ବବିତା ମହାପାତ୍ର

Others

3  

ବବିତା ମହାପାତ୍ର

Others

ଦାମ୍ପତ୍ୟ ର ଦାୟ

ଦାମ୍ପତ୍ୟ ର ଦାୟ

2 mins
169



   ଅଗ୍ନିରୁପା ଚୁପ ଥିଲା । ସୁନ୍ଦର ଆଖି ଦିଓଟି ବି ଶୂନ୍ୟ । ମାଘ ପୂର୍ଣ୍ଣିମାର ଗୋଲ ଜହ୍ନ ଅଜାଡି ଦେଉଥିଲା ଶୀତଳ କିରଣ । ଅଗ୍ନିରୁପା ଜଳୁଥିଲା । ଭାବୁଥିଲା କେମିତି କେଜାଣି ଆଦୌ ଜରୁରୀ ନଥିବା ଅନେକ କିଛି କିନ୍ତୁ ଘଟେ ନିର୍ଦ୍ଦିଷ୍ଟ ସମୟରେ । 


      "ଆମ ଡାଲମା କାହିଁକି କଳା ହୁଏ ରୁପା ?? ଅନ୍ୟମାନଙ୍କର ତ ହୁଏନି??" ଏ ପ୍ରଶ୍ନର ଉତ୍ତର ଦେଇ ନଥିଲା ସେ। "ଆମ ଡାଲମା ଭଲ ବି ତ ହୁଏ । କାହିଁ କେବେ କହିନ ତ !" ଧୀର ସ୍ୱରରେ " ନାଁ ଭଲ ହୁଏନି" ବୋଲି ଉତ୍ତର ରଖିଥିଲେ ତଥାଗତ। "ତେବେ ଅନ୍ୟମାନଙ୍କ ଘରେ ଖାଅ" ବୋଲି ଉତ୍ତର ଫେରେଇ ଥିଲା ରୁପା । ଦୀର୍ଘ ତିରିଶ ବର୍ଷ ପରର ବୀତସ୍ପୃହତା ଦେଖି ଆଶ୍ଚର୍ଯ୍ୟ ହେଇଥିଲା । ଯୁକ୍ତି କରିବାର ଆଗ୍ରହ ନଥିଲା ତାର । ଚୁପ ରହିଥିଲା । ନିଜ ଭିତରେ କିନ୍ତୁ ପ୍ରଚଣ୍ଡ ଅଭିମାନରେ ଫାଟି ପଡିଥିଲା। ଅନେକ କଥାକୁ ନିଜ ସ୍ୱରରେ ନିଜେ ଶୁଣିଥିଲା ଗୁଡ଼ାଏ ବେଳ । ସବୁସତ୍ୱେ ସେ ତୀକ୍ଷ୍ଣ ସ୍ୱରରେ ତଥାଗତଙ୍କୁ ପଚାରି ପାରି ନଥିଲା ଯେ " ଅନ୍ୟମାନଙ୍କ ଭଳି ତୁମେ କାହିଁକି ସହଜ ନୁହେଁ ମୋ ସହ ? କାହିଁକି ତୁମେ ନିଭୃତରେ ମୋ ଉପରେ ଅଧିକାର ସାବ୍ୟସ୍ତ କରି ପାରନି ? କେମିତି ପ୍ରତି ମୁହୂର୍ତ୍ତରେ ଅଦେଖା ମଣିଷମାନଙ୍କ ଉପରେ ତୁମେ ଜାହିର କରୁଥାଅ ତୁମର ପ୍ରେମିକ ପଣ ?"

  

    କେବେ ବି ତାର ଆବଶ୍ୟକତା, ଇଚ୍ଛା ଅନିଚ୍ଛାକୁ ବୁଝିନଥିଲେ ତଥାଗତ । ରାତିର ଅନ୍ଧାର ଯେ କିଛି ଉଷ୍ଣତା ଖୋଜେ ଏତକ ଅଗ୍ନିରୁପା ବୁଝେଇ ପାରିନଥିଲା ଆଉ ତଥାଗତ ବୁଝିବାକୁ ଆଗ୍ରହୀ ନଥିଲେ ଜମ୍ମା । କିଛି କହିବାକୁ ଚେଷ୍ଟା କଲେ "କାହାସହ ତୁଳନା କରିବନି" ବୋଲି ଉଚ୍ଚ ସ୍ୱରରେ ଖିଙ୍କାରୀ କହି ପାଟି ଚୁପ କରିଦେଇଥିଲେ । ଦୀର୍ଘବର୍ଷ ଭିତରେ ଅଶାନ୍ତିକୁ ପ୍ରଶ୍ରୟ ନଦେବାକୁ ରୁପା ହାତ ଗଣତି କେତେଥର ଛଡା ଚୁପ ରହି ସବୁକିଛିକୁ ମୁଣ୍ଡେଇ ନେଇଥିଲା ସିନା କେବେ ମୁହଁ ଖୋଲି ନିଜ ମନ ତଳର ଛୋଟ ଛୋଟ ଇଚ୍ଛା ମାନଙ୍କୁ ତଥାଗତଙ୍କ ସହ ଭୋଗି ପାରି ନଥିଲା। ଝିପି ଝିପି ବର୍ଷାରେ ବିହ୍ଵଳିତ ମୁହୂର୍ତ୍ତ ମାନଙ୍କୁ ଇପ୍ସିତ ସମୟରେ ବାନ୍ଧି ପାରି ନଥିଲା।ରାଗ ରୁଷା, ମାନ ଅଭିମାନ କିଛି ବି ତା ଜୀବନ ଧାରାକୁ ଆଚ୍ଛାଦିତ କି ଆଲ୍କାଦିତ କରି ନଥିଲା । ଗୁମସୁମ, ନିରବ,ସନ୍ଦେହର ଗୋଟାଏ ଆସ୍ତରଣ ଦାମ୍ପତ୍ୟକୁ କ୍ଷତାକ୍ତ କରିଛି ଖୁବ । ଅନେକ ଚେଷ୍ଟା ପରେ ବି ସମ୍ପର୍କକୁ ବିପଦମୁକ୍ତ ରଖି ପାରିନି ରୁପା। ଏବେ ଏଇ ଉତ୍ତୀର୍ଣ୍ଣ ବୟସରେ ବି ଘାଣ୍ଟି ହଉଚି । ଦିନସବୁ ଘର ଓ ବାହାର କାମର ବ୍ୟସ୍ତତା ଭିତରେ କଟି ଯାଉଥିଲେ କିନ୍ତୁ ରାତି ତାକୁ ଡରାଉ ଥିଲା ଖୁବ୍ । ଭାଙ୍ଗ ପଡି ନଥିବା ବିଛଣାରେ ଭୋରକୁ ଆବାହନ କରୁଥିଲା ସେ । 

     ଏବେ ସବୁଥାଇ ବି ସେ ଏକା । ତଥଗତଙ୍କ ଆକ୍ଷେପ ସବୁ ବାରବାର ଆଘାତ ଦେଇଛି ତାକୁ। ଗୋଟାଏ ଛଳଛଳ ମନ ଏବେ ସ୍ଥିର । ବିଶ୍ୱାସ ଅବିଶ୍ଵାସର ଧାରାରୁ ବାହାରି ଶ୍ମଶାନକୁ ନିରେଖିଲାଣି ଅଗ୍ନିରୁପା । ଏତେ ଅଲୋଡା ପଣ !! ଆଜିକାଲି ଆଉ ଲୁହ ଗଡ଼ାଏନି ରୁପା । ତଥାଗତ ଙ୍କର ଅନମନୀୟ ସମ୍ପର୍କ ତାକୁ ବିବ୍ରତ କରେନି। ଚରିତ୍ରକୁ ନେଇ ତାଙ୍କ ଆକ୍ଷେପ ଆଉ ଆଗଭଳି ଛାତି ଥରାଏନି ତାର । ବୟସ୍କ ତଥାଗତଙ୍କୁ ଅନେକଙ୍କ ସହ ଲୁଚି ଲୁଚି କଥା ହେବା ଦେଖେ, ଶୁଣେ କିନ୍ତୁ ଚୁପ ରୁହେ । ସାରା ଜୀବନର ନିଷ୍କାମ ସେବାର ପ୍ରତିଦାନରେ ପାଉଥିବା ତିରସ୍କାର, ସନ୍ଦେହ,ଆକ୍ଷେପରେ ଜଡ଼ସଡ ରୁପା ନିଜ ଭିତରେ ହିଁ ସାଉଁଟି ନେଲାଣି ନିଜକୁ । 

    ଦାମ୍ପତ୍ୟ ଦାୟରେ ବନ୍ଧା ପଡିଛି ସେ । ଓଠ ପାଖରେ ଜମାଟ ବାନ୍ଧିଛି ଇଚ୍ଛା । ଗୋଟାଏ ସୁଗନ୍ଧ ହୀନ ଫଗୁଣ ତାକୁ ବାହା ମେଲେଇ ନିମନ୍ତ୍ରଣ କରୁଛି। ଜୀବନଟିଏ ଅନୁକମ୍ପାରେ କଟିଗଲା ଯାହା .......।



Rate this content
Log in

More oriya story from ବବିତା ମହାପାତ୍ର