Suchismita Chinu

Children Stories Inspirational

3  

Suchismita Chinu

Children Stories Inspirational

ଏକ ଇଂରାଜୀ କ୍ୟାଲେଣ୍ଡର

ଏକ ଇଂରାଜୀ କ୍ୟାଲେଣ୍ଡର

4 mins
157


  ୧ ଜାନୁୟାରୀ ୨୦୨୧ । ଇଂରାଜୀ ନୂଆବର୍ଷର ଶୁଭକାମନାରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଥାଏ।କେହି କେହି ନୂଆ ନୂଆ ସ୍ଥାନ ବୁଲିବାକୁ ଯାଉଥାନ୍ତି ତ ଆଉ କିଛି ଲୋକ ବନ୍ଧୁ ପରିଜନଙ୍କ ସହିତ ଭୋଜି କରିବା ପାଇଁ ଯାଉଥାନ୍ତି । ସବୁ ଲୋକ ନିଜ ନିଜ ଢଙ୍ଗରେ ଇଂରାଜୀ ନୂଆବର୍ଷ ଟିକୁ ପାଳିବାରେ ମସଗୁଲ୍ ଥାଆନ୍ତି।

  ରମେଶ ବାବୁଙ୍କ ଦୁଆରେ ଗାଲରେ ହାତ ଦେଇ ମନ ମାରି ବସିଥାଏ ତାଙ୍କ ୬ବର୍ଷର ଅଲିଅଳି ଗେହ୍ଲା ଝିଅ ସାରିକା।

ରମେଶ ବାବୁ ହେଉଛନ୍ତି ସେ ଅଞ୍ଚଳର ଜଣେ ସରକାରୀ କର୍ମଚାରୀ ଓ ପ୍ରତିଷ୍ଠିତ ବ୍ୟକ୍ତି । ସାରିକା ମନ ମାରି ବସିଥିଲା ବେଳେ ହଠାତ୍ ରମେଶ ବାବୁ ଘର ଭିତରୁ ବାହାରି ଆସିଲେ ଆଉ ଝିଅ ପାଖରେ ବସି ତାର ମୁଣ୍ଡ ଆଉଁସି ଦେଉ ଦେଉ ପଚାରିଲେ," ମୋ ସୁନା ଝିଅର ଆଜି ମନ ଦୁଃଖ କଣ ପାଇଁ ? କେହି କିଛି କହିଛି କି ମୋ ଗେଲୀକୁ?"

  ଏହା ଶୁଣି ସାରିକା ଅଭିମାନ ଏବଂ ଶିଶୁ ସୁଲଭ ଢଙ୍ଗରେ ଟିକେ ଦୂରକୁ ଘୁଞ୍ଚିଗଲା ଆଉ ପୁଣି ପୂର୍ବ ଭଳି ମୁହଁ ଫୁଲେଇ ବସିରହିଲା।

  ଏହି ସମୟରେ ରମେଶ ବାବୁଙ୍କ ଧର୍ମପତ୍ନୀ ଆରତୀ ଦେବୀ ଘର ବାହାରକୁ ଆସିଗଲେ ଆଉ ରମେଶ ବାବୁଙ୍କୁ କହିଲେ,"ଆଜି ପରା ନୂଆବର୍ଷ,ସମସ୍ତେ କେତେ ଖୁସିରେ ନୂଆବର୍ଷ ପାଳୁଛନ୍ତି ଆଉ ଆମେ କଣ ପାଇଁ ନୂଆବର୍ଷ ପାଳୁନାହେଁ ବୋଲି ସେ ମୁହଁ ଫୁଲେଇ ବସିଛି।"

  ଏ କଥା ଶୁଣି ରମେଶ ବାବୁ ଟିକେ ହସିଲେ ଆଉ ସାରିକା ପାଖକୁ ଲାଗିଯାଇ ତାର ମୁଣ୍ଡ ଆଉଁସି ଦେଇ କହିଲେ," ଏଇ ଛୋଟ କଥା ପାଇଁ ମୋ ସୁନା ଝିଅ ରାଗିଚି କି? ଠିକ୍ ଅଛି ଆମେ ବି ଆଜି ନୂଆବର୍ଷ ପାଳନ କରିବା,ତୁ ଯାଆ ଆଉ ଜଲଦି ଜଲ୍ଦି ତୋ ଜାମା ପିନ୍ଧି ବାହାରି ପଡେ।"

  ଏତିକି ଶୁଣୁ ଶୁଣୁ ସାରିକା ଓଠରେ ହସ ଖେଳିଗଲା ଆଉ ସେ ଜଲ୍ଦି ଜଲ୍ଦି ବାହାରିବା ପାଇଁ ଘର ଭିତରକୁ ଦଉଡ଼ି ଗଲା।

ବାପ ଝିଅଙ୍କର ଏହି କଥାବାର୍ତ୍ତା ଆରତୀ ଦେବୀ ଶୁଣୁଥିଲେ ଆଉ ସେ ଟିକେ ଅସନ୍ତୁଷ୍ଟ ହୋଇ ରମେଶ ବାବୁଙ୍କୁ କହିଲେ,"ତୁମେ କେବେଠାରୁ ଇଂରାଜୀ ନୂଆ ବର୍ଷ ପାଳନରେ ରୁଚି ରଖିଲ ? ତୁମର ଏହି ଭଳି ଅତି ଗେହ୍ଲା କରିବା ଯୋଗୁ ସେ ଦିନକୁ ଦିନ ବିଗିଡି ଯାଉଛି।"

  ଆରତୀ ଦେବୀଙ୍କର ଏହି କଥା ଶୁଣି ରମେଶ ବାବୁ ସ୍ମିତ ହାସ୍ୟର ସହ କହିଲେ, "ତୁମେ ଚିନ୍ତା କରନି, ତୁମେ ବି ବାହାରି ପଡ ଆମେ ସମସ୍ତେ ମିଶିକି ଯିବା । ସାରିକା ଆଜି ନୂଆବର୍ଷର ଅଲଗା ଅର୍ଥ ବୁଝିବ ତୁମେ ବ୍ୟସ୍ତ ହୁଅନି।"

  ରମେଶ ବାବୁ,ଆରତୀ ଦେବୀ ଆଉ ଛୋଟ ଝିଅ ସାରିକା ନୂଆବର୍ଷ ପାଳିବା ଉଦ୍ଦେଶ୍ୟରେ ବାହାରିଲେ।

  ନୂଆବର୍ଷ ପାଳନ କରିବା ଖୁସିରେ ସାରିକା ମନେ ମନେ ବହୁତ୍ ଖୁସି ହେଉଥାଏ । କିଛି ସମୟ ଭିତରେ ସେମାନେ ଯାଇ ପହଞ୍ଚିଲେ ଗୋଟେ ମାର୍କେଟରେ ଆଉ ସେଠାରୁ ରମେଶ ବାବୁ କିଛି ଖାଦ୍ୟ ଜିନିଷ ଏବଂ ଛୋଟ ବଡ଼ ପିଲାଙ୍କ ପାଇଁ କିଛି ନୂଆ ଜାମା ଓ ଲୋକମାନଙ୍କ ପାଇଁ କିଛି ଲୁଗାପଟା କିଣିଲେ।

ଏସବୁ ଦେଖି ସାରିକା ଆଉ ତା ମାଆ କିଛି ବୁଝିପାରୁନଥାନ୍ତି । ସେହି ମାର୍କେଟରୁ ସେମାନେ ପୁଣି ବାହାରିଗଲେ ଓ କିଛି ସମୟ ଭିତରେ ସେମାନେ ପହଞ୍ଚିଲେ ଗୋଟେ ଛୋଟ ବସ୍ତି ରେ।

  ବସ୍ତିରେ ଥିଲା ଛୋଟ ଛୋଟ ନୁଆଁଣିଆ ଝାଟିମାଟିର ଚାଳ ଛପର ଘର । ରମେଶ ବାବୁ ଓ ତାଙ୍କ ପରିବାର ଗାଡ଼ିରୁ ଓହ୍ଲାଇଲେ । ରମେଶ ବାବୁ ଗୋଟେ ଚାଳ ଛପର ଘର ଆଡ଼କୁ ଗଲେ ଏବଂ ସେଠାରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ପ୍ରଣାମ କରି ତାଙ୍କ ସହ କିଛି କଥା ହେଲେ ଆଉ ଆସି ଗାଡ଼ିରୁ ସେମାନେ କିଣିଥିବା ଜିନିଷ ପତ୍ର ସବୁ ବାହାର କଲେ।

  ଏସବୁ ଭିତରେ ସେ ବୟସ୍କ ବ୍ୟକ୍ତି ତାଙ୍କ ବସ୍ତିର ସବୁ ପିଲା ଏବଂ ଲୋକମାନଙ୍କୁ ଡାକି ଆଣିଥିଲେ । 

ରମେଶ ବାବୁ ସେ ଜିନିଷ ସବୁକୁ ବାହାର କରି ସାରିବା ପରେ ସାରିକାକୁ କିଛି ଖାଦ୍ୟ ପୁଡିଆ ଦେଇ କହିଲେ,"ମାଆରେ, ଏହି ପୁଡିଆକୁ ନେ ଆଉ ସେ ଛୋଟ ପିଲାମାନଙ୍କୁ ଦେ।"ସାରିକା ତା ବାପାଙ୍କ କଥାମାନି ସେ ଖାଦ୍ୟ ପୁଡିଆକୁ ସବୁ ପିଲାମାନଙ୍କୁ ଦେଲା।ଖାଦ୍ୟ ପୁଡିଆ ନେଲା ବେଳକୁ ସେ ପିଲାମାନେ ଖୁବ୍ ଖୁସୀ ଜଣା ପଡୁଥିଲେ।

  ଏହାପରେ ସେମାନେ ଆଣିଥିବା ପୋଷାକକୁ ମଧ୍ୟ ଆରତୀ ଦେବୀ ଏବଂ ରମେଶ ବାବୁ ସମସ୍ତଙ୍କୁ ଦେଇଦେଲେ । ଏସବୁ ଭିତରେ ଆରତୀ ଦେବି ବୁଝି ସାରିଥାନ୍ତି ଯେ ରମେଶ ବାବୁ ନୂଆବର୍ଷରେ ଏଠାକୁ କଣ ପାଇଁ ଆସିବା ପାଇଁ କହିଥିଲେ।

ରମେଶ ବାବୁ ସାରିକାକୁ କହିଲେ,"ମାଆରେ ଏଇ ନୂଆବର୍ଷକୁ ଆମେ ଆଜି ଏଇଠି ପାଳନ କରିବା ସମସ୍ତଙ୍କ ସହ।"

ସାରିକାଏହା ଶୁଣି ଖୁସି ହୋଇଗଲା ଓ ସେ ବସ୍ତିର ପିଲାମାନଙ୍କ ସହ ଖୁବ୍ ଖେଳିଲା । ଏହିପରି ଭାବେ ନୂଆବର୍ଷଟି ଖୁବ୍ ଭଲ ଭାବେ କଟିଲା ଓ ସନ୍ଧ୍ୟା ସମୟରେ ରମେଶ ବାବୁ ନିଜ ପରିବାର ସହିତ ଘରକୁ ଫେରିଲେ । ସେଦିନ ସାରିକାଦିନସାରା ବହୁତ୍ ବୁଲିଥିଲା ତେଣୁ ସେ କ୍ଲାନ୍ତ ହୋଇ ଜଲ୍ଦି ଶୋଇଗଲା।

  ତା ପରଦିନ ସକାଳୁ ସାରିକାରମେଶ ବାବୁଙ୍କ ପାଖକୁ ଗଲା । ରମେଶ ବାବୁ ଚା ପିଉଥିଲେ । ସାରିକାକୁ ଦେଖି ପଚାରିଲେ,"କାଲିର ଦିନ କେମିତି ଲାଗିଲା ତୋତେ?"

ସାରିକାଖୁବ୍ ଖୁସି ହୋଇ କହିଲା," ବହୁତ୍ ଭଲ ଲାଗିଲା କାଲି ସେଠାକୁ ଯାଇ।ବାପା,ମୁଁ ସେଠି ବହୁତ୍ ସାଙ୍ଗ କରିଛି ଆଉ ତାଙ୍କୁ କହିଛି ମୁଁ ପୁଣି ସେଠାକୁ ଯିବି ବୋଲି।ଆମେ ପୁଣି କେବେ ଯିବା ସେଠାକୁ?"

  ବାପା ଉତ୍ତର ଦେଇ କହିଲେ,"ତୋତେ ଯଦି ଏତେ ଭଲ ଲାଗିଲା ତାହେଲେ ଆମେ ପୁଣି କେବେ ସମୟ ସୁବିଧା ଦେଖି ନିଶ୍ଚୟ ଯିବା,ହେଲେ ତୁ ମୋତେ ପ୍ରଥମେ ଏକଥା କହ ଯେ,ଅଯଥା ଟଙ୍କା ଖର୍ଚ୍ଚ କରି କୁଆଡେ ବୁଲିବାକୁ ଯିବା ବା ଭୋଜିଭାତ କରିବା ଭଲ ନା ଏମିତି ବସ୍ତି ଜାଗାକୁ ଯାଇ ଲୋକଙ୍କ ସହ ମିଶି ଖୁସି ହବ ଭଲ?"

  ସାରିକା ସତେ ଯେମିତି ଏହି ପ୍ରଶ୍ନକୁ ହିଁ ଅପେକ୍ଷା କରିଥିଲା ତେଣୁ ସେ ଚଟାପଟ୍ କହିଲା,"ଏମିତି ଲୋକଙ୍କ ସହ ମିଶି ବହୁତ୍ ସାଙ୍ଗ ବନେଇଲି ଆଉ ସେମାନଙ୍କୁ ଖୁସି ହବାର ଦେଖି ଖୁବ୍ ଖୁସି ଲାଗିଲା ତେଣୁ ଏମିତି ହିଁ ନୂଆବର୍ଷ ପାଳିବା ଆମେ ପ୍ରତିବର୍ଷ।"

  ଏକଥା ଶୁଣି ରମେଶ ବାବୁ ଖୁସି ହୋଇଗଲେ ଆଉ ସାରୀକାକୁ କୋଳରେ ବସାଇ କହିଲେ,"ମାଆରେ ଆମ ନୂଆବର୍ଷ ଏବେ ନୁହେଁ,ଏଇଟା ତ ଇଂରାଜୀ ନୂଆବର୍ଷ।ଆମେ ପାଶ୍ଚାତ୍ୟ ସଂସ୍କୃତିର ବଶବର୍ତ୍ତୀ ହୋଇ ନିଜ ସଂସ୍କୃତିକୁ ଭୁଲିଗଲେଣି।ଆମ ଓଡ଼ିଆ ନୂଆବର୍ଷ ତ ବୈଶାଖ ମାସ ପଣା ସଂକ୍ରାନ୍ତିରୁ ଆରମ୍ଭ ହୁଏ।ତେଣୁ ସବୁବେଳେ ମନେରଖ ଆମେ ଯେତେ ଆଧୁନିକ ହେଲେ ମଧ୍ୟ ନିଜ ସଂସ୍କୃତିକୁ ଭୁଲିବା କଦାପି ଉଚିତ୍ ନୁହେଁ।"

  ସାରିକା ସେତେବେଳକୁ ସବୁ କିଛି ବୁଝିସାରିଥିଲା ଆଉ କେବେ ବି ସେ ଏମିତି ମନ ଖରାପ୍ କରିବନି ବୋଲି କହିଲା ଆଉ ସବୁବେଳେ ଦୁଃଖୀ ଦରିଦ୍ରଙ୍କୁ ସାହାଯ୍ୟ କରିବା ପାଇଁ ଶପଥ ନେଲା।ଝିଅର ଏଭଳି ପରିବର୍ତ୍ତନ ଦେଖି ରମେଶ ବାବୁ ମଧ୍ୟ ଖୁସି ହେଲେ ଆଉ ଚା ପିଇବାକୁ ଲାଗିଲେ।


  ବି.ଦ୍ର.: ପାଶ୍ଚାତ୍ୟ ସଂସ୍କୃତି ପାଳନ କରିବା ଭୁଲ ନୁହେଁ କିନ୍ତୁ ନିଜ ସଂସ୍କୃତିକୁ ଭୁଲିଯାଇ ପାଶ୍ଚାତ୍ୟ ସଂସ୍କୃତିରେ ମସଗୁଲ୍ ହେବା ଭୁଲ । ସାରିକା ଭଳି ଛୋଟ ପିଲାମାନଙ୍କୁ ଏହିଭଳି ପାଶ୍ଚାତ୍ୟ ସଭ୍ୟତା ଠାରୁ ଦୂରରେ ରଖି ନିଜ ସଂସ୍କୃତି ସମ୍ପର୍କରେ ଅବଗତ କରାଇବାର ଏହା ଏକ ବିକଳ୍ପ।



Rate this content
Log in