ଓଡ଼ିଆ ଗଳ୍ପ ଓ କବିତା - ୨

Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ଝିଅ

ଝିଅ

2 mins
7.3K



ରାଧାରାଣୀ ତ୍ରିପାଠୀ

ବାପା , ମା’ କଥା ହେଉଥା’ନ୍ତି । ମା’ କହୁଥାଏ , ‘‘ ହଇହେ ଶୁଣୁଛ ! ଝିଅର ତ ପଢ଼ାପଢ଼ି ସରିଲା । ଏଣିକି ଘର ବର ଦେଖ । ଝିଅ ଏଥର ଶାଶୂଘର ଯିବ । ’’

ଝିଅ ଶୁଣୁଥିଲା । କହିଲା , ‘‘ ଯିବିନି । ’’ ବାପା କହିଲେ , ‘‘ ଝିଅ ଜନ୍ମ ତ ପର ଘରକୁ ଲୋ ମା । ସବୁ ଝିଅ ଯାଆନ୍ତି ଶାଶୂଘରକୁ । ଆଉ ତୁ ଯିବୁନି ? ’’

‘‘ ଯିବି ତ । ଯିବି ବୋଲି ତ ଆସିଛି । ଯିବି ଯେ ଆଉ ଦି’ ଦିନ ରହିଯାଏ । ମୋ ହେତୁ ପାଇବା ଦିନଠୁ ଦେଖୁଛି ମା’ ଘର ଗୋଟାକର ଜଞ୍ଜାଳରେ ଘାଣ୍ଟି ଚକଟି ହୋଇ ହୋଇ ନୟାନ୍ତ ହେଲାଣି । ଦି’ ଦିନ ବୋଲି ଭରସା ହୁଏ । ଯିବି ନାଇଁ କି ? ’’

ବର୍ଷେ ପୂରିଲା । ବାପା , ମା’କୁ କହୁଥା’ନ୍ତି , ‘‘ ଝିଅ ଲାଗି ଠିକ୍‌ଠାକ୍‌ କଲେ ହେବ । ତା’ ପଢ଼ା ସରିଲା , ଘରକାମ ତ ସବୁ ଶିଖିଲାଣି । ସଂସାରର ଚଳଣି ବେଭାର ବି ଜାଣିଗଲାଣି । ଏଣିକି ତାକୁ ଶାଶୂଘର ପଠେଇଦେବା । ’’

ଝିଅ କହିଲା , ‘‘ ଯିବିନି । ’’ ମା’ କହିଲା , ‘‘ ଏ କେମିତିକା ଅଭିଲା କଥା କହୁଛୁ ଲୋ ମା ? ତୋ ସାଙ୍ଗର ସମସ୍ତେ ଗଲେଣି ଶାଶୂଘର । ଆଉ ତୁ ଯିବୁନି ? ’’

‘‘ଯିବି ତ । ଯିବି ବୋଲି ତ ଆସିଛି । ଯିବି ଯେ ଆଉ ଦି’ଦିନ ରହିଯାଏ । ମୋ ବାପାଙ୍କୁ ଦେଖିଲୁ , ସଂସାରର ବୋଝ ଏକା ବୋହି ବୋହି ନଇଁ ଗଲେଣି । ଦି’ ଦିନ ତାଙ୍କ ବୋଝ ତ ହାଲୁକା କରେ ? ଯିବି ନାଇଁ କି ?

’’ ପାଞ୍ଚ ବର୍ଷ ପୂରିଗଲା । ମା’ ବାପା ଦୁହେଁ ମନସ୍ଥ କଲେ - ‘‘ ନା ଆଉ ରଖି ହେବନି । ଏ ବର୍ଷ ଯେମିତି ହେଲେ ଝିଅକୁ ବାହାଦେବା । ଝିଅ ଶାଶୂଘର ଯିବ । ’’ ଝିଅ କହିଲା , ‘‘ ଯିବିନି । ’’ ମା’ ବାପା ଦୁହେଁ ପଚାରିଲେ , ‘‘ ପୁଣି କ’ଣ ହେଲା ? ଏବେ ପୁଣି ତୁ କାହିଁକି ମନା କରୁଛୁ କହ ଶାଶୂଘର ଯିବା ପାଇଁ ? ’’

‘‘ ମନାକଲି କେତେବେଳେ ? ’’ ଝିଅ କହିଲା , ‘‘ ଯିବି ତ । ଯିବି ବୋଲି ତ ଆସିଛି । ଯିବି ଯେ ଆଉ ଦି’ ଦିନ ରହିଯାଏ । ମୋ ସାନଭାଇ ଏବେ ଏଇ ସଂସାରରେ ଯୋଗ୍ୟ ହୋଇନି । ନିଜ ଗୋଡ଼ରେ ନିଜେ ଠିଆ ହୋଇ ଶିଖିନି ଏଯାଏଁ । ଦି’ ଦିନ ତା’ ପାଦକୁ ସାହା ତ ହୁଏ । ଯିବି ନାଇଁ କି ? ’’

ମା’ ବାପା ଦୁହେଁ ଝିଅର ମୁହଁକୁ ଚାହିଁ ରହିଥା’ନ୍ତି ଆଶ୍ଚର୍ଯ୍ୟ ଚକିତ ହୋଇ । ସମ୍ପୂର୍ଣ୍ଣ ନିର୍ବାକ୍ । କାହା ପାଟିରେ କିଛି ଭାଷା ନ ଥିଲା । ବାପା ମନେ ମନେ ଭାବୁଥିଲେ ପ୍ରକୃତରେ ଇଏ ହିଁ ‘ଝିଅ’ ।


Rate this content
Log in