Diptimayee Biswal

Others

2  

Diptimayee Biswal

Others

* କାଳୀ ଝିଅ *

* କାଳୀ ଝିଅ *

2 mins
7.5K


ସାଇବାଣି ଗୋଟେ ନାଁ ! ଛି ... ,କେମିତି ଏମିତି ନାଁ ଟିଏ ବାପା,ମା' ଦେଲେ କେଜାଣି ।

ହଉ ହେଲା, ସାଇବାଣି କୋଉ ସାହେବାଣୀ ହେଇପାରିଲା ! ରୂପ ଥିଲେ କ'ଣ ହବ ରଙ୍ଗ ତ କଳା । ହାତରେ ପୋଛି ଆଣିଲେ ଆସିବ ପରା । ତା'ରି ବୟସର ସବୁ ଝିଅ ହାତକୁ ଦି'ହାତ ହେଇ ପିଲାଛୁଆର ମା' ହେଲେଣି । ହେଲେ ସେ .....! ଦୀର୍ଘ ନିଃଶ୍ବାସ ଛାଡିଲା ସାଇବା ( ମା' ଏଇ ନାଁ ରେ ଡାକେ ) ।

ୟା ଭିତରେ ଦଶ ବର୍ଷ ବିତି ଗଲାଣି । କାଲି ପରି ଲାଗୁଚି । ବାହା ହେଇ ସଂସାର କରିବାର ସ୍ବପ୍ନ ଆତ୍ମହତ୍ୟା କଲାବେଳକୁ ପୁଣି ନୂଆ ସ୍ବପ୍ନଟିଏ କୁଆଁ ରାବ ଦେଲା । ପଡିଶା ଘର ଗୁନବୋଉ ମା' କାନରେ କ'ଣ କହିଗଲା କେଜାଣି...ଅନ୍ଧ ଆଖି ପାଇଲା ପରି ମା' କୁରୁଳି ଉଠିଲା । କୋଟି ଆଇଷ ଅଜାଡି ଦେଲା ଗୁନବୋଉ ପଣତରେ । ବାପା ବିଲରୁ ଆସୁ ଆସୁ ମା' ଖୁସୀ ଖବର ଜଣେଇଲା, "ହେଇଟି ଶୁଣୁଚ ! ଆର ଗାଁ ସୁବା ଗୁନବୋଉ ହାତରେ ବାତିନି ଦେଇଚି । ଆମ ସାଇବା ତା'ର ପସନ୍ଦ । ତମେ ରାଜି ହେଲେ..... ।"

ପସନ୍ଦ ! ସାଇବା ନିଜ କାନକୁ ବିଶ୍ବାସ କରିପାରୁନଥିଲା । ତଥାପି ଖୁସୀ ହେଲା । ଖୁବ୍ କମ୍ ଦିନରେ ଅଳତା ସିନ୍ଦୂର ପିନ୍ଧି ବୋହୁ ବେଶରେ ସେ ସୁବାର ସ୍ତ୍ରୀ ସାଜିଲା । ସ୍ବପ୍ନ ପୁଣି କଡ଼ ଲେଉଟେଇଲା । ସୁବା ଜନ୍ମରୁ ପୋଲିଓଗ୍ରସ୍ତ । ସେ ବୁଝିପାରିଲା ପସନ୍ଦର ଗୂଢ଼ ରହସ୍ୟ ।

କିଛି କରିବାର ନଥିଲା । ତା' ସାମ୍ନାରେ ଜୀବନର ନିଷ୍ଠୁର ସତ୍ୟ । ସେ ହସିଲା । ବାପାଙ୍କୁ, ମା'କୁ ,ଈଶ୍ବରଙ୍କୁ କାହାରିକୁ ଦୋଷ ଦେଲାନାହିଁ । ବାଡୁଅ ଦୋଷ କଟିଯାଇଛି , କନ୍ୟାଦାନ ଦେଇ ବାପା ପୂଣ୍ୟ ଅର୍ଜନ କରିଚନ୍ତି, ମା' ପଡାପଡିଶୀଙ୍କ ଖୁଣ୍ଟା ଉଲୁଗୁଣାରୁ ବର୍ତ୍ତିଯାଇଛି ସେତିକି ଢେର୍ । କାଳୀ ଝିଅ ଭାଗ୍ୟରେ ଆଉ କ'ଣ ଥାଏ କି ! ସାଇବା ଅଣ୍ଟାରେ ଲୁଗା ଭିଡି ନିଜକୁ ଶକ୍ତ କଲା ।


Rate this content
Log in

More oriya story from Diptimayee Biswal