତାପରେ ଖୁବ୍ ଶୀଘ୍ର ସେ ମହୁମାଛିଟି ନିଜକୁ ସୁସ୍ଥ ଅନୁଭବ କଲା । ଏଥୁଅନ୍ତେ ସେ ମହୁମାଛିଟି ଭାଲୁ ବିଲୁକୁ କୃତଜ୍ଞତା ଜଣାଇଲା । କହିଲା, ଭାଇ ଭାଲୁ, ତୁମକୁ ଅନେକ ଅନେକ ଧନ୍ୟବାଦ । କାହିଁକିନା ଆଜି ତୁମେ ମୋର ଖୁବ୍ ବଡ ଉପକାର କଲ । ତୁମେ ଯଦି ଆଜି ପୋଖରୀ ପାଣିରେ ପତ୍ର ନ ପକାଇଥାନ୍ତ ତେବେ ଆଜି ନିଶ୍ଚିତ ଭାବରେ ମୋର ମୃତ୍ୟୁ ହୋଇଥାନ୍ତା । ହଉ ଭାଲୁ ଭାଇ ମୁଁ ତୁମକୁ ଏଥର ମୋ ପରିଚୟ ଦେଉଛି । ମୋ ନାଆଁ ରାଣୀ । ରାଣୀ କେବଳ ମୋର ନାଆଁ ନୁହେଁ, ବରଂ ଏ ମହୁମାଛିମାନଙ୍କ ମଧ୍ୟରେ ବି ରାଣୀ । ଏ ପୋଖରୀ କୂଳରେ ଯେଉଁ ନିମ୍ବଗଛ ଦେଖୁଛ ଓ ସେହି ନିମ୍ବ ଗଛରେ ଯେଉଁ ଫେଣା ଦେଖୁଛ ସେ ଫେଣା ସବୁ ମୋର । ଆଉ ସେହି ଫେଣା ମଧ୍ୟରେ ଅନେକ ପତ୍ନୀ ମହୁମାଛି ବାସ କରୁଛନ୍ତି । ତେଣୁ ସେ ଫେଣା ମଧ୍ୟରେ ଅନେକ ଗୁଡିଏ କୋଠରି ବି ଅଛି । ସେଇ କୋଠରି ମଧ୍ୟରେ ମୋର ବାସସ୍ଥଳୀ । ଏବେ ତ ମୋ ପରିଚୟ ଠିକ୍ ଜାଣିଲ । ଏଥର ତୁମ ପରିଚୟ ଦିଅ ।

ଏପରି କଥା ଶୁଣି ସେ ଭାଲୁ କହିଲା ମୋ ନାଆଁ ବିଲୁ । ମୁଁ ଆସିଥିଲି ମହୁ ଖୋଜିବା ଉଦ୍ଧେଶ୍ୟରେ । ଯାହେଉ, ଭାଇ ମୋତେ ଧନ୍ୟବାଦ ଦେଉଛ କାହିଁକି ମୁଁ ତ କେବଳ ମୋ କର୍ତ୍ତବ୍ୟ ହିଁ କରିଛି । ଭାଲୁଠାରୁ ଏହା ଶୁଣି ସେ ରାଣୀ ମହୁମାଛିଟି ଅତ୍ୟନ୍ତ ଆନନ୍ଦିତ ହେଲା ଓ କହିଲା ହଉ ଭାଲୁ ଭାଇ, ମୁଁ ତୁମ କର୍ତ୍ତବ୍ୟରେ ଅତ୍ୟନ୍ତ ପ୍ରୀତ । ତେଣୁ କରି ତୁମେ ଏଇଠାରେ ଅପେକ୍ଷା କର, ମୁଁ ତୁମପାଇଁ କିଛି ମହୁ ଆଣୁଛି । ଏତିକି କହି ସେ ରାଣୀ ମହୁମାଛିଟି ତା’ମହୁଫେଣାକୁ ଉଡିଗଲା ।

ଏଣେ ବିଲୁ ଭାଲୁଟି ନିମ୍ବଗଛ ତଳେ ରାଣୀ ମହୁମାଛିଟିକୁ ଅପେକ୍ଷା କରି ବସିଥାଏ । ଠିକ୍ ସେହି ସମୟରେ ଆଉ ଗୋଟିଏ ଭାଲୁ ସେଇବାଟ ଦେଇ ଚାଲିଗଲା । ସେ ଭାଲୁଟିର ନାମ ଚୁଗୁଲି । ତା’ର ନାମ ଚୁଗୁଲି କି କାମ ବି ଚୁଗୁଲି । ଖୁବ୍ ବଦମାସ ସେ ଭାଲୁ, ଭାରି ଅହଙ୍କାରୀ ମଧ୍ୟ । ତା’ ଜୀବନରେ ସେ କେବେବି କାହାରି ଉପକାର କରି ନାହିଁ ।

ବରଂ କେବଳ ଅପକାର ହିଁ କରିଛି । ଚୁଗୁଲି ଭାଲୁ ବିଲୁକୁ ସେ ନିମ୍ବଗଛ ମୂଳରେ ବସିଥିବାର ଦେଖି ଜାଣିଲା, ବିଲୁ ଏ ଗଛ ମୂଳରେ କାହିଁକି ବସିଛି । ନିଶ୍ଚୟ ମହୁ ଖାଇବା ଆଶାରେ ହିଁ ବସିଛି । ଚୁଗୁଲି ଭାଲୁକୁ ଏହା ବଡ ଅସହ୍ୟ ଲାଗିଲା । ତେଣୁ ହଠାତ୍ ସେ କ’ଣ କଲାନା ଗୋଟିଏ ଛୋଟ ପଥର ଢେଲା ପକାଇ ନିମ୍ବଗଛ ଆଢୁଆଳରେ ଛକି ବସିଲା । ତାପରେ ସେ ଚୁଗୁଲି ଭାଲୁ ମନରେ ଖୁବ୍ ଆନନ୍ଦ । ଚୁଗୁଲି ଭାଲୁ ମନରେ ଭାବୁଥାଏ, ହଠାତ୍ ମହୁମାଛି ମହୁ ଫେଣାରୁ ବାହାରି ଆସିବେ, ଏଣେ ଏ ବିଲୁ ତ ଗଛ ତଳେ ବସିଛି । ବିଲୁ ଦେହସାରା ବିନ୍ଧି ଦେଇ ଯିବେ । ଆଚ୍ଛାକି ପାନେ ପାଇବ ସେ । ଆଉ ଚୁଗୁଲି ଭାଲୁ ସେ ମଜାଟିକୁ ଦେଖିବାକୁ ଗଛ ଆଢୁଆଳରେ ଛକି ବସିଲା ।

ଚୁଗୁଲି ମହୁଫେଣାକୁ ଢେଲା ପକାଇବାରୁ ମହୁମାଛିମାନେ ଭୀଷଣ ଭାବରେ ରାଗିଗଲେ । ଏମିତିକି କିଛି ମହୁମାଛିମାନେ ବି ଫେଣା ମଧ୍ୟରୁ ବାହାରି ଆସିଲେ । ଦେଖିଲେ ବିଲୁ ଭାଲୁଟି ଗଛ ତଳେ ବସିଛି । ବିଲୁ ତ ନିରୀହ ଜଣା ପଡୁଥିଲା । ପ୍ରକୃତରେ ମଧ୍ୟ ସେ ନିରୀହ । ବିଲୁ ଭାଲୁ କାଳେ ତାଙ୍କ ଫେଣାକୁ ଟେକା ପକାଇଥିବ ବୋଲି ସେ ମହୁମାଛିମାନଙ୍କର ଆଦୌ ବିଶ୍ୱାସ ହେଲା ନାହିଁ । ତାପରେ ସେମାନେ ଖୁବ୍ ବ୍ୟସ୍ତ ହୋଇ ଏଣେ ତେଣେ ପ୍ରକୃତ ଚୋରକୁ ଖୋଜିଲେ । ମହୁମାଛିମାନେ ବ୍ୟସ୍ତ ହୋଇ ଏଣେ ତେଣେ ଖୋଜୁଥିବା ବେଳେ ସେମାନଙ୍କୁ ଦେଖି ଦେଲା ରାଣୀ ମହୁମାଛି ।

ରାଣୀ ମହୁମାଛିଟି ପ୍ରଜା ମହୁମାଛିଙ୍କୁ କହିଲା, ତୁମ୍ଭେମାନେ ଏପରି ଦଳବାନ୍ଧି କୁଆଡେ ଯାଉଛ? ଖୁବ୍ ବ୍ୟସ୍ତ ବି ଜଣାପଡୁଛ! ତହୁଁ ସେ ପ୍ରଜା ମହୁମାଛି କହିଲେ, ମହୁଫେଣାକୁ ଗୋଟାଏ ଭାଲୁ ଟେକା ପକାଇଛି । ରାଣୀ ମହୁମାଛି କହିଲା ଏ ବିଲୁ ଭାଲୁ, ଏ ଅତ୍ୟନ୍ତ ଦୟାଳୁ । ଆଜି ମୁଁ ପୋଖରୀ ପାଣିରେ ବୁଡି ଯାଉଥିବା ବେଳେ ଏ ମୋତେ ଉଦ୍ଧାର କରିଛି । ତେଣୁ ତମେ ସମସ୍ତେ ଏ ଭାଲୁଟିକୁ କୃତଜ୍ଞତା ଜ୍ଞାପନ କର । ବିଚରା ବିଲୁ ଭାଲୁଟି ‘ମହୁ’ ଖାଇବା ଆଶାରେ ଏଣେ ତେଣେ ଘୂରି ବୁଲୁଛି । ପ୍ରଥମେ ଏ ବିଲୁ ଭାଲୁକୁ ସମସ୍ତେ ମହୁ ଦିଅ, ସେ ଆଗେ ମହୁ ଖାଉ, ତା’ପରେ ଯାଇ ଅନ୍ୟକଥା ।

ରାଣୀ ମହୁମାଛିର ଏପରି ଆଦେଶ ଓ ନିର୍ଦ୍ଧେଶରେ ପ୍ରଜା ମହୁମାଛିମାନେ ମହୁଫେଣାକୁ ଫେରିଗଲେ । ମହୁ ଆଣିଲେ ସମସ୍ତେ । ବିଲୁକୁ ମହୁ ଖାଇବାକୁ ଦେଲେ ଓ କହିଲେ ବିଲୁ ଭାଇ ତୁମେ ଆଜି ଆମ ରାଣୀଙ୍କ ଜୀବନ ରକ୍ଷା କରିଛ, ଏଣୁ ଆମେ ସମସ୍ତେ ତୁମ ନିକଟରେ ଚିର କୃତଜ୍ଞ । ତେଣୁ ଦୟାକରି ଆମର ଏ ଛୋଟିଆ ଦାନଟିକୁ ମହା ଆନନ୍ଦରେ ଗ୍ରହଣ କର । ଏ ମହୁ ଆମେ ଦେଉଛୁ ତୁମେ ଖାଅ । ବିଲୁ ଭାଲୁଟି ମହୁମାଛିମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲା । ସେ ଚୁଗୁଲି ଭାଲୁ ତ ଏ ଦୃଶ୍ୟ ଗଛ ଆଢୁଆଳରେ ଛକି ଦେଖୁଥାଏ । କିନ୍ତୁ ଚୁଗୁଲି ଭାଲୁ ମହୁମାଛି ଓ ସେ ବିଲୁ ଭାଲୁଙ୍କର କଥାବାର୍ତ୍ତାକୁ ଆଦୌ ଶୁଣିପାରି ନଥିଲା । ଚୁଗୁଲି ଭାଲୁ କଦାପି ଜାଣିପାରି ନାହିଁ ଯେ, ବିଲୁ ଭାଲୁ ଯୋଗୁଁ ରାଣୀ ମହୁମାଛି ରକ୍ଷା ପାଇଗଲା ବୋଲି । କିନ୍ତୁ ସେ ଚୁଗୁଲି ଭାଲୁ ଭାବୁଥାଏ, ମହୁମାଛିମାନେ ଏ ବିଲୁକୁ କାହିଁକି ମହୁ ଖାଇବାକୁ ଦେଲେ? ବୋଧହୁଏ ମହୁମାଛିମାନେ ବିଲୁକୁ କ୍ଷମା କରିଦେଲେ । କିମ୍ବା ମହୁମାଛିମାନେ ବିଲୁ ଭାଲୁକୁ ଭୟ କରି ମହୁ ଖାଇବାକୁ ଦେଉଛନ୍ତି । ଏହିଭଳି ଅନେକ କଥା ଭାବିଲା ଚୁଗୁଲି ଭାଲୁ । ତାପରେ ସେ ଚୁଗୁଲି ଭାଲୁ ଆଉ ଗଛ ଆଢୁଆଳରେ ଛକି ନରହି ପଦାକୁ ବାହାରି ଆସିଲା, ଏବଂ ମହୁମାଛିମାନଙ୍କୁ କହିଲା, ହେ ମାଛିମାନେ ରହିଯାଅ, ତମେ ସମସ୍ତେ ସେ ବଦ୍ମାସ ଭାଲୁକୁ କାହିଁକି ‘ମହୁ’ ଖାଇବାକୁ ଦେଉଛ? ସେ ପରା ତୁମ ମହୁଫେଣାକୁ ପଥର ଫିଙ୍ଗିଲା । ଅଥଚ ତୁମେ ତାଙ୍କୁ ‘ମହୁ’ ଖାଇବାକୁ ଦେଉଛ? ମହୁମାଛିମାନେ ଭୀଷଣ ଭାବରେ ରାଗିଗଲେ ବିଲୁ ଭାଲୁ ଉପରେ ଚୁଗୁଲି ଭାଲୁର ମିଛ କଥା ଶୁଣି । ମହୁମାଛିମାନେ ଏପରି ରାଗିଯିବାର ଦେଖି ରାଣୀ ମହୁମାଛି କହିଲା, ରହିଯାଅ, ପ୍ରଜା ମାଛିବୃନ୍ଦ, ତହୁଁ ହଠାତ୍ ସେ ମାଛିମାନେ ରହିଗଲେ । ତାପରେ ସେ ରାଣୀ ମହୁମାଛି କହିଲା, ବଦ୍ମାସ ଏଇ ମୁହୂର୍ତ୍ତରେ ଗଛ ଆଢୁଆଳରୁ ବାହାରି ନିଜକୁ ସାଧୁ ବୋଲି ପରିଚୟ ଦେଉଛୁ । ବିନ୍ଧିଯାଅ ମାଛିବୃନ୍ଦ, ଏ ବଦମାସକୁ ଆକ୍ରମଣ କର । ତାପରେ ସବୁ ମହୁମାଛୀମାନେ ରାଣୀ ମହୁମାଛିର ଆଦେଶ ପାଇ ସେ ଚୁଗୁଲି ଭାଲୁର ସାରା ଶରୀରକୁ ବିନ୍ଧି ଦେଇଗଲେ । ଫଳରେ ସେ ଚୁଗୁଲି ଯନ୍ତ୍ରଣାରେ ଖାଲି ଭାଁ ଭାଁ ହୋଇ ଦୌଡି ପଳାଇଲା । କୁଆଡେ ଯିବ ବୋଲି ବାଟ ବି ପାଇଲା ନାହିଁ । ସେହିଦିନୁ ସେ ଚୁଗୁଲି ଭାଲୁ କେବେ ବି ମହୁଫେଣାକୁ ଟେକା ଫିଙ୍ଗେ ନାହିଁ କି ବଦମାସ୍ କାମ ବି କରେ ନାହିଁ ।


Rate this content
Log in